ନ୍ୟାୟ ଅପେକ୍ଷାରେ

ଭାରତୀୟ ନ୍ୟାୟ ବ୍ୟବସ୍ଥାର ଆଧାରଭୂତ ସୁଧାର ଜରୁରୀ

ଦେଖିବାକୁ ଗଲେ ଭାରତର ନ୍ୟାୟ ବ୍ୟବସ୍ଥା ବିଶ୍ବରେ ସୁଦୃଢ। ତେବେ ବାସ୍ତବ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ କଠୋର ଆଇନ ଆମ ଦେଶରେ ରହିଛି। ତେବେ କୌଣସି ଅପରାଧୀର ଅପରାଧ ସାବ୍ୟସ୍ତ କରିବା ପାଇଁ ଦୀର୍ଘ ବର୍ଷ ଲାଗୁଛି। ଆମ ଦେଶରେ ଜଣେ ଯୁବ ଅଭିଯୁକ୍ତ ବାର୍ଦ୍ଧକ୍ୟରେ ଜେଲରୁ ନିର୍ଦୋଷରେ ଖଲାସ ହେଉଥିବା ଅଥବା କାରାଗାରରେ ଶେଷ ନିଃଶ୍ବାସ ଛାଡ଼ୁଥିବା ଦେଖିବାକୁ ମିଳିଥାଏ। ଭାରତୀୟ ଆଇନର ଏହି ବିପରୀତ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ। ଦେଶର ଜେଲଗୁଡ଼ିକରେ ଏବେ ଯେତେ ସଂଖ୍ୟକ କଏଦୀ ବନ୍ଦୀ ଅଛନ୍ତି ଏମାନଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ଅପରାଧ ଏ ପର୍ଯ୍ୟନ୍ତ ପ୍ରମାଣ ହୋଇ ପାରି ନାହିଁ। ଅଯଥା ଏମାନେ କାରାଦଣ୍ଡ ଭୋଗୁଛନ୍ତି। ଦେଶର ୩ଲକ୍ଷରୁ ଊର୍ଦ୍ଧ୍ବ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୨.୪୪ ଲକ୍ଷ ବର୍ଷେ ହେଲା ଦେଶର ବିଭିନ୍ନ ଜେଲଗୁଡ଼ିକରେ ବନ୍ଦୀ ଜୀବନ ବିତାଉଛନ୍ତି। ଏହା ବ୍ୟତୀତ ୪୪ ହଜାର କଏଦୀ ବର୍ଷକରୁ ଊର୍ଦ୍ଧ୍ବ, ୨୨ ହଜାର କଏଦୀ ଦୁଇ ବର୍ଷରୁ ଊର୍ଦ୍ଧ୍ବ, ୧୪ ହଜାର କଏଦୀ ତିନି ବର୍ଷରୁ ଊର୍ଦ୍ଧ୍ବ ଓ ୫ ହଜାର କଏଦୀ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଡ଼ମ୍ବନାର ବିଷୟ; ଜାମିନ୍‌ ପାଇଁ ନିର୍ଦିଷ୍ଟ ନିୟମ ପ୍ରଣୟନ କରିବାକୁ ସର୍ବୋଚ୍ଚ ଅଦାଲତ ବାରମ୍ବାର କହି ଆସୁଛନ୍ତି। ସମ୍ବିଧାନର ଧାରା-୨୧ ଅନୁଯାୟୀ କୌଣସି ବ୍ୟକ୍ତିର ନିଜସ୍ବ ସ୍ବତନ୍ତ୍ରତା ତାଙ୍କର ମୌଳିକ ଅଧିକାର। ଏସବୁ ସତ୍ତ୍ବେ ଆମେ ଏମିତି ଆଇନ ପ୍ରଣୟନ କରିଛନ୍ତି ଯେ, ଜଣେ ବ୍ୟକ୍ତି ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ଦୀର୍ଘ ବର୍ଷ ଜେଲରେ ରହୁଛି। ଆମର ତଦନ୍ତ ସଂସ୍ଥାଗୁଡ଼ିକ ସମ୍ପୃକ୍ତ ବ୍ୟକ୍ତିର ଅପରାଧିକ ପୃଷ୍ଠଭୂମି ସଂକ୍ରାନ୍ତରେ ପ୍ରାମାଣିକ ତଥ୍ୟ ହାସଲ କରିବାରେ ବିଳମ୍ବ କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିର ନିର୍ଦୋଷ ସଂକ୍ରାନ୍ତ ପ୍ରମାଣ ମିଳୁ ନଥିବାରୁ ଅଦାଲତ ଗୁଡ଼ିକ ଅନାୟାସରେ ତାଙ୍କୁ ଜେଲ ପଠାଇ ଦେଉଛନ୍ତି।

୧୭ଶ ଶତାବ୍ଦୀରେ ଇଂଲଣ୍ଡର ୱିଲିୟମ ବ୍ଲାକଷ୍ଟୋନ ନାମକ ଜଣେ ଆଇନ ବିଶାରଦ ଏ ସଂକ୍ରାନ୍ତରେ ନିଜସ୍ବ ମତ ପ୍ରଦାନ କରିଥିଲେ। ପରେ ତାଙ୍କର ଏହି ପରାମର୍ଶ ସମଗ୍ର ବିଶ୍ବର ଆଧୁନିକ ବିଚାର ବ୍ୟବସ୍ଥା ପାଇଁ ପଥ ପ୍ରଦର୍ଶନ କରିଥିଲା। ସେ କହିଥିଲେ, ‘ଯଦ୍ୟପି ୧୦ ଅପରାଧୀ ମୁକୁଳି ଯାଆନ୍ତୁୁ; ଜଣେ ବି ନିର୍ଦୋଷକୁ ଦଣ୍ଡ ମିଳିବା ଉଚିତ୍‌ ନୁହେଁ’। ଛୋଟ ବଡ଼ ଚୋରି ଠାରୁ ଆରମ୍ଭକରି ଡ୍ରଗ୍ସ ଓ ଆତଙ୍କବାଦ ପର୍ଯ୍ୟନ୍ତ ମାମଲା ଜଣେ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହୋଇ ପାରୁଛି। ତେବେ ଏହାର ସତ୍ୟାସତ୍ୟ ପ୍ରମାଣ ପାଇଁ ଦୀର୍ଘ ବର୍ଷ ସମୟ ଲାଗୁଛି। ସେତେଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ଜେଲରେ ବନ୍ଦୀ ଜୀବନ ବିତାଉଛି। ନିର୍ଦୋଷରେ ଖଲାସ ହେଲା ବେଳକୁ ତାଙ୍କ ବଳ ବୟସ ହ୍ରାସ ପାଉଥିବାବେଳେ ସମାଜରେ ସେ ଆଉ ତାଙ୍କ ଆତ୍ମସମ୍ମାନ ଫେରି ପାଉ ନାହାନ୍ତି। କେହି ଜଣେ ବି ତାଙ୍କୁ ନିରପରାଧ ଚକ୍ଷୁରେ ଦେଖୁ ନାହାନ୍ତି। ସେ ନିଜ ଜୀବନର ବହୁମୂଲ୍ୟ ସମୟ କାରାଗାର ମଧ୍ୟରେ ହିଁ ଅତିବାହିତ କରୁଛନ୍ତି। ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ଏପରି ବ୍ୟକ୍ତିଙ୍କ ସ୍ବପ୍ନ, ଖୁସି ଓ ପରିବାର ପ୍ରତି ଦାୟିତ୍ବବୋଧତାକୁ ଆମେ ଫେରାଇ ପାରୁଛନ୍ତି କି ? ଯେଉଁ ଅଧିକାରୀଙ୍କ ପାଇଁ ଏହି ନିର୍ଦୋଷ ବ୍ୟକ୍ତି ଦୀର୍ଘ ବର୍ଷ ଜେଲରେ ବିତାଇଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଦେଶର ଅଧିକାଂଶ ବ୍ୟକ୍ତି ଯୌତୁକ ନିର୍ଯାତନା ଓ ଅନୁସୂଚିତ ଜାତି ଜନଜାତି ମାମଲାରେ ଛନ୍ଦି ହୋଇ ଜେଲ ଯାଉଛନ୍ତି। ଏମାନଙ୍କୁ ତୁରନ୍ତ ଜାମିନ୍‌ ମିଳି ପାରୁ ନାହିଁ। ଗିରଫ ହେଲେ ସେମାନଙ୍କ ଚାକିରି ଯାଉଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏପରି ମିଥ୍ୟା ମାମଲାରେ ଜେଲ ଯାଉଛନ୍ତି। ନିର୍ଦୋଷରେ ଖଲାସ ହେବା ବେଳକୁ ତାଙ୍କ ପିତାମାତା ଆରପାରିରେ କିମ୍ବା ପତ୍ନୀ ଓ ସନ୍ତାନ ଆଉ କାହା ଘରେ ମୁଣ୍ଡ ଗୁଞ୍ଜିଥିବା ଦେଖିବାକୁ ମିଳେ। ଏଠାରେ ତାଙ୍କର ମୌଳକ ଅଧିକାର କ୍ଷୁଣ୍ଣ ହେଉଥିଲେ ମଧ୍ୟ ନିରାକରଣ ପାଇଁ କୌଣସି ବାଟ ନାହିଁ। କେବଳ ଜଣେ ନୁହେଁ; ପ୍ରତିଦିନ ହଜାରହଜାର ମାମଲାରେ ଜାମିନ୍‌ ନ ପାଇ ଅନେକଙ୍କୁ ଜେଲ ଯିବାକୁ ପଡ଼ୁଛି। ଏହିପରି ଦେଶର ଜେଲଗୁଡ଼ିକରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଭାରତ ପରି ଏକ ଉଦାରବାଦୀ ଗଣତନ୍ତ୍ର ରାଷ୍ଟ୍ରରେ ଏପରି ବ୍ୟବସ୍ଥା ସ୍ପୃହଣୀୟ ନୁହେଁ। ବ୍ୟବସ୍ଥାର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି।

ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ୍‌କୁ ଜାମିନ୍‌ରେ ଆସିବା ପାଇଁ ପ୍ରାୟ ୨୮ ଦିନ ଲାଗିଲା। ଦେଶରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ବିଚାରାଧୀନ କଏଦୀଙ୍କ ପାଇଁ ଏପରି ସମାନ ଆଇନ ଲାଗୁ ହୋଇଛି କି ? ଏମାନେ କାହିଁକି ଦୀର୍ଘ ବର୍ଷ ବନ୍ଦୀ ଜୀବନ ବିତାଉଛନ୍ତି ? ନାମୀ ଦାମୀ ଓକିଲ ଯୋଗାଡ଼ କରିବାରେ ସାଧାରଣ ବିଚାରାଧୀନ କଏଦୀ ବିଫଳ ହେଉଥିବାରୁ ସେମାନେ ଦୀର୍ଘଦିନ ବିଚାରାଧୀନ କଏଦୀ ଭାବେ ଜେଲରେ ରହୁଛନ୍ତି। ଅନ୍ୟାୟରେ ଗିରଫ ହେବା ଓ ଜେଲ ଯିବାର ଚକ୍ର ଦୀର୍ଘ ଦିନ ହେଲା ଆମ ଆଇନ ବ୍ୟବସ୍ଥାରେ ଘୂରି ଚାଲିଛି। ବ୍ୟକ୍ତିର ସାମାଜିକ ସୁରକ୍ଷାକୁ ଅଗ୍ରାଧିକାର ଦେବାର ସମୟ ଆସିଛି। ଦୀର୍ଘ ବର୍ଷରୁ ପ୍ରଚଳିତ ଏହି ଆଇନର ସଂସ୍କାର ଲୋଡ଼ା। ସର୍ବୋଚ୍ଚ ଅଦାଲତଙ୍କ ସୁପାରିସ ଅନୁଯାୟୀ ଦେଶର ସଂସଦ ଜାମିନ୍‌ ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ଆବଶ୍ୟକ ମନେହୁଏ।

Comments are closed.