କୌତୂହଳର ମୃତ୍ୟୁ

0

ଚିନ୍ମୟ କୁମାର ହୋତା

ପ୍ରାୟ ଦେଖାଯାଏ ଯେ ଛୋଟ ପିଲାମାନେ ସବୁ ବିଷୟରେ ଜାଣିବା ପାଇଁ ସ୍ବଭାବତଃ କୌତୂହଳୀ ହୋଇଥାଆନ୍ତି। ଜନ୍ମ ହେବା ପାଖରୁ ଶିଶୁଟିଏ ନିଜର ପାରିପାର୍ଶ୍ବିକ ପୃଥିବୀକୁ ପାଠକ ଭାବରେ ଜାଣିବା ପାଇଁ ନାନା ପ୍ରକାର ପ୍ରଚେଷ୍ଟା କରିଥାଏ। କୌଣସି ବି ନୂଆ ଜିନିଷ ଦେଖିଲେ ଶିଶୁଟି ହାତ ବଢାଇ, ଗୋଡ ଛାଟି, ମୁହଁରୁ ନାନା ଶବ୍ଦ ବାହାର କରି ଏହାପ୍ରତି ତାର କୌତୂହଳ ପ୍ରକାଶ କରିଥାଏ। ଟିକିଏ ବଡ ହେବା ପରେ ସେ ନୂଆ ଜିନିଷଟିକୁ ଏପାଖସେପାଖ ଓଲଟାଇ, ତା ଭିତରେ କ’ଣ ଅଛି ଜାଣିବା ପାଇଁ ବ୍ୟାକୁଳ ହୁଏ। ପରବର୍ତ୍ତୀ ସମୟରେ ସେ ବାସ୍ତବ ପଦାର୍ଥ ଅପେକ୍ଷା ଭାବାତ୍ମକ ବା ବିମୂର୍ତ୍ତ ଶବ୍ଦ ବା ଧାରଣାଗୁଡିକ ପ୍ରତି ଆଗ୍ରହ ଦେଖାଏ, ଏଇ ଯେମିତି ସରକାର କିଏ, ମଣିଷ ମରିଗଲା ପରେ କୁଆଡେ ଯାଏ, ଇତ୍ୟାଦି। ନୂଆ ଜିନିଷ ଜାଣିବାର ଏହି ପ୍ରକ୍ରିୟା ମଣିଷର ଶେଷ ଜୀବନ ପର୍ଯ୍ୟନ୍ତ କାଏମ ରହିଥାଏ ସତ, ହେଲେ କୌତୂହଳର ମାତ୍ରା କୈଶୋର ପର୍ଯ୍ୟନ୍ତ ତୀବ୍ର ଥାଏ।
କୌତୂହଳର ଏହି ସଂଜ୍ଞା ଓ ଧାରା ପୃଥିବୀରେ ମଣିଷ ଜଗତର ସୃଷ୍ଟି ହେବା ଦିନଠାରୁ ଊଣା ଅଧିକେ ଏକ ରକମର ଚାଲି ଆସୁଥିଲା। ଆଜିର ସମୟରେ ଇଣ୍ଟରନେଟ ଜିଜ୍ଞାସାର ପରିଭାଷାରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ। ଆଜି ସମସ୍ତ ପ୍ରଶ୍ନର ଉତ୍ତର କମ୍ପ୍ୟୁଟର ବା ସ୍ମାର୍ଟଫୋନର ବୋତାମ ଟିପରେ। ପୁଣି ଇଣ୍ଟରନେଟର ଏହି ଉପକରଣଗୁଡିକ ଆଜି ମଣିଷ ଶିଶୁ ହାତରେ ଗୁଞ୍ଜି ଦିଆଯାଉଛି ଖୁବ ଶୀଘ୍ର, ଗୋଟିଏଗୋଟିଏ ଖେଳଣା ଭାବରେ। ଆଜିର ବାପ ମାଆମାନେ ବଢନ୍ତା ଶିଶୁଟିର କୌତୂହଳ ମେଣ୍ଟାଇବାର କାମକୁ ଦାୟିତ୍ବ ନୁହେଁ, ବରଂ ଏକ ବୋଝ ବୋଲି ଭାବି ଛୋଟ ପିଲାଟିକୁ ଇଣ୍ଟରନେଟର ଗଦ ସୁଙ୍ଘାଇ ଦେଉଛନ୍ତି। ରଙ୍ଗିନ ଓ ଚଳମାନ ସେହି ପରଦା ଦେଖି ଶିଶୁଟି କାନ୍ଦ ଓ ଅଝଟପଣିଆ ବନ୍ଦ କରି ନିସ୍ତେଜ ହୋଇ ପଡି ରହୁଛି। ବାପ, ମାଆମାନେ ପଡୋଶୀଙ୍କ ପାଖରେ ଗର୍ବରେ ତାଙ୍କ ପିଲାର ପାରିବାପଣିଆକୁ ତାରିଫ କରୁଛନ୍ତି। ଯେଉଁ ଶୈଶବ ସ୍ମାର୍ଟ ଫୋନ ବା ଟିଭି ପରଦା ସାମ୍ନାରେ କଟିଲା ତାହା ଭବିଷ୍ୟତରେ ମଧ୍ୟ ସେହି ପରଦାରେ ସୀମିତ ହୋଇ ରହିଯିବା ସ୍ବାଭାବିକ।
ଆସନ୍ତୁ ଦେଖିବା ଇଣ୍ଟରନେଟ ଜରିଆରେ କୌତୂହଳ ମେଣ୍ଟାଇବା ଆଉ ବାସ୍ତବ ଦୁନିଆରେ କୌତୂହଳ ମେଣ୍ଟାଇବା ଭିତରେ ଫରକ। ପୂର୍ବେ ପିଲାଟି ବାହାର ଦୁନିଆରେ ବୁଲି, ସାଙ୍ଗ ସାଥି ମେଳରେ ଖେଳି, ଅନ୍ୟମାନଙ୍କୁ ଅନେକ ପ୍ରଶ୍ନ ସବୁ ପଚାରି ନିଜ ଆଗ୍ରହର ଜିନିଷ ସବୁ ବିଷୟରେ ଜାଣୁଥିଲା। ତା ଚାରିପାଖର ଜୀବଜନ୍ତୁ, ଗଛ, ଲତା ଓ ପ୍ରକୃତିର ନାନା ରୂପ, ଯେମିତିକି କୁଆପଥର, ଇଂଦ୍ରଧନୁ, ସୂର୍ଯ୍ୟ ଉଦୟ ବା ଅସ୍ତ ହେବା ସମୟର ଦୃଶ୍ୟ ଇତ୍ୟାଦି ବିଷୟରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜ୍ଜନ କରିପାରୁଥିଲା।
ପିଲାଟି ସ୍କୁଲ ଜୀବନ ଆରମ୍ଭ କଲା ପରେ ତାର ଜିଜ୍ଞାସାର ଦିଗ୍‌ବଳୟ ବଢି ଯାଉଥିଲା ଅନେକ ଦୂର। ଶ୍ରେଣୀରେ ନୂଆ ବିଷୟ ମାନ ପଢି ସେ ନୂଆ କଥା ସବୁ ସହିତ ପରିଚିତ ହେଉଥିଲା ଓ କୌତୂହଳୀ ହୋଇ ସାଙ୍ଗ ସାଥିମାନଙ୍କ ସହ ସେ ସବୁ ବିଷୟରେ ମନଖୋଲା ଆଲୋଚନା କରୁଥିଲା। ଛୋଟ ପିଲାମାନଙ୍କର ନୂଆ ବିଷୟକୁ ନେଇ ଏଇ କଥାବାର୍ତ୍ତା ହୁଏତ ବଡ ଲୋକ ବା ଶିକ୍ଷକ ଶୁଣିଲେ ତାଙ୍କୁ ଅଦ୍ଭୁତ ବା ହାସ୍ୟାସ୍ପଦ ଲାଗୁଥିବ, ହେଲେ ସେ ବୟସର ପିଲାମାନଙ୍କର କୌତୂହଳର ସମାଧାନ ପାଇଁ ଏହା ଥିଲା ଗୁରୁତ୍ବପୂର୍ଣ୍ଣ। ଅନେକ ସମୟରେ ଶିକ୍ଷକମାନେ କୌତୂହଳର ସିଧାସିଧା ଉତ୍ତର ନ ଦେଇ ପିଲାମାନଙ୍କୁ ସେ ସବୁର ଉତ୍ତର ନିଜେ ବାହାର କରିବା ପାଇଁ ପ୍ରବର୍ତ୍ତାଉଥିଲେ ଓ ପରୋକ୍ଷ ଉତ୍ତର ଦେଉଥିଲେ। ଏଥିପାଇଁ ପିଲାମାନେ ବିଜ୍ଞାନାଗାରରେ ଶିକ୍ଷକଙ୍କ ଉପସ୍ଥିତିରେ ନାନା ପରୀକ୍ଷାନିରୀକ୍ଷା କରୁଥିଲେ। ଶିକ୍ଷକଙ୍କ ତଦାରଖରେ ପିଲାମାନେ ଚିଡିଆଖାନା, ଉଦ୍ଭିଦ ଉଦ୍ୟାନ, ପ୍ଲାନେଟୋରିଅମ, ଐତିହାସିକ ସ୍ଥାନ, ଯାଦୁଘର ଇତ୍ୟାଦି ବୁଲିବାକୁ ଯାଉଥିଲେ ଓ ନିଜନିଜ ମନର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଥିଲେ।
ବାହ୍ୟ ଜଗତ ବିଷୟରେ ନିଜର ନୂତନ ଅଭିଜ୍ଞତାକୁ ଉପଯୋଗ କରିବା ପାଇଁ ଛାତ୍ରମାନଙ୍କୁ ଭିନ୍ନଭିନ୍ନ ପ୍ରୋଜେକ୍ଟର କାମ ଦିଆଯାଉଥିଲା ସ୍କୁଲ ତରଫରୁ। ପିଲାମାନେ ଛୁଟି ସମୟରେ ଏକା ବା ଦଳଗତ ଭାବରେ ଏହି ପ୍ରୋଜେକ୍ଟ କାମ କରୁଥିଲେ ଓ ଏଥିପାଇଁ ଏକ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉଥିଲା। ପିଲାମାନେ ସେ କାମ କରିସାରିଲା ପରେ ଏକ ଜଟିଳ ପ୍ରକ୍ରିୟାକୁ ନିଜନିଜ ବୁଦ୍ଧି ବଳରେ ଶେଷ କରିପାରିଥିବାରୁ ଖୁସିରେ ଆତ୍ମହରା ହୋଇଯାଉଥିଲେ। ଛୋଟ ପିଲାମାନେ ସେମାନଙ୍କର ଅସୀମ କୌତୂହଳ ଓ ଉତ୍ସାହ ଯୋଗୁଁ ବେଳେବେଳେ ଅଜାଣତରେ କିଛି ନୂଆ ତଥ୍ୟ ଆବିଷ୍କାର କରି ପାରୁଥିଲେ। ଆଗେ ପଢାପଢି ବା ଅନ୍ୟ କାହା ପାଖରୁ ଶୁଣି ମନରେ ଅନେକ କୌତୂହଳ ସୃଷ୍ଟି ହେଉଥିଲା ସତ, ହେଲେ ସେ ସବୁର ଉତ୍ତର ସହଜରେ ମିଳୁ ନ ଥିଲା। ପିଲାଟିଏ ହୁଏତ ଅକ୍ଟୋପସ୍‌ ବିଷୟରେ ବହିରେ ପଢିଥିବ, ହେଲେ ଅକ୍ଟୋପସ୍‌ ପ୍ରକୃତରେ କେମିତି ଦେଖାଯାଏ ବା କେମିତି ପହଁରେ ବା କେମିତି ଶିକାର କରେ ସେ ସବୁ ତାକୁ ମନେମନେ କଳ୍ପନା କରିବାକୁ ପଡିବ। ଯେ ପର୍ଯ୍ୟନ୍ତ ପିଲାଟି ଏହାର ଏକ ଠିକ ସ୍ୱରୂପ ନ ଦେଖିବ, ତା’ର କୌତୂହଳ ମେଣ୍ଟିବ ନାହିଁ। ଏମିତି ଉତ୍ତର ନ ମିଳିଥିବା ଅନେକ ପ୍ରଶ୍ନର ବୋଝ କିଶୋରଟିକୁ ପ୍ରବର୍ତ୍ତାଉଥିବ ତା’ର ଜ୍ଞାନର ପରିସୀମା ବଢାଇବା ପାଇଁ।
ଏବର କଥା ଟିକେ ଚିନ୍ତା କଲେ ଜାଣିବେ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ପିଲାଙ୍କର ପ୍ରୋଜେକ୍ଟ କାମକୁ ବାପା, ମାଆମାନେ କରିଦେବାକୁ ତତ୍ପର। ପୁଣି ପିଲାଟି ମନରେ କୌତୂହଳ ସୃଷ୍ଟି ହେଲାମାତ୍ରେ ସେ ତା’ର ଉତ୍ତର ଖୋଜୁଛି ଇଣ୍ଟରନେଟରେ, ଗୁଗୁଲ ବା ୟୁଟ୍ୟୁବ ମାଧ୍ୟମରେ। ନୂଆ ଜିନିଷଟି ବିଷୟରେ ନିଜ ମନରେ ଏକ ଧାରଣା ଜନ୍ମାଇବା ବା ଏକ ମାନସିକ ଚିତ୍ରର କଳ୍ପନା କରିବାକୁ ସେ ଅଯଥା ସମୟ ନଷ୍ଟ ବୋଲି ଭାବୁଛି। ମାନସ ମନ୍ଥନ ଯେ ଛାତ୍ରଟିର ଧୀଶକ୍ତି ବଢାଇବାର ଏକ ଉପଯୁକ୍ତ ଉପାୟ, ଏହା ତା ଦାୟିତ୍ବରେ ଥିବା ଶିକ୍ଷକ ବା ଗୁରୁଜନମାନେ ମଧ୍ୟ ଭାବୁନାହାନ୍ତି। ଏହି ସହଜରେ ଉପଲବ୍ଧ ଜ୍ଞାନ, ମାନସିକ କଳ୍ପନାର ଅଭାବ ସହିତ ଅସଲ ବାହ୍ୟ ଜଗତ ସହ ଅପରିଚିତି ଆଗାମୀ ପିଢିର ଶିଶୁ ଓ କିଶୋରମାନଙ୍କର ପ୍ରଭୂତ କ୍ଷତି ସାଧନ କରିବ ନାହିଁ ତ?
ଭୁବନେଶ୍ବର

Leave A Reply