ଅଗ୍ରେ ଧାବତି ଧାବତି

ସୃଷ୍ଟିର କାରଣ ‘ମୈଥୁନ’କୁ ଜୀବର ସହଜାତ ପ୍ରବୃତ୍ତି କୁହାଗଲା। ମଣିଷଠେଇ ଯେମିତି, ପଶୁପକ୍ଷୀ ପତଙ୍ଗଠାରେ ବି ସେମିତି ଏ ଭାବ ଦୃଷ୍ଟ। ମଦ ମାଂସ ମୈଥୁନକୁ ‘‘ପ୍ରବୃତ୍ତିରେଷା ଭୂତାନାଂ ନିବୃତ୍ତିଂ ଚ ମହାଫଳା’’ ବୋଲି ସନାତନ ସଂସ୍କୃତି ଓ ଶାସ୍ତ୍ର କହିଛନ୍ତି। ସେତିକି ନୁହଁ ‘‘ଆହାର ନିଦ୍ରା ଭୟ ମୈଥୁନ’’ ଭାବରେ ମଣିଷ ପଶୁ ସମାନ ବୋଲି ବି କହିଛନ୍ତି। ମାତ୍ର ଏଥିରେ ମଣିଷପଣିଆ ଫେଣ୍ଟି ହୋଇଗଲେ ପୁଅ, ଝିଅ, ସହଧର୍ମିଣୀ, ବନ୍ଧୁବାନ୍ଧବ ସୃଷ୍ଟି ହୋଇଯାଆନ୍ତି। ମାତ୍ର ପଶୁଠେଇ ଏ କଥା କାଇଁ? ପିତୃମାତୃଭକ୍ତ ଶ୍ରବଣ କୁମାର, ପିତୃଭକ୍ତ ପର୍ଶୁରାମ ଆଦି ମୈଥୁନ ପ୍ରକ୍ରିୟା ଜାତ ମଣିଷ ଦେହ​‌ରେ ଦେବତା, ପଶୁଠେଇ କୋଉ ସୃଷ୍ଟି ହୋଇଛି?

କଥା ତ ଅଛି ‘‘ଷଣ୍ଢର ଶହେ ପିଲା, ମଲାବେଳକୁ ପାଖରେ ଗୋଟିଏ କାଇଁ?’’ ସେମିତି ତା’ର ସ୍ତ୍ରୀ ନାମରେ କୋଉ ନିର୍ଦିଷ୍ଟ ଗୋମାତା ଅଛନ୍ତି? ମାତ୍ର ମଣିଷକୁ ଦେଖୁନା! କି ପବିତ୍ର ଏ ସମ୍ପର୍କ! କି ଭାବ ଏଥିରେ ନିହିତ! ମୈଥୁନଗତ ସମ୍ପର୍କରେ ମୂଳତଃ ସ୍ତ୍ରୀ ଯୋଡ଼ା ହୋଇଥିଲେ ବି ଏ ସମ୍ପର୍କ ମୈଥୁନ ବା କାମ ଭାବର ଏକଚାଟିଆ ବା ସର୍ବସ୍ବ ଆଦୌ ନୁହଁ। ସୀତା, ସାବିତ୍ରୀ, ଦମୟନ୍ତୀ ଚରିତ୍ରର ପଟାନ୍ତର ଅନ୍ୟ ସଂସ୍କୃତିରେ ବି କାଇଁ? ଏଥିରେ ନିଚ୍ଛକ ଭଲପାଇବା, ତ୍ୟାଗ ଓ ସମର୍ପଣର ଭାବ ଯେମିତି ଅଛି ମନୁଷ୍ୟ ଇତର କୋଉ ଜୀବଠି ଏହା ବିଦ୍ୟମାନ କହୁନା? ସ୍ତ୍ରୀ ବା ସ୍ବାମୀ ଏ ଜନ୍ମର ଏକ ଆକସ୍ମିକ ସମ୍ପର୍କ ଆଦୌ ନୁହଁ। ଜନ୍ମ ଜନ୍ମାନ୍ତର ସମ୍ପର୍କରେ ଏହା ବନ୍ଧା। କୁହା ତ ଯାଇଛି, ‘‘ତ୍ରୟକାଳ କୃତା ପାଶା ଶକ୍ୟନ୍ତେ ନାତି ବର୍ତ୍ତିତୁଂ, ବିବାହୋ ଜନ୍ମ ମରଣଂ, ଯେନ ଯତ୍ର ଚ ଯଦାଚ।’’ ଆମ ସଂସ୍କୃତିରେ, ସଂସ୍କାରରେ ବିବାହ ପଦ୍ଧତି, ହାତଗଣ୍ଠି, ସପ୍ତପଦୀର ବ୍ୟାଖ୍ୟା କଲେ ସ୍ବାମୀ ସ୍ତ୍ରୀର ସମ୍ପର୍କ କାମ ବା ମୈଥୁନ ଭାବର ଢେର ଊର୍ଦ୍ଧ୍ବରେ। ବାରାଙ୍ଗନାକୁ କୋଉ ପୁରୁଷ ସ୍ତ୍ରୀର ମର୍ଯ୍ୟାଦା ଦିଏ କି? ମାତ୍ର ‘ଲମ୍ପଟ’ ସ୍ବାମୀଠି ବି ଦେବତାର ଭାବ ଶେଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରଖିବା ସ୍ତ୍ରୀ ଚରିତ୍ରର ଏକ ଅସାଧାରଣ ବିଶେଷତ୍ବ। ସ୍ତ୍ରୀଠେଇ ଯେ କାମ ଭାବ ହିଁ ଦେଖିଲା, ଅନୁଭବ କଲା, ତା’ଠୁ ଉଦ୍ଦଣ୍ଡ, କୁଳ ବାଳୁଙ୍ଗା ଜନ୍ମିବେ ହିଁ ଜନ୍ମିବେ। ସେଇଥି ପାଇଁ ସନ୍ତାନ ସନ୍ତତିଙ୍କର ବିଭକ୍ତୀକରଣ କରାଯାଇଛି, ‘‘କାମଜ ଓ ଧର୍ମଜ’’ ନାମରେ।

ରାଧା ପ୍ରେମ ଓ ଭାବରେ ଶ୍ରୀକୃଷ୍ଣ ଏତେ ଦ୍ରବୀଭୂତ ହୋଇଗଲେ ଯେ, ଏ ଭାବ ତାଙ୍କ ପାଇଁ ଏତେ ଅସାଧାରଣ ଥିଲା ଯେ ସେ ଭାବର ଖିଅ ଖୋଜି ପାଇଲେନି। ରାଧା ଭାବର ଆକଳନ ଓ ଅନୁଭବ ପାଇଁ ଚୈତନ୍ୟ ଅବତାରରେ ‘ରାଧା’ ବନିଥିଲେ। ଏ ସମ୍ପର୍କ ସ୍ବର୍ଗୀୟ। କୁହାଗଲା ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’’ ଅନ୍ୟଥା ଏହା ଅଶ୍ଳୀଳ। ଉତ୍ତମ ସନ୍ତାନ ସୃଷ୍ଟି ପାଇଁ ଏ ଦେଶରେ, ସଂସ୍କୃତିରେ ପୁଂସବନ ପର୍ବର ପ୍ରଚଳନ ଥିଲା। ଏହା ବ୍ୟତୀତ ସ୍ବାମୀ ସ୍ତ୍ରୀର ମିଳନ ଅବାଞ୍ଛିତ ଓ ଅଶ୍ଳୀଳ କୁହାଯାଉଥିଲା। ଗାର୍ହସ୍ଥ୍ୟ ଜୀବନରେ ‘ବ୍ରହ୍ମଚର୍ଯ୍ୟ’ ପାଳନ ଏ କଠୋର ତଥା ଦେବୋପମ ଭାବ ଓ ବ୍ୟବସ୍ଥା ଥିଲା। ମୁନି ଋଷିମାନେ ସହଧର୍ମିଣୀ ପରିହିତ ହେଲେ ବି ଦୃଢ଼ ବ୍ରହ୍ମଚର୍ଯ୍ୟ ଅବଲମ୍ବନ ତାଙ୍କୁ ଦେବତ୍ବ ପ୍ରଦାନ କରିଥିଲା। ଅନ୍ୟଥା ‘ଶତ୍ରୁ-ନନ୍ଦନ’ ଜନ୍ମିବା ସାରା।

ଗାନ୍ଧିଜୀ ମାତ୍ର ଅଠେଇଶ ବର୍ଷ ବୟସରେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିଥିଲେ। ଏଥିରେ ସ୍ତ୍ରୀ କସ୍ତୁରବାଙ୍କର ସହଯୋଗର ପଟାନ୍ତର ନାହିଁ। ଗାନ୍ଧୀ ସ୍ବୀୟ ଆତ୍ମଜୀବନୀରେ ବି ଲେଖିଛନ୍ତି, ‘‘She was never the temptress.’’ ଛାଡ଼ନ୍ତୁ ସେ ସବୁ କଥା। ଏ ସଂସ୍କାର ସଂସ୍କୃତି କଥା ବଖାଣିଲେ ପୋଥି ହୋଇଯିବ। କାହାର ଏକୁ ଶୁଣିବାକୁ ବେଳ ନା ମନ ଅଛି? ‘ସତୀ’ ଭାବ ତ ସପ୍ତାଶ୍ଚର୍ଯ୍ୟ ଭଳି ଏଇଲେ ବିସ୍ମୟକର ଓ ଅବାସ୍ତବ ଗପ ଭଳି ଲାଗୁଛି। ସେମିତି ଏ ଦେଶର ପରିବାର ଓ ଏକାନ୍ନବର୍ତ୍ତୀ ପରିବାର ଦିନେ ପାଶ୍ଚାତ୍ୟ ଦେଶରେ ଭ୍ରୂକୁଞ୍ଚନ ଓ ବିସ୍ମୟ ସୃଷ୍ଟି କରିଥିଲା। କାରଣ ସେ ସଭ୍ୟତାରେ ତ ସମ୍ପର୍କ ସବୁ ବେପାରଧର୍ମୀ। ସେଠି ସ୍ତ୍ରୀ ସ୍ବାମୀକୁ ଡକା ପକାଏ, ‘‘ଧାଇଁ ଆସ ଧାଇଁ ଆସ, ମୋ ପୁଅ ଓ ତମ ପୁଅ ମିଶି ‘ଆମ ପୁଅ’କୁ ମାରି ପକଉଛନ୍ତି।’’ ବିନା କାରଣରେ ଜଙ୍ଗଲକୁ ବିତାଡ଼ିତ ଅନ୍ତଃସତ୍ତ୍ବା ସୀତା ସ୍ବାମୀଙ୍କ ଏ ଅବିଚାର ପ୍ରତି କ୍ରୁଦ୍ଧିତା କୁ ହେଇଥିଲେ? ବଧୂ ନିର୍ଯାତନା ଓ ଅଦାଲତ ଯିବା କଥା ଭାବିଥିଲେ? ବରଂ ସେ ଜଙ୍ଗଲରେ ସ୍ବାମୀ ଶ୍ରୀରାମଙ୍କୁ ଝୁରି ହେଉଥିଲେ, ଜୀବନର ଶେଷ ବେଳାରେ ସେ ସ୍ବାମୀ ସେବା ଆଉ କରି ନ ପାରିବାର ନିରାଶାରେ ତାଙ୍କ ଶେଷ ଇଚ୍ଛା ସଖୀମାନଙ୍କୁ କହିଥିଲେ, ‘‘ଜୀବନେ ନ ପାରିଲେ ଅବା ମରଣେ, ସେବିକା କରିଦେବ ପ୍ରଭୁ ଚରଣେ। ମୋ ତନୁ ଦଗ୍ଧ ହେଲେ ହେବଟି ଖାର, କରାଇଦେବ ତାକୁ ପାଦପେ ସାର। ସେ କାଷ୍ଠ ନେଇ ଦେବ ବର୍ଦ୍ଧକୀ ହସ୍ତେ, କରାଇ ଦେବ ପ୍ରଭୁ ପାଦୁକା ମତେ।’’ ୟେ ଥିଲା ଏକ ସମର୍ପିତା ପତିପ୍ରାଣା ଭାରତୀୟ ନାରୀର ଆଦର୍ଶ।

ସେମିତି ରାଜପଦ ଓ ବିଳାସ ଭୋଗର ଏକ ଅନର୍ଗଳ ସୁଯୋଗ ଓ ସୌଭାଗ୍ୟ ‘ରାଜା’କୁ ବର ଭାବେ ପାଇବାରେ ଜଣେ ସ୍ତ୍ରୀ ପାଇଲେ ବି, ‘ସଉତୁଣୀ’ ଆଶଙ୍କା ତା’ ସ୍ବପ୍ନକୁ ଅଲରା ବଲରା, ବିଲିବିଲା କରିଦିଏ। ସ୍ତ୍ରୀ ଚାହେଁ ‘ସ୍ବାମୀ’ ତା’ର ଗୋଟାକ ଯାକ, ଏ ଜନ୍ମରେ ଓ ସବୁ ପର ଜନ୍ମରେ। ଦଶରଥଙ୍କ ବୋହୂ ହୋଇ ଆସିଥିବା ସୀତାଙ୍କ ‘ଚାରି ଶାଶୂ’ର ଭୟ ତାଙ୍କ ପାଇଁ ସଉତୁଣୀ ସୃଷ୍ଟି ଆଶଙ୍କା କରିଥିଲା। ମାତ୍ର ତାଙ୍କ ବାସର ରାତିର ପ୍ରଥମ ଉପହାର ଶ୍ରୀରାମ ସୀତାଙ୍କୁ ଦେଇଥିଲେ, ଆଉ ତାଙ୍କ ପାଇଁ ତାହା ଅଭୂତପୂର୍ବ, ସବୁଠୁ ମୂଲ୍ୟବାନ ଥିଲା। କ’ଣ ସେ ଉପହାର? ହୀରା ଖଚିତ ଦାମୀ ଅଳଙ୍କାର! ନା, ଲଜ୍ଜାନତ ସୀତାଙ୍କ ଓଠ ଧରି ସେଦିନ ସେଇ ରାତିରେ ରାମ ପ୍ରତିଜ୍ଞା କରିଥିଲେ ମୁଁ ‘ଏକପତ୍ନୀ’ ବ୍ରତ ଆଜିଠୁ ଧାରଣ କରୁଛି। କ’ଣ ହୋଇଗଲା ସୀତାଙ୍କ ହୃଦୟ ଓ ମନ ସେଦିନ! ମୋଟ ଉପରେ ଏତେ କଥା ବୟାନର ଭାବ ବାଢ଼ିବା ମୂଳ କଥା ଆମ ସଂସ୍କୃତି, ସଂସ୍କାର ଓ ସମାଜ ତ୍ୟାଗ ଓ ସେବା ଉପରେ ପ୍ରତିଷ୍ଠିତ।

ଏଠି ପିତୃଦେବୋ ଭବ, ମାତୃଦେବୋ ଭବକୁ ମନ୍ତ୍ର ଭାବେ ଗ୍ରହଣ କରାଯାଇଛି। ଭକ୍ତକବି ତ ଲେଖିଲେ, ‘‘ଜନକ ଜନନୀ ସୁତ ସୁତା ଜାୟା ଧବ, ସହୋଦର ସହୋଦରା ଆତ୍ମୀୟ ବାନ୍ଧବ, ପ୍ରଭୋ, ଏ ସର୍ବ ସମ୍ବନ୍ଧ, ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ!’’ ଏବେ କାଇଁ ଏ ଭାବ, କାଇଁ ଏ ସମ୍ପର୍କ! ଯେନତେନ ପ୍ରକାରେଣ ଜିଇବା ଦରକାର। ‘‘ଗୁଡ୍‌ମର୍ଣ୍ଣିଂ ଡାଡି ମମି’’। ଭାଇ ଭଉଣୀ କଥା ପଚାରେ କିଏ। ଦେଖୁ ନାହାନ୍ତି, ‘କରୋନା’ ପ୍ରତିରୋଧ, ପ୍ରତିକାର ପାଇଁ ମଣିଷପଣିଆକୁ ଏ ସରକାର କେମିତି ଆହୁତି ଦେଇ ଦେଲେ। ବୁଢ଼ା ବାପ ମା’, ପ୍ରିୟତମା ସ୍ତ୍ରୀକୁ କରୋନା ଧଇଲା ତ, ସେଠିକି ଯିବା ୧୪୪ଧାରା। ସତରେ ମଣିଷପଣିଆର, ମଣିଷର ଏ ଜୀବନରେ ଏ ବ୍ୟବସ୍ଥା କେତେ ଅସଭ୍ୟ ଓ ଅମାନୁଷିକ? ଭାଙ୍ଗିଦେଲେ ସରକାର ସବୁ ନୈତିକ ଅର୍ଗଳି ଓ କର୍ତ୍ତବ୍ୟବୋଧ।

ବେପାରପତ୍ରର ଏକ ଆଖିଦୃଶିଆ ସମ୍ବାଦ ପାଠ ପରେ ମର୍ମ ବିଷେଇଗଲା। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଲଭିଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ କାନ୍ଧରେ ପକାଇ ଶବ ବୁହା ଗାଡ଼ିଯାଏ ଦି’ ମହଲାରୁ ନେଲେ। ତାଙ୍କୁ କାନ୍ଧ ଦେବାକୁ କୁଆଡ଼େ କେହି ମିଳିଲେନି। ଶବକୁ ଛୁଇଁବ କିଏ ଲୋ ବୋପା! ଦିହ ମୁଣ୍ଡ ସବୁ ମାରା ହୋଇଯିବ ପରା। ଏମିତି ଖବର ଏବେ ହାଉଯାଉ। ‘କରୋନା’ ରୋଗୀଙ୍କ ଶବ ଅବସ୍ଥା ଦେଖୁନା। କୁ ପୁଅ, କୁ ସ୍ବାମୀ, କୁ ବାପା କି ଅଜା ତାଙ୍କୁ ସାଥି ଦେଉଛି? ମୁଖାଗ୍ନି, ଅନ୍ତ୍ୟୋଷ୍ଟିକ୍ରିୟା ସବୁ ଏବେ ଗାଧୋଇଗଲା। ଏଗୁଡ଼ା ଏଇଲେ ଅନ୍ଧବିଶ୍ବାସ ଓ ଭାବ। ‘‘ସ୍ବଜନ ଶ୍ମଶାନ ଯାଏ ଯିବେ ଶବ ବାହି’’ କାଇଁ ସେ କୋକେଇ ପଟୁଆର ଓ ‘ରାମ ନାମ ସତ୍ୟ ହେ’ ଘୋଷଣା? ଏଠି ଏବେ ବାପ ମରିକି ପଡ଼ିଛି ପୁଅ ସରକାରୀ ମଦ ଭାଟିରେ। ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି, ବେପାର ଭାଇମାନେ ମାନବିକତା କଥା ବିଳିବିଳେଉଛନ୍ତି। ଖାଲି ସୁଲଭ ଓ ଶସ୍ତା ମନଗଢ଼ା ପ୍ରବଣତା ଇୟେ। ନେଡ଼ିଗୁଡ଼ କହୁଣିକୁ ବୋହିଯାଉଛି। ବେଳହୁଁ ହେଜ, ନୋହିଲେ ପରିଣତି ତ ଅଗ୍ରେ ଧାବତି ଧାବତି।

Comments
Loading...