ବାଡ଼ ଯଦି ଫସଲ ଖାଏ?

ଦେଶର ବହୁ ଲୋକଙ୍କ ଉପରେ ଗୁପ୍ତଚର ସଫ୍ଟୱେୟାର୍‌ ମାଧ୍ୟମରେ ନଜର ରଖାଯିବା ଘଟନାର ସତ୍ୟତା କେତେ, ତା’ର ତଦନ୍ତ ହେବା ଜରୁରୀ
ବିଶ୍ବର ପ୍ରମୁଖ ଗଣମାଧ୍ୟମଗୁଡ଼ିକର ମିଳିତ ଅନୁସନ୍ଧାନ ବିବରଣୀ ‘ପେଗାସସ୍‌ ରିପୋର୍ଟ’ ପ୍ରକାଶ ପାଇବା ପରେ ଆମ ଦେଶରେ ସ୍ବାଭାବିକଭାବେ ରାଜନୈତିକ ହଟଚମଟ ଓ ସଚେତନ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହି ମିଳିତ ଅନୁସନ୍ଧାନରେ ଭାରତ ସମେତ ଦଶଟି ଦେଶକୁ ସାମିଲ୍‌ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୨୦୧୭ରୁ ୨୦୧୯ ମସିହା ମଧ୍ୟରେ ଭାରତର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଫୋନ୍‌କୁ ନିଶାଣ କରାଯାଇ ତା’ ମାଧ୍ୟମରେ ତଥ୍ୟ, ବାର୍ତ୍ତା ଆଦାନପ୍ରଦାନ ଓ କାର୍ଯ୍ୟକଳାପ ଆଦି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା।

ଏହି ବ୍ୟକ୍ତିଙ୍କ ମଧ୍ୟରେ ବିରୋଧୀ ଦଳର ନେତା, ପୂର୍ବତନ ନିର୍ବାଚନ ଆୟୁକ୍ତ, ସାମ୍ବାଦିକ, ଆଇନଜ୍ଞ, ସରକାରୀ ଅଧିକାରୀ, ବୈଜ୍ଞାନିକ, ସାମାଜିକ କର୍ମୀ ପ୍ରମୁଖ ରହିଥିବା କୁହାଯାଇଛି। ଇସ୍ରାଏଲୀ ସଂସ୍ଥା ଏନ୍‌ଏସ୍‌ଓ ‘ପେଗାସସ୍‌’ ନାମକ ତା’ର ଅତି ଶକ୍ତିଶାଳୀ ଗୁପ୍ତଚର ସଫ୍ଟୱେୟାର୍‌ (ସ୍ପାଏୱେୟାର୍‌) ବ୍ୟବହାର କରି ଏସବୁ କରିଥିବା ବିବରଣୀରେ ଦର୍ଶାଯାଇଛି। ଏହାକୁ ନେଇ ଗତ ଦୁଇଦିନ ଧରି ଦେଶର ବିରୋଧୀ ଦଳଗୁଡ଼ିକ ସଂସଦକୁ ଅଚଳ କରିଦେଇଛନ୍ତି। ସେମାନେ ଏହି ଗୁପ୍ତଚରଗିରି ପଛରେ ଖୋଦ୍‌ ସରକାର ରହିଥିବା ଅଭିଯୋଗ ଆଣିଛନ୍ତି, ଯାହାକୁ ସରକାର ସଂସଦରେ ଖଣ୍ଡନ କରିଛନ୍ତି। ସେମାନେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଛନ୍ତି।

ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏପରି ଅଭିଯୋଗ ନିରାଧାର ଓ ଭାରତର ଗଣତନ୍ତ୍ରକୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ସଫେଇ ଦେଇଛନ୍ତି। ଭାରତରେ ଅବୈଧ ଗୁଇନ୍ଦାଗିରି ସମ୍ଭବ ନୁହେଁ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି।

ଏହି ଅତି ସମ୍ବେଦନଶୀଳ ଘଟନାରେ ପ୍ରକୃତରେ ସରକାରଙ୍କର ହାତ ଅଛି ନା ନାହିଁ, ତାହା ବର୍ତ୍ତମାନ କହିବା ସମ୍ଭବପର ନୁହେଁ; କିନ୍ତୁ ଅବୈଧ ଗୁପ୍ତଚରଗିରି ଭାରତରେ କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀଙ୍କ ଦୃଢୋକ୍ତି ସତ୍ୟର ଅପଳାପ ମନେହୁଏ। ବର୍ତ୍ତମାନର ଅତି ବିକଶିତ ପ୍ରଯୁକ୍ତି କୌଶଳ ଏବଂ ବିଶ୍ବବ୍ୟାପୀ ସଂଚାର ଯୋଗାଯୋଗ ସମ୍ଭବ ହୋଇଥିବାବେଳେ କଂପ୍ୟୁଟର ବା ମୋବାଇଲ୍‌ ଫୋନ୍‌କୁ ‘ହ୍ୟାକ୍‌’ କରିବା ଆଦୌ ବଡ଼କଥା ହୋଇ ରହିନାହିଁ। ଏ କ୍ଷେତ୍ରରେ ଏହା ଅଧିକ ବିଶ୍ବସନୀୟ ମନେ ହୋଇଥାଏ, କାରଣ କଥିତ ଇସ୍ରାଏଲୀ ସଂସ୍ଥା ଏନ୍‌ଏସ୍‌ଓ ଏପରି ଅବୈଧ ଗୁପ୍ତଚରଗିରି କରିବାରେ ବିଶ୍ବରେ କୁଖ୍ୟାତି ଅର୍ଜନ କରିଛି। ଅବଶ୍ୟ ଏହି ସଂସ୍ଥା ତା’ର ଗୁପ୍ତଚରଗିରିକୁ ‘ଅବୈଧ’ ଭାବେ ନାହିଁ; କାରଣ ଏହା ହିଁ ତା’ର ବ୍ୟବସାୟ, ଯେଉଁଥିରୁ ତାହା ବିପୁଳ ଅର୍ଥ ଉପାର୍ଜନ କରିଥାଏ।

ଏନ୍‌ଏସ୍‌ଓ କହିଛି ଯେ, ଏହା କେବଳ ସରକାର ଓ ମାନ୍ୟତାପ୍ରାପ୍ତ ସରକାରୀ ସଂସ୍ଥା ପାଇଁ ହିଁ କାର୍ଯ୍ୟ କରିଥାଏ। ଇତିମଧ୍ୟରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ର ସୁରକ୍ଷା ଗବେଷଣାଗାର ପ୍ରଘଟ ତାଲିକାରେ ନାମ ରହିଥିବା ଭାରତର ଦଶ ଜଣ(ପ୍ରାୟତଃ ସାମ୍ବାଦିକ)ଙ୍କ ଫୋନ୍‌ର ପରୀକ୍ଷା କରି ସେଥିରେ ପେଗାସସ୍‌ ସ୍ପାଏୱେୟାର୍ ବ୍ୟବହୃତ ହୋଇଥିବା ଖବର ପ୍ରକାଶ ପାଇଛି। ଏହା ଯଦି ସତ୍ୟ ହୋଇଥାଏ, ତେବେ ଅତି ସାଂଘାତିକ; କାରଣ ଏଥିସହ କେବଳ ବ୍ୟକ୍ତି ସ୍ବାଧୀନତା ବା ସୁରକ୍ଷା ନୁହେଁ, ଗଣମାଧ୍ୟମର ସ୍ବାଧୀନତା ଓ ଦେଶର ନିରାପତ୍ତା ମଧ୍ୟ ଜଡ଼ିତ।

ସୂଚନାଯୋଗ୍ୟ ଯେ ୨୦୧୯ରେ ମଧ୍ୟ ହ୍ବାଟ୍‌ସଆପ୍‌ ଜରିଆରେ କେତେକ ସାମ୍ବାଦିକ, ଆଇନଜୀବୀ ଓ ଅନ୍ୟମାନଙ୍କର ଫୋନ୍‌ରେ ପେଗାସସ୍‌ ଭର୍ତ୍ତିକରି ସେମାନଙ୍କ ଉପରେ ନଜର ରଖାଯାଇଥିବା ଅଭିଯୋଗ ଆସିଥିଲା। ବିଶେଷତଃ, ଭୀମା କୋରେଗାଓଁ ମାମଲାର ଓକିଲ ଓ ଛତିଶଗଡ଼ର କେତେକ ସାମାଜିକ କର୍ମୀ ଏହା ଭିତରେ ରହିଥିଲେ। ଏହାର ତଦନ୍ତ ପାଇଁ ବାରମ୍ବାର ଦାବି ସତ୍ତ୍ବେ ସଂପୃକ୍ତ ରାଜ୍ୟ ସରକାର ବା କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ଦେଇନଥିଲେ। ଏବେମଧ୍ୟ ଯେଉଁମାନଙ୍କ ନାମ ଏଥିରେ ରହିଛି, ସେମାନଙ୍କ ଭିତରୁ ଅନେକ ବର୍ତ୍ତମାନର ସରକାରଙ୍କ ସମାଲୋଚକ ଭାବେ ଜଣାଶୁଣା। ଅବଶ୍ୟ ଏଥିରେ ବର୍ତ୍ତମାନର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ଅନ୍ୟଜଣେ ମନ୍ତ୍ରୀଙ୍କ ଫୋନ୍‌ ନମ୍ବର ମଧ୍ୟ ରହିଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଏହି ପ୍ରଘଟ ତାଲିକାରେ ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତିଙ୍କ ଫୋନ୍‌ ନମ୍ବର ମଧ୍ୟ ରହିଛି।

ଏଥିରୁ ଏ ଘଟନା କେତେ ସଂଗିନ, ତାହା ସହଜେ ଅନୁମେୟ। ତେଣୁ ଏହି ଘଟନାର ନ୍ୟାୟିକ ତଦନ୍ତ ହେବା ଜରୁରୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ, କେବଳ ଏହି ଘଟନା ନୁହେଁ ଦେଶରେ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ଅବୈଧ ଓ ବେଆଇନ ଭାବେ ଲୋକଙ୍କ ଉପରେ କରାଯାଉଥିବା ଗୁଇନ୍ଦାଗିରିର ମଧ୍ୟ ନ୍ୟାୟିକ ପରୀକ୍ଷାନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ସରକାର ତଥ୍ୟ ସୁରକ୍ଷା ପାଇଁ ମୁଖ୍ୟତଃ ଯେଉଁ ଦୁଇଟି ଆଇନ ଯଥେଷ୍ଟ ବୋଲି ଭାବୁଛନ୍ତି, ତାହା ହେଲା ଭାରତୀୟ ଟେଲିଗ୍ରାଫ୍ ଆକ୍ଟ ୧୮୮୫ ଓ ସୂଚନା ପ୍ରଯୁକ୍ତି ଆଇନ ୨୦୦୦; କିନ୍ତୁ ଅତ୍ୟାଧୁନିକ ପ୍ରଯୁକ୍ତି ମାଧ୍ୟମରେ ତଥ୍ୟଚୋରି ଓ ଗୁପ୍ତଚରଗିରିକୁ ଏହା ରୋକିବାରେ ସମର୍ଥ ନୁହେଁ ବୋଲି ପ୍ରାୟ ପ୍ରମାଣିତ ହୋଇସାରିଛି। ଏପରିକି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନେଇ ପ୍ରସ୍ତାବିତ ବିଧେୟକରେ ମଧ୍ୟ ଅନେକ ଦୁର୍ବଳତା ରହିଥିବା ସମୀକ୍ଷକ କହୁଛନ୍ତି; କାରଣ ଏଥିରେ ସରକାରୀ ପକ୍ଷକୁ ଅଧିକ ସ୍ବାଧୀନତା ପ୍ରଦାନ କରାଯାଇଛି। ସେ ଯାହାହେଉ, ଆମେ ଆଶା କରିବା ଯେ ଆଗାମୀ ଦିନରେ ଏହି ସମ୍ବେଦନଶୀଳ ଘଟନାର ସତ୍ୟତା ପଦାକୁ ଆସିବ; କିନ୍ତୁ ବାଡ଼ ଯଦି ଫସଲ ଖାଏ, ତେବେ କ’ଣ କରାଯିବ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ।

Comments are closed.