ମହାମାରୀରେ ପ୍ରକୃତି ଚିନ୍ତା

ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପରିବେଶ ପାଇଁ ଶୁଭଙ୍କର

ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ରୋକିବା ସମଗ୍ର ବିଶ୍ବ ପାଇଁ ଆହ୍ବାନ ପାଲଟିଛି। ଆସନ୍ତା ୨୦୩୦ ମସିହା ସୁଦ୍ଧା ଭାରତ ୩୫ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ବାଷ୍ପ ବୃଦ୍ଧି ଯୋଗୁଁ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରତି ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କା କ୍ଷତି ସହୁଛି। ତେବେ କରୋନା ମହାମାରୀ ସମୟରେ ଅର୍ଥାତ୍‌ ୨୦୨୦ ଡିସେମ୍ବର ମଧ୍ୟରେ ଭାରତରେ ୧୦ ପ୍ରତିଶତ ଅଙ୍ଗାରକାମ୍ଳ କମ୍‌ ନିର୍ଗତ ହୋଇଛି। କରୋନାର ଦ୍ବିତୀୟ ଲହର ଏପ୍ରିଲ-ମେ’ରେ ଦେଶର ଅଧିକାଂଶ ସହରରେ ତାଲାବନ୍ଦ ଘୋଷଣା କରାଯାଇଥିଲା। ଏଥିଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ରହିବା ସହ କେତେକ କଳକାରଖାନାରେ ତାଲା ଝୁଲିଥିଲା। ସମ୍ପୂର୍ଣ୍ଣ ବିଶ୍ବକୁ ବିଚାରକୁ ନେଲେ କରୋନା ସମୟରେ ଗତବର୍ଷ ୯.୬ ପ୍ରତିଶତ ଅଙ୍ଗାରକାମ୍ଳ ହ୍ରାସ ପାଇଥିବା ଜଣାପଡ଼ିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ବିଶ୍ବରେ ଏପରି ଅଙ୍ଗାରକାମ୍ଳ ହ୍ରାସ ପାଇଛି। କରୋନାର ପ୍ରଥମ ଲହରରେ ଦେଶର ୯୦ ପ୍ରତିଶତ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ଏ ପର୍ଯ୍ୟନ୍ତ ଦ୍ବିତୀୟ ଲହରରେ ସଡ଼କରେ ଗାଡ଼ି ଚଳାଚଳ ୭୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ପ୍ରଥମ ଲହର ସମୟରେ ସମଗ୍ର ବିଶ୍ବର ବିଭିନ୍ନ ସହରରେ ତାଲାବନ୍ଦ ଯୋଗୁଁ ୫୦ ପ୍ରତିଶତ ଗାଡ଼ି ଚଳାଚଳ ହ୍ରାସ ପାଇଥିଲା। ବିଗତ ୫ ବର୍ଷକୁ ଦେଖିଲେ ୨୦୧୬ରେ ଭାରତ ୨୩୯ କୋଟି ଟନ ଅଙ୍ଗାରକାମ୍ଳ ବାଷ୍ପ ନିଃସରଣ କରିଥିଲା।

ସେହିପରି ୨୦୧୭ରେ ୨୪୬, ୨୦୧୮ରେ ୨୫୯, ୨୦୧୯ରେ ୨୬୨ ଓ ୨୦୨୦ରେ ୨୩୬ କୋଟି ଟନ ଅଙ୍ଗାରକାମ୍ଳ ନିର୍ଗତ କରିଥିଲା। ଅଙ୍ଗାରକାମ୍ଳ ନିର୍ଗତ କରିବାରେ ଚୀନ୍‌ର ସ୍ଥାନ ପ୍ରଥମରେ ରହିଛି। ‘ବିଶ୍ବ ଅଙ୍ଗାରକାମ୍ଳ ନିର୍ଗମନ-୨୦୧୮’ ବିବରଣୀ ଅନୁଯାୟୀ ପ୍ରତିବର୍ଷ ବିଶ୍ବରେ ଯେତେ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ ସେଥିରୁୁ ୨୭ ପ୍ରତିଶତ ଚୀନ୍‌, ୧୫% ଆମେରିକା, ୧୦% ୟୁରୋପୀୟ ସଂଘ ସମୂହ ରାଷ୍ଟ୍ର, ୭ ପ୍ରତିଶତ ଭାରତ ଓ ୧ ପ୍ରତିଶତ ରୁଷ୍‌ରୁ ସୃଷ୍ଟି ହୋଇଥାଏ। ୟୁରୋପୀୟ ସଂଘକୁ ମିଶାଇ ଉପରୋକ୍ତ ୪ଟି ଦେଶ ବିଶ୍ବର ୫୦ ପ୍ରତିଶତ ଅଙ୍ଗାରକାମ୍ଳ ସୃଷ୍ଟି କରିଥା’ନ୍ତି। ‘ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ରିପୋର୍ଟ’ ଅନୁଯାୟୀ ୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ ବିଶ୍ବରୁ ୯୦ କୋଟି ମେଟ୍ରିକ ଟନ ଅଙ୍ଗାରକାମ୍ଳ ହ୍ରାସ ପାଇଥିଲା। ସେହିପରି ୨୦୦୯ରେ ଯେତେବେଳେ ସମଗ୍ର ଦେଶରେ ବିତ୍ତୀୟ ସଙ୍କଟ ଦେଖାଦେଇଥିଲା ସେତେବେଳେ ୫୦ କୋଟି ମେଟ୍ରିକ ଟନ ଅଙ୍ଗାରକାମ୍ଳ ହ୍ରାସ ପାଇଥିଲା। ୨୦୨୦ କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ ୨୪୦ କୋଟି ମେଟ୍ରିକ ଟନ ଅଙ୍ଗାରକାମ୍ଳ ହ୍ରାସ ପାଇଥିବା ଏହି ରିପୋର୍ଟରେ କୁହାଯାଇଛି।

ମହାମାରୀ ଜନିତ ତାଲାବନ୍ଦ ଯୋଗୁଁ ଭାରତରେ କେବଳ ସୂଚନା ଓ ବୈଷୟିକ (ଆଇଟି) କମ୍ପାନୀଗୁଡ଼ିକ ୮୫ ପ୍ରତିଶତ କମ୍‌ ଅଙ୍ଗାରକାମ୍ଳ ନିର୍ଗତ କରିଛନ୍ତି। ସରକାରୀ ହୁଅନ୍ତୁୁ ଅଥବା ବେସରକାରୀ କର୍ମଚାରୀ; କାର୍ଯ୍ୟାଳୟକୁ ଯିବାଠାରୁୁ ଆରମ୍ଭ କରି ସଉଦା ସାମଗ୍ରୀ ଆଣିବା ପର୍ଯ୍ୟନ୍ତ ଏମାନେ ଅଧିକ ସଂଖ୍ୟାରେ କାର ଓ ବାଇକ ବ୍ୟବହାର କରିଥା’ନ୍ତି। ଏହାଦ୍ବାରା ସମୟ ଓ ଅର୍ଥ ଉଭୟ ଅପଚୟ ହୋଇଥାଏ। ଆମର ଏହି ଅଯଥା ଗାଡ଼ିଚାଳନା ପରିବେଶ ଉପରେ ମଧ୍ୟ କୁପ୍ରଭାବ ପକାଇ ଥାଏ। ତାଲାବନ୍ଦ ଯୋଗୁଁ ଆମେ ହଇରାଣ ହରକତ ହୋଇଥିଲେ ହେଁ ପରିବେଶ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ ଯାତାୟାତ କମ୍‌ ରହିବା, ଘରୁୁ କାର୍ଯ୍ୟାଳୟ କାମ କରାଯିବା ଓ ଅନଲାଇନ୍‌ କିଣାବିକା ଯୋଗୁଁ ଭାରତର ଆଇଟି କମ୍ପାନୀଗୁଡ଼ିକ ୮୫ ପ୍ରତିଶତ କମ୍‌ ଅଙ୍ଗାରକାମ୍ଳ ନିର୍ଗତ କରିଛନ୍ତି। ବର୍ଷ ୨୦୨୧ରେ ଦେଶର ଶୀର୍ଷ ୫ଟି ଆଇଟି କମ୍ପାନୀର ଯାତାୟାତ ଭତ୍ତା ୭୫ ପ୍ରତିଶତ ହ୍ରାସ ପାଇ ୩୭ କୋଟି ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ୧୪୦ କୋଟି ଟଙ୍କା କମ୍‌। ଦେଶରେ ଥିବା ବିଭିନ୍ନ ଆଇଟି କମ୍ପାନୀର ୪୪ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଏବେ ମାତ୍ର ୪ରୁ ୫ ପ୍ରତିଶତ କାର୍ଯ୍ୟାଳୟ କାମରେ ଯାତାୟାତ କରୁଛନ୍ତି। ମହାମାରୀ ପୂର୍ବରୁ ଭାରତରେ ଥିବା ଟିସିଏସ, ଇନ୍‌ଫୋସିସ୍‌, ଏଚସିଏଲ, ୱିପ୍ରୋ, ଟେକ୍‌ ମହିନ୍ଦ୍ରା, ୟୁନିସିସ୍‌, ଗୁଗଲ, ମାଇକ୍ରୋସଫ୍ଟ, ଏଡୋବ, ଓରାକଲ ଆଦି କମ୍ପାନୀଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ ଯେତେଦୂର କମ୍‌ ହେବ ସେଥିପ୍ରତି ଦୃଷ୍ଟି ଦେଇଥିଲେ। ଏହି କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ବିଦ୍ୟୁତ୍‌ଚାଳିତ ବାହନ ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ଏଥିପାଇଁ ବ୍ୟାପକ ରିଆତି ବ୍ୟବସ୍ଥା ଲାଗୁ କରିଛନ୍ତି।

କେବଳ ଆଇଟି କମ୍ପାନୀ ନୁହେଁ; ଦେଶର ସମସ୍ତ ଛୋଟବଡ଼ କଳକାରଖାନା ଯେତେଦୂର ସମ୍ଭବ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ଉପରେ ଜୋର ଦେବା ଆବଶ୍ୟକ। ଏହି ବାଷ୍ପ ବୃଦ୍ଧି ପାଇଲେ କ’ଣ ହୁୁଏ ଆମେ ଆମ ପଡ଼ୋଶୀ ଚୀନ୍‌ଠାରୁ ଜାଣିନେବା ଆବଶ୍ୟକ। ସମଗ୍ର ବିଶ୍ବର ପରିବେଶକୁ ଧ୍ବଂସ କରୁଥିବା ଭଳି କୁଖ୍ୟାତି ଏହି ଦେଶ ନାମରେ ରହିଛି। ସେ ଦେଶର ରାଜଧାନୀ ବେଜିଂ ବିଶ୍ବର ସର୍ବାଧିକ ପ୍ରଦୂଷିତ ନଗରୀ ପାଲଟିଛି। ଏଣୁ ଏବେଠାରୁ ଆମେ ସାବଧାନ ନରହିଲେ ଆଗକୁ ଜୈବ ମଣ୍ଡଳରେ ବ୍ୟାପକ ଅନିୟମିତତା ଆସିବ ଓ ମାରାତ୍ମକ ରୋଗମାନ ସୃଷ୍ଟି ହେବ। କେବଳ ସରକାର ନୁହେଁ, ପରିବେଶ ସୁରକ୍ଷା ପାଇଁ ସଭିଏଁ ଯତ୍ନବାନ ହେବା ଆବଶ୍ୟକ; କାରଣ ଜୀବନ ରକ୍ଷା କରୁଥିବା ଅମ୍ଳଜାନ ଜାତି, ଧର୍ମ ଅଥବା ଧନୀଗରିବ ନିର୍ବିଶେଷରେ ସବୁ ମଣିଷ ପାଇଁ ଜରୁରୀ। ତେଣୁ ପ୍ରାକୃତିକ ଭାବେ ଏହାର ସୃଷ୍ଟି ଓ ସୁରକ୍ଷା ଦାୟିତ୍ବ ଆମ ସମସ୍ତଙ୍କର।

Comments are closed.