ଅଭାବେ ସ୍ବଭାବ ନଷ୍ଟ

କୌଣସି ଭ୍ରମ ବା ଭ୍ରାନ୍ତିରେ ନ ରହି ୩୧ ଡିସେମ୍ବର ସୁଦ୍ଧା ଟିକାକରଣ ଲକ୍ଷ୍ୟ ହାସଲ ନିମନ୍ତେ ସରକାର ଉଦ୍ୟମ କରିବା ଦରକାର

୨୧ ଜୁନରେ ସଂଶୋଧିତ ଟିକା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ ଦିନ ଦେଶ ଓ ରାଜ୍ୟରେ ସର୍ବାଧିକ ଟିକାଦାନକୁ ନେଇ ସରକାର ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଜନସାଧାରଣ ଭାବୁଥିଲେ ଯେ ଏଥର ଆଉ ଟିକା ଅଭାବ ରହିବ ନାହିଁ। ଓଡ଼ିଶାରେ ମଧ୍ୟ ସେଦିନ ୩ ଲକ୍ଷରୁ ଅଧିକ ଟିକା ଦିଆଯାଇପାରିଥିଲା। ତେବେ ବର୍ତ୍ତମାନ ଯଥା ପୂର୍ବଂ ତଥା ପରଂ ଅବସ୍ଥା। ପୁଣି ରାଜ୍ୟରେ ଟିକା ମରୁଡ଼ି। କେନ୍ଦ୍ର ଟିକା ଯୋଗାଇ ନପାରିବା ହେତୁ ଗତ ତିନି ଦିନ ହେଲା ଓଡ଼ିଶାର ଅର୍ଦ୍ଧାଧିକ ଜିଲାରେ ଟିକାକରଣକୁ ବନ୍ଦ କରିବାକୁ ପଡ଼ିଛି। ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଟିକା ମିଳୁନାହିଁ। ବିଡ଼ମ୍ବନା ତ ଏଇଆ ଯେ ଟିକାକରଣ କେନ୍ଦ୍ରରେ କେଉଁ ଦଳର ନେତାଙ୍କ ଛବି ଲାଗିବ, ତାକୁ ନେଇ ପରସ୍ପର ଭିତରେ କନ୍ଦଳ ଲାଗିଚି; ଅଥଚ ଜନସାଧାରଣଙ୍କୁ ଟିକା ଯୋଗାଇବାରେ ସରକାର ବିଫଳ ହେଉଛନ୍ତି।

କେବଳ ସେତିକି ନୁହେଁ; କେତେକ ପରିସଂଖ୍ୟାନ ଦେଇ ପ୍ରକୃତ ସତ୍ୟକୁ ଲୁଚାଇବାର ଅପପ୍ରୟାସ ମଧ୍ୟ କରାଯାଉଛି, ଯାହା ଅଭାବେ ସ୍ବଭାବ ନଷ୍ଟ ପରି ହୋଇଛି। ଏହାର ପ୍ରକୃଷ୍ଟ ଉଦାହରଣ ହେଲା, ଗତ ୨୮ ତାରିଖରେ କୁହାଗଲା ଯେ ଭାରତ ଟିକାଦାନରେ ଆମେରିକାକୁ ଟପିଯାଇଛି। ସେଦିନ ସୁଦ୍ଧା ଭାରତ ଦେଇଥିବା ଟିକା ସଂଖ୍ୟା ଥିଲା ୩୨୩,୬୬୩,୨୯୬ ଏବଂ ଆମେରିକାର ଥିଲା ୩୨୩,୩୨୭,୩୨୮; କିନ୍ତୁ ଭଲଭାବେ ଅନୁଧ୍ୟାନ କଲେ ଏ ପରିସଂଖ୍ୟାନଗତ ଖୁସି ଯେ କେବଳ ଭ୍ରାନ୍ତି ମାତ୍ର, ତାହା ସହଜରେ ବୁଝିହେବ। ଦେଶୱାରୀ କୋଭିଡ଼ ୧୯ ସଂକ୍ରମଣ ଓ ମୃତ୍ୟୁର ଟିକିନିଖି ପରିସଂଖ୍ୟାନ ଦେଉଥିବା ୱେବ୍‌ସାଇଟ୍‌ ‘ୱାର୍ଲଡୋମିଟର’ ଅନୁସାରେ, ଆମେରିକାର ଜନସଂଖ୍ୟା ୩୩୨,୯୨୩,୭୫୭ ଏବଂ ମୋଟ ଭାରତୀୟଙ୍କ ସଂଖ୍ୟା ୧,୩୯୩,୭୧୭,୧୭୦। ୨୮ ଜୁନରେ ଯେତେବେଳେ ଭାରତ ଆମେରିକାକୁ ଟପିଗଲା ବୋଲି କୁହାଗଲା, ସେତେବେଳେ ଭାରତରେ ଟିକାକରଣର ଗତି ଥିଲା ପ୍ରତି ୧୦୦ ଜଣ ଲୋକରେ ୨୪। ସେହି ସମୟରେ ଆମେରିକାରେ ଏହି ଗତି ଥିଲା ପ୍ରତି ୧୦୦ ଜଣରେ ୯୮; ଅର୍ଥାତ୍‌ ଆମେରିକା ଟିକାକରଣରେ ଆମଠୁ ଢେର୍‌ ଆଗରେ ରହିଛି। ପ୍ରକୃତରେ ଆମେରିକା ଆଉ ଅଳ୍ପଦିନ ଭିତରେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ଯାଉଛି; ତେଣୁ ଆମେରିକାଠୁ ଟିକାଦାନରେ ଆମେ ଆଗରେ ରହିଛୁ ବୋଲି କହିବା ସତ୍ୟର ଅପଳାପ ମାତ୍ର। ଏହା ସତ୍ୟ ଯେ ପ୍ରାରମ୍ଭିକ ତ୍ରୁଟିବିଚ୍ୟୁତି ସତ୍ତ୍ବେ ସଂଶୋଧିତ ଟିକା ନୀତି ଲାଗୁ ହେବାପରେ ଟିକାକରଣର ହାର ପୂର୍ବାପେକ୍ଷା ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦାର ସୁଫଳ ଦେଖିବାକୁ ମିଳିଛି।

ଆବଶ୍ୟକତା ଅନୁଯାୟୀ ଟିକା ଉତ୍ପାଦନ ନହେବା ରାଜ୍ୟଗୁଡ଼ିକରେ ଟିକା ଅଭାବ ଦେଖାଦେବାର ବଡ଼ କାରଣ। ତେବେ ଜୁନ ୩୦ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଦିନର ଟିକାକରଣକୁ ନେଇ ସତ୍ୟପାଠ କରାଯାଇଛି। ଏଥିରେ ସରକାର ଦର୍ଶାଇଛନ୍ତି ଯେ କେଉଁ ଟିକା କେତେ ପରିମାଣରେ ମିଳିବ ସେ ସମ୍ପର୍କରେ ବିବରଣୀ ଦେଇଛନ୍ତି। କୋଭିଶିଲ୍ଡ, କୋଭାକ୍ସିନ, ବାଇଓସ୍‌ ଇ ସବ୍‌ ୟୁନିଟ୍‌ ଟିକା, ଜାଇଡସ୍‌ କାଡିଲା ଡିଏନ୍‌ଏ ଟିକା ଓ ସ୍ପୁଟ୍‌ନିକ୍‌ ଭି- ସବୁକୁ ମିଶାଇ ଅଗଷ୍ଟ ୨୦୨୧ରୁ ଡିସେମ୍ବର ୨୦୨୧ ମଧ୍ୟରେ ମୋଟ ୧୩୫ କୋଟି ପାନ ଟିକା ଉପଲବ୍ଧ ହେବ ବୋଲି ହିସାବ ଦିଅଯାଇଛି। ଏହି ସମୟ ଭିତରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ୯୩-୯୪ କୋଟି ଲୋକଙ୍କ ପାଇଁ ପ୍ରାୟ ୧୮୬ରୁ ୧୮୮ କୋଟି ପାନ ଟିକା ଆବଶ୍ୟକ ହେବ। ତେଣୁ ସରକାରଙ୍କ ଦ୍ବାରା ଆକଳନ କରାଯାଇଥିବା ଟିକା ମିଳିଲେ ମଧ୍ୟ ସମସ୍ତଙ୍କ ପାଇଁ ଟିକା ଅଭାବ ହେବ।

ଆହୁରି ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଏବଂ ଅନ୍ୟ କେତେକ ସଂଗଠନ ମିଶି ସମସ୍ତ ଦେଶକୁ ଟିକାର ସମବଣ୍ଟନ ପାଇଁ ଯେଉଁ ମଞ୍ଚ ତିଆରି କରିଛନ୍ତି, ସେହି ‘କୋଭାକ୍ସ’କୁ କୋଭିଶିଲ୍ଡ ଟିକାର ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଟିକା ଯୋଗାଇବାକୁ ପଡ଼ିବ। ଭାରତରେ ଟିକା ଅଭାବ ହେବାରୁ ଏହା ପ୍ରତିଶ୍ରୁତି ମୁତାବକ ଟିକା ଉକ୍ତ ଆନ୍ତର୍ଜାତିକ ମଞ୍ଚକୁ ଦେଇପାରିନଥିବା କୁହାଯାଇଥିଲା। ତେଣୁ ଭବିଷ୍ୟତରେ ଭାରତ ପାଇଁ ଏହା କେତେ ଟିକା ଦେଇପାରିବ, ତାହା ମଧ୍ୟ ପ୍ରଶ୍ନବାଚୀ। ସରକାର ଟିକାର ଅଭାବ ପୂରଣ ପାଇଁ ଏବେ ଅବଶ୍ୟ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଭାରତର ଜାତୀୟ ଔଷଧ ନିୟନ୍ତ୍ରକ ଆମେରିକୀୟ କମ୍ପାନୀ ଦ୍ବାରା ତିଆରି ମଡେର୍ଣ୍ଣା ଟିକାକୁ ଏବେ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟ ବିଦେଶୀ ଟିକା ଫାଇଜର୍‌, ଜନସନ ଏଣ୍ଡ୍‌ ଜନସନ୍‌ ଆଦିର ବ୍ୟବହାର ନେଇ ମଧ୍ୟ ଭବିଷ୍ୟତରେ ଚିନ୍ତା କରିବା ଦରକାର। ସରକାର ଭ୍ରମ ବା ଭ୍ରାନ୍ତି ସୃଷ୍ଟି କରିବାରୁ ଅନ୍ୟକୁ ଏବଂ ନିଜକୁ ଦୂରେଇ ରଖିଲେ ତାହା ଦେଶ ପାଇଁ ମଙ୍ଗଳକର ହେବ। ଏବେ ସରକାରଙ୍କ କୁଣ୍ଠା ଓ ଯୁକ୍ତିକୁ ଅଗ୍ରାହ୍ୟ କରି ସର୍ବୋଚ୍ଚ ନ୍ୟାୟାଳୟ କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କହିବା ସହ ୬ ସପ୍ତାହ ଭିତରେ ସେଥିପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ମନେହେଉଛି, ସରକାର ନିଜଦ୍ବାରା ସୃଷ୍ଟି କରାଯାଇଥିବା ଅଡୁଆ ସୂତାରେ ନିଜେ ହିଁ ଛନ୍ଦି ହୋଇଯାଉଛନ୍ତି।

Comments are closed.