ଓଡ଼ିଆ ବିରାଗ କାହିଁକି?

ଓଡ଼ିଆ ଭାଷା ଜଡ଼ିତ ଥିବା ବହୁ ପ୍ରସଙ୍ଗ ରାଜ୍ୟରେ ସର୍ବଦା ଆଲୋଚନାର ବିଷୟ ହୋଇଆସିଥିବାବେଳେ ଏବେ ଯେଉଁ ଦୁଇଟି ଖବର ଚର୍ଚ୍ଚାକୁ ଆସିଛି, ତାହା ହେଲା କୋଟିଆ ବା କୁଟିଆ ଅଞ୍ଚଳରେ ଓଡ଼ିଆ ନାମଫଳକଗୁଡ଼ିକୁ ଲିଭାଇ ଦିଆଯିବା ଏବଂ ଝାଡ଼ଖଣ୍ଡ ସରକାର ସେହି ରାଜ୍ୟର ବିଦ୍ୟାଳୟଗୁଡ଼ିକରୁ ଓଡ଼ିଆ ଭାଷା ଉଚ୍ଛେଦ ଘୋଷଣା କରିବା।

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଉଭୟ ରାଜ୍ୟ ଭିତରେ ଦୀର୍ଘଦିନ ଧରି ବିବାଦର କାରଣ ହୋଇଆସିଛି। ଏପରି କି ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚିଛି। ଅଦାଲତ ଏହି ସୀମା ବିବାଦର ରାଜନୈତିକ ସମାଧାନ କରିବା ପାଇଁ ଉଭୟ ରାଜ୍ୟର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରଠାରୁ ସେହି ଅଞ୍ଚଳକୁ ଆନ୍ଧ୍ରର ଅଧିକାରୀମାନେ ଆସି ବିଭିନ୍ନ ସମୟରେ ଲୋକଙ୍କୁ ପ୍ରଲୋଭିତ କରୁଥିବା ଦେଖାଯାଇଛି। ଏପରି କି ଗୁଲାବ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆନ୍ଧ୍ରର ଜଣେ ପୁଲିସ ଅଧିକାରୀ ଆସି ତଥ୍ୟ ଅନୁସନ୍ଧାନ ସହ ଲୋକଙ୍କୁ ସହାୟତା ପ୍ରଦାନ କରାଯିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରି ଯାଇଛନ୍ତି। ପଟାଙ୍ଗି ବ୍ଲକ୍‌ ପ୍ରଶାସନ ଓ ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ସେହି ଅଞ୍ଚଳରେ ବାତ୍ୟା ପ୍ରଭାବିତଙ୍କ ତଥ୍ୟ ସଂଗ୍ରହ କରିସାରିବା ପରେ ଆନ୍ଧ୍ରର ଏପରି ଅନୁପ୍ରବେଶ ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶାର ଅଞ୍ଚଳରେ ନିଜର ପତିଆରା ଜାହିର କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କୁ ସାହାଯ୍ୟ ସହାୟତା ପ୍ରଦାନ କରିବାକୁ ଆନ୍ଧ୍ରପ୍ରଦେଶର ବ୍ୟାକୁଳତା ତା’ର ମନ୍ଦ ଉଦ୍ଦେଶ୍ୟର ପ୍ରତିଫଳନ।

ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ଧୀରେଧୀରେ ଅଧିକ ତୀବ୍ର ହେଉଛି; କାରଣ ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତର ଏବେ ବିଭିନ୍ନ ଗ୍ରାମରେ ତେଲୁଗୁ ନାମଫଳକ ଲଗାଯାଉଛି। ଦୁର୍ବୃତ୍ତମାନେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଭାଷାରେ ଲିଖିତ ନାମଫଳକଗୁଡ଼ିକୁ ବିକୃତ କରିଥିବା କିମ୍ବା ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଆନ୍ଧ୍ରର ଅଧିକାରୀମାନଙ୍କ ଇସାରାରେ ସ୍ଥାନୀୟ କିଛି ଲୋକ (ଏଜେଣ୍ଟ୍‌) ଏପରି କରିଥିବା କୁହାଯାଉଛି। ସେପରି ହୋଇଥିବା ଅଧିକ ସମ୍ଭବ; କାରଣ ସେଠାକାର କିଛି ଲୋକ ସେମାନଙ୍କୁ ସହଯୋଗ କରୁନଥିଲେ ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବେଶ ପାଇଁ ସାହସ କରନ୍ତେ ନାହିଁ। ଓଡ଼ିଶା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସମସ୍ତ ସୁବିଧାସୁଯୋଗକୁ ହାତେଇଥିବା ଲୋକେ ମଧ୍ୟ ଆନ୍ଧ୍ରର ପ୍ରଲୋଭନରେ ପଡ଼ୁଥିବାରୁ ଏପରି ସମସ୍ୟା ଦେଖାଦେଇଛି। ତେଣୁ ଏଥିରୁ ସେମାନଙ୍କୁ ପ୍ରବର୍ତ୍ତାଇବା ଓ ନିବର୍ତ୍ତାଇବା ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ଏଥିସହ ଯେଉଁ ଲୋକେ ଓଡ଼ିଶା ଭିତରେ ରହି ଓଡ଼ିଶାର ବିରୋଧାଚରଣ କରୁଛନ୍ତି, ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଆବଶ୍ୟକ। ସର୍ବୋଚ୍ଚ ଅଦାଲତ ରାଜନୈତିକ ସ୍ତରରେ ଯେଉଁ ସମାଧାନ କଥା କହିଥିଲେ, ତାହା ସମ୍ଭବତଃ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇନାହିଁ; ନଚେତ୍‌ ଏଭଳି ସ୍ଥିତି ଉତ୍ପନ୍ନ ହୋଇ ନଥା’ନ୍ତା। କେବଳ କୋଟିଆ କଳି ନୁହେଁ, ଆନ୍ଧ୍ରପ୍ରଦେଶ ବିଚ୍ଛିନ୍ନାଞ୍ଚଳରେ ଅବସ୍ଥିତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷାଦାନକୁ ବନ୍ଦ କରିଦିଆଯାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶା ଆନ୍ଧ୍ର-ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ନିଜ ଆକାଙ୍‌କ୍ଷିତ ଭାଷା ଅର୍ଥାତ୍‌ ମାତୃଭାଷାରେ ପାଠ ପଢ଼ିବେ ବୋଲି ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି; କିନ୍ତୁ ଆନ୍ଧ୍ର ସରକାରଙ୍କ ଅନାଗ୍ରହ ଯୋଗୁଁ ସୀମାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ପିଲାଏ ଓଡ଼ିଆ ଶିକ୍ଷାରୁ ବଞ୍ଚିତ ହେଲେଣି। ସେଠା ସରକାର ଏସବୁ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ବନ୍ଦ କରିଦେବା ଦୁର୍ଭାଗ୍ୟଜନକ।

ସେହିପରି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମଧ୍ୟ ସରକାରଙ୍କ ଓଡ଼ିଆ ଭାଷା ବିରାଗ ନେଇ ଏବେ ଷଢ଼େଇକଳା, ଖରସୁଆଁ, ସିଂହଭୂମି ଆଦି ବିଚ୍ଛିନ୍ନାଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ଯାହା ସ୍ବାଭାବିକ। ୨୦୧୧ ମସିହାରେ ଝାଡ଼ଖଣ୍ଡ ସରକାର ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ଓଡ଼ିଶା ଓ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ଆନନ୍ଦିତ କରିଥିଲା; କିନ୍ତୁ ବର୍ତ୍ତମାନ ଏପରି କି ସମସ୍ୟା ଉପୁଜିଲା ଯେ ବିଦ୍ୟାଳୟରୁ ହିଁ ଓଡ଼ିଆକୁ ଉଚ୍ଛେଦ କରାଯିବା ପାଇଁ ସରକାର ଚିନ୍ତା କଲେ? ନିକଟ ଅତୀତରେ ମାଟ୍ରିକ ପାଠ୍ୟକ୍ରମରୁ ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡ ସରକାର ଉଠାଇନେବାକୁ କହିବା ପରେ ତୀବ୍ର ଜନଆନ୍ଦୋଳନ ହୋଇଥିଲା। ତେବେ ବିଭିନ୍ନ କାରଣରୁ ବିଦ୍ୟାଳୟ ସ୍ତରରେ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଆସୁଛି। ତେଣୁ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସ୍ତରର ଓଡ଼ିଆ ଭାଷାଶିକ୍ଷା ଅଧୋଗାମୀ ହୋଇଛି। ୧୯୧୬ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଚକ୍ରଧରପୁରର ପୁରୁଣା ବସ୍ତିରେ ଓଡ଼ିଆ ସ୍କୁଲ ସ୍ଥାପନ କରି ସେହି ଅଞ୍ଚଳରେ ଓଡ଼ିଆ ଭାଷାଶିକ୍ଷାର ନିଅଁ ପକାଇଥିଲେ। ଏହା ପରେ ଗୋଦାବରୀଶଙ୍କ ପରିଚାଳନାରେ ୩୬୦ଟି ଓଡ଼ିଆ ବିଦ୍ୟାଳୟ ଖୋଲିଥିବା ଜଣାଯାଏ। ମାତ୍ର ସେଠା ସରକାରଙ୍କ ଓଡ଼ିଆ ବିରାଗ କ୍ରମେ ଓଡ଼ିଆ ଭାଷାଶିକ୍ଷାକୁ ସଙ୍କୁଚିତ କରିଆସିଛି। ଏବେ ବିଦ୍ୟାଳୟରୁ ହିଁ ଓଡ଼ିଆ ଉଚ୍ଛେଦ ତା’ର କ୍ରମପରିଣାମ ମାତ୍ର। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ଭାବେ ନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ଅବିଳମ୍ବେ ଆଲୋଚନା କରିବା ଆବଶ୍ୟକ। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି କୋଟିଆ କଳିକୁ ତୁଟାଇବା ଜରୁରୀ।

Comments are closed.