୨୦ ବର୍ଷର ଯୁଦ୍ଧରେ ଆମେରିକାକୁ ମିଳିଲା କ’ଣ?

ଅତୀତକୁ ନେଇ ଆଫଗାନିସ୍ତାନର ଭବିଷ୍ୟତ ସ୍ଥିର ହେବା କଥା ନୁହେଁ

ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ପ୍ରତ୍ୟାହାର ହେବା ପରେ ଆତଙ୍କବାଦୀ ସଂଗଠନ ତାଲିବାନ ଦେଶର କ୍ଷମତା ଦଖଲ ପାଇଁ ଉଦ୍ୟମ ଜାରି ରଖିଛି। ଦେଶର ୮୦ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଥିବା ଏହି ଆତଙ୍କବାଦୀ ସଂଗଠନ ଦାବି କରିଛି। ୧୧ ସେ​‌େ​‌ପ୍ଟମ୍ବର ୨୦୦୧ (୯/୧୧)ରେ ଆମେରିକାର ନ୍ୟୁୟର୍କସ୍ଥିତ ବିଶ୍ବ ବାଣିଜ୍ୟ ସଂଗଠନର ୨ଟି ଅଟ୍ଟାଳିକାକୁ ଅଲକାଏଦା ଆତଙ୍କବାଦୀ ସଂଗଠନ ଧ୍ବଂସ କରି ଦେଇଥିଲା। ଏହା ପଛରେ ଓସମା ବିନ ଲାଦେନର ହାତ ଥିବା ଜଣାପଡ଼ିବା ପରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ଲାଦେନକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କାରଣ ସେତେବେଳେ ଆଫଗାନିସ୍ତାନ​‌େ​‌ର ତାଲିବାନ ଶାସନ ଚାଲିଥିଲା ଓ ସେଠାରେ ଲାଦେନ ସୁରକ୍ଷିତ ଥିଲା। ଆଫଗାନିସ୍ତାନରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ଓ ଲାଦେନକୁ ହତ୍ୟା କରିବା ପାଇଁ ଆମେରିକା ସୈନ୍ୟ ଓ ‘ନାଟୋ’ ସେନା ଆଫଗାନିସ୍ତାନରେ ନିୟୋଜିତ ଥିଲେ। ଇତି ମଧ୍ୟରେ ୨ ମେ’ ୨୦୧୧ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କ ନିର୍ଦେଶରେ ଲାଦେନଙ୍କୁ ହତ୍ୟା କରାଯାଇଥିଲା।

ପାକିସ୍ତାନର ଆବୋଟାବାଦ ସହରରେ ଲାଦେନ ରହୁଥିବାବେଳେ ଆମେରିକୀୟ ସୈନ୍ୟମାନେ ତାକୁ ହତ୍ୟା କରିଥିଲେ। ଏପଟେ ଆମେରିକା ନେତୃତ୍ବାଧୀନ ମିଳିତ ସୈନ୍ୟ ବାହିନୀ ତାଲିବାନକୁ ତଡ଼ି ଆଫଗାନିସ୍ତାନରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିଥିଲେ। ମିଳିତ ସେନାର ସହଯୋଗରେ ଏ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଗଣତାନ୍ତ୍ରିକ ଶାସନ ଚାଲିଥିଲା। ଏକଦା ଆତଙ୍କବାଦୀ ସଂଗଠନ ତାଲିବାନକୁ ଦମନ ପାଇଁ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିଥିବା ଆମେରିକା ଏବେ ହାର ମାନିବାକୁ ଯାଉଛି। ୨୦ ବର୍ଷ ପରେ, ଅର୍ଥାତ୍‌ ୨୦୨୦ରେ ସେହି ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ସହ ସାଲିସ୍‌ କରିବା ସହ ସେହି ବର୍ଷ ୨୯ ଫେବୃଆରୀରେ ଐତିହାସିକ ‘ଦୋହା’ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ତଦନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରାଯାଇଥିବ ବୋଲି ବର୍ତ୍ତାମାନର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ୨୦ ବର୍ଷ ବ୍ୟାପୀ ଏହି ଦୀର୍ଘ ଲଢେଇରେ ଆମେରିକା ପ୍ରାୟ ୧୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ସମୟ ମଧ୍ୟରେ ଆମେରିକାର ୨୪ ଶହ ଓ ବିଦେଶର ୭ ଶହ ସୈନ୍ୟ ସହିଦ ହୋଇଛନ୍ତି। ସେହିପରି ଆଫଗାନିସ୍ତାନର ୬୦ ହଜାର ସୈନିକ ଓ ୪୦ ହଜାର ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ଏକ ଲକ୍ଷ ଜନସାଧାରଣ ପ୍ରାଣବଳି ଦେଇଛନ୍ତି।

ଆଫଗାନିସ୍ତାନରେ ଏବେ ମୋଟ ୩୮୭ଟି ଜିଲାକୁ ନେଇ ୩୪ଟି ପ୍ରାନ୍ତ (ପ୍ରଦେଶ/ରାଜ୍ୟ) ରହିଛି। ସମ୍ପୂର୍ଣ୍ଣ ଦେଶକୁ ୪୨୧ଟି ପ୍ରଶାସନିକ କ୍ଷେତ୍ରରେ ଭାଗ କରାଯାଇଛି। ଆମେରିକା ସୈନ୍ୟ ଏଠାରୁ ଯିବା ଆରମ୍ଭ କରିବା ପରେ; ଅର୍ଥାତ୍‌ ଚଳିତ ବର୍ଷ ମେ’ ପହିଲା ସୁଦ୍ଧା ଦେଶର ୭୫ଟି ଜିଲାକୁ ତାଲିବାନ ନିଜ ଦଖଲକୁ ନେଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୬୧ଟି ଜିଲାକୁ ତାଲିବାନମାନେ ଅକ୍ତିଆର କରି ସାରିଲେଣି ବୋଲି କୁହାଯାଉଛି। ଆଫଗାନିସ୍ତାନ ସୈନିକମାନେ ଅସ୍ତ୍ରଛାଡ଼ି ଭୟରେ ପଡ଼ୋଶୀ ଦେଶକୁ ପଳାୟନ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଖୁବ୍‌ ଶୀଘ୍ର ଆଫଗାନିସ୍ତାନ ସରକାରର ପତନ ଘଟିପାରେ ଓ ପୁନଃ ଏହି ଦେଶ ତାଲିବାନ ନିୟନ୍ତ୍ରଣକୁ ଯାଇ ପାରେ ବୋଲି ଅନୁମାନ କରଯାଉଛି। ଏଠାରୁ ଭାରତୀୟମାନେ ପଳାଇ ଆସିବା ପାଇଁ କାବୁଲସ୍ଥିତ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି।

୨୦୧୮ରେ ପ୍ରଥମ ଥର ପାଇଁ ଆମେରିକା ଓ ତାଲିବାନ ମଧ୍ୟରେ ସିଧାସଳଖ ବାର୍ତ୍ତା ହୋଇଥିଲା। ଏଥିରେ ଆଫଗାନିସ୍ତାନ ସରକାରଙ୍କୁ ସାମିଲ କରାଯାଇ ନଥିଲା। କାରଣ ଗଣତାନ୍ତ୍ରିକ ପଦ୍ଧତି, ଅର୍ଥାତ୍‌ ନିର୍ବାଚନ ମାଧ୍ୟମରେ ତାଲିବାନମାନେ ଶାସନ ଦଖଲ କରିବା ଆବଶ୍ୟକ ବୋଲି ସରକାର ମତ ଦେଇଥିଲା। ତେବେ ଆମେରିକା ସରକାର ଏହି ଆଲୋଚନାରେ ଭାରତ, ପାକିସ୍ତାନ, ଇରାନ, ରୁଷ୍‌ ଓ ଚୀନ୍‌କୁ ସାମିଲ କରିଥିଲେ। ତେବେ ଏହି ଆଲୋଚନା କୌଣସି ନିଷ୍କର୍ଷରେ ପହଞ୍ଚି ନଥିବା ବେଳେ ତାଲିବାନର ଧମକରେ ଆମେରିକା ସେନା ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି। ଆମରିକାର ଅତୀତକୁ ଦେଖିଲେ ଜଣାପଡ଼େ ଏହି ଦେଶ ନିଜର ସ୍ବାର୍ଥକୁୂୂ ହିଁ ଦେଖେ। ଏବେ ଅଫଗାନିସ୍ତାନ ଗୃହଯୁଦ୍ଧର ସମ୍ମୁଖୀନ। ସମୁଦାୟ ଆଫଗାନିସ୍ତାନର ଦୁଇ-ତୃତୀୟାଂଶ ଅଞ୍ଚଳ ତାଲିବାନ ଅଧିକୃତ ଥିବା କୁହାଯାଉଛି। ଆଫଗାନିସ୍ତାନ ଶାସନରେ ତାଲିବାନକୁ ସାମିଲ କରାଯାଉ ବୋଲି ପାକିସ୍ତାନ ସର୍ବଦା ଦାବି କରି ଆସିଛି। ତେଣୁ ତାଲିବାନ ଓ ପାକିସ୍ତାନର ଏକ କଥା। ରୁଷ୍‌ ଓ ଇରାନ୍‌ ସହ ତାଲିବାନ ଉତ୍ତମ ସମ୍ପର୍କ ରଖିଛି। ତାଲିବାନରେ ଅସ୍ଥିରତା ସୃଷ୍ଟି ହେଲେ ଚୀନ୍‌ ଓ ପାକିସ୍ତାନ ଉଭୟେ ଏଥିରୁ ଫାଇଦା ଉଠାଇବେ।

ତେବେ ଭାରତ ଏହାକୁ ନେଇ ପୂର୍ବରୁ ଯାହା ମତ ଦେଇ ଆସୁଥିଲା ଏବେ ମଧ୍ୟ ସେଥିରେ କାଏମ ଅଛି। ଆଫଗାନିସ୍ତାନରେ ସ୍ଥିର ସରକାରକୁ ଭାରତ ପ୍ରାଧାନ୍ୟ ଦେଇ ଆସୁଥିଲା। ଆପୋଷ ସହମତି ଭିତ୍ତିରେ ଆଫଗାନିସ୍ତାନ ସମସ୍ୟା ସମାଧାନ କରିବା ଆବଶ୍ୟକ ବୋଲି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଯୋଗ ଦେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି। ଅଫଗାନିସ୍ତାନ ସମେତ ସମଗ୍ର ମଧ୍ୟ ଏସିଆରେ ଶାନ୍ତି ପାଇଁ ଆମେରିକା, ରୁୁଷ୍‌, ଭାରତ, ପାକିସ୍ତାନ ଓ ଚୀନ୍‌ ନିଃସ୍ବାର୍ଥ ଉଦ୍ୟମ କରିବା ଆବଶ୍ୟକ। ଏକ ନିରପେକ୍ଷ, ସାର୍ବଭୌମ ଗଣତାନ୍ତ୍ରିକ ଦେଶ ଗଢି ତୋଳିବାକୁ ହେଲେ ଅତୀତର ଆଫଗାନିସ୍ତାନ କିଭଳି ଥିଲା ତାହା ଦେଖିବା ଉଚିତ୍‌ ନୁହେଁ କୂଟନୈତିଜ୍ଞମାନେ ମତ ଦିଅନ୍ତି।

Comments are closed.