ନାଁ ବଦଳରେ ସୁଫଳ କେତେ?

ଆବିଷ୍କାର, ଉଦ୍ଭାବନ, ନୂତନ ତଥ୍ୟ ବା ଭାବ ଉନ୍ମୋଚନ କି ଉପସ୍ଥାପନ ଆଦି ମଣିଷ ଜାତିର, ସୃଷ୍ଟିର ଏକଚାଟିଆ କାର୍ଯ୍ୟଶୈଳୀ। ବାଘର ହେଉ କି ହାତୀର ହେଉ କି ପିମ୍ପୁଡ଼ିର ହେଉ କି କୋଉ ପଶୁପକ୍ଷୀ ଆଦିଙ୍କର ଏମିତି କାର୍ଯ୍ୟଶୈଳୀ ଅଛି କି? ସ୍ରଷ୍ଟା ନିର୍ଦ୍ଧାରିତ ଗୁଳା ବାଟିଆ ସେମାନେ। ସେଇଥିପାଇଁ ମଣିଷ ଶ୍ରେଷ୍ଠତ୍ବ ଦାବି କରିପାରିଛି କେବଳ ନୁହଁ; ହାସଲ ବି କରି ପାରିଛି। ଶ୍ରାଦ୍ଧର ଭାବ ଓ ଶ୍ରାଦ୍ଧ ପଦ୍ଧତି ଉଦ୍ଭାବନ ଇତର ଜୀବଠି କାଇଁ? ସେମିତି ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ର ଆଦିର ଅଚିନ୍ତନୀୟ ଶକ୍ତି ହାସଲର ବୁଦ୍ଧି ବା ପ୍ରଚଣ୍ଡ ପ୍ରଜ୍ଞାଶୀଳତା ଆଉ କୋଉ ଜୀବଠି କାଇଁ? ତେବେ ମଣିଷଠି ଥିବା ସୃଜନଶୀଳତା କାଇଁ କେତେବେଳେ ବି ବନ୍ଦ ହୋଇ ଯାଇଛି? ୟେ ଗତିଶୀଳ ଓ ତା’ ହିଁ ମଣିଷର ସ୍ଥିତି ଅବସ୍ଥିତିର ବୌଦ୍ଧିକ ପରିଚିତି। ଅକଳନୀୟ ସୃଷ୍ଟି କାରିଗରୀ ତାକୁ ସର୍ବଦା ପ୍ରେରଣା ଦେଇ ଆସିଛି ଓ ତା’ ହିଁ ସୃଜନଶୀଳତାର ବାର୍ତ୍ତା। ନୀଳ ଆକାଶରେ ଚିଲ ଆଦି ପକ୍ଷୀଙ୍କର ଅବାଧ ଉଡ୍ଡାନ, ପାଣିରେ ମାଛ ଆଦିର ସନ୍ତରଣ ମଣିଷକୁ ବ୍ୟୋମଯାନ ଓ ଜାହାଜ ଆଦି ଉଦ୍ଭାବନ କରାଇବା ବେଳେ ଘଡ଼ଘଡ଼ି, ଚଡ଼ଚଡ଼ି, ଭୂକମ୍ପ ଆଦିରୁ ମଣିଷ ବୋମା, କ୍ଷେପଣାସ୍ତ୍ର ତିଆରିର ଦୁଷ୍ଟବୁଦ୍ଧି ବି ହାସଲ କରିଛି। ପରମାଣୁ ବୋମାର ଉଦ୍ଭାବନରେ ସ୍ରଷ୍ଟା ଆଇନଷ୍ଟାଇନ ଯେତିକି ଆନନ୍ଦିତ ହୋଇଥିଲେ, ନାଗାସାକି ଓ ହିରୋସିମା ଉପରେ ତା’ର ପ୍ରୟୋଗରେ ସେଠି ଯେଉଁ ଅଭୂତପୂର୍ବ ପ୍ରଳୟ ସୃଷ୍ଟି ହେଲା, ସେଥିରେ ସ୍ତବ୍ଧ ଓ ଚକିତ ବିଶ୍ବ ଜନତାଠାରେ ସ୍ବୀୟ ଅନୁତାପ ପ୍ରକାଶ ଅବସରରେ ଏମିତି ସୃଷ୍ଟି ତାଙ୍କର କଳନା ବାହାରେ ଥିଲା ବୋଲି କହିଥିଲେ।

ପରମାଣୁ ଶକ୍ତିର ୟେ ଏକ ଧ୍ବଂସାତ୍ମକ ବା ‘ମାରଣ’ ପ୍ରୟୋଗ। ଆହୁରି ଭଲ, ଆହୁରି ସୁନ୍ଦର ଓ ଅଧିକ ଉପଭୋଗ ଚାହୁଁଥିବା ମଣିଷ ସ୍ରଷ୍ଟାକୁ ଟପିଯିବାକୁ ଯେତେବେଳେ ଚାହେଁ ସେତେବେଳେ ହିଁ ଧୋକ୍‌କା ଖାଏ, ଝଟକା ପାଏ। ଇନ୍ଦ୍ରପୁରୀ, ବୈକୁଣ୍ଠପୁରୀରୁ ମନ୍ଦିର ସୃଷ୍ଟିର, ଅଧ୍ୟାତ୍ମ ପରିବେଶ ସୃଷ୍ଟିର ପ୍ରେରଣା ଓ ଆଗ୍ରହ ଅଙ୍କୁଶିତ ହେଲା ପରେ ଦେବ ମନ୍ଦିରମାନ ନିର୍ମାଣ ହେଲା। ମନ୍ଦିର ତୋଳିବାର ଆବେଗ ଓ ଭାବ ନ ଥିବା; ମାତ୍ର ମନ୍ଦିର ତୋଳାଳିର ବାହାଦୁରୀ, ସାମାଜିକ ପ୍ରତିଷ୍ଠାରେ ଅସହ୍ୟ, ଈର୍ଷାନ୍ବିତ ଜଣେ ମନ୍ଦିର ତ କରିପାରେନି, କିନ୍ତୁ ମନ୍ଦିରକୁ ଯାଇଥିବା ବାଟରେ ମଳତ୍ୟାଗ କରିବା ସହଜ ଓ ଦୁଷ୍ଟଶକ୍ତି ସମ୍ପନ୍ନ ହୋଇଥାଏ। ତେଣୁ କଥା ତ ଅଛି, ‘‘ମନ୍ଦିର ତୋଳିଲେ ନାଁ ପଡ଼େ, ବାଟରେ ହଗିଲେ ବି ନାଁ ପଡ଼େ’’। ତେବେ ସେ ନାଁ, ଏ ନାଁ ଭିତରେ କାହିଁ କେତେ ତଫାତ୍‌ ଓ ଫାଙ୍କ! କୁତବୁଦ୍ଧିନ କୁତବ୍‌ମିନାର ତିଆରି କଲେ। କାଳଜୟୀ ହୋଇଗଲେ। ମାତ୍ର ତାଙ୍କ ପ୍ରଶଂସାରେ ଅସହିଷ୍ଣୁ ଆଉ ଜଣେ ସମ୍ରାଟ ଆଉ ଏକ ମିନାର ତିଆରିର ଧୃଷ୍ଟତାରେ ମାତିଗଲେ। ମାତ୍ର କ’ଣ ହେଲା? କୋଉ କୁତବ୍‌ମିନାର ହୋଇ ପାରିଲା? ୟେ ଅଧାଭଙ୍ଗା ସେଦିନୁ ପଡ଼ିରହି ବରଂ ପ୍ରୋକ୍ତ ସମ୍ରାଟଙ୍କ ଦୟନୀୟ ନ୍ୟୂନତା ଆଜି ବି ପ୍ରକଟୁଛି। କୁତବ୍‌ମିନାର ଦର୍ଶନରେ ମୁଗ୍ଧ ପରିବ୍ରାଜକଟିଏ, ଏ ଭଗ୍ନ ପ୍ରୟାସ ଦେଖି ବରଂ ତାଚ୍ଛଲ୍ୟ ଓ ଦୟାର ହସ ହସିଥାଏ।

ପୃଥିବୀର ସପ୍ତାଶ୍ଚର୍ଯ୍ୟ କୋଣାର୍କ ମନ୍ଦିର ଓ ଏହାର ବିସ୍ମୟକର କଳା ନୈପୁଣ୍ୟ, ଭାରତବର୍ଷର ଆଉ ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ମନରେ ଆଉ ଏକ ‘କୋଣାର୍କ’ ସୃଷ୍ଟିର ଲୋଭ ଜନ୍ମାଇଥିଲା। କହିଲେ, ‘‘ଗୋଟିଏ କୋଣାର୍କ ନୁହେଁ, କେତେ କୋଣାର୍କ ସୃଷ୍ଟି ପ୍ରତିଭା ଏ ରାଇଜରେ ଏବେ ବି ଅଲୋଡ଼ା ଅଛନ୍ତି।’’ ଏହା ପ୍ରମାଣ ପାଇଁ, ସତକୁ ସତ ସିଏ ତାଙ୍କ କଳ୍ପନା, ସ୍ବପ୍ନର କୋଣାର୍କ ତିଆରି ଆରମ୍ଭ କରିଦେଲେ। କୋଣାର୍କ ସୂର୍ଯ୍ୟରଥର ଚକ ନିର୍ମାଣ ପ୍ରଥମେ ସିଏ ଆରମ୍ଭ କରିଦେଲେ। ଯେ ଏକୁ ଦେଖିଲା, ସତ କୋଣାର୍କ ଭ୍ରମ ତା’ଠି ସୃଷ୍ଟି ହେଲା। ମାତ୍ର କାଳ ତାଙ୍କୁ ସହିଲା ନାହିଁ। କରୋନା ୱାରେଣ୍ଟରେ ସେ ତାଙ୍କ ଦୁଇ ପୁଅଙ୍କ ସହ ଆରପୁରକୁ ନିଆ ହେଲେ। କି ଦାରୁଣ ଆଘାତ ଏ ଜାତିକୁ ପ୍ରଭୁ ନ ଦେଲା! ସେ ଯାହାହେଉ ଆଉ ଗୋଟେ ‘କୋଣାର୍କ’ ଯଦି ସୃଷ୍ଟି ହୋଇଥାନ୍ତା, ତାକୁ ‘କୋଣାର୍କ-‘କ’ କି ‘ଖ’ କୋଣାର୍କ ବୋଲି କୁହାଯାଇଥାନ୍ତା। ‘ବିଧି’ ଏମିତି ଗୋଟେ କୋଣାର୍କ ଚାହୁଁ ନ ଥିଲେ ବୋଧେ। ସେମିତି ସୃଷ୍ଟି ନାଁରେ, ନୂଆ କିଛି ଦେବା ନାଁରେ ଧୃଷ୍ଟତା ପ୍ରବଣତା ମଣିଷର କାର୍ଯ୍ୟ ବହୁ ସମୟରେ ହାସ୍ୟାସ୍ପଦ ହୋଇଥାଏ। ବରଂ ‘ବିକୃତି’ର ଏକ ସାକ୍ଷୀ ବନିଯାଏ। କୁହା ବି ଯାଇଛି ‘‘To paint the lily….’’ ଏମାନଙ୍କୁ ‘‘ଛେନାରୁ ଚୋପା ଛଡ଼ା’’ ଦଳିଆ ବୋଲି କୁହାଯାଏ। ଆଉ ବି ଗୁଡ଼େ ଅଛନ୍ତି ସବୁଠି, ସବୁଥିରେ ଦୋଷ ଦେଖିବା। ଇଂରାଜୀରେ ତାଙ୍କୁ Fault Finder କୁହାଯାଏ। ସଂସ୍କୃତରେ ସେମାନଙ୍କୁ ଲକ୍ଷ୍ୟ କରି କୁହାଯାଇଛି, ‘‘ବ୍ରଣମିଚ୍ଛନ୍ତି ମକ୍ଷୀକାଃ’’ ଦୋଷଦ୍ରଷ୍ଟା। ଏବେ ସେମିତି ଉଦ୍ଭାବନ, ଆବିଷ୍କାର, ସଂସ୍କାର ଓ ଉନ୍ମେଷଶାଳିନୀ ପ୍ରଜ୍ଞାବୋଧରେ କେତେକ ସଜ୍ଜନ ସଂସ୍କାରପ୍ରେମୀ, ସଂସ୍କାରଧର୍ମୀ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ ଧାମ, ଦାନ୍ତପୁରୀ ବା ‘ପୁରୀ’ର ନାଁକୁ ଯେତେ ନୁହେଁ ଶ୍ରୀଜଗନ୍ନାଥ ଆମ ପ୍ରିୟ ଜଗାଙ୍କ ନାଁକୁ ବିଶ୍ବବ୍ୟାପ୍ତ କରିବା ପ୍ରୟାସରେ ‘ପୁରୀ’ର ନାମକୁ ଜଗନ୍ନାଥଧାମ କରାଯିବାକୁ କହିଛନ୍ତି। ଏମିତି ଦାବି ଯେ ଅଯଥାର୍ଥ, ଅସମୀଚୀନ ଓ ଅବାନ୍ତର, ତା’ କେବେ କୁହାଯାଇ ପାରିବନି। ତେବେ ଏ ଭାବରେ ଭକ୍ତି କେତେ, ସାମାଜିକ ପ୍ରବଣତା କେତେ ତା’ର ଉତ୍ତର-ପରୀକ୍ଷା ‘ପୋଷ୍ଟମର୍ଟମ’ କରି ବସିଲେ ଅଡ଼ୁଆ ସୂତା ସଜଡ଼ା ବଣା ହେବାକୁ ପଡ଼ିବ।

ପୂର୍ବରୁ ତ ବମ୍ବେ ନାମ ବଦଳାଯାଇ ମୁମ୍ବଇ, ମାନ୍ଦ୍ରାଜ ନାଁ ବଦଳାଯାଇ ଚେନ୍ନାଇ, ବାଙ୍ଗାଲୋର ନାମ ବଦଳାଯାଇ ବେଙ୍ଗାଲୁରୁ, ଏହ୍ଲାବାଦ ନାମ ବଦଳାଯାଇ ପ୍ରୟାଗରାଜ ଆଦି କରାଯାଇଛି। ଏବେ ବି ଓଡ଼ିଶାର ନାମକୁ ବଦଳାଯାଇ ‘କଳିଙ୍ଗ’ ଓ ଉତ୍କଳ ଆଦି କରାଯିବାକୁ କେତେକ ବି ଦାବି ମଝିରେ ମଝିରେ କରିଥା’ନ୍ତି। କଳିଙ୍ଗ ଏକ ସାହସୀ ଜାତି ଥିଲେ। ‘‘କଳିଙ୍ଗାଃ ସାହସିକାଃ’’ ବୋଲି କୁହାଯାଇଛି। ଏ ସମ୍ବନ୍ଧରେ କଳିଙ୍ଗ ଯୁଦ୍ଧ କଥା ବି କୁହାଯାଇଥାଏ। ଉତ୍କଳ ନାମକରଣ ବିଷୟରେ ମହାକବି, କବିଚନ୍ଦ୍ର ଭୁବନେଶ୍ବରଙ୍କ ‘ଉତ୍କଳ ପରିଚୟ’ ଯାହା ଶ୍ରୀମନ୍ଦିର ମଦନ ମୋହନଙ୍କ ଦକ୍ଷିଣ ପାର୍ଶ୍ବରେ ମାର୍ବଲ ପଥରରେ ଖୋଦେଇ ଏବେ ବି ଦେଖିବାକୁ ମିଳେ। ସେଥିରେ ସେ ଲେଖିଛନ୍ତି, ‘‘ଯତ୍ରନାଥ ଜଗନ୍ନାଥ ପ୍ରିୟା ତସ୍ୟ ହରିପ୍ରିୟା, ବଳୋବଳବତାଂ ଶ୍ରେଷ୍ଠଃ ସୁଭଦ୍ରା ଭଦ୍ରଦାୟିକା। ମହାନଦୀ ନଦୀ ଯତ୍ର ସୁଦ୍ୟୁମ୍ନ ନନ୍ଦନୋତ୍କଳ। ଶାସ୍ତା ବଭୂବ ଯତ୍ରୈବ ତତ୍ରୋତ୍କଳେ ସ୍ଥିତା ବୟଂ’’ ଇତ୍ୟାଦି। ମାତ୍ର ‘ପୁରୀ’କୁ ଜଗନ୍ନାଥଧାମ କରାଯାଇ ବିଶ୍ବ ଜନତାର ଆକର୍ଷଣ ଦାବି ଯଥାର୍ଥ ମନେହୁଏନି। ପାଟଶାଢ଼ି, ପାଟମଠା ଓଡ଼ିଶା ତାରକସି କାମ, କୋରାପୁଟ କଫି, ପିପିଲି ଚାନ୍ଦୁଆର ବିଶ୍ବପ୍ରଚାର ପାଇଁ ବ୍ୟାବସାୟିକ ଆବଶ୍ୟକତା ସହ ଓଡ଼ିଆର ନୈପୁଣ୍ୟ ମିଶା ଭାବ ଭଳି ‘ଜଗା’ଙ୍କ ପ୍ରଚାର ଅପୁଷ୍ଟ ଓ କାଳଜୟୀ ମନେହୁଏନି। ଏ ବିଷୟରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସିଦ୍ଧାନ୍ତ ଓ ମତ ବେଶ୍‌ ବଳିଷ୍ଠ, ଶ୍ରେଷ୍ଠ ଓ ଯଥାର୍ଥ ମନେହୁଏ। ସେ ‘ପୁରୀ’ ଶବ୍ଦ ବିଷୟରେ କହିବାକୁ ଯାଇ ‘ଅଷ୍ଟପୁରୀ’ କଥାର ଆଭାସ ଦେଇଛନ୍ତି। ସପ୍ତପୁରୀ ବିଷୟରେ ବି କୁହାଯାଇଛି ‘‘ଅଯୋଧ୍ୟା ମଥୁରା ଗୟା କାଶୀ କାଞ୍ଚୀ ଅବନ୍ତିକା। ପୁରୀ ଦ୍ବାରାବତୀ ଚୈବ ସପ୍ତୈତେ ମୋକ୍ଷଦାୟକା।।’’ ଚାରିଧାମ, ଚାରିମଠ ବିଷୟରେ ଶଙ୍କରାଚାର୍ଯ୍ୟଙ୍କ ପୁରୀସ୍ଥ ମଠର ନାମ ଗୋବର୍ଦ୍ଧନ ପୀଠ କୁହାଯାଇଥିବା ବେଳେ ଅନ୍ୟ ତିନିଧାମର ନାମ ଯଥାକ୍ରମେ ଶୃଙ୍ଗେରୀ ମଠ, ଦ୍ବାରକା ମଠ, ଜ୍ୟୋତି ମଠ କୁହାଯାଇଛି। ୟାର ନାମ ପରିବର୍ତ୍ତନ ଦାବି ଐତିହାସିକ ବା ପୌରାଣିକ ତଥ୍ୟ ଅଜ୍ଞତା କେବଳ ପ୍ରତିପାଦିତ କରିବ। ‘ପୁରୀ’ ଶବ୍ଦର ଅର୍ଥ କିଏ ନ ବୁଝିଲା ବୋଲି ଏକୁ ତାଙ୍କ ବୋଧଗମ୍ୟ ପାଇଁ ହାଲକା କରିବା, କୁ ପଣ୍ଡିତପଣିଆ ବା କୁ ରାଷ୍ଟ୍ରପ୍ରେମ ବା ପ୍ରୀତି?

ବକିଙ୍ଗହାମ୍‌ ରାଜପ୍ରାସାଦ, କି କୋଉ ବିଦେଶୀ ନାମକରଣର ପୃଷ୍ଠଭୂମି ଅଜ୍ଞ ଲୋକଙ୍କୁ ବିଜ୍ଞ କରାଇବାକୁ ଏ ନାମକରଣର ରୂପାନ୍ତର, ଉଚ୍ଛେଦ ଓ ବିକୃତିକରଣ କୋଉ ସଂସ୍କାର ଅନ୍ତର୍ଗତ? ‘ବୈକୁଣ୍ଠପୁରୀ’ ତ ଶ୍ରୀଭଗବାନ ଲକ୍ଷ୍ମୀନାରାୟଣଙ୍କ ବାସସ୍ଥଳୀ, ଏକୁ ଲକ୍ଷ୍ମୀ-ନାରାୟଣ ବୈକୁଣ୍ଠପୁରୀ କୁହାଯାଇ ଅଜ୍ଞଙ୍କୁ ବିଜ୍ଞ କରିବା ପରିବର୍ତ୍ତେ ଅଜ୍ଞତାକୁ ଅଯଥା ବୃଦ୍ଧି ଓ ବିକୃତ କଲାଭଳି ହେବ। ନାରାୟଣ ବୈକୁଣ୍ଠପୁରୀ କଲେ ଆଉ ଏକ ‘ବୈକୁଣ୍ଠ’ ଅଛି ବୋଲି ମଧ୍ୟ କଳନା କରାଯାଇପାରେ। ବୈକୁଣ୍ଠ ଶବ୍ଦର ତାତ୍ତ୍ବିକ ବୋଧଗମ୍ୟତା ହିଁ ପ୍ରକୃତ ପ୍ରୟାସ। ଶ୍ରୀଜଗନ୍ନାଥଙ୍କ ନବ କଳେବର ପରେ ତାଙ୍କୁ ସମାଧିସ୍ଥ କରାଯାଉଥିବା ମନ୍ଦିର ମଧ୍ୟସ୍ଥ ସ୍ଥାନକୁ ଲୋକେ ‘‘କୋଇଲି ବୈକୁଣ୍ଠ’’ କହିଥାନ୍ତି। ଜଣେ ଯଦି ତର୍କ କରିବ ଯେ କୋଇଲି ବୈକୁଣ୍ଠ ନ ହୋଇ ଏକୁ ଲକ୍ଷ୍ମୀଙ୍କ ବାହନ ପେଚକ ବୈକୁଣ୍ଠ କି ମୟୂର ବୈକୁଣ୍ଠ କୁହାଯାଉ, କାରଣ କୋଇଲି କୋଉ ପ୍ରଭୁଙ୍କର ବାହନର ଯୋଗ୍ୟତା ପାଇନାହିଁ। ମାତ୍ର ଏ ପଣ୍ଡିତେ ବୁଝିବା କଥା ଯେ ଏହା କୈବଲ୍ୟ ବୈକୁଣ୍ଠର ଅପଭ୍ରଷ୍ଟ ମାତ୍ର। ସେ ପୁଣି କୈବଲ୍ୟ ନ ବୁଝିବେ ତ କିଏ ତାଙ୍କୁ ବୁଝେଇ ବୁଝେଇ ‘ଜ, ର, ଳ, ବ, ଶ, ଷ, ସ, ହ’ ଯାଏ ନେବ? ଜନ୍ମାନ୍ଧଟିଏ ତା’ର ସାଙ୍ଗକୁ ଦୁଇ ଘଣ୍ଟା ଅପେକ୍ଷା ପରେ ସାଙ୍ଗ ପହଞ୍ଚିବାରୁ ତାକୁ କହିଲା, ‘‘ହଇରେ, ମୁଁ ଜନ୍ମାନ୍ଧଟେ ବୋଲି ତୁ ମତେ ଏମିତି ହୀନିମାନ କରୁଛୁ? ମୁଁ ଦୁଇଘଣ୍ଟା ହେଲା ତତେ ଅପେକ୍ଷା କରିଛି। ବନ୍ଧୁ ଜଣଙ୍କ ଜନ୍ମାନ୍ଧ ବନ୍ଧୁର ହାତ ଧରିପକାଇଲା। କହିଲା, ‘‘ନାଇଁରେ ସଙ୍ଗାତ, ସାତବର୍ଷ ପରେ ଆମ ଗାଁ ବଟୁ ମିଶ୍ରଙ୍କର ପୁଅଟେ ହୋଇଥିଲା। ଆଜି ସକାଳୁ, ରୋଗ ନାଇଁ ବୈରାଗ ନାଇଁ, ଖିର ପିଉପିଉ ମରିଗଲା ଯେ, ଗାଁ ସାରା କାନ୍ଦର ଲହର।’’ ବିସ୍ମିତ ଜନ୍ମାନ୍ଧ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲା, ‘ଖିର’ କେମିତିକାରେ? ସାଙ୍ଗ କହିଲା, ‘‘ଆରେ ଚୂନ ଭଳିଆ ଧଳା।’’ ଚୂନ ଧଳା କେମିତିଆ? ସେ କହିଲା ବଗ ପରି ଧଳା, ବଗ କେମିତିଆ ମ? ବିରକ୍ତ ହୋଇଗଲା ବନ୍ଧୁ। ତା’ ନିଜ ହାତକୁ ଟେକି ପାପୁଲି ବଙ୍କେଇ ଅନ୍ଧ ହାତକୁ ଟାଣି ତା’ ହାତ ଦରାଣ୍ଡେଇଲା, ଏଥିରେ ଅନ୍ଧ ଏବେ ପୂରା ବୁଝି ଯାଇଥିବା ଉଶ୍ବାସରେ କହିଲା, ‘‘ଆରେ, ଏଡ଼ୁଟେ ପିଇଦେଲା, ମରିଯାଆନ୍ତାନି କେମିତି?’’ ଏ ଉତ୍ତର ବା ଭାବରେ ସାଙ୍ଗ ବି ଖାମୁସ୍‌ ହୋଇଗଲା। ଆଉ ବୁଝେଇବା ପ୍ରୟାସ କଲାନି। ବିଧି ବିଧାନ ମତେ ଅବୋଧ୍ୟ ହେବା ବା ଭିନ୍ନ ଏକ ଭାବର ଲାଭ ପାଇଁ ଅବୋଧ୍ୟ ଛଳନା କରିବା ଦୁଇ ଭିନ୍ନ କଥା ଅବଶ୍ୟ। ଏମାନେ ‘‘ଚେଇଁଶୁଆ’’, ତାଙ୍କୁ ଉଠେଇବ କିଏ?
ତେବେ ନାମ, ଖ୍ୟାତି ଆଣି ନ ଥାଏ। କର୍ମ, ଖ୍ୟାତି ଓ ଦୁର୍ନାମ ଭିଆଏ ଏବଂ ପରେ ପରେ ଏ ନାମ ତା’ ସହିତ ଯୋଡ଼ି ହୋଇଯାଏ। ଶ୍ରୀଜଗନ୍ନାଥଙ୍କ ଅସାଧାରଣ ସଂସ୍କୃତି, କୃଷ୍ଟି ବିଶ୍ବଜନତାଙ୍କୁ ଆକର୍ଷିତ କଲା। ‘ପୁରୀ’ କହିଲେ ଜଗନ୍ନାଥଧାମ, ଦ୍ବାରକା କୃଷ୍ଣଧାମ ନାମରେ ଖ୍ୟାତ। ଏ ନାମସବୁ ସ୍ବୟଂ ପବିତ୍ର ଓ ପ୍ରେରଣାପ୍ରଦ ହୋଇଯାଇଛି। ଶ୍ରୀନଅରକୁ ଗଜପତିଙ୍କ ନାଁରେ ବଦଳାଯାଉ, ସେ ରାଜି ତ? ସେମିତି ଶ୍ରୀମନ୍ଦିରକୁ ଶ୍ରୀଜଗନ୍ନାଥମନ୍ଦିର କୁହାଯାଉ। ସଭିଏଁ ରାଜି ତ? ୟେ ଖାଲି ଗୋଳ କନ୍ଦଳ ଓ ଚଷୁକୁଟା ସୃଷ୍ଟି କରିବ। ବରଂ ‘ପୁରୀ’ ଧାମର ମର୍ଯ୍ୟାଦା, ମହକ ବୃଦ୍ଧି ପାଇ ଜଗନ୍ନାଥଙ୍କୁ ବନ୍ଧା ନ ପକାଇ, ଏଠାରେ ଚାଲିଥିବା କେତେକ ସେବକଙ୍କ ଦୌରାତ୍ମ୍ୟ, ମହାପ୍ରସାଦ ବିକ୍ରି ଓ ବଣ୍ଟନରେ ପରିଚ୍ଛନ୍ନତା ଓ ଅମୃତପ୍ରାୟ ସ୍ବାଦ ବଡ଼ ଦାଣ୍ଡକୁ ନିରାମିଷ ଦାଣ୍ଡ ବରଂ କରାଯିବାର ଉଦ୍ୟମ ହେଉ। ଜଗନ୍ନାଥ କହିବେ ତାଙ୍କ ନାମ ଫଳକ (ନେମ୍‌ପ୍ଲେଟ)ରେ ‘ପୁରୀ’ ବା ଜଗନ୍ନାଥଧାମ ଲେଖାଯିବ ବା କିଛି ବି ଲେଖା ନ ଯାଇ ସେମିତି ପତିତପାବନ ବାନା ଉଡ଼ୁଥିବ, ମାହାତ୍ମ୍ୟ ଉଡ଼ାଇ ଉଡ଼ାଇ। ଜୟ ଜଗନ୍ନାଥ।

Comments are closed.