ସେନାରେ ସମାନତା

ସେନାରେ ମହିଳାଙ୍କ ଯୋଗଦାନ ନେଇ ସର୍ବୋଚ୍ଚ ଅଦାଲତଙ୍କ ରାୟ କେବଳ ଐତିହାସିକ ନୁହେଁ; ସୁଦୂରପ୍ରସାରୀ ମଧ୍ୟ

ଭାରତୀୟ ସେନା ହେଉ ବା ଅନ୍ୟ କୌଣସି କର୍ମକ୍ଷେତ୍ର; ଆଜି ବି ମହିଳାଙ୍କୁ ସହଜେ ଗ୍ରହଣ କରାଯାଇ ପାରୁ ନାହିଁ। କାର୍ଯ୍ୟାଳୟରେ ସହକର୍ମୀଙ୍କ ଅସହଯୋଗଠାରୁୁ ଆରମ୍ଭ କରି ଘରେ ମଧ୍ୟ ସେମାନଙ୍କୁ ବିପରୀତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ା ମହିଳା ପ୍ରତିଯୋଗୀ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ପରୀକ୍ଷା ଦେବା ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ମହିଳାମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସର୍ବୋଚ୍ଚ ଅଦାଲତ ଉଲ୍ଲେଖ କରିଥିଲେ। ଭାରତୀୟ ସେନା ଏ ସଂକ୍ରାନ୍ତରେ ବିଚାର କରିବା ଉଚିତ୍‌ ବୋଲି ଅଦାଲତ କହିଥିଲେ। ଅଦାଲତଙ୍କ ଅନୁମତି ପରେ ଆସନ୍ତା ମାସରେ ହେବାକୁ ଥିବା ଏନଡିଏ ପ୍ରବେଶିକା ପରୀକ୍ଷା ମହିଳାମାନେ ଦେଇ ପାରିବେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରୋକ୍ତ ଆଦେଶ ଦେଶରେ ଲିଙ୍ଗଗତ ଭେଦଭାବ ଦୂର କରିବା ଦିଗରେ ସହାୟକ ହେବ। ଝିଅମାନେ ସବୁ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ଶତ ପ୍ରତିଶତ ଉଦ୍ୟମ ଜାରି ରଖିଛନ୍ତି। ତେବେ ସେମାନଙ୍କୁ ଗ୍ରହଣ କରିବା ପାଇଁ କେତେକ ଅନୁଷ୍ଠାନ ଭିନ୍ନଭିନ୍ନ ଆଳ ଦେଖାଇ ଆସୁଛନ୍ତି। ସେନାରେ ମହିଳାଙ୍କ ଯୋଗଦାନ ପାଇଁ ହେଉଥିବା ବିଳମ୍ବିତ ପ୍ରକ୍ରିୟା ଏହାର ଉଦାହରଣ। ମହିଳା କମାଣ୍ଡ ସେନାରେ ଯୋଗ ଦେବା ପାଇଁ ଯୋଗ୍ୟ ବୋଲି ଗତ ବର୍ଷ ଫେବୃଆରୀରେ ସର୍ବୋଚ୍ଚ ଅଦାଲତ ଐତିହାସିକ ରାୟ ପ୍ରଦାନ କରିଥିଲେ। ଏ ଦିଗରେ ପଦକ୍ଷେପ ନେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ମହିଳାଙ୍କୁ ସମାନ ଅଧିକାର ଦେବା ପାଇଁ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ ନିର୍ଦେଶ ଦେଇଥିଲେ। ସମସ୍ତ ମହିଳା ଅଧିକାରୀଙ୍କୁ ତିନି ମାସ ମଧ୍ୟରେ ସେନାରେ ସ୍ଥାୟୀ କମିସନ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଶାରୀରିକ କ୍ଷମତା ଓ ସାମାଜିକ ମାନଦଣ୍ଡ ଅନୁଯାୟୀ ମହିଳାଙ୍କୁ ସେନାରେ ସ୍ଥାୟୀ କମିସନ ପଦ ଦିଆଯାଇ ପାରିବ ନାହିଁ ​‌େବାଲି କେନ୍ଦ୍ର ସରକାର ଅଦାଲତରେ ଯୁକ୍ତି ବାଢିଥିଲେ। ତେବେ ବିଚାରପତି ଏହାକୁ ଖାରଜ କରିଦେଇଥିଲେ। ସାମାଜିକ ଓ ମାନସିକ କାରଣ ଦର୍ଶାଇ ମହିଳାଙ୍କୁ ଏଥିରୁ ବଞ୍ଚିତ କରିବା କେବଳ ଦୁର୍ଭାଗ୍ୟଜନକ ନୁହେଁ; ସେମାନଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ଅଦାଲତ ମତ ଦେଇଥିଲେ।
ବାସ୍ତବରେ ଦେଖିବାକୁ ଗଲେ ଭାରତୀୟ ସମାଜରେ ମହିଳାଙ୍କ ଶାରୀରିକ କ୍ଷମତା ଓ ସଂରଚନାକୁ ଦୁର୍ବଳ ମନେ କରାଯାଏ। ଶିକ୍ଷାଗତ ଯୋଗ୍ୟତା ଓ ଶାରୀରିକ କ୍ଷମତା ଥାଇ ମଧ୍ୟ କେତେକ ସ୍ଥାନରେ ମହିଳାମାନେ ଭେଦଭାବର ଶିକାର ହୋଇ ଆସୁଛନ୍ତି। ଗତ କିଛି ବର୍ଷ ହେଲା କ୍ରୀଡ଼ାଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପରୀକ୍ଷାରେ ମହିଳାମାନେ ପୁରୁଷଙ୍କଠାରୁ ଅଧିକ ସଫଳତା ଲାଭ କରୁଛନ୍ତି। ଏପର୍ଯ୍ୟନ୍ତ ଦେଶର ନୌସେନା ଏକାଡେମୀ ଓ ଏନଡିଏରେ ମହିଳାଙ୍କୁ ଭର୍ତ୍ତି କରାଯାଉ ନଥିଲା। ସମାଜରେ ସେମାନଙ୍କ ପ୍ରତି ଥିବା ଭେଦଭାବପୂର୍ଣ୍ଣ ମନୋଭାବ ଏଥି ପାଇଁ ଦାୟୀ। ଦେଶର କୋଣ ଅନୁକୋଣରେ ସେମାନଙ୍କ ପ୍ରତି ଅତ୍ୟାଚାର ଓ ତୁଗଲଗୀ ନିର୍ଦେଶନାମା ଏବେବି ଜାରି ରହିଛି। ସୈନିକ ସ୍କୁଲରେ ମହିଳାଙ୍କୁ ପଢ଼ିବା ପାଇଁ ସୁଯୋଗ ନଦେବା ପ୍ରସଙ୍ଗରେ ସେନାକୁ ନିଜର ଆଦିମ ମାନସିକତାରେ ପରିବର୍ତ୍ତନ କରିବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଥିଲେ। ଅଦାଲତଙ୍କ ଏହି ନିର୍ଦେଶ ପରେ ଏବେ ସୈନିକ ସ୍କୁଲରେ ବାଳିକାମାନେ ଅଧ୍ୟୟନ କରିପାରିବେ। ଛାତ୍ରୀମାନେ ସୈନିକ ସ୍କୁଲରେ ନାମ ଲେଖାଇ ପାରିବେ ବୋଲି ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦ୍‌ବୋଧନରେ ଉଲ୍ଲେଖ କରିଥିଲେ। ଦେଶ ସ୍ବାଧୀନ ହେବାର ୭ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ପରେ ଛାତ୍ରୀମାନଙ୍କୁ ଏହି ସୁଯୋଗ ମିଳିଲା। ଚଳିତ ବର୍ଷ ‘ଏୟାର ଇଣ୍ଡିଆ’ର ୩ ଜଣ ମହିଳା ପାଇଲଟ୍‌ ସବୁଠାରୁ ଅଧିକ ସମୟ ଧରି ଉଡ଼ାଣ କରି ବିଶ୍ବରେ ରେକର୍ଡ ସୃଷ୍ଟି କରିଛନ୍ତି। କିଛିଦିନ ପୂର୍ବରୁ ଭାରତୀୟ ନୌସେନା ଦୁଇ ମହିଳା ଅଧିକାରୀଙ୍କୁ ଯୁଦ୍ଧ ପୋତରେ ନିୟୋଜିତ କରିଥିଲେ। ନିକଟରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ାଣ ପାଇଁ ମହିଳା ପାଇଲଟଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର ସମସ୍ତ ମିଶନରେ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ଦେଖିବାକୁ ମିଳୁଛି।
ଦେଶର ମାନବ ସଂଶାଧନର ବୃହତ୍‌ ଭାଗ ହେଉଛନ୍ତି ମହିଳା। ଖେଳ ହେଉ କି ରାଜନୀତି କିମ୍ବା ଜ୍ଞାନ-ବିଜ୍ଞାନ ଦୁନିଆ; ସବୁଠାରେ ମହିଳାଙ୍କ କୃତିତ୍ବ ଦେଖିବାକୁ ମିଳିଥାଏ। ସେନାରେ ମହିଳାଙ୍କ ପ୍ରବେଶ ନେଇ ଦୀର୍ଘଦିନରୁ ଉଦ୍ୟମ ହୋଇ ଆସୁଥିଲା। ଭାରତୀୟ ସେନା କାହିଁକି ଏଥିପ୍ରତି ଅରାଜି ହେଉଥିଲା ତାହାର କାରଣ ଖୋଜିବା ଆବଶ୍ୟକ। ଆମ ଦେଶରେ ମହିଳାଙ୍କୁ ଦେବୀର ସଂଜ୍ଞା ଦିଆଯାଇଛି। ବୀରାଙ୍ଗନା ଲକ୍ଷ୍ମୀବାଈଙ୍କ ଦେଶରେ ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ସର୍ବୋଚ୍ଚ ବଳିଦାନ ଦେବାକୁ ପ୍ରସ୍ତୁତ। ଏଥିପାଇଁ ହିଁ ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତଙ୍କ ରାୟ ପରେ ମହିଳାମାନେ ପୁରୁଷ ସୈନିକଙ୍କ ପରି ଦେଶର ସୁରକ୍ଷାରେ ନିୟୋଜିତ ହୋଇ ପାରିବେ।

Comments are closed.