ଖାଇବା ତେଲ ଦୁଇ ଶତକମୁହାଁ!

ଦେଶରେ ଖାଦ୍ୟ ତୈଳ ମୂଲ୍ୟ ବୃଦ୍ଧି ପାଇବା ଗରିବ ଓ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇ ଦେଇଛି। ଦେଶବାସୀ ସାଧାରଣତଃ ସୋରିଷ, ତାଳ ଓ ବାଦାମ ତେଲକୁ ଅଧିକାଂଶ ମାତ୍ରାରେ ଖାଇବା ତେଲ ରୂପେ ବ୍ୟବହାର କରିଥା’ନ୍ତି। ଗତ ବର୍ଷର ଏହି ସମୟକୁ ଦେଖିଲେ ଜଣାପଡ଼େ ଉପରୋକ୍ତ ତେଲ ଲିଟର ପ୍ରତି ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଯାଇ କେନ୍ଦ୍ର ସରକାର ଖାଦ୍ୟ ତେଲ ଉପରୁ ଆମଦାନୀ ଶୁଳ୍କ ଉଠାଇ ଦେଇଛନ୍ତି। ତଥାପି ଖାଉଟିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ; ବରଂ ଦିନକୁ ଦିନ ଖାଇବା ତେଲ ଅଧିକ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ସମଗ୍ର ବିଶ୍ବ ବଜାରରେ ଏବେ ସୋୟାବିନ୍‌ ଓ ତାଳ ତେଲ ମୂଲ୍ୟ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଦେଶ ଏବେ ଚାଉଳ, ଗହମ ଓ ଚିନି ଉପରେ ଆତ୍ମନିର୍ଭରଶୀଳ ହୋଇ ପାରିଛି। ଏହି ସାମଗ୍ରୀ ବହୁଳ ମାତ୍ରାରେ ଏବେ ବିଦେଶକୁ ରପ୍ତାନି କରାଯାଉଛି। ତେବେ ​ତୈଳବୀଜ ଉତ୍ପାଦନରେ ଆମେ ପଛୁଆ ଅଛନ୍ତି। ଗତ ୩ ଦଶନ୍ଧି ହେଲା ଦେଶରେ ତୈଳବୀଜ ଉତ୍ପାଦନ କ୍ରମାଗତ ହ୍ରାସ ପାଇ ଚାଲିଛି। ଏହାର ଦୂର ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା ପ୍ରଣୟନ କରିଛନ୍ତି। ଘରୋଇ ତୈଳବୀଜ ଉତ୍ପାଦନ ଯେପରି ଅଧିକ ହେବ ସେଥିପାଇଁ ତୈଳବୀଜ ଚାଷୀମାନଙ୍କୁ ସରକାର ସ୍ବତନ୍ତ୍ର ପ୍ରୋତ୍ସାୟନ ଓ ଅଧିକ ଅମଳକ୍ଷମ ବିହନ ଯୋଗାଇ ଆସୁଛନ୍ତି। ତେବେ ଆଶା ଅନୁଯାୟୀ ତୈଳବୀଜ ଉତ୍ପାଦନ ହୋଇ ପାରୁ ନାହିଁ।

ଦେଶରେ ସବୁଜ ଓ ଶ୍ବେତ ବିପ୍ଳବ ଯେପରି ଆଶନୁରୂପ ସଫଳତା ଦେଇଥିଲା ହଳଦିଆ ବିପ୍ଳବ ମଧ୍ୟ କୃଷି ଜଗତକୁ ସମୃଦ୍ଧ କରିବ ବୋଲି ଆଶା କରାଯାଇଥିଲା। ଅନ୍ୟ ଦୁଇଟି ବିପ୍ଳବ ପରି ହରିୟାଣାରେ ହଳଦିଆ ବିପ୍ଳବ ଆରମ୍ଭ କରାଯାଇଥିଲା। ବିଶେଷକରି ଦକ୍ଷିଣ ହରିୟାଣା ଅଞ୍ଚଳରେ ଥିବା ଜମିଗୁଡ଼ିକରେ ସୋରିଷ ଚାଷ ଆରମ୍ଭ କରାଯାଇଥିଲା। ରାଜ୍ୟର ୭୦ ପ୍ରତିଶତ ସୋରିଷ କେବଳ ଦକ୍ଷିଣରେ ଥିବା ଗୁଡ଼ଗାଓଁ, ଫରିଦାବାଦ,ମେୱାଡ ଓ ରେବାଡ଼ି ପ୍ରମୁଖ ଅଞ୍ଚଳରୁ ଉତ୍ପାଦିତ ହୋଇଥାଏ। କ୍ଷେତ୍ରଫଳ ଦୃଷ୍ଟିରୁ ସୋରିଷ ଉତ୍ପାଦନରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଆଗରେ ଅଛନ୍ତି। ତେବେ ଉତ୍ପାଦନରେ ହରିୟାଣା ନାମ ସର୍ବାଗ୍ରେ ରହିଛି। ଗତ ପ୍ରାୟ ୧୪ ବର୍ଷ ହେଲା ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ସୋରିଷ ଚାଷ ହ୍ରାସ ପାଇ ଆସୁଛି। କେନ୍ଦ୍ର କୃଷି ବିଭାଗର ରିପୋର୍ଟ ଅନୁଯାୟୀ; ୨୦୧୨-୧୩ ଆର୍ଥିକ ବର୍ଷରେ ମଧ୍ୟ ପ୍ରଦେଶରେ ସୋରିଷ ଚାଷ ୭,୮୪,୦୦୦ ଓ ରାଜସ୍ଥାନରେ ଏହା ୨୩.୨୫ ଲକ୍ଷ ହେକ୍ଟର ଜମିକୁ ଖସି ଆସିଥିଲା।

ପୂର୍ବରୁ ରାଜସ୍ଥାନରେ ସମୁଦାୟ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଜମିରେ ସୋରିଷ ଚାଷ ହେଉଥିଲା। ଦୁଇଟି ରାଜ୍ୟରେ ସୋରିଷ ଚାଷ ହ୍ରାସ ପାଇବା ପରେ ହରିୟାଣାରେ ଅନୁରୂପ ଅବସ୍ଥା ସୃଷ୍ଟି ହୋଇପାରେ। କୃଷି ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ ସୋରିଷ ଚାଷକୁ କେବଳ କିଛି ରାଜ୍ୟ ମଧ୍ୟରେ ସିମୀତ ନରଖି ସୁହାଉଥିବା ପାଣିପାଗ ସ୍ଥାନଗୁଡ଼ିକରେ ଏପରି ବିପ୍ଳବ ଆରମ୍ଭ କରିବା ଆବଶ୍ୟକ। ଜନସଂଖ୍ୟା ବୃଦ୍ଧି ଓ ଉତ୍ପାଦନ ହ୍ରାସ ଯୋଗୁଁ ସୋରିଷ ତେଲ ବର୍ଷକ ମଧ୍ୟରେ ଲିଟର ପିଛା ପ୍ରାୟ ୧୦୦ ଟଙ୍କା ବଢି ଏବେ ୨୦୦ ଟଙ୍କା ଛୁଇଁଲାଣି। ଗତବର୍ଷ ଏହି ତେଲ ଲିଟର ପିଛା ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟ ଚାଷ ଅପେକ୍ଷା ତୈଳ ବୀଜ ଚାଷୀଙ୍କୁୁ କମ୍‌ ଲାଭ ମିଳୁଥିବାରୁ ସେମାନେ ଆଉ ସୋରିଷ ଚାଷ କରିବାକୁ ମନ ଦେଉ ନାହାନ୍ତି ବୋଲି କେତେକ ମତ ଦିଅନ୍ତି।

କ୍ରମାଗତ ଉତ୍ପାଦନ ହ୍ରାସ ଯୋଗୁଁ ପ୍ରାୟ ୩୦ ବର୍ଷ ହେଲା କେନ୍ଦ୍ର ସରକାର ବିଦେଶରୁ ଖାଇବା ତେଲ ମଗାଇ ଦେଶବାସୀଙ୍କ ଆବଶ୍ୟତା ପୂରଣ କରୁଛନ୍ତି। ଆଶା ଦେଶୀ ​ତେଲ ଉପରେ ଥିବାବେଳେ ଭରସା ବିଦେଶୀ ଉପରେ ଥିଲା। ଏବେ ଉଭୟ ଆଶା ଓ ଭରସା ବିଦେଶରୁ ଆମଦାନୀ କରାଯାଉଥିବା ଖାଇବା ତେଲ ଉପରେ ରହିଛି।

ଏବେ ସିଂହ ଭାଗ ଖାଇବା ତେଲ ବିଦେଶରୁ ଆମଦାନୀ କରାଯାଉଛି। ୩୦ ବର୍ଷ ହେଲା ଉତ୍ପାଦନ ହ୍ରାସ ପାଇ ଚାଲିଥିବା ଓ ଖାଉଟିଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବା ଯୋଗୁଁ ଏପରି ଖାଦ୍ୟ ତେଲ ସଙ୍କଟ ଦେଖାଦେଇଛି। ୧୯୯୦ ପର୍ଯ୍ୟନ୍ତ ଖାଇବା ତେଲ ଉତ୍ପାଦନ କରିବାରେ ଆମେ ଆତ୍ମନିର୍ଭର ଥିଲେ। ବର୍ଷକୁ ଯେତେ ତୈଳବୀଜ ଉତ୍ପାଦନ ହେଉଥିଲା ସେତିକିରେ ଦେଶବାସୀ ଚଳି ଯାଉଥିଲେ। ୧୯୯୦ ଠାରୁ କ୍ରମାଗତ ତୈଳ ବୀଜ ଉତ୍ପାଦନ ହ୍ରାସ ପାଇ ଚାଲିଲା। ତା’ପର ବର୍ଷଠାରୁ କେନ୍ଦ୍ର ସରକାର ବିଦେଶରୁ ଖାଇବା ତେଲ ଆମଦାନୀ ଆରମ୍ଭ କରିଥିଲେ। ଏହି ନିର୍ଭରତା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଲା। ଏବେ ଜନସଂଖ୍ୟାର ଆକାର ବଢିଲାବେଳକୁ ଖାଇବା ତେଲ ନାହିଁ। ବିଦେଶରୁ ରପ୍ତାନି କରି ଅଣାଯାଉଥିବାରୁୁ ଦେଶ ମଧ୍ୟରେ ଏହି ତେଲର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି। ଏବେ ସମୁଦାୟ ଆବଶ୍ୟକତାର ୬୦ ପ୍ରତିଶତ ଖାଇବା ତେଲ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ କରୁଛନ୍ତି। ଜନସଂଖ୍ୟା ୧୪୦ କୋଟି ଛୁଇଁଲା ବେଳକୁ ଦେଶ​ରେ ଉତ୍ପାଦିତ ହେଉଛି ମାତ୍ର ୪୦ ପ୍ରତିଶତ ତୈଳ ବୀଜ। ତେଣୁ ବାହାରୁ କିଣିବା ପାଇଁ ସରକାର ବାଧ୍ୟ ହେଉଛନ୍ତି। ଏବେ ପେଟ୍ରୋଲ ପରି ଆମଦାନୀ କରାଯାଉଥିବା ଖାଇବା ତେଲ ମୂଲ୍ୟ ଦୈନିକ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରୁଛି। ସେଥିପାଇଁ ବିଦେଶରେ ଖାଦ୍ୟ ତେଲ ବୃଦ୍ଧି ପାଇଲା ବେଳକୁ ଆମ ଦେଶରେ ତାହା ସଙ୍ଗେସଙ୍ଗେ ବୃଦ୍ଧି ପାଉଛି। ସରକାର ଓ ଖାଉଟିଙ୍କ ଏପରି ଦୁର୍ବଳତାରୁ ଫାଇଦା ଉଠାଉଛନ୍ତି କେତେକ ଅସାଧୁ ବ୍ୟବସାୟୀ ଓ ଗୋଷ୍ଠୀ। ଏମାନେ ବଡ଼ବଡ଼ ଖାଇବା ତୈଳ କମ୍ପାନୀର ନକଲ ବଜାରକୁ ଛାଡ଼ି ବେଶ୍‌ ଲାଭବାନ୍‌ ହେଉଛନ୍ତି। ଏସବୁ ଉପରେ ଅଙ୍କୁଶ ଲଗାଯିବା ଜରୁରୀ ହୋଇ ପଡ଼ିଛି।

Comments are closed.