ହିସାବ ଛିଣ୍ଡୁନି

ଦେଶରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଏକ ବାତାବରଣ ତିଆରି ହେଉଥିବା ବେଳେ କେନ୍ଦ୍ର ସରକାର ଏ ନେଇ ସ୍ପଷ୍ଟ ମତ ରଖିନାହାନ୍ତି। ଓଡ଼ିଶା, ମହାରାଷ୍ଟ୍ର ଆଦି ରାଜ୍ୟ ପୂର୍ବରୁ ଦେଶରେ ଜାତିଭିତ୍ତିକ ଜନଗଣନା କରାଇବାକୁ ଦାବି କରିଥିବାବେଳେ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୧୧ ଜଣିଆ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି। ଭାରତୀୟ ସମାଜ ଓ ରାଜନୀତିରେ ଜାତି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଥିବାବେଳେ ଆଜି ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦେଶରେ ଏକ ବାତାବରଣ ତିଆରି ହେବାରେ ଲାଗିଛି। ବିହାରର ସମସ୍ତ ରାଜନୈତିକ ଦଳ (କଂଗ୍ରେସ, ଜେଡିୟୁ, ବାମପନ୍ଥୀ, ଦଳିତ, ପଛୁଆ ବର୍ଗର ନେତାଙ୍କ ବ୍ୟତୀତ ବିଜେପିର ପ୍ରତିନିଧି ମଧ୍ୟ ଅନ୍ତର୍ଭୁକ୍ତ) ଏକାଠି ହୋଇ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଏହାର ଏକ ପ୍ରମାଣ। ତେବେ ଏହି ଜାତିଭିତ୍ତିକ ଜନଗଣନା ପଛରେ ବହୁ ପ୍ରକାରର ରାଜନୈତିକ ସମୀକରଣ ରହୁଥିବାରୁ ସ୍ବାଧୀନ ଭାରତର ସରକାରଗୁଡ଼ିକ ଏହାକୁ ନେଇ ଉଦାସୀନତା ଦେଖାଇ ଆସିଛନ୍ତି।

ବର୍ତ୍ତମାନର ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମଧ୍ୟ ଏ ପ୍ରସଙ୍ଗରେ ସ୍ପଷ୍ଟ ମତ ଏ ପର୍ଯ୍ୟନ୍ତ ରଖିନାହାନ୍ତି। ବିଜେପି ଏହାକୁ ନେଇ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଧରିଥିବା ଦେଖାଯାଉଛି। ଏହା ଅବଶ୍ୟ ଅସ୍ବାଭାବିକ ନୁହେଁ; କାରଣ ଉତ୍ତର ପ୍ରଦେଶ ନିର୍ବାଚନକୁ ଆଖି ଆଗରେ ରଖି ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ (ଓବିସି) ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ଏବେ ଏହି ଦଳ ତତ୍ପରତାର ସହ କାର୍ଯ୍ୟ କରୁଛି ଏବଂ ଏହା ଉପରେ ଜାତିଭିତ୍ତିକ ଜନଗଣନାର ପ୍ରଭାବ କ’ଣ ପଡ଼ିବ, ତାହା ନିଶ୍ଚୟ ଦଳ ତର୍ଜମା କରୁଥିବ। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲାପରେ ନୀତୀଶ କୁମାର ସାମ୍ବାଦିକଙ୍କୁ କହିଛନ୍ତି ଯେ ମଣ୍ଡଳ କମିସନ ସୁପାରିସକୁ ନେଇ ଯେଉଁ ତୀବ୍ର ପ୍ରତିବାଦ ଓ ଅସ୍ବାଭାବିକ ସ୍ଥିତି ଉତ୍ପନ୍ନ ହୋଇଥିଲା, ସେହିପରି ପରିସ୍ଥିତି ପ୍ରତ୍ୟାବର୍ତ୍ତନର ଆଶଙ୍କା ଅମୂଳକ। ସେ ଯାହାହେଉ, ପ୍ରଧାନମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗରେ ଏବେ ନିରବ ରହିବାକୁ ହିଁ ଶ୍ରେୟ ମଣିଛନ୍ତି। ଏହାର ଅର୍ଥ ହେଲା, ସେ ଜାତିଭିତ୍ତିକ ଜନଗଣନା କଥାଟିକୁ ଏକାବେଳକେ ଖାରଜ ମଧ୍ୟ କରିଦେଇ ନାହାନ୍ତି। ତେଣୁ ଭବିଷ୍ୟତରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଜାତିଭିତ୍ତିକ ଜନଗଣନା କରାଇବାକୁ ଚାପ ପ୍ରୟୋଗ କରିପାରନ୍ତି। ବିରୋଧୀ ଦଳଗୁଡ଼ିକ ଭବିଷ୍ୟତର ନିର୍ବାଚନଗୁଡ଼ିକରେ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ କରିବା ବିଚିତ୍ର ନୁହେଁ।

ଜାତିଭିତ୍ତିକ ଜନଗଣନାର ଉଭୟ ଲାଭ ଓ କ୍ଷତି ରହିଛି। ଏଥିସହ ବିଭିନ୍ନ ସ୍ତରରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ପ୍ରଭାବ ଭିନ୍ନଭିନ୍ନ ରହୁଥିବା ପ୍ରତୀତ ହେଉଥିବାରୁ ସମସ୍ତଙ୍କ ପାଇଁ ଲାଭ ବା କ୍ଷତି ସମାନ ହେବ ନାହିଁ। ତେଣୁ ଏହାର ଫାଇଦା ଉଠାଇବାର ବିଚାରଶୀଳତା ବା କ୍ଷତିକୁ ସମ୍ଭାଳିବାର ସାମର୍ଥ୍ୟ ଆମର ରାଜନୈତିକ ଦଳ ଏବଂ ସରକାରଙ୍କ ନିକଟରେ ରହିଛି ତ? ଏ ପ୍ରଶ୍ନ ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ଠିକ୍‌ ଜାତିଗତ ପରିସଂଖ୍ୟାନ ବିନା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବା ସଂରକ୍ଷଣ ଦେବାରେ କୌଣସି ପକ୍ଷପାତିତା ବା ଅସୁବିଧା ହେଉଛି କି? ଏହା ଜଣାଶୁଣା କଥା ଯେ ନିର୍ବାଚନ ସମୟରେ ହିଁ ଜାତିଗତ ପରିସଂଖ୍ୟାନ ନେଇ ଆମ ଦେଶରେ ବେଶି ଚର୍ଚ୍ଚା ହୁଏ ବା ତା’ର ଆବଶ୍ୟକତା ପଡ଼େ। ତେବେ ଜାତି ବ୍ୟବସ୍ଥା ଯଦି ଅଛି ଏବଂ ଏହା ଯଦି ବର୍ତ୍ତମାନ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି, ତେବେ ତା’ର ପରିସଂଖ୍ୟାନ ସ୍ପଷ୍ଟ ହେବା ଉଚିତ।

ଏହି ଦୃଷ୍ଟିରୁ ଜାତିଗତ ଜନଗଣନା କରାଯିବା ଆବଶ୍ୟକ। ଶେଷଥର ଲାଗି ଜାତିଭିତ୍ତିକ ଜନଗଣନା କରାଯାଇ ସାର୍ବଜନୀନ ତଥ୍ୟ ପ୍ରକାଶ କରାଯାଇଥିଲା ୧୯୩୧ରେ ବ୍ରିଟିଶ ଭାରତରେ। ୧୯୪୧ରେ ଏପରି ଜନଗଣନା ହୋଇଥିଲେ ବି ତା’ର ପରିସଂଖ୍ୟାନକୁ ପ୍ରକାଶ କରାଯାଇନଥିଲା। ଏହାପରେ ସ୍ବାଧୀନ ଭାରତରେ ୧୯୫୧ରେ ହୋଇଥିବା ଜନଗଣନାରେ ଅନୁସୂଚିତ ଜାତି (ଏସ୍‌ସି) ଓ ଜନଜାତି (ଏସ୍‌ଟି)ର ଗଣନା କରାଗଲା, ଯାହା ଏ ପର୍ଯ୍ୟନ୍ତ ଚାଲିଆସିଛି। ୨୦୧୧ରେ ସାମାଜିକ-ଆର୍ଥିକ ଜାତି ଜନଗଣନା କରାଯାଇଥିଲା, କିନ୍ତୁ ତା’ର ପରିସଂଖ୍ୟାନକୁ ସାର୍ବଜନୀନ କରାଗଲା ନାହିଁ।
ଜାତିଭିତ୍ତିକ ଜନଗଣନା କରାଯାଇ ତା’ର ଠିକ୍‌ ତଥ୍ୟ ସାର୍ବଜନୀନ କରାଯିବାର ଆବଶ୍ୟକତା ଏଇଥିପାଇଁ ମଧ୍ୟ ରହିଛି ଯେ ତଥ୍ୟ ଅଭାବରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଯେଉଁ ସଂରକ୍ଷଣ ବ୍ୟବସ୍ଥାମାନ କରୁଛନ୍ତି, ସେଥିରେ ସମତୁଲତା ରହୁନାହିଁ ଏବଂ ସେସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହେଉଥିବାରୁ ତା’ର ବିପରୀତ ପ୍ରଭାବ ପଡ଼ୁଛି।

ଏହା ସତ୍ୟ ଯେ ଭାରତରେ ସଂରକ୍ଷଣ ଏକ ଜଟିଳ ଓ ବହୁ ବିତର୍କିତ ବିଷୟ; କିନ୍ତୁ ବିଭିନ୍ନ ସ୍ତରରେ ସାମାଜିକ ଓ ଆର୍ଥିକ ବୈଷମ୍ୟ ରହିଥିବାରୁ ଏହାର ଆବଶ୍ୟକତାକୁ ଏବେ ମଧ୍ୟ ସମ୍ପୂର୍ଣ୍ଣ ଖାରଜ କରିଦେଇ ହେବନାହିଁ। ଲୋକଙ୍କର ସାମାଜିକ-ଶୈକ୍ଷିକ-ଆର୍ଥିକ ସ୍ଥିତିର ଠିକ୍‌ ତଥ୍ୟ ବିନା ଉଚିତ ନୀତି ପ୍ରଣୟନ ହୋଇପାରିବ ନାହିଁ। ସମାଜରୁ ବୈଷମ୍ୟ ଓ ଅସମାନତା ଦୂର କରିବାରେ ଯେଉଁ ନିର୍ଦ୍ଦିଷ୍ଟ କଲ୍ୟାଣମୂଳକ ପଦକ୍ଷେପମାନ ସରକାରଙ୍କୁ ନେବାକୁ ହେବ, ତା’କୁ ଏକ ଆଧାର ଯୋଗାଇଦେବାରେ ଜାତିଭିତ୍ତିକ ଜନଗଣନା ସାହାଯ୍ୟ କରିବ। ସୂଚନାଯୋଗ୍ୟ ଯେ ରାଜ୍ୟ ଚାହିଁଲେ ନିଜେ ଜାତିଭିତ୍ତିକ ଜନଗଣନା କରିପାରିବ ଏବଂ ଦେଶରେ କର୍ଣ୍ଣାଟକ ଏକମାତ୍ର ରାଜ୍ୟ, ଯିଏ ୨୦୧୮ ମସିହାରେ ରାଜ୍ୟ ସ୍ତରରେ ଜାତିଭିତ୍ତିକ ଜନଗଣନା କରିଥିଲା। କେନ୍ଦ୍ର ଯଦି ଏଥର ସମ୍ମତ ନହୁଏ, ତେବେ ବିହାର ମଧ୍ୟ ରାଜ୍ୟସ୍ତରୀୟ ଜାତିଭିତ୍ତିକ ଜନଗଣନା କରିବା କଥା ଚିନ୍ତା କରୁଥିବା ଜଣାପଡ଼ିଛି। ଓଡ଼ିଶା ସରକାର ଆଗକୁ ତଦନୁରୂପ ଚିନ୍ତା କରିପାରନ୍ତି ଏବଂ କରିବା ଉଚିତ। ତେବେ ସାଧାରଣ ଜନଗଣନା ସହ ଏହା ହେଲେ ସହଜ ଓ ଅଳ୍ପ ଖର୍ଚ୍ଚରେ ହୋଇପାରନ୍ତା; କିନ୍ତୁ ହିସାବ ଛିଣ୍ଡିଲେ ତ!

Comments are closed.