ତୃତୀୟ ତରଙ୍ଗକୁ ସାବଧାନ

କେନ୍ଦ୍ର ଓ ରାଜ୍ୟ ସରକାର ଅତୀତ ଭୁଲ୍‌ରୁ ଶିକ୍ଷା ଗ୍ରହଣ କରି ଉଚିତ ପଦକ୍ଷେପ ନିଅନ୍ତୁ ଏବଂ ଜନସାଧାରଣ ଅଧିକ ସତର୍କତା ଅବଲମ୍ବନ କରନ୍ତୁ

ସତର୍କତା ହିଁ ସୁରକ୍ଷା, ଅନେକ ସମୟରେ ଆମେ ଏହାକୁ ଭୁଲିଯାଉ ଏବଂ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉ। କରୋନା ବିଶ୍ବ ମହାମାରୀର ଦ୍ବିତୀୟ ତରଙ୍ଗ ଯାଇ ତୃତୀୟ ତରଙ୍ଗ କେବେ ଓ କେମିତି ଆସିବ, ତାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଆମେ ନିଜେ ଏଥିପ୍ରତି କେତେ ସଚେତନ ଓ ସତର୍କ ତା’ର ଆତ୍ମସମୀକ୍ଷା କରିବା ଜରୁରୀ। ବ୍ୟକ୍ତିଗତ ଭାବେ ସମସ୍ତେ ଯଦି ସୁରକ୍ଷା ଉପାୟ ଆପଣାଇବେ ଏବଂ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବେ, ତେବେ ତୃତୀୟ ସଂକ୍ରମଣ ଦ୍ବିତୀୟଟି ପରି ଭୟାବହ ହେବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ। ଏହା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ପାଞ୍ଚଟି ରାଜ୍ୟ ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ାଉଥିବା କୁହାଯାଉଛି, ତା’ ମଧ୍ୟରେ ଓଡ଼ିଶା ମଧ୍ୟ ଅନ୍ତର୍ଭୁକ୍ତ। ଅନ୍ୟ ଚାରିଟି ରାଜ୍ୟ ହେଲେ କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ।

ରାଜ୍ୟରେ ସାମଗ୍ରିକ ଭାବେ ଦୈନିକ ସଂକ୍ରମଣ ହ୍ରାସ ଘଟିଥିଲେ ହେଁ ଖୋର୍ଦ୍ଧା ଓ କଟକ ପରି ଜିଲା ଚିନ୍ତା ବଢ଼ାଇଛନ୍ତି, କାରଣ ଭୁବନେଶ୍ବର ଓ କଟକ ମହାନଗରାଞ୍ଚଳକୁ ବହୁ ବହିରାଗତଙ୍କ ପ୍ରବେଶ ଘଟୁଛି, ଯେଉଁମାନେ ନୂତନ କୋଭିଡ-୧୯ ଭୂତାଣୁର ବାହକ ହେବାର ଆଶଙ୍କା ବେଶି ରହିଛି। ଅପର ପକ୍ଷେ ରାଜ୍ୟରେ କ୍ରମେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ତୁଳନାତ୍ମକ ଭାବେ ଦେଖିଲେ ୧୩ ଜୁନରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୩ ଜୁଲାଇରେ ସର୍ବାଧିକ ୬୮ ଜଣଙ୍କ ପ୍ରାଣହାନି ହୋଇଛି।

ଦେଶ ଓ ରାଜ୍ୟରେ ସରକାରୀ କାଗଜପତ୍ରରେ ଦର୍ଶାଯାଇଥିବା ମୃତ୍ୟୁସଂଖ୍ୟା ସନ୍ଦିଗ୍ଧ ହୋଇଥିବାବେଳେ ବାସ୍ତବରେ ଏହି ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ଏହାର ପ୍ରମାଣ ମଧ୍ୟ ବିଭିନ୍ନ ରାଜ୍ୟରେ ମିଳିସାରିଲାଣି। ସମୀକ୍ଷା ପରେ ଅନେକ ରାଜ୍ୟର କରୋନା ମୃତକଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଥିବା ଦେଖାଯାଇଛି। ଓଡ଼ିଶା ମଧ୍ୟ ସେଥିରୁ ବ୍ୟତିକ୍ରମ ହେବାପରି ମନେହେଉ ନାହିଁ। ଅତଏବ ରାଜ୍ୟ ସରକାର ପୁନଃସମୀକ୍ଷା କରି ପ୍ରକୃତ ମୃତ୍ୟୁସଂଖ୍ୟା ହିସାବ କରିବା ଆବଶ୍ୟକ। ଏହା ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ କରୋନା ମୃତକଙ୍କ ଆତ୍ମୀୟଙ୍କୁ ଅନୁଗ୍ରହ ରାଶି ବା କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଯଦି ମୃତକଙ୍କ ଗଣନା ଠିକ୍‌ଭାବେ ନ ହୁଏ, ତେବେ ତାହା ପ୍ରକୃତ ପୀଡ଼ିତ ପରିବାର ପାଖରେ ପହଞ୍ଚିପାରିବ ନାହିଁ। ରାଜ୍ୟ ସରକାର ଏଥିପ୍ରତି ସମୁଚିତ ଦୃଷ୍ଟି ଦେବା ଆବଶ୍ୟକ।

ଇତିମଧ୍ୟରେ ବ୍ରିଟେନ, ସ୍ପେନ୍, ରୁଷିଆ, ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ଦେଶରେ କୋଭିଡ୍‌ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି ଏବଂ କୁହାଯାଉଛି ଯେ ସେସବୁ ସ୍ଥାନରେ ତୃତୀୟ ତରଙ୍ଗ ଆସିଯାଇଛି। ତେଣୁ ଆମ ଦେଶରେ ମଧ୍ୟ ନିକଟ ଭବିଷ୍ୟତରେ ଏହି ସଂକ୍ରମଣ ଆରମ୍ଭ ହୋଇପାରେ ବୋଲି ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି। ଏହା ଅତି ବିପଜ୍ଜନକ ‘ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ୍‌’ ଦ୍ବାରା ବ୍ୟାପିବାର ଆଶଙ୍କା ଥିବାରୁ ଏଥିପ୍ରତି ଅଧିକ ସତର୍କତା ବାଞ୍ଛନୀୟ। ଉପରୋକ୍ତ ପାଞ୍ଚଟି ରାଜ୍ୟ ସମେତ ଉତ୍ତର-ପୂର୍ବ ରାଜ୍ୟର ୫୦ରୁ ଅଧିକ ଜିଲାରେ ସଂକ୍ରମଣ ହାର ୧୦ ଶତାଂଶରୁ ଅଧିକ ରହିଛି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଦ୍ବିତୀୟ ତରଙ୍ଗ ସମୟରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ପ୍ରଚାର ଓ କୁମ୍ଭମେଳା ପରି ଲକ୍ଷାଧିକ ଲୋକଙ୍କ ସମାଗମ ଯେପରି ଅସମ୍ଭାଳ ଅବସ୍ଥା ସୃଷ୍ଟି କଲା, ସେହିପରି ବୃହତ୍‌ କାର୍ଯ୍ୟକ୍ରମକୁ ରଦ୍ଦ କରାଯିବା ସର୍ବାଦୌ ଆବଶ୍ୟକ। ଆଗକୁ ଉତ୍ତର ଭାରତରେ ଚାରିଧାମ ଯାତ୍ରା ଓ କାଉଡ଼ିଆ ଯାତ୍ରା ଭଳି ବଡ଼ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବାର ସମୟ। ଇତିମଧ୍ୟରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟ ଏହି କାର୍ଯ୍ୟକ୍ରମକୁ କୋଭିଡ୍‌ କଟକଣା ଭିତରେ ସଂପନ୍ନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି; କିନ୍ତୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଭକ୍ତ ବା ଧାର୍ମିକ ଲୋକେ କୋଭିଡ୍‌ ନିୟମକୁ ପାଳନ କରିବେ ବୋଲି କିଏ ନିଶ୍ଚିତ କରିବ?

ଧର୍ମପୀଠଗୁଡ଼ିକରେ ଲକ୍ଷାଧିକ ଲୋକଙ୍କ ସମାଗମ ତୃତୀୟ ତରଙ୍ଗକୁ ଆମନ୍ତ୍ରଣ କରିବା ଭଳି ହେବ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଆଦି ଶୈଳନିବାସ ରହିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକରେ ପର୍ଯ୍ୟଟକମାନେ କୋଭିଡ୍‌ ମାର୍ଗଦର୍ଶିକାର ଆଦୌ ପାଳନ କରୁନଥିବାରୁ ଇତିମଧ୍ୟରେ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି। ତେଣୁ ଏସବୁ ଯାତ୍ରାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବା ଜରୁରୀ। ରାଜ୍ୟ ସରକାରଗୁଡ଼ିକ ଅତୀତ ଭୁଲ୍‌ରୁ ଶିଖି ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ। କେନ୍ଦ୍ର ସରକାର ମଧ୍ୟ ଦ୍ବିତୀୟ ତରଙ୍ଗ ନେଇ ଯେପରି ଖାମ୍‌ଖିଆଲି ମନୋଭାବ ଆପଣାଇଲେ, ସେପରି ନ ହେଉ।

ନୂତନ ସ୍ବାସ୍ଥ୍ୟମନ୍ତ୍ରୀ କିପରି ଏହାକୁ ପରିଚାଳନା କରୁଛନ୍ତି, ଦେଖିବା କଥା। ତେବେ ଚିନ୍ତାର ବିଷୟ ଯେ କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ବଡ଼ ଅସ୍ତ୍ର କୁହାଯାଉଥିବା ଟିକାକରଣ ଅଭିଯାନ ପୁଣିଥରେ ଧିମେଇ ଯାଇଛି। ଓଡ଼ିଶା ସମେତ ବହୁ ରାଜ୍ୟରେ ଟିକା ଅଭାବରୁ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ପଡ଼ୁଛି। ଜୁନ୍‌ ୨୧ରୁ ୨୭ ମଧ୍ୟରେ ଦେଶରେ ୪ କୋଟି ପାନ ଟିକା ଦିଆଯାଇଥିବାବେଳେ ଜୁଲାଇ ୫-୧୧ ଭିତରେ ମାତ୍ର ୨.୩ କୋଟି ପାନ ଟିକା ଦିଆଯାଇଛି; ଅର୍ଥାତ୍‌ ପ୍ରାୟ ସାପ୍ତାହିକ ହିସାବରେ ୬୦% ଟିକାକରଣ ହ୍ରାସ ପାଇଛି। ଚଳିତବର୍ଷ ଶେଷସୁଦ୍ଧା ସରକାର ଦେଶର ସମସ୍ତଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହାର ପୂରଣ ପାଇଁ ପ୍ରତିଦିନ ୮୦ ଲକ୍ଷ ପାନ ଟିକାଦାନ କରାଯିବା ଆବଶ୍ୟକ; କିନ୍ତୁ ବର୍ତ୍ତମାନର ବେଗରେ ଏହା ଚାଲିଲେ ଲକ୍ଷ୍ୟଭ୍ରଷ୍ଟ ହେବା ନିଶ୍ଚିତ। ତେଣୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆବଶ୍ୟକ ଟିକା ଯୋଗାଇବାର ବନ୍ଦୋବସ୍ତ କରନ୍ତୁ। ଜନସାଧାରଣ ମଧ୍ୟ ତୃତୀୟ ତରଙ୍ଗ ପ୍ରତି ଅଧିକ ସତର୍କ ଓ ସାବଧାନ ରହନ୍ତୁ।

Comments are closed.