ସୁବିଧାବାଦୀ କୂଟନୀତି

ଯେଉଁ ଯୁଦ୍ଧରେ ଆମେରିକା ସାମିଲ ହୋଇଛି ସବୁଠାରେ ବିଫଳତାର ସ୍ବାଦ ଚାଖିଛି। ମିତ୍ର ରାଷ୍ଟ୍ର ସହ ଶତ୍ରୁତା ଓ ଶତ୍ରୁ ରାଷ୍ଟ୍ର ସହ ମିତ୍ରତା ଆମେରିକାକୁ ସୁବିଧାବାଦୀ ରାଷ୍ଟ୍ରଭାବେ ବିଶ୍ବରେ ପରିଚିତ କରାଇଛି

ସମଗ୍ର ବିଶ୍ବ ଆତଙ୍କବାଦ ବିରୋଧରେ ଏକତ୍ର ହୋଇ ପାରିବେ ନାହିଁ ବୋଲି ସମ୍ପ୍ରତି ଆଫଗାନିସ୍ତାନ ପରିସ୍ଥିତିକୁ ଅବଲୋକନ କଲେ ଜଣାପଡ଼େ। ତାଲିବାନର ମାତ୍ର କେତେକ ଆତଙ୍କବାଦୀ ତତ୍କାଳୀନ ସୋଭିଏତ୍‌ ସଂଘ (ରୁଷ୍‌) ଓ ନିକଟରେ ଆମେରିକା ପରି ‘ସୁପର ପାୱାର’ (ମହା ଶକ୍ତିଶାଳୀ)କୁ ଧୂଳି ଚଟାଇବାରେ ସମର୍ଥ ହୋଇଛନ୍ତି। ୨୦ ବର୍ଷ ପୂର୍ବେ ଆମେରିକା ଛାତି ଫୁଲାଇ ଆଫଗାନିସ୍ତାନ ମାଟିରେ ପହଞ୍ଚିଥିବା ଓ ନିଜର ଶ୍ରେଷ୍ଠ ଯୁଦ୍ଧାସ୍ତ୍ର ସେଠାରେ ପରୀକ୍ଷଣ କରିଥିବା ବିଶ୍ବବାସୀ ଦେଖିଥିଲେ। ସେତେବେଳେ କେହି ଭାବି ନଥିଲେ ଯେ ଏହି ଦେଶ ଏପରି ବିପରୀତ ପରିସ୍ଥିତିର ସମ୍ମୁଖୀନ ହେବ। ଏହି ୨୦ ବର୍ଷ ମଧ୍ୟରେ ୨.୩ ଲକ୍ଷ କୋଟି ଡଲାର (ଆମେରିକୀୟ ମୁଦ୍ରା) ଖର୍ଚ୍ଚ କରିବା ସହ ହଜାରହଜାର ସୈନିକଙ୍କୁ ଆମେରିକା ହରାଇଛି। ତେବେ ପାଇଛି କ’ଣ ? ଖାଲିହାତରେ ମୁହଁ ଢାଙ୍କି ଅଧରାତିରେ ଆଫଗାନିସ୍ତାନ ଛାଡ଼ି ପଳାଇ ଆସିବାକୁ ବାଧ୍ୟ ହୋଇଛି। କେବଳ ସେତିକି ନୁହେଁ; ଆମେରିକା ସେନାରେ ସାମିଲ ଥାଇ ହଜାରହଜାର ବୋମାକୁ ନିଷ୍କ୍ରିୟ କରିବାରେ ସହାୟତା କରିଥିବା ତାଲିମପ୍ରାପ୍ତ ଶତାଧିକ କୁକୁରଙ୍କୁ ମଧ୍ୟ ପିଞ୍ଜରା ଭିତରେ ଆଫଗାନିସ୍ତାନରେ ଛାଡ଼ି ଆମେରିକୀୟ ସୈନ୍ୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଲିବାନ ଲଢେଇରେ ଯେଉଁ ଆଫଗାନ୍‌ ନାଗରିକମାନେ ଆମେରିକା ସେନାକୁ ସାହାଯ୍ୟ କରିଥିଲେ ସେମାନଙ୍କ ନାମ ତାଲିକା ତାଲିବାନ୍‌ ଶାସକଙ୍କୁ ଆମେରିକା ଧରାଇ ଦେଇଛି । ଏବେ ତାଲିବାନ୍‌ ଶାସକ ଏପରି ନାଗରିକମାନଙ୍କୁ ଖୋଜିଖୋଜି ଦୈନିକ ହତ୍ୟା କରିବାରେ ଲାଗିଛନ୍ତି। ତେଣୁ ଏସିଆର କେତେକ କୂଟନୀତିଜ୍ଞ ମତ ଦିଅନ୍ତି, ‘ଗୋଖର ସାପ ଉପରେ ଭରସା ରଖିହେବ; କିନ୍ତୁ ଆମେରିକା ଉପରେ ନୁହେଁ’। ଏ ପର୍ଯ୍ୟନ୍ତ ଆମେରିକା ଯେଉଁ ସଙ୍ଗଠନକୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା ସେହିମାନଙ୍କୁ ଏହି ଦେଶ କ୍ଷମତା ହସ୍ତାନ୍ତର କରିଛି। ଏବେ ସେମାନଙ୍କ ସହ ଆମେରିକା ବାର୍ତ୍ତାଳାପ ଆରମ୍ଭ କରିଛି, ଆଗକୁ ସେମାନଙ୍କୁ କୋଳାଗ୍ରତ କରିପାରେ, ନିଜ ଦେଶକୁ ସେମାନଙ୍କୁ ଆମନ୍ତ୍ରଣ କରିପାରେ, ତା’ପରେ ଜାତିସଂଘର ଆତଙ୍କବାଦୀ ତାଲିକାରୁ ତାଲିବାନ ନାମ ହଟାଇବା ଲାଗି ଅନ୍ୟ ଦେଶମାନଙ୍କ ଉପରେ ଚାପ ପକାଇପାରେ…ଏହିପରି କାହିଁ କେତେ କ’ଣ ସମ୍ଭାବନା ଆଗକୁ ବାସ୍ତବ ରୂପ ନେଇପାରେ। ଆମେରିକାର ଏହି କୂଟନୀତିକୁ ‘ସୁବିଧାବାଦୀ କୂଟନୀତି’ କୁହାଯାଉଛି। କେବଳ ଯେ ଆଫଗାନିସ୍ତାନରେ ଆମେରିକା ଏପରି କରିଛି ତାହା ନୁହେଁ; ଏହା ପୂର୍ବରୁ କୋରିଆ ଯୁଦ୍ଧ, ଭିଏତନାମ ଯୁଦ୍ଧ ଓ ଇରାକ୍‌-କୁଏତ୍‌-ସିରିଅା ଯୁଦ୍ଧରେ ଏପରି କରି ସାରିଛି। ନିଜକୁ ବିଶ୍ବର ଏକମାତ୍ର ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିପାଦିତ କରିବା ପାଇଁ ଯେଉଁ ଯୁଦ୍ଧରେ ବି ଅଂଶଗ୍ରହଣ କରିଛି; ସବୁଠି ଯୁଦ୍ଧର ନିର୍ଣ୍ଣାୟକ ମୋଡ଼ ପୂର୍ବରୁ ଅଧାରୁ ପଳାଇ ଆସିଛି ଆମେରିକା। କୌଣସି କାର୍ଯ୍ୟାନୁଷ୍ଠାନକୁ ଅନ୍ତିମ ରୂପ ଦେଇ ନଥିବାରୁ ସବୁ ଯୁଦ୍ଧରେ ବିଫଳତାର ସ୍ବାଦ ଚାଖି ଆସିଛି ଏହି ଦେଶ।

ଦେଶ-ଦେଶ ମଧ୍ୟରେ ସମ୍ପର୍କ ସ୍ବାର୍ଥ ଉପରେ ନିର୍ଭରଶୀଳ, ଯେଉଁ ଦେଶର କେହି ସ୍ଥାୟୀ ମିତ୍ର ଅଥବା ସ୍ଥାୟୀ ଶତ୍ରୁ ରାଷ୍ଟ୍ର ନଥା’ନ୍ତି, ଯିଏ ଆଜି ଶତ୍ରୁ କାଲି ସେ ମିତ୍ର ଅଥବା ଏହାର ଓଲଟା-ଏ ସବୁ ହେଉଛି ‘ସୁବିଧାବାଦୀ କୂଟନୀତି’ର ବିଶେଷତ୍ବ । ଆମେରିକା ପରେ ରୁଷ୍‌ ହେଉଛି ଏହିପରି କୂଟନୀତିକୁ ଗ୍ରହଣ କରିଥିବା ଆଉ ଏକ ଶକ୍ତିଶାଳୀ ରାଷ୍ଟ୍ର। ଉଦାହରଣ ସ୍ବରୂପ- ପୂର୍ବରୁ ରୁୁଷ୍‌ ଓ ପାକିସ୍ତାନ ମଧ୍ୟରେ ଶତ୍ରୁ ସମ୍ପର୍କ ଥିଲା। ଏବେ ଉଭୟ ଦେଶ ମିତ୍ର ପାଲଟି ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ହେଉଛି। ଆଗକୁ ପୁଣି ଏହି ଦୁଇ ରାଷ୍ଟ୍ର ପରସ୍ପର ଶତ୍ରୁତା ଆଚରଣ କରିପାରନ୍ତି। ଏହିପରି ‘ପଲଟିବା କୂଟନୀତି’ର ଅନେକ ଗୁଡ଼ିଏ ଉଦାହରଣ ବିଶ୍ବରେ ଦେଖିବାକୁ ମିଳିଥାଏ। ଏହିସବୁ ରାଷ୍ଟ୍ରଗୁଡ଼ିକର କୂଟନୀତି ସ୍ବାର୍ଥକୈନ୍ଦ୍ରିକ। ଏମାନଙ୍କ ପାଇଁ ଆଗ ସ୍ଥିତି; ପରେ ନୀତି। ପରିସ୍ଥିତି ଅନୁଯାୟୀ ଏମାନେ ରୂପ ବଦଳାଇଥା’ନ୍ତି। ତେଣୁ ଏପରି ରାଷ୍ଟ୍ରମାନଙ୍କୁ ଭରସା କରିବା ଅର୍ଥ ବିଶ୍ବରେ ଏକାଧିକ ଶତ୍ରୁ ରାଷ୍ଟ୍ର ବା ଗୋଷ୍ଠୀକୁ ସୃଷ୍ଟି କରିବା। ଏହାର ଉଦାହରଣ ହେଉଛି ଭାରତ। ପ୍ରତିଟି ଭାରତୀୟଙ୍କ ଜୀବନଚର୍ଯ୍ୟାରେ ଦେଶର ସଂସ୍କୃତି ପ୍ରତିଫଳିତ ହୋଇଥାଏ। ବ୍ୟକ୍ତିଗତ ହେଉ ବା ପାରିବାରିକ ସ୍ତରରେ; କେହି କାହାକୁ ଧୋକା ଦେଲେ ସମାଜ ଏହାକୁ ନିନ୍ଦା ଚକ୍ଷୁରେ ଦେଖିଥାଏ। ଆମ ସଂସ୍କୃତିର ଝଲକ ଦେଶର କୂଟନୀତିରେ ଦେଖିବାକୁ ମିଳିଥାଏ। ଆମ ଦେଶ ମିତ୍ରତା ପ୍ରତି ଯେତେ ପ୍ରତିବଦ୍ଧତା ଦେଖାଇ ଥାଏ; ଶତ୍ରୁ ପ୍ରତି ସେତେଟା କଠୋରତା ଦେଖାଇ ନଥାଏ। କାଳେ କିଏ କ’ଣ ଭାବିବ…ଏପରି ଭାବନାରେ ଆମ ଦେଶର ସରକାର ପରିବର୍ତ୍ତନ ହୋଇଯାଏ; କିନ୍ତୁ କୂଟନୀତିରେ ପରିବର୍ତ୍ତନ ହୁଏ ନାହିଁ।

ପରିବର୍ତ୍ତିତ ବିଶ୍ବରେ ଦୈନିକ ସମୀକରଣ ବଦଳିବାରେ ଲାଗିଛି। କେବଳ ସାମରିକ ଶକ୍ତି ହିଁ କୌଣସି ଦେଶର କୂଟନୀତିର ମୂଳାଧାର ଭାବିବା ଭୁଲ ହେବ। ବାଣିଜ୍ୟଠାରୁ ଆରମ୍ଭ କରି ଅର୍ଥନୈତିକ ସମ୍ପର୍କକୁ ଆଜିକାର ସମୟରେ ପ୍ରାଧାନ୍ୟ ଦିଆଯାଉଛି। ଯଦି ଆମ କୂଟନୀତି ସ୍ପଷ୍ଟ ଥାଆନ୍ତା ତେବେ ଆଫଗାନିସ୍ତାନ ସମସ୍ୟାରେ ଆମେ ‘ବସି ଦେଖିଚାଲ’ ନୀତି ଆପଣାଇ ନଥା’ନ୍ତେ। ଆମେ ବସିବା ସ୍ଥାନରୁ ଉଠିଲା ବେଳକୁ ଚୀନ୍‌ ଦୌଡ଼ିବା ଆରମ୍ଭ କଲାଣି। ଆଜିକାର ବିଶ୍ବରେ ନିଷ୍ପତ୍ତି ଗ୍ରହଣରେ ମନ୍ଥରତା ଗ୍ରହଣୀୟ ନୁହେଁ। ଅନ୍ୟ ଦେଶମାନେ ମଧ୍ୟ ଆମର ନୀତିକୁ ଦେଖୁଛନ୍ତି। ସମଗ୍ର ବିଶ୍ବରେ ଆମେରିକା ଏବେ ‘ସୁବିଧାବାଦୀ ଦେଶ’ ଭାବେ ବିଦିତ। ଏଥିରୁ ଆମେ ଶିକ୍ଷାଲାଭ କରିବା ଉଚିତ୍‌। କାଶ୍ମୀରରୁ ଧାରା-୩୭୦ ହଟାଇବା ଓ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ସରକାର ନିଜ ନୀତି ସ୍ପଷ୍ଟ କରି ଦେଇଥିଲେ। ତେବେ ସାମ୍ପ୍ରତିକ ପରିସ୍ଥିତିରେ ଆଫଗାନ୍‌ ପଟୁ ଆସିଥିବା ନୂତନ ଆହ୍ବାନର ସମ୍ମୁଖୀନ ହେବା ପାଇଁ ଦେଶର ସରକାରଙ୍କୁ ତ୍ବରିତ ରଣ କୌଶଳ ଆପଣାଇବାକୁ ପଡ଼ିବ। ନଚେତ୍‌ ‘ମାରିନେଲେ ମହାପାତ୍ରେ ଚାହିଁଛନ୍ତି ଜଳକା’ ପରି ଅବସ୍ଥା ସୃଷ୍ଟି ହେବ।

Comments are closed.