ସର୍ବାଧିକ ମନ୍ତ୍ରୀ ; ସର୍ବାଧିକ କାମ ?

ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ବାକି ଅଧା ଅବଧିରେ ଦେଶର କ୍ରମକ୍ଷୟିଷ୍ଣ ୁଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି ଆଦିର ପୁନରୁଦ୍ଧାର ବଡ଼ ଆହ୍ବାନ ହେବ
ଜୁଲାଇ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳର ନବକଳେବର କରି ମନ୍ତ୍ରୀଙ୍କ ସଂଖ୍ୟାକୁ ୭୭ରେ (ତାଙ୍କ ସହ ୭୮) ପହଞ୍ଚାଇ ଦେଇଛନ୍ତି, ଯାହା ୨୦୧୪ରେ ସେ ଦେଇଥିବା ଧ୍ବନି ‘କମ୍‌ ସରକାର, ଅଧିକ ଶାସନ’ (ମିନିମମ୍‌ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍‌ ଗଭର୍ଣ୍ଣାନ୍ସ)ର ବିପରୀତ ମନେହୁଏ। ନୂତନ ମନ୍ତ୍ରିପରିଷଦ ସଂଖ୍ୟା ଦୃଷ୍ଟିରୁ ୟୁପିଏ-୨କୁ ମଧ୍ୟ ବଳିଯାଇଛି, ଯେଉଁଠି ମନ୍ତ୍ରୀଙ୍କ ସଂଖ୍ୟା ଥିଲା ୭୬। ଏହି ବୃହତ୍‌ ପରିବର୍ତ୍ତନ ପଛରେ ଜାତିଗତ ସମୀକରଣ, ରାଜ୍ୟ ପ୍ରତିନିଧିତ୍ବକୁ ଗୁରୁତ୍ବ, ମହିଳା ଓ ଯୁବ ନେତୃତ୍ବକୁ ପ୍ରାଧାନ୍ୟ, ସର୍ବୋପରି ଭାରତୀୟ ଜନତା ପାର୍ଟିର ଆଗାମୀ ନିର୍ବାଚନଗୁଡ଼ିକରେ ସଫଳତାପ୍ରାପ୍ତିର ଲକ୍ଷ୍ୟ ରହିଥିବା ସ୍ପଷ୍ଟ ହୁଏ। କେବଳ ୨୦୨୨ ଓ ୨୦୨୩ରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ନୁହେଁ, ୨୦୨୪ର ସାଧାରଣ ନିର୍ବାଚନ ପାଇଁ ମଧ୍ୟ ରାସ୍ତା ଫିଟାଇବାର ରଣନୀତି ରହିଥିବା ମନେହେଉଛି। ନୂଆ ମନ୍ତ୍ରିମଣ୍ଡଳରେ ୩୬ ନୂଆ ମୁହଁକୁ ସାମିଲ୍‌ କରାଯାଇଥିବାବେଳେ ୭ ଜଣଙ୍କୁ ପଦୋନ୍ନତି ମିଳିଛି ଓ ୧୨ ଜଣଙ୍କୁ ବାଦ୍‌ ଦିଆଯାଇଛି।
ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ନିଜ କାମରେ ସନ୍ତୁଷ୍ଟ କରିପାରିନଥିବା ନେତାଙ୍କଠାରୁ ମନ୍ତ୍ରିପଦ ଛଡ଼ାଇ ନିଆଯାଇଛି। ଉଲ୍ଲେଖନୀୟ କଥା ହେଲା ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପରିବେଶ ଓ ଆଇନ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟଗୁଡ଼ିକର ମନ୍ତ୍ରୀଙ୍କୁ ପଦଚ୍ୟୁତ କରାଯାଇ ନୂଆ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ସନ୍ଦେହ ନାହିଁ ଯେ ସାମାଜିକ ଉନ୍ନୟନ ଦୃଷ୍ଟିରୁ ଏସବୁ ବିଭାଗ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ହୋଇଥିବାବେଳେ ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ବିଭିନ୍ନ କାରଣରୁ ଅଧିକ ବିବାଦୀୟ ହୋଇଛି ଏବଂ ସରକାର ଅଡୁଆରେ ପଡ଼ିଛନ୍ତି। ଏଥି ଯୋଗୁଁ ସରକାରଙ୍କ ମୁଖପାତ୍ର ଥିବାସତ୍ତ୍ବେ ପ୍ରକାଶ ଜାଭଡେକରଙ୍କୁ ମଧ୍ୟ ପଦ ହରାଇବାକୁ ପଡ଼ିଛି, ଯାହାଙ୍କ ହାତରେ ଥିଲା ସୂଚନା-ପ୍ରସାରଣ ଏବଂ ପରିବେଶ ଭଳି ବିଭାଗ। ସରକାର ଅନେକ ମାମଲାରେ ଆଇନଗତ ଅର୍ଗଳିରେ ପଡ଼ିଥିବାବେଳେ ଆଇନ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦଙ୍କୁ ମଧ୍ୟ ହଟାଇ ଦିଆଯାଇଛି। କୋଭିଡ-୧୯ର ଦ୍ବିତୀୟ ତରଙ୍ଗକୁ ହେୟଜ୍ଞାନ କରି ତୀବ୍ର ସମାଲୋଚିତ ହୋଇଥିବା ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ପ୍ରସ୍ଥାନପଥ ଦେଖାଇ ଦିଆଯାଇଛି। ଏଥିରୁ ସରକାର ମହାମାରୀବେଳେ ସ୍ବାସ୍ଥ୍ୟସଙ୍କଟର ମୁକାବିଲା କ୍ଷେତ୍ରରେ ବିଫଳ ହୋଇଥିବା ପରୋକ୍ଷରେ ସ୍ବୀକାର କରିଛନ୍ତି। ନିକଟ ଭବିଷ୍ୟତରେ ତୃତୀୟ ତରଙ୍ଗ ସଂକ୍ରମଣ ଆଶଙ୍କା କରାଯାଉଥିବାବେଳେ ତ୍ରୁଟିବିଚ୍ୟୁତି ସୁଧାରିବା ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ପାଇଁ ବଡ଼ ଆହ୍ବାନ ହେବ। ସ୍ବାସ୍ଥ୍ୟ ସଙ୍କଟ ବ୍ୟତୀତ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ବା ୟୁଏପିଏ ଏବଂ ରାଜଦ୍ରୋହ ଆଇନର ଅପବ୍ୟବହାର ଆଦି ନେଇ ସର୍ବୋଚ୍ଚ ନ୍ୟାୟାଳୟ ଯେପରି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି, ତାହା ଆଗାମୀ ଦିନରେ ନୂତନ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ପାଇଁ ମଧ୍ୟ ଆହ୍ବାନ ହେବ। ସେହିପରି ମହାମାରୀଜନିତ ସମସ୍ୟା ଯୋଗୁଁ ଦେଶରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିପରି ଉଦ୍ଧାର କରିବେ ଏବଂ ନୂଆ ଶିକ୍ଷା ନୀତିକୁ କିପରି ଠିକ୍‌ଭାବେ କାର୍ଯ୍ୟକାରୀ କରାଇବେ, ତାହା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ତାଙ୍କର ବିଭାଗ ବଦଳିଥିଲେ ହେଁ ତାଙ୍କ ଗୁରୁତ୍ବ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଅତୁଟ ରହିପାରେ।
ମୋଦୀ ସରକାରଙ୍କ ପରିବର୍ଦ୍ଧିତ ମନ୍ତ୍ରିପରିଷଦରେ ଓଡ଼ିଶାରୁ ତିନିଜଣ ମନ୍ତ୍ରୀ ପଦ ପାଇଥିବା ଖୁସିର କଥା। ବିଶେଷକରି ବିଜେଡିର ସମର୍ଥନରେ ବିଜେପିର ପ୍ରାର୍ଥୀ ହୋଇ ରାଜ୍ୟସଭାର ସଦସ୍ୟ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ରେଳବାଇ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଏବଂ ମୟୂରଭଞ୍ଜର ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ମିଳିବା ଦ୍ବାରା ଓଡ଼ିଶାର ଗୁରୁତ୍ବ ବଢ଼ିଛି। ତେବେ ଏହାଦ୍ବାରା ଓଡ଼ିଶା କେତେ ପରିମାଣରେ ଓ କିପରି ଉପକୃତ ହୋଇପାରିବ, ତାହା ଆକଳନ କରିବା ଏବେଠୁ ସମ୍ଭବ ନୁହେଁ; କାରଣ ଏହି ନିଯୁକ୍ତି ପଛରେ ଓଡ଼ିଶାର ସ୍ବାର୍ଥକୁ ଯେ ପ୍ରାଧାନ୍ୟ ଦିଆଯାଇଥିବ, ତାହା ଅନିଶ୍ଚିତ। ଏ ପରିପ୍ରେକ୍ଷୀରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ପଶ୍ଚିମ ଓଡ଼ିଶାରୁ ବିଜେପିର ସର୍ବାଧିକ ୫ ଜଣ ସଦସ୍ୟ ଲୋକସଭାରେ ପ୍ରତିନିଧିତ୍ବ କରୁଥିବାବେ‌େ​‌ଳ ସେଠାରୁ ଜଣକୁ ମଧ୍ୟ କାହାକୁ ମନ୍ତ୍ରିମଣ୍ଡଳରେ ନିଆ ନଯିବାଦ୍ବାରା ଏକ ନକାରାତ୍ମକ ବାର୍ତ୍ତା ଯାଇଛି। ଅନ୍ୟପକ୍ଷରେ ଆଦିବାସୀ ସମ୍ପ୍ରଦାୟକୁ ଆକର୍ଷିତ କରିବା ନିମନ୍ତେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦାୟ ଦିଆଯାଇ ବିଶ୍ବେଶ୍ବରଙ୍କୁ ମନ୍ତ୍ରିପଦ ଦିଆଯାଇଥିବା କୁହାଯାଉଛି, ଯାହା ଯୁକ୍ତିଯୁକ୍ତ ମନେହୁଏ; କାରଣ ରାଜ୍ୟ ବିଜେପିର ଆଦିବାସୀ ଚେହେରା ଭାବେ ଧରାଯାଉଥିବା ଜୁଏଲ୍‌ ଓରାମ୍‌ଙ୍କ ସ୍ଥାନରେ ତାଙ୍କୁ ହିଁ ଦଳ ଏବେ ଆଗକୁ ନେବାକୁ ଚାହୁଁଥିବା ସ୍ପଷ୍ଟ। ସେ ଯାହାହେଉ, ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ବାକି ଅଧା ଅବଧିରେ ଦେଶର କ୍ରମକ୍ଷୟିଷ୍ଣୁ ସ୍ବାସ୍ଥ୍ୟ, ଶିକ୍ଷା, ଅର୍ଥନୀତି ଆଦିକୁ ପୁନର୍ଜୀବିତ ଓ ପୁନରୁଦ୍ଧାର କରିବା ବଡ଼ ଆହ୍ବାନ ହେବ। ନୂତନ ମନ୍ତ୍ରିପରିଷଦ ‘ସର୍ବାଧିକ ସରକାର (ମନ୍ତ୍ରୀ) ସର୍ବାଧିକ/ସର୍ବଶ୍ରେଷ୍ଠ ଶାସନ’ ଦେବାରେ ସଫଳ ହେବ ନା ବିଫଳ ହେବ, ତାହା ଆଗାମୀ ସମୟରେ ଜଣାପଡ଼ିବ। ତା’ ଉପରେ ନିର୍ଭର କରିବ ବି ମୋଦୀ ସରକାରଙ୍କ ଭାଗ୍ୟ ଓ ଭବିଷ୍ୟ।

Comments are closed.