ରାଜାନୁଗତ ଧର୍ମ

‘ପ୍ରତିକୂଳତା’ ହିଁ ଜଣଙ୍କର ବ୍ୟକ୍ତିତ୍ବର ପରିଚୟ ଦେଇଥାଏ। ବନବାସ ହିଁ ରାମଙ୍କ ପରିଚିତି ଓ ରାମାୟଣ ମହାକାବ୍ୟ ସୃଷ୍ଟିର କାରଣ। ସେମିତି ବିନା ମହାଭାରତରେ ‘ଗୀତା’ କାଇଁ, ଅର୍ଜୁନ, କର୍ଣ୍ଣ ବା ଶ୍ରୀକୃଷ୍ଣ କାହାନ୍ତି? ମହାକାଳ, ଇତିହାସ ବା ପୁରାଣ ଯେଉଁମାନଙ୍କ ନାମ ଲିଭାଇ ପାରନ୍ତିନି ସେମାନେ ଭୋଜିଖିଆ କି ହୋଲିଖେଳ ମତୁଆଲା କି ଯାତେରା ଝୁଙ୍କ ଦଳିଆ ନୁହନ୍ତି। ଏଗୁଡ଼ା ‘‘ଆହାର ନିଦ୍ରା ଭୟ ମୈଥୁନ’’ରେ ଏକାକାର ହୋଇଥିବା ପଶୁ ଦଳିଆ। ଏଙ୍କୁ ମହାକାଳ କୋଉ କେଶାଗ୍ରେ ଖାତିର କରେ ଯେ! ଜୀବନକୁ, ଯୌବନକୁ ଓ ମନକୁ ଯେଉଁମାନେ ‘ସମୂହ’ ପାଇଁ ବାଜି ଲଗେଇ ଦେଇଥା’ନ୍ତି, ନାଲି କିଟିକିଟି ରକତକୁ ଯେଉଁମାନେ, ଯେମିତି ବୁହାଇ ଦିଅନ୍ତି, ତାକୁ ଝାଳ କରି ପାଣି ପରିକା କରିଦିଅନ୍ତି, ସେମାନଙ୍କ ଭିନ୍ନତା, ସ୍ବାତନ୍ତ୍ର୍ୟ ତ ସର୍ବଗ୍ରାସୀ କାଳ ବକ୍ଷରେ ଖୋଦେଇ ହୋଇଯାଏ। ତା’ ସେ ବା କିଏ ବି ଲିଭାଇ ପାରନ୍ତିନି। ଖ୍ରୀଷ୍ଟପୂର୍ବ ତିନିଶହରୁ ଅଧିକ ପୂର୍ବର ଜଣେ ମଣିଷ ସକ୍ରେଟିସ। ସେ କୁ ରାଜା, ଜମିଦାର ବା ସେମିତିକା କୁ ପଦପଦବୀରେ ଥିଲେ କହୁନା। ଏ ଯାଏ ତାଙ୍କ ନାଁ ଇତିହାସ ଘୋଷୁଛି ନା, ନାହିଁ ମ! ‘‘କୁସୁମ ପରଶେ ପଟ ନିସ୍ତରେ’’ ପରିକା, ତାଙ୍କ ସହ ସମ୍ପୃକ୍ତ ଅନାମଧେୟ, ଅବାଞ୍ଛିତ ଗୁଡ଼େ ବି ଅଲିଭା ଏଇ ମଉକାରେ ହୋଇଗଲେ।

ସେମିତି ଆମେରିକା ସ୍ବାଧୀନତା ସଂଗ୍ରାମ ନୋହିଥିଲେ ଜର୍ଜ ୱାଶିଂଟନଙ୍କୁ କିଏ ଜାଣିଥାନ୍ତା? ଆମ ଗାନ୍ଧୀଙ୍କ କଥା ଦେଖୁନା। ଭାରତ ସ୍ବାଧୀନତା ସଂଗ୍ରାମ ନୋହିଥିଲେ, କିଏ ମଣିଷ ଦିହର ଏ ମହାତ୍ମାଙ୍କୁ ଜାଣି ପାରିଥା’ନ୍ତା? ସେ କୁ ପଦଧାରୀ କି କୁ କୁବେରଟେ ଥିଲେ କି? ପଦପଦବୀରେ ନଥିବା ଜଣେ ସାଧାରଣ ମଣିଷ ପାଇଁ ଜାତିସଂଘ ପ୍ରଥମ ଥର ପାଇଁ ତାଙ୍କ ମୃତ୍ୟୁରେ ସମ୍ମାନ ଜଣାଇ ପତାକାକୁ ଅର୍ଦ୍ଧନମିତ କଲା। ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଲୁଇ ଫିସର ଲେଖିଛନ୍ତି, ‘‘UNO lowered it’s flag to half mast. Humanity lowered it’s flag.’’ ସେଇଥି ପାଇଁ ଇଂରାଜୀରେ ବି କୁହାଯାଇଛି, ‘‘Adversity is the test of man.’’ ବିନା ବିପତ୍ତି, ବିନା ସଂଗ୍ରାମୀରେ କିଏ ‘ନିଦା’ ହୋଇଛି ଯେ! ଅବଶ୍ୟ ଜୀବନକୁ ବାଜିମୟ କରିଦେଇଥିବା ସଭିଏଁ କୁଆଡ଼େ ସ୍ମୃତିସ୍ତମ୍ଭ ଅର୍ଜନ କରିପାରିଛନ୍ତି। ବିଶୁ ମହାରଣା, ତାଙ୍କ ପୁଅ ଧର୍ମପଦ କି ଏ ଅସାଧାରଣ ଶିଳ୍ପକଳାର ମନ୍ଦିର ‘କୋଣାର୍କ’ ସୃଷ୍ଟିର ରାଜା ଲାଙ୍ଗୁଳା ନରସିଂହଙ୍କ ବ୍ୟତୀତ କାଇଁ କିଏ ବାରବର୍ଷ କାଳ ଜୀବନକୁ ବାଜି ଲଗେଇ ଦେଇଥିବା ଏ କାରୀଗରଙ୍କ ଭିତରୁ ଜଣଙ୍କ ନାଁ ବି କହିପାରିବେ?

ଲଢ଼ୁଆ ଜାତି ରାଜପୁତ୍‌ ଦୁର୍ଦାନ୍ତ ମୋଗଲ ସମ୍ରାଟ ଆକବରଙ୍କ ବଶ ହେବାପରେ, ତାଙ୍କ ସେନାପତି ବନିଥିବା ମାନ୍‌ସିଂ ତାଙ୍କ ଝିଆରୀ ଅନିନ୍ଦ୍ୟ ସୁନ୍ଦରୀ ଯୋଧାବାଈଙ୍କୁ ଆକବରଙ୍କ ସହ ବିବାହ କରିଥିଲେ। ସେ କାଳରେ, ଝିଅଟିଏର, ମହିଳାଟିଏର ପାଟି ଫିଟେଇବାକୁ କୁ ଜୁ ଥିଲା? ସେ ତ ବାପ, ମା’ ପରିବାରଙ୍କ କଣ୍ଢେଇଟେ ଥିଲା ମାତ୍ର। ଅଜଣା ଶାଶୂଘରକୁ ଯାଉଥିବା ବିଚାରୀ ‘କାଳୀଜାଈ’ର ବାହୁନା କଥା ଯଶସ୍ବୀ କବି ପଞ୍ଚସଖାର ଗୋଦାବରୀଶ ବଡ଼ ପ୍ରାଣଛୁଆଁ ଭାଷାରେ ଲେଖିଛନ୍ତି, ‘‘ପାରିକୁଦ ବୋଲି ରାଇଜ ପୁଣି ସେ ଚିଲିକା ମଝିରେ କାହିଁ; କେମନ୍ତେ ମୂର୍ଚ୍ଛିଲ ଝିଅକୁ ବାପା ହେ, ଏତେ ଦୂରେ ଦେବା ପାଇଁ? ବର ବୋଲି ଯାର ଧରାଇଲ ହାତ, କି ତାର ଦେଖିଲ ଶିରୀ, ରୂପ, ବିଦ୍ୟା ଆଉ ବିଭବ ବାପା ହେ, ତିହ୍ନିଏ ତିହ୍ନିକି ବଳି। ମହୀମଣ୍ଡଳେ ତ ଥିବ ନାହିଁ ଜଣେ, ମୋ ଭଳି ନିରେଖ ଜନ, ଏ ମହା ସମୁଦ୍ର ମଝିରେ ବାପା ହେ, କେମନ୍ତେ ବଞ୍ଚିବି ଦିନ। ଏଡ଼େ ହୀନିମାନ କରିବାକୁ ଯେବେ, ମନରେ ଥିଲା ବିଚାର, ଏନ୍ତୁଡ଼ିଶାଳେଟି କିମ୍ପାଇଁ, ବାପା ହେ, ତଣ୍ଟି ଚିପି ନ ମାରିଲ? ଝିଅକୁ ନିଶ୍ଚିନ୍ତେ ଦେଇଛୁ ପଠାଇ, ବନସ୍ତକୁ ଜାଣୁ ଜାଣୁ, କପାଳ ଆଦରି ଯାଉଛି, ବୋଉ ଲୋ, ପାସୋରି ନ ଦେବୁ ମନୁ।’’ ସେମିତିକା ଅସହାୟତାରେ ସମ୍ରାଟ ଆକବରଙ୍କ ସହ ବିବାହକୁ ଯୋଧାବାଈ ସୌଭାଗ୍ୟ ନ ମଣି ଦୁର୍ଭାଗ୍ୟ ମଣିଥିଲେ। ବାପା ଓ କକା ମାନସିଂ ଏ ବିବାହରେ ସମ୍ମତ ହୋଇଥିବାରୁ ତାଙ୍କୁ ଯେଉଁ ଧିକ୍‌କାର କରିଥିଲେ, ତା’ ଏ ବତିପେଲା ଐତିହାସିକମାନେ କାଇଁ କୋଉ ଲେଖିଲେ?

ଚିତୋର ଦୁର୍ଗ ଆକ୍ରମଣ ଓ ତା’ର ପତନ ପରେ, ଗଡ଼ମଧ୍ୟସ୍ଥ ରାଜପ୍ରାସାଦରେ ନିର୍ମିତ ଅଗ୍ନିକୁଣ୍ଡରେ ଶହଶହ ରାଜପୁତ ଯୁବତୀ ଓ ରମଣୀ ଯେପରି ନିଆଁକୁ ଡେଇଁ ପ୍ରାଣପାତ କରିଥିଲେ, ଇତିହାସରେ ତା’ର ଆଉ ଉଦାହରଣ କାଇଁ? ସେଦିନ ପ୍ରାସାଦ ଶୀର୍ଷକୁ ଡେଇଁ ନୀଳ ଆକାଶକୁ ବିଷାଦର କାଳିମାରେ କଳା କରିଦେଇଥିବା ଏ ଧୂମକୁଣ୍ଡଳିକୁ ଦୁର୍ଗ ବାହାରୁ ଦେଖି ମୋଗଲ ଅଧିପତି ଓ ସେନା ତ୍ରସ୍ତ ଚକିତ ହୋଇଯାଇଥିଲେ। ସେଇ କଥା ଧିକ୍‌କାର କରି ଯୋଧାବାଈ ତାଙ୍କ କକା ଓ ବାପାଙ୍କୁ ଚେତାଇ ଦେଇ, ସେଇ ମୋଗଲ କ୍ଷମତାଲିପ୍‌ସୁ ସମ୍ରାଟ ସହ ବିବାହକୁ ଧିକ୍‌କାର କରିଥିଲେ। ସେତିକି ନୁହଁ, ବାପା, କକାଙ୍କ ରାଜପୁତ-ରକତରେ ଜୀବନ ଓ କ୍ଷମତା ମୋହର ଖାଦ କେମିତି ସିନା ମିଶି ଯାଇଥିଲା, ଏଙ୍କ ରକତ ସେମିତି ଟକମକ ଫୁଟୁଥିଲା, ମୋଗଲ ସମ୍ରାଟ ବିରୁଦ୍ଧରେ।

ଜଣେ ସମ୍ରାଟର ଅଙ୍କଶାୟିନୀ ହେବାର ପ୍ରସ୍ତୁତି ପର୍ବରେ ସବୁ ସାଜସଜ୍ଜା ଭିତରେ ଗୋଟେ ଛୁରୀ ନେଇ ଯୋଧାବାଈ ଯାଇଥିଲେ ପ୍ରଥମ ବାସର ରାତିର ଚଉଠି ଘରକୁ। ଲଜ୍ଜାଶୀଳା, ଘୃଣାନତ ଏ ସୁନ୍ଦରୀ ରାଜପୁତ କନ୍ୟାଙ୍କୁ ପଛପଟୁ ଆକବର ସେଦିନ ଧରିପକେଇ ତାଙ୍କ ଆଡ଼କୁ ବୁଲାଇ ଦେବା ବେଳେ ଛୁରୀଟା ଝଣ୍‌କିନା ଚଟାଣରେ ଖସିପଡ଼ିଲା। ଚମକିପଡ଼ିଲେ ବରବେଶର, ବାସର ରାତିର ନାୟକ ଏ ସମ୍ରାଟ। ତାଙ୍କୁ ହତ୍ୟା କରିବାକୁ ଏ ଛୁରୀ ସେ କ’ଣ ଆଣିଥିଲା? ଭୟ, ବିସ୍ମୟ ଓ ତୀବ୍ର ମାନସିକ ଉଦ୍‌ବେଗରେ ତାଙ୍କର ରାଜପୁତ ରାଣୀ ସମ୍ଭୋଗ ନିଶା ଶୀତଳ ହୋଇଯାଇଥିଲା। ଯୋଧାବାଈ ବି ସ୍ବୀକାର କରିଥିଲେ। ବାକିତକ ଏ ପ୍ରସଙ୍ଗର ନୁହେଁ। ପ୍ରସଙ୍ଗ ଏ ରାଜପୁତ ରମଣୀର ସାହସ ଓ ଜାତିପ୍ରୀତି ନାମ କମେଇବା, ନାମ ଓ ପ୍ରତିଷ୍ଠା ଅର୍ଜିବା ସବୁ ତ୍ୟାଗ ସବୁ ଆଦର୍ଶ ସବୁ ଲଲାଟରେ ନ ଥାଏ। ତୁଳସୀ ଦାସ ତ ସେଥି ପାଇଁ ଲେଖିଲେ, ‘‘ବିଲୋକି ରୋକି କଲେ ମୁନିନାଥ, ହାନି, ଲାଭ, ଜୀବନ ମରଣ, ଯଶ ଅପଯଶ ବିଧି ହାତ’’।

ଇଂରାଜୀ କବି ଗ୍ରେ ବି ଲେଖିଲେ,
‘‘Some mute inglorious Milton here may rest,
Some Cromwell guiltless of his country’s blood.
Th’ applause of list’ning senates to command,
The threats of pain and ruin to despise,
To scatter plenty o’er a smiling land,
And read their hist’ry in a nation’s eyes,
Their lot forbade: nor circumscrib’d alone
Their growing virtues, but their crimes confin’d;
Forbade to wade through slaughter to a throne,
And shut the gates of mercy on mankind.’’

ଅନୁବାଦରେ କବି ଜଗନ୍ନାଥ ତ୍ରିପାଠୀ ଲେଖିଛନ୍ତି,
‘‘ବିପଦ ଦଳି ଚଳି କୀରତି ବାଟେ, ଖ୍ୟାତିଲାଭ ନ ଥିଲା ତାଙ୍କ ଲଲାଟେ।
ସଭାସଦ-ମଣ୍ଡଳୀ ସ୍ତୁତି ଗ୍ରହଣ, ଦେଖାଇ ଦୁଃଖ ଭୟେ ସେ ହେୟଜ୍ଞାନ।
ବିଦେଶ ଜୟ ଅବା ଜାତି ଗଠନ, ତାଙ୍କ ଭାଗ୍ୟେ ନ ଥିଲା ଏତେ ସମ୍ମାନ।’’
ଛାଡ଼ନ୍ତୁ ସେ ସବୁ କଥା। ଏବେ ଏଠି କ’ଣ ସବୁ ଚାଲିଛି ଦେଖୁନା। କଟର କଟରିଆ ବେଙ୍ଗବେଙ୍ଗୁଲୀକୁ ଜଣେ ବିଦଗ୍ଧ ଗ୍ରାହକ କହିଲେ, ‘‘ଆଜ୍ଞା, ଏଥର କୋଟିପତି ଅଙ୍ଗନବାଡ଼ି ଦିଦି ବିଷୟରେ ବେଙ୍ଗ କହୁ।’’ ମନ ସିଆଡ଼ିକି ଯିବା ପ୍ରସ୍ତୁତି ବେଳେ ଆଉ ଜଣେ ସାଗ୍ରହ ପାଠକ କହିଲେ, ‘‘ଏଥର ଚାନ୍ଦିପୁର ଗୋଳାବାରୁଦ କାରଖାନାର ଗୁପ୍ତଚର ବୃତ୍ତି କଥା ଲେଖାଯାଉ। ଏଟା ସବୁଠୁ ଗୁରୁତ୍ବପୂର୍ଣ୍ଣ ଓ ଉଦ୍‌ବେଗଜନକ କଥା।’’ ପୁଣି ଜଣେ ଗ୍ରାହକ ମହାପ୍ରୁ ଫୋନ୍‌ରେ କହିଲେ, ‘ଓକିଲ’ଙ୍କ ନିଜର ସମ୍ପର୍କୀୟମାନଙ୍କୁ କୋଭିଡ୍‌ ସହାୟତା ଦେବାକୁ ସର୍ବୋଚ୍ଚ ଅଦାଲତରେ ଜଣେ ଓକିଲ କରିଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ମାନ୍ୟବର ଜଜ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍‌ପଣୀ ଓ ଅଯଥା ଏଇ ମୋକଦମା ପାଇଁ ତାଙ୍କ ଉପରେ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ବିଷୟରେ ବେଙ୍ଗ ବେଙ୍ଗୁଲୀ ସ୍ତମ୍ଭ ଉଲ୍ଲେଖ କରୁ।’’ ପୁଣି ଗୋଟେ ସଦ୍ୟ ବରାଦି ଆସିଲା। ‘‘ମୂର୍ତ୍ତି ଉଚ୍ଚତା ଚାରିଫୁଟ ମାମଲା ଓ ତା’ ଉପରେ ଶୀର୍ଷ ଅଦାଲତଙ୍କ ରାୟ।’’ ଅବଶ୍ୟ ସବୁ ବିଷୟଗୁଡ଼ା ଢେର ଗୁରୁତ୍ବପୂର୍ଣ୍ଣ। ତେବେ ଇଂରାଜୀରେ କଥାଟେ ଅଛି ‘‘Weather worryness’’. ଲଗାଣ ଚତୁର୍ମାସ୍ୟା ବର୍ଷା, କି ମାଘର ହାଡ଼ଭଙ୍ଗା ଅସହ୍ୟ ଶୀତକୁ ନେଇ ଗାଁ ମାଇପେ କଟର କଟର ଆରମ୍ଭ କରି ଦିଅନ୍ତି।

ଏ ମୁଣ୍ଡରେ ନିଆଁ ବର୍ଷା କେତେ ବର୍ଷୁଛି? କିଛି କାମ ଦାମ କରେଇ ଦେଉନି ଇତ୍ୟାଦି। ସେଇ ଏକା କଥାକୁ ନେଇ ସେମାନେ ଏତେ ବ୍ୟସ୍ତ ଓ ବକର ବକର ହୁଅନ୍ତି ଯେ ସାରା ପରିବାରକୁ ବି ବ୍ୟସ୍ତ ବିବ୍ରତ କରିଦିଅନ୍ତି। ମାତ୍ର ତା’ର ପ୍ରତିକାର କ’ଣ? ଏକୁ ସହିବା ବ୍ୟତୀତ ‘‘ନାନ୍ୟପନ୍ଥା ବିଦ୍ୟତେ ଅୟନାୟ’’। ଦିଦି କେବଳ କୋଟିପତି ହୋଇନାହାନ୍ତି। ଏମିତି କେତେ ଦିଦି ଓ ଦାଦା ବି କୋଟିପତି ହୋଇଛନ୍ତି, ହେଉଛନ୍ତି, ହେବେ ବି। ଏ ଦିଦି କେବଳ ଟିକିଏ ଆତୁରିଆ ହୋଇଗଲେ। ‘‘ଶୌଚ ନ ଜାଣି ଓଠରେ ବିଷ୍ଠା’’ ଅବସ୍ଥା ଏଙ୍କର ହେଲା। ଚିଟ୍‌ଫଣ୍ଡ ମାମଲା ଦେଖୁନା! ଦିଦି ରାତି ପାହି ସକାଳକୁ ଏତେ ସମ୍ପତ୍ତି ଠୁଳ ବା କମେଇ ନାହାନ୍ତି କି ଚୋରି କରି ନାହାନ୍ତି। ଇୟେ ବର୍ଷ ବର୍ଷ ଧରି ଚାଲିଥିଲା। ‘‘ଚୋର ଘର ସବୁଦିନ ଅନ୍ଧାର ନୁହେଁ’’ର ପ୍ରାକୃତିକ ନିୟମରେ ସେ ଆଲୋକିତ ହେଲେ।

ଏଥିରେ ଭିଜିଲାନ୍‌ସର କି କାହାର କେଉଁ କାରନାମା ଅଛି? ଏତେ କାଳେ ଏମାନେ ଥେଲେ କୋଉଠି? ଏବେ କିଛି ଦିନ ତଳେ ଜଣେ କୋଟିପତି କିରାଣି ବାବୁଙ୍କ କଥା ବି ବାହାରି ଥିଲା। ଗୋଟାଏ ବିଭାଗ ଅଛି ସେ ତ ପୁଣି କାମ ଦେଖେଇବେ! ନ ହେଲେ ତ ବିଭାଗ ଉଠିଯିବ। ଜବରଦଖଲ ନାମରେ ଦଶକୋଡ଼ିଏ ବର୍ଷ ତଳର ମନ୍ଦିର, କୋଠାଘର ସବୁ ହଠାତ୍‌ ଦିନେ ସକାଳୁ ଭାଙ୍ଗି ଦିଆଯାଇଛି। ଦିହ ସହୁନି ଏ ଭଙ୍ଗା ଦେଖିବା ବେଳେ। ଏଥିରେ ବିପୁଳ ରାଜ ସମ୍ପତ୍ତି ମାଟିରେ ମିଶିଗଲା ନା ନାହିଁ ମ! ଯେତେ ବେଳେ ନିଅଁ ପଡ଼ିଲା କି ଆଉ ଚାରିଫୁଟ ଗଢ଼ାଗଲା, ସେ ଅଞ୍ଚଳର ଆର୍‌.ଆଇ. ଓ ତହସିଲଦାର ସାଇବ କ’ଣ କରୁଥିଲେ? ଘର ବା ମନ୍ଦିର ଭଙ୍ଗାବେଳେ, ଏହାର ନିର୍ମାଣ ସମୟ ଦେଖାଯାଉ। ତତ୍‌କାଳୀନ ତହସିଲଦାର କି ଆର୍‌.ଆଇ.ଙ୍କ ସୁଖ ସପନ ଭାଙ୍ଗି ଦିଆଗଲେ ହିଁ, ଏ ଜବରଦଖଲ ଖିଆଲ ତୁଟିଯିବ। ଆଉ ଦିଦିଙ୍କ ଏ ସମ୍ପତ୍ତି କମା ବହପ ଆସିଲା କୋଉଠୁ? ସେ ତାଙ୍କ ଆଖି ଆଗରେ ଦେଖୁଛନ୍ତି, ‘‘କାଲିର ଚକରା ସରପଞ୍ଚ ହେଲା ପରେ କେମିତି ଚକ୍ରଧର ବାବୁ ବନି ଚାରିଚକିଆ ଯାନ ଚଢ଼ୁଛନ୍ତି। ଚାଲିଚାଲି ତାଙ୍କ ଚାନ୍ଦିଫୁଟା ପାଦ ଏଇଲେ ସାଇବଙ୍କ ପାଦ ପରି ପାଲିସିଆ ହୋଇଗଲାଣି। ଏଗୁଡ଼ା କ’ଣ ତାଙ୍କ ବୋପା ସମ୍ପତ୍ତି ଡଙ୍କେଇ ମାଡ଼ିଛି ଶିମ୍ବ ଲଟା ପରି? ଏମେଲେ ମନ୍ତ୍ରୀମାନଙ୍କ କଥା ଛାଡ଼, ତାଙ୍କର ପଞ୍ଚବାର୍ଷିକ ଯୋଜନା ନୁହଁ, ଦଶପୁରୁଷିଆ ଯୋଜନା। କଥା ତ ଅଛି ରାଜାନୁଗତ ଧର୍ମ।

ଏ ଦେଶର ଶାସକେ, ନେତା ଯେ ଯାଏ ପ୍ରଦର୍ଶନ କଲାଭଳି ସାଧୁତା ଅବଲମ୍ବନ ନ କରନ୍ତି ଅସଂଖ୍ୟ ଅଙ୍ଗନବାଡ଼ିଆ ଦିଦି ବର୍ଷାଦିନିଆ ଝଡ଼ି ପୋକ ପରି ସୃଷ୍ଟି ହୋଇଯିବେ। ଆଉ ସେତେବେଳକୁ? ମେଣ୍ଢା ଧୋଉଧୋଉ ନିର୍ବାଳ ଅବସ୍ଥା ସୃଷ୍ଟିହେବ। ଆଜିର ଉଦ୍‌ବେଗଜନକ ପ୍ରତି ଘଟଣା ଓ ତଥ୍ୟ ଦେଖିଲେ, ଆଦର୍ଶର ଅଭାବ ହିଁ ଅନାଦର୍ଶ ସୃଷ୍ଟିର ମୁଖ୍ୟ କାରଣ ହୋଇଛି ବୋଲି ଜଣାଯାଏ। ‘‘ଗୋଦରୀ ଲୋ ତୋ ଗୋଡ଼କୁ ଅନା।’’ ତେବେ ଯାଇ ଆମେ, ତେମେ ଆପଣେ ସଭିଏଁ ତୁନି ପଡ଼ିବେ। ବେଙ୍ଗବେଙ୍ଗୁଲୀ କଥା କୁହନ୍ତୁନି, ତୁନି ପଡ଼ିବା ସେମାନଙ୍କ ଜାତକରେ ନାହିଁ। ନିଲଠା ବୋଲି ତେମେ ଆପଣେ କହିପାର, କହୁଥା’। ଗାଁ ଗହଳି କଥା ମନେପଡ଼େ, ‘‘ଜାଇ ପତର କୁହୁଣି କଥାକୁ ନାହିଁ ଖାତର’’। ଦିଦି, ଦାଦା ସମସ୍ତଙ୍କର ୟେ ମହାମନ୍ତ୍ର ବି।

Comments are closed.