ଯୋଗୀ ଓ ଦୁଇ ସନ୍ତାନ

ଜନ୍ମ ହୋଇଛ ତ ମରିବ ନିଶ୍ଚୟ, ଆଉ ମରୁଚ ବୋଇଲେ ସବୁ ସରିଯାଉଚି ନୁହଁ ଆହୁରି ଜମାଣିଆ ଖେଳ ପାଇଁ ବି ପାଲି ସଜଡ଼ା ହୋଇ ତମ ପାଇଁ ଥୁଆ ହୋଇଚି। ଗୀତାରେ ପରା ସେଇଥି ପାଇଁ କୃଷ୍ଣ କହିଲେ, ‘‘ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ।’’ ତମେ ଜାଣିପାରୁନ ତ ନ ଜାଣ। ଗାଲୁ ଭୁରୁଡ଼ି ବି କରୁଥା’। କବି ପଣ୍ଡିତ ଚନ୍ଦ୍ରଶେଖର ପରା ଜନ୍ମଜନ୍ମାନ୍ତର ବିଷୟ ଓ ମୋହାନ୍ଧ ମଣିଷ ବା ଜୀବ ବିଷୟରେ ଲେଖିଲେ, ‘‘କାହିଁ ସେହି ସନ୍ତାନ ଜନତା, ମୁଗ୍ଧବଧୂ ଶତ ପ୍ରଣୟିନୀ, କାହିଁ ବା ମୁଁ ଆଜି ଏତେ ଦୂରେ ଏଥି ମଜ୍ଜି ସବୁ ଭୁଲିଲିଣି। ପଥିକ ସଙ୍ଗମ ଏହି ଭବ ସମାଗମ, ଜାଣି ମୁଁ ମୃତ୍ତିକା ମୂଢ଼ ନର ପତଙ୍ଗମ। ମମତା ଜର୍ଜର ସତେ କି ନ ଭୋଗେ ପାଗଳଖାନାର ଏହି ମହା କୋଳାହଳେ, ମୋ ଅଦା ବେପାର କଥା ଭୁଲି, ଜାହାଜ ମୂଲାଇ ହାଟେ ବୁଲେ।’’ ସତରେ ଏ ଜଗତଟା ଜାହାଜ ମୂଲାରେ ବଣା ହେଉଥିବା ଅଦା ବେପାରୀଗୁଡ଼ାଙ୍କର। ତେଣୁ ମୃତ୍ୟୁ ଯେତେ ଡେରିରେ ଆସିଲେ ବି ଏମାନେ ଜାହାଜ ମୂଲାରେ ବଣା, ବ୍ୟସ୍ତ ଥାଇ ତା’କୁ ଗ୍ରହଣ କରି ପାରନ୍ତିନି।

ମୃତ୍ୟୁ ସବୁବେଳେ ଏମାନଙ୍କ ପାଇଁ ‘ଆଚମ୍ବିତ’। କବିବର ରାଧାନାଥ ପରା ଲେଖିଲେ, ‘‘ହାବୋଡ଼ି ଯିବ ସେ ଆଚମ୍ବିତେ ଆସି।’’ ଏ ଦେଶ ସଂସ୍କାର ଓ ସଂସ୍କୃତିରେ ସେଇଥିପାଇଁ ମୃତ୍ୟୁ ସଚେତନତା କଥା ବାରମ୍ବାର କୁହାଯାଇଛି, ‘‘ସ୍ମର ନିତ୍ୟମ୍‌ ଅନିତ୍ୟତାମ୍‌।’’ ଏକୁ ଆମ ଆଧୁନିକ ଭୁସ୍‌ ପଣ୍ଡିତଗଣ ‘ବିଷାଦବାଦ’ ପେସିମିଜିମ୍‌ କହି ନାକ ଟେକୁଛନ୍ତି। ଏପଟେ ନାକ ଟେକୁଥା’, ସେପଟେ ମୃତ୍ୟୁକୁ ଦେଖି ଆଣ୍ଠଉଥା’, ରଡ଼ି ବୋବାଳି ପକଉଥା’। ମଣିଷ ଜୀବନ, ହାତୀ ବାଘ ବା ମୁହୁର୍ମୁହୁଃ ମୈଥୁନରତ ଘର ଚଟିଆର ଜୀବନ ଆଦୌ ନୁହଁ। ୟାର ଜନ୍ମଠାରୁ ମୃତ୍ୟୁ ଯାଏ ଓ ତା’ ପର ପରଲୋକ ଯାଏ ବି କାର୍ଯ୍ୟ ପଦ୍ଧତି ନିର୍ଦ୍ଧାରିତ ଓ ମନ୍ତ୍ରସ୍ନାତ। ଲାହି କଟାଠୁ ମନ୍ତ୍ର ଆରମ୍ଭ ହେଲା ଯେ ବିବାହ, କର୍ମ ଓ ମୃତ୍ୟୁରେ ଲୀନ ଏ ଦେହ ଯାଏ ବି ମନ୍ତ୍ର ଧ୍ବନିର ପୁଟପାକ। ସ୍ବାମୀ ସ୍ତ୍ରୀ କି ବାପ ମା’ଙ୍କ ମୃତ୍ୟୁ ପରେ ଏଗାର ଦିନ ଯାଏ ବ୍ୟାପ୍ତ ପ୍ରେତ ପୂଜା, ଉପଚାର ପରେ ବି ବାର୍ଷିକ ଶ୍ରାଦ୍ଧ ନିରବଚ୍ଛିନ୍ନ ଭାବେ ଲମ୍ବିଛି।

ଭରା ଯୌବନର ସୁନ୍ଦରୀ ବାଲ୍ୟ ବିଧବା, ସ୍ବର୍ଗତ ସ୍ବାମୀର ଉପସ୍ଥିତି ଅନୁଭବ କେବଳ କରେନି, ପର ଜୀବନରେ ତାଙ୍କ ସହ ମିଳିତ ହେବାର ଏକ ରୋମାଞ୍ଚିତ ଭାବରେ ତଲ୍ଲୀନ ଥାଇ, ଏ ଦୁଷ୍ଟ ଯୌବନକୁ ଅତିକ୍ରମି ଯାଏ। କବି ସଚ୍ଚି ରାଉତରାୟ ପରା ଲେଖିଲେ, ‘‘ଗାଁର ଶେଷେ ଏକଣା ଘରେ, ବଉଳ ଫୁଲ ଯେଉଁଠି ଝରେ, ଥିଲା ଯେ ପୁଣି ବିଧବା ଏକ, ବାଳୁତ ତା’ର ଛୁଆଟି, ଛୋଟ ମୋର ଗାଆଁଟି। ହବିଷ ସାରି ଚଉରାମୂଳେ ନିତି ସେ ଆସି ପ୍ରଣତି ଢାଳେ, ଆକାଶ ଦୀପ ହୋଇ ଯେ ଜଳେ, ଭୋକିଲା ତା’ର ସାହାଟି, ଛୋଟ ମୋର ଗାଆଁଟି।’’ ‘ମରଣ’ ତେଣୁ ଏ ଦେଶ ସଂସ୍କୃତିରେ ଜୀବ ପାଇଁ ସଂସ୍କାରର ଏକ ପର୍ବ, ଆହ୍ବାନ। ଭକ୍ତକବି ତ ଲେଖିଲେ ‘‘ତୋର ମଙ୍ଗଳ ବିଧାନ, କରିଅଛି ମରଣକୁ ଅମୃତ ସୋପାନ।’’ ଜୀବନ ଯେତେବେଳେ ଜନ୍ମ ମୃତ୍ୟୁ ମଧ୍ୟସ୍ଥ ଅନିଶ୍ଚିତ ଦୈର୍ଘ୍ୟର ଏକ ବ୍ୟବସ୍ଥା ସେଠି ଅଯଥା କାମାଚାର ଓ ମୈଥୁନରେ ଜୀବନକୁ ମୋହାସକ୍ତ ଓ ବିଭ୍ରାନ୍ତ କେମିତି କରାଯାଇପାରିବ? ମୈଥୁନ ଆନନ୍ଦ ଓ ସନ୍ତାନ ସୃଷ୍ଟି ଦୁଇ ଭିନ୍ନ କଥା। ଗୋଟିଏ ଅଜ୍ଞାନତା ଓ ମୋହ ପ୍ରସୂତ ହୋଇଥିବା ବେଳେ ଅନ୍ୟଟି ଅମୃତତ୍ବର ସୃଜନଶୀଳ ଦାୟିତ୍ବ ସମ୍ପାଦନ ପାଇଁ ଉଦ୍ଦିଷ୍ଟ। ସେଇଥିପାଇଁ ତ କୁହାଯାଇଛି, ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’’। ଅନ୍ୟଥା ଅଶ୍ଳୀଳତା। ପ୍ରାକୃତିକ ନିୟମରେ ସମସ୍ତେ ବନ୍ଧା। କେହି ଅଯଥା ବଢ଼ି ପାରେନି କି ଛିଡ଼ି ପାରେନି।

ବିଚିତ୍ରକର୍ମା ସ୍ରଷ୍ଟାର ସୃଷ୍ଟିରେ ଏ ସନ୍ତୁଳନ ବିସ୍ମୟକର ସତରେ। ବାର ବର୍ଷରେ ଥରେ ଶୁକ୍ର କ୍ଷୟ ସିଂହ କରୁଥିବାବେଳେ ଅନ୍ୟମାନଙ୍କ ପାଇଁ ନିର୍ଦିଷ୍ଟ ଋତୁ ଉଦ୍ଦିଷ୍ଟ। ସେଇ ସମୟରେ ଏମାନେ କେବଳ ଏ ଇନ୍ଦ୍ରିୟାନୁଗତ ଓ ଦେହଜ କ୍ଷୁଧା ଅନୁଭବ କରନ୍ତି, ଆକ୍ରାନ୍ତ ହୁଅନ୍ତି। ଅବାଧ ପ୍ରଜନନ ପ୍ରକ୍ରିୟା ଓ ପ୍ରଲୁବ୍ଧମୟ ମୈଥୁନାଚାର, ବିବେକହୀନ ପଶୁ ଓ ଇତର ପ୍ରାଣୀଙ୍କୁ ସୁଲଭ ହେଲେ ଏ ସୃଷ୍ଟି କେବଳ ପଶୁ, ପତଙ୍ଗମୟ ହୋଇଯିବ। ତେଣୁ ପ୍ରଭୁ ମୂଳରୁ ହିଁ ଏଥିରେ ଅଙ୍କୁଶ ପ୍ରାକୃତିକ ଭାବେ ଲଗାଇ ଦେଇଛି। ମାତ୍ର ବିବେକବାନ, ସୃଷ୍ଟିର ସର୍ବଶ୍ରେଷ୍ଠ ସୃଷ୍ଟି ଏ ମଣିଷଠି ଏମିତି କିଛି ରୋକ ଲଗାଇବାର ଆବଶ୍ୟକତା ପ୍ରଭୁ ଅନୁଭବ କଲେନି। ବିଜ୍ଞ ମଣିଷଗୁଡ଼ା ଘୋର ଅଜ୍ଞାନତା ଓ ମୋହାନ୍ଧତାରେ ମଣିଷପଣିଆ, ବୌଦ୍ଧିକତା ଓ ଅମୃତତ୍ବର ପାଣ୍ଠି ବୁଡ଼ାଇ ଦେବେ କେମିତି? ମହାପୁରୁଷମାନଙ୍କ ତାଗିଦା ଏଥିପାଇଁ କୁ କମ୍‌ ଥିଲା? ତୁହାଇ ତୁହାଇ କହୁଥିଲେ, ‘‘ଆହାର, ନିଦ୍ରା ଭୟ ମୈଥୁନଂ ଚ, ସାମାନ୍ୟ ମେତତ୍‌ ପଶୁଭିଃ ନରାଣାଂ। ଧର୍ମୋହି ତେଷାମଧିକ ବିଶେଷଃ, ଧର୍ମେଣହୀନା ପଶୁଭିଃ ସମାନାଃ’’। ମନବୋଧ ଚଉତିଶାରେ କବି କ’ଣ ନ କହିଛନ୍ତି ଏ ବିବେକବାନ ମଣିଷକୁ! ‘‘ଚିତ୍ରପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର, ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି’’ ଇତ୍ୟାଦି।

ମଣିଷର ଯଥେଚ୍ଛାଚାର ଇନ୍ଦ୍ରିୟ ସ୍ଖଳନକୁ ରୋକିବାକୁ, ବ୍ରହ୍ମଚର୍ଯ୍ୟ ବ୍ରତ, ଖାଦ୍ୟ ପାନୀୟକୁ ସତ୍ବ, ରଜ ଓ ତାମସିକ ଭାବରେ ବିଭକ୍ତ କରାଯାଇ, ବାଟ ଭଙ୍ଗାରେ ଦୃଢ଼ ରୋକ ଲଗାଯାଇଥିଲା। ଅବଶ୍ୟ ସଗରଙ୍କ ହଜାର ପୁଅ ଥିଲେ, କ’ଣ ହେଲା ସେମାନଙ୍କର? ମୁନି ଅଭିଶାପରେ ଜଳି ପାଉଁଶ ହୋଇଗଲେ ନା ନାହିଁ ମ? ସେମିତି ‘‘ଶତପୁତ୍ରର ଜନନୀ ତୁହିମା’ ଶ୍ରେଷ୍ଠ ଏ ଧରା ତଳେ, ତୋ ଆଦେଶେ ମାତ ବାନ୍ଧି ପାରିବୁ ଏ ତିନି ଭୁବନ ହେଳେ।’’ ୟେ ହେଲା ଶତପୁତ୍ରର ଜନନୀ ଗାନ୍ଧାରୀଙ୍କୁ ତାଙ୍କ ଜ୍ୟେଷ୍ଠ ପୁତ୍ରର ନିବେଦନ। ମାତ୍ର କି ଆଶୀର୍ବାଦ ଝରିଲା ସେ ପ୍ରାଣରୁ? ‘‘ଯାଅ ବୀର ରଣେ ଧରଣୀ ବକ୍ଷୁ ପାପରାଶି ହେଉ କ୍ଷୟ, ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ।’’ ଧ୍ବଂସ ହୋଇଗଲେ ଏଇ ଅହଂକାରୀ ଶତପୁତ୍ର।

ସେଇଥି ପାଇଁ କୁହାଯାଇଛି, ‘‘ବରମେକୋ ଗୁଣୀପୁତ୍ରୋ, ନ ଚ ମୂର୍ଖ ଶତାନ୍ୟପି, ଏକଶ୍ଚନ୍ଦ୍ରସ୍ତମୋ ହନ୍ତି ନ ଚ ତାରା ଗଣୋଽପି ଚ। ଏକେନାପି ସୁବୃକ୍ଷେଣ ପୁଷ୍ପିତେନ ସୁଗନ୍ଧିନା, ବାସିତଂ ତଦ୍‌ ବନଂ ସର୍ବଂ ସୁପୁତ୍ରେଣ କୁଳଂ ଯଥା।’’ ଅଧିକ ଅବାଞ୍ଛିତ ସନ୍ତାନ ସୃଷ୍ଟି ସମ୍ପୃକ୍ତ ପିତାମାତାଙ୍କ ଦୁଷ୍କୃତି କଥା ସୂଚାଇ ଦେଉଥିବା ବେଳେ ସୁପୁତ୍ର ପିତାମାତାଙ୍କ ପୁଣ୍ୟଫଳର ସୂଚନା ଦିଏ। ଝଡ଼ିପୋକ ପରି ବା କୁକୁର ପିଲା ଭଳି ପୁଞ୍ଜାପୁଞ୍ଜା ମଣିଷପିଲା ସୃଷ୍ଟି ସମ୍ଭବ ହେଉନଥିଲା। ଏ ଦେଶର ଦାଢ଼ୁଆ ସଂସ୍କାର, ସଂସ୍କୃତି ଓ ବିଧିବିଧାନ ପ୍ରତି ଭାବଗତ ସମ୍ମାନ ଯୋଗୁଁ ଏ ଦେଶରେ ବାଲ୍ମୀକି, ବିଶ୍ବାମିତ୍ର, ବଶିଷ୍ଠ, ରାମକୃଷ୍ଣ ପ୍ରମୁଖ ଜନ୍ମ ହୋଇଥିଲେ। ଭସ୍ମ ହୋଇଯାଇଥିବା ହଜାର ଭାଇଙ୍କୁ ଉଦ୍ଧାର ପାଇଁ ଭଗୀରଥ ଜନ୍ମ ହୋଇ ଧରା ପୃଷ୍ଠରେ ଭାଗୀରଥୀ ଗଙ୍ଗାଙ୍କୁ ପ୍ରବାହ କରାଇଥିଲେ।

କବିସମ୍ରାଟ ଭଞ୍ଜ ଲେଖିଛନ୍ତି, ‘‘ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗା ନାମ, ଭାଗୀରଥି କିମ୍ପା ହେଲା କହ ଗୋସାଇଁ, ବିଷ୍ଣୁନଖ କୋଣେ ଏ ଥିଲା, ବାମନାବତାରେ ଭଗୀରଥୀ ଆଣିଲା।’’ ତେଣୁ ଏ ଦେଶରେ ଠେକି ଉଛୁଳା ଜନସଂଖ୍ୟା ନଥିଲା କି ବନ୍ଧ୍ୟାତ୍ବର ଅସହାୟତା କ୍ବଚିତ୍‌ ଥିଲା। ମା’ ମହାଲକ୍ଷ୍ମୀ ବନ୍ଧ୍ୟାତ୍ବ ପ୍ରାପ୍ତ ହୋଇଥିଲେ। କୁହାଯାଏ ପ୍ରସବ ବେଦନା ପାଉଥିବା ଏକ ଗୋମାତାଙ୍କ କଷ୍ଟ ଦେଖି ମହାଲକ୍ଷ୍ମୀ ତାଙ୍କୁ ଏ କଷ୍ଟ ନ ଦେବାକୁ ପ୍ରଭୁଙ୍କୁ କୁଆଡ଼େ ପ୍ରାର୍ଥନା କରିଥିଲେ। ଆଜିକାଲି ପିଲା ପ୍ରସବ କରୁଥିବା ମା’ମାନଙ୍କୁ ଦାରୁଣ ଗର୍ଭଯନ୍ତ୍ରଣା ସହିବାକୁ ହେଉନି। କଷ୍ଟ ହେଉ ହେଉ କି ତା’ ଆଗରୁ ପେଟ ଚିରି ସେଇପଟେ ପିଲାକୁ ଟେକି ଅଣାଯାଉଛି। ଛାଡ଼ନ୍ତୁ ସେ କଥା ସେ ଏକ ଭିନ୍ନ ପ୍ରସଙ୍ଗ।

ଉତ୍ତର ପ୍ରଦେଶରେ ଜଣେ ନୈଷ୍ଠିକ ବାଆଜି ମହାପୁରୁ ମାହାର୍ଜା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବଡ଼ ଚମକପ୍ରଦ ଘଟଣା ଇଏ ବାଆଜି ସମ୍ପ୍ରଦାୟ ପାଇଁ। କ୍ଷମତା ଓ ଭୋଗକୁ ଦୂରୁ ଜୁହାର କରୁଥିବା ଏ ସନ୍ନ୍ୟାସୀ, ବାଆଜି ମହାପ୍ରୁ କ୍ଷମତା ଓ ଭୋଗ ସାଗରରେ କେମିତି ବୁଡ଼ ପକାଇ, ତାଙ୍କ ମୌଳିକ ଧର୍ମ ରକ୍ଷା କରିପାରିଛନ୍ତି ତା’ ଢେର ବିସ୍ମୟକର। ଜାନକୀଙ୍କ ପିତା ଜନକ ମହାରାଜ ଜଣେ ଋଷି ଥିଲେ। ତାଙ୍କୁ ଗୁରୁଭାବେ ଗ୍ରହଣ କରିବାକୁ ନାରଦଙ୍କ ପ୍ରେରିତ ଶୁକଦେବ ଯେତେବେଳେ ଏ ଐଶ୍ବର୍ଯ୍ୟଶାଳୀ ରାଜାଙ୍କ ତୁଳସୀ ଚଉରାରେ ସୁନାଗଡ଼ୁରେ ପାଣି ଦେଉଥିବା ଓ କୋଳରେ ନିଜ ପ୍ରିୟତମାଙ୍କୁ ବସାଇଥିବା ଦେଖିଲେ, ସେତେବେଳେ ବିଚିଟିଗଲେ। କହିଲେ, ‘‘ଆରେ ବାପ, ପ୍ରାର୍ଥନା ବେଳେ ବି ୟାର ଏଡ଼େ ଆଡ଼ମ୍ବର। ମହାଭୋଗୀଟେ! ୟେ କ’ଣ ମୋ ଗୁରୁ ହେବ।’’ ମାତ୍ର ମିଛ କହିବା ଦେବତା ବା ଋଷି ନୁହନ୍ତି ନାରଦଜୀ। ସେ ଜନକ ମହାରାଜଙ୍କ ମନ ଓ ଚେତନା ମଧ୍ୟକୁ ପ୍ରବେଶ କରି ସ୍ତମ୍ଭୀଭୂତ ହୋଇଗଲେ। ‘‘ଆରେ, ୟେ ତ ପ୍ରଭୁପଦରେ ତଲ୍ଲୀନ। ନା ସୁବର୍ଣ୍ଣଗଡ଼ୁ, ନା ଚାମର ବିଞ୍ଚା ଆଡ଼ମ୍ବର ନା ଅଙ୍କଶୋଭିତ ସୁନ୍ଦରୀ ସ୍ତ୍ରୀଠେଇ ଏଙ୍କର ନିଘା କି ଭାବ ଅଛି।’’ ଅସମ୍ଭବ ଏ ସାଧନା! ଭାବି ତାଙ୍କୁ ହିଁ ଗୁରୁ ମାନିଲେ ଶୁକଦେବ।

ସେମିତି ମୁଖ୍ୟମନ୍ତ୍ରୀ କ୍ଷମତା ଆଡ଼ମ୍ବର ଓ ନାଲିବତି ଗାଡ଼ିର ପଲଟଣରେ ଝଲସୁଥିବା ଯୋଗୀ ମହାପ୍ରୁ ନିଶ୍ଚୟ ଭୋଗୀ ହୋଇ ନ ଥିବେ। ଏ କଥା ଠିକ୍‌ ଥିଲେ ତାଙ୍କ ଦର୍ଶନରେ ସାଷ୍ଟାଙ୍ଗ ଦଣ୍ଡବତ ଅଲବତ୍‌ ମଡ଼େଇବ। ମାତ୍ର ହାଉଯାଉ ଜନସଂଖ୍ୟା ବଢ଼ୁଥିବାରୁ ସେ ନାନା ସରକାରୀ ସୁବିଧାର, ଦୁଇ ସନ୍ତାନରୁ ଅଧିକ ଥିବା ଦମ୍ପତିଙ୍କୁ ନ ଦେବା, ବାଆଜି ସନ୍ନ୍ୟାସୀ ସୁଲଭ ଏକ ପରାମର୍ଶ ନୁହେଁ। ବ୍ରହ୍ମଚର୍ଯ୍ୟ ସାଧନା, ସନ୍ତାନ ନ ଥିବାଙ୍କୁ ଓ ସନ୍ନ୍ୟାସ ନେଉଥିବାଙ୍କୁ ସମ୍ମାନ କରାଯିବା କଥା ଜଣେ ବାଆଜି ହିଁ କହିପାରେ।

ବିଦ୍ୟାଳୟରେ ବ୍ରହ୍ମଚର୍ଯ୍ୟ ସାଧନତତ୍ତ୍ବରେ ଛାତ୍ରଛାତ୍ରୀଙ୍କୁ ପ୍ରଚୋଦିତ, ଉତ୍ସାହିତ କରିବା ବ୍ୟବସ୍ଥା ଯଦି ଏ ବାଆଜି ନ କଲେ ଆଉ କିଏ କରିପାରିବ? ସେଇଥିରୁ ଲାଗୁଛି ସନ୍ନ୍ୟାସ ଓ ତ୍ୟାଗର ଭାବ ବିଦଗ୍ଧ ଜଣେ ସନ୍ନ୍ୟାସୀ ୟେ ବୋଧେ ନୁହନ୍ତି। ମଣିଷ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନୀତି-ନୈତିକତା ଓ ବ୍ରହ୍ମଚର୍ଯ୍ୟ ବ୍ରତ ଆଦିକୁ ପ୍ରୟୋଗ ନ କଲେ, ସମ୍ମାନ ନ ଦେଲେ, ମଣିଷଙ୍କୁ ପଶୁକୁ କଲାଭଳି କରାଯିବ ସିନା, ଏଥିରେ ମଣିଷର ସ୍ବାଭିମାନ, ମର୍ଯ୍ୟାଦା କାଇଁ? ମଣିଷ, ପଶୁ ଓ ଇତରେ ସମାନ ହୋଇଯିବେ ହେ ଯୋଗୀରାଜ। ଜୟ ଜଗନ୍ନାଥ।
–ଠ–

Comments are closed.