ଦିଦିଙ୍କ ଦିଲ୍ଲୀ ଅଭିଯାନ

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି; କିନ୍ତୁ ସେ ସଫଳ ହେବେ ତ?

ସୋମବାରଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପାଞ୍ଚଦିନିଆ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚିତ ହେବା ସ୍ବାଭାବିକ; କାରଣ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେ ଏବେଠାରୁ ବିଜେପିର ବିରୋଧୀ ପକ୍ଷଗୁଡ଼ିକୁ ଏକାଠି ହୋଇ ଲଢ଼େଇ କରିବାକୁ ଆହ୍ବାନ ଦେଇଛନ୍ତି ଓ ସେ ସେହି ବିରୋଧୀ ମେଣ୍ଟର ନେତୃତ୍ବ ନେବାକୁ ଚାହୁଁଛନ୍ତି। କେବଳ ସେତିକି ନୁହେଁ; ତାଙ୍କ ମନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ମହଦାକାଙ୍‌କ୍ଷା ମଧ୍ୟ ରହିଥିବା କାହାକୁ ଅଛପା ନାହିଁ। ସେ କେବଳ ଆଞ୍ଚଳିକ ଦଳୀୟ ରାଜନୀତିରେ ସୀମିତ ନ ହୋଇ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ତୁଲାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଯାବତୀୟ ପ୍ରତିକୂଳତା ସତ୍ତ୍ବେ ପଶ୍ଚିମବଙ୍ଗରେ ବିଜେପି ପରି ବର୍ତ୍ତମାନର ମହାଶକ୍ତିଶାଳୀ ଜାତୀୟ ଦଳକୁ ପରାଜିତ କରି ୬୬ ବର୍ଷୀୟା ମମତା ଦିଦି ରାଜନୀତି ମଇଦାନର ଜଣେ ପୋଖତ ଖେଳୁଆଡ଼ ଭାବେ ନିଜକୁ ପ୍ରମାଣିତ କରିଛନ୍ତି।

ନିକଟରେ କଲକାତାରୁ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇ ସେ ମନେ ପକାଇ ଦେଇଛନ୍ତି ଯେ ଯେହେତୁ ସାଧାରଣ ନିର୍ବାଚନ ଆଉ ପ୍ରାୟ ତିନିବର୍ଷ ରହିଛି, ବିରୋଧୀ ଦଳଗୁଡ଼ିକ ଏବେଠାରୁ ଏକାଠି ନହେଲେ ପରେ ତାହା ବିପରୀତ ଫଳଦାୟକ ହୋଇପାରେ। ସ୍ମରଣୀୟ ଯେ ଗତ ଏପ୍ରିଲରେ ଏକ ନିର୍ବାଚନ ଶୋଭାଯାତ୍ରାରେ ସେ କହିଥିଲେ ଯେ, ‘‘ମୁଁ ଗୋଟିଏ ଗୋଡ଼ରେ ପଶ୍ଚିମବଙ୍ଗ ଜିତିବି ଓ ଦୁଇ ଗୋଡ଼ରେ ଦିଲ୍ଲୀ ଜିତିବି’’। ସୂଚନାଯୋଗ୍ୟ, ଗୋଟିଏ ଗୋଡ଼ ଆଘାତପ୍ରାପ୍ତ ହୋଇଥିବାରୁ ସେ ଚକଲଗା ଚୌକିରେ ବସି ବିଧାନସଭା ନିର୍ବାଚନ ପ୍ରଚାର କରିଥିଲେ।

ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରି ମମତା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ; କିନ୍ତୁ ବିଜେପି ବିରୋଧରେ ଦେଶର ସମସ୍ତ ବିରୋଧୀ ଦଳଙ୍କୁ ଗୋଟିଏ ଛାତ ତଳକୁ ଆଣି ନିଜର ନେତୃତ୍ବକୁ ସ୍ବୀକାର କରାଇବା ତାଙ୍କପାଇଁ ଯେ ଆଦୌ ସହଜ ହେବନାହିଁ, ତାହା ନିଃସନ୍ଦେହ। ଏହାର ଦୃଷ୍ଟାନ୍ତ ମଧ୍ୟ ପୂର୍ବରୁ ରହିଛି। ଗତ ସାଧାରଣ ନିର୍ବାଚନ ଆଗରୁ ୧୯ ଜାନୁଆରୀ ୨୦୧୯ରେ ମମତା ୨୫ ଜଣ ଜାତୀୟ ଓ ଆଞ୍ଚଳିକ ବିରୋଧୀ ନେତାଙ୍କୁ ଏକତ୍ର କରି କଲକାତାରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ ଏବଂ ସେଠାରେ ‘ମହାଗଠବନ୍ଧନ’ ବା ଏକ ମହାମେଣ୍ଟର ଶୁଭାରମ୍ଭ ହେଲା ବୋଲି ମଧ୍ୟ ଘୋଷଣା କରାଯାଇଥିଲା; କିନ୍ତୁ ଅଳ୍ପ ଦିନ ଭିତରେ ତା’ର ଅସାରତା ପ୍ରମାଣିତ ହେଲା ଏବଂ ନରେନ୍ଦ୍ର ମୋଦୀ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ସହ ପୁନର୍ବାର କ୍ଷମତାକୁ ଫେରିଲେ। ତେବେ ପଶ୍ଚିମବଙ୍ଗରେ ବିଜେପିର ପରାଜୟ ଏବଂ ତାଙ୍କର ସୁଦୃଶ୍ୟ ବିଜୟ ଯେ ଦିଦିଙ୍କୁ ଦିଲ୍ଲୀ ଅଭିଯାନରେ ବାହାରିବାକୁ ସାହସ ଯୋଗାଇଛି ସେଥିରେ ଦ୍ବିମତ ନାହିଁ। ମମତା ଇତିମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଯେମିତି ‘ଖେଲା ହବେ’ ବୋଲି ଘୋଷଣା କରିଥିଲେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ସେହି ଧ୍ବନି ହିଁ ଦିଆଯିବ କହି ତାଙ୍କର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି। ସେ ତେଣୁ କଲକାତା ନୁହେଁ, ଦିଲ୍ଲୀରୁ ହିଁ ବିରୋଧୀ ଦଳକୁ ଏକାଠି ହେବାପାଇଁ ଆହ୍ବାନ ଦେବାକୁ ବାହାରିଛନ୍ତି।

ତାଙ୍କର ଦିଲ୍ଲୀ ଗସ୍ତ ସମୟରେ ସେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ହେଁ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ତୁଙ୍ଗ ନେତାଗଣ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପୱାର ପ୍ରମୁଖଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡୁ ଏପରି ଜାତୀୟ ରାଜନୀତିକୁ ପରିଚାଳିତ କରିବାକୁ ଚାହିଁଥିଲେ; କିନ୍ତୁ ମମତାଙ୍କ ପରି କେବେ ସମ୍ମୁଖ ନେତୃତ୍ବ ନେବାକୁ ବାହାରି ନଥିଲେ।
ବର୍ତ୍ତମାନ ଶାସକ ଦଳ ଭାରତୀୟ ଜନତା ପାର୍ଟି ବିଭିନ୍ନ ପ୍ରସଙ୍ଗକୁ ନେଇ ଅଡ଼ୁଆରେ ପଡ଼ିଥିଲାବେଳେ ବିରୋଧୀ ନିଜ ଭିତରର କନ୍ଦଳକୁ ଭୁଲି ଏକାଠି ହେବାକୁ ଚେଷ୍ଟା କରୁଛନ୍ତି। ପେଗାସସ୍‌ ସ୍ପାଏୱେୟାର୍ ପ୍ରସଙ୍ଗ, ମନ୍ଥର କୋଭିଡ ଟିକାକରଣ ଅଭିଯାନ, ଅମ୍ଳଜାନ ଅଭାବରୁ କୋଭିଡ ରୋଗୀଙ୍କ ମୃତ୍ୟୁକୁ ଅସ୍ବୀକାର, ଅନିୟନ୍ତ୍ରିତ ଦରବୃଦ୍ଧି ଆଦିକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏସବୁ ପ୍ରସଙ୍ଗ ଉଠାଇବାରେ ମମତା ସର୍ବାଗ୍ରେ ରହିଛନ୍ତି। ମହାମାରୀ ଆରମ୍ଭ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାର ଯେପରି ଦେଶର ସାଧାରଣ ଲୋକଙ୍କର ମଧ୍ୟ ରୋଷ ଓ ସମାଲୋଚନାର ଶରବ୍ୟ ହୋଇଛନ୍ତି, ତା’ର ସୁଯୋଗ ନେଇ ମମତା ବିରୋଧୀଙ୍କୁ ଏକାଠି କରିବାକୁ ଚାହାନ୍ତି।

୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ବିରୋଧୀଙ୍କ ହାତରେ ଏଥର ଯଥେଷ୍ଟ ସମୟ ରହିଛି। ଏହି ନିର୍ବାଚନ ପୂର୍ବରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ପ୍ରଥମଟି, ଆଠ ମାସ ପରେ ଉତ୍ତର ପ୍ରଦେଶ ନିର୍ବାଚନ ଓ ୨୦୨୨ର ରାଷ୍ଟ୍ରପତି ନିର୍ବାଚନ। ବିଜେପିର ବିଜୟ ରଥକୁ ଅଟକାଇବାକୁ ହେଲେ ବିରୋଧୀଙ୍କୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବାକୁ ପଡ଼ିବ, ତାହା ମମତା ଜାଣନ୍ତି। ଯଦି ବିଜେପି ସେହି ରାଜ୍ୟରେ ପୁଣି କ୍ଷମତାସୀନ ହୁଏ, ତେବେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି କରିବା ତା’ପାଇଁ କଷ୍ଟ ହେବ ନାହିଁ। ଅନ୍ୟପକ୍ଷରେ ମମତାଙ୍କୁ ସମସ୍ତ ବିରୋଧୀ ଦଳ ସର୍ବସମ୍ମତିକ୍ରମେ ନିଜର ନେତା ବାଛିବା ସଂଶୟାଚ୍ଛନ୍ନ; କାରଣ ଶିବସେନା ସାଂସଦ ସଂଜୟ ରାଉତ ସଦ୍ୟ ବିବୃତି ଦେଇଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ତାଙ୍କ ନେତା ଉଦ୍ଧବ ଠାକରେ ଦେଶର ନେତୃତ୍ବ ନେବାକୁ ସମର୍ଥ। ଏପରି ସ୍ଥଳେ ଦିଦିଙ୍କ ଦିଲ୍ଲୀ ଅଭିଯାନ କଣ୍ଟକିତ ହେବା ନିଶ୍ଚିତ।

Comments are closed.