ମୂଲ୍ୟାୟନ ସଂଶୟ

ମାଧ୍ୟମିକ ଶିକ୍ଷା ପରିଷଦ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସଂଶୟ ଦୂର ପାଇଁ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଉଚିତ

ଗତ ଜୁନ୍‌ ୨୫ରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ କରାଯାଇଥିବା ମାଧ୍ୟମିକ (ମାଟ୍ରିକ) ଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ କେତେକ ଜିଲାରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିଶେଷତଃ ଶିକ୍ଷା ବିକାଶ ସମିତି ଅଧୀନରେ ଚାଲୁଥିବା ଘରୋଇ ବିଦ୍ୟାଳୟ ସରସ୍ବତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀ ଆଶାନୁରୂପ ମାର୍କ ପାଇନଥିବା ଅଭିଯୋଗ କରିଛନ୍ତି। ତେବେ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ମୂଲ୍ୟାୟନରେ ତ୍ରୁଟିବିଚ୍ୟୁତି ନାହିଁ ଏବଂ ଯେଉଁମାନେ ନିଜ ଫଳକୁ ନେଇ ଅସନ୍ତୁଷ୍ଟ, ସେମାନେ ‘ଅଫ୍‌ଲାଇନ୍‌’ରେ ପରୀକ୍ଷା ଦେଇପାରିବେ। ଏହା କେତେକଙ୍କୁ ଆଶ୍ବସ୍ତ କରିଥିବାବେଳେ ଅନେକ ଏଥିରେ ସନ୍ତୁଷ୍ଟ ନୁହନ୍ତି; କାରଣ ଏହି ପରୀକ୍ଷା ପାଇଁ ପିଲାମାନେ ମାନସିକ ଭାବେ ଏବେ ଅପ୍ରସ୍ତୁତ। କରୋନା ମହାମାରୀର ଭୟାବହତାକୁ ଦେଖିଲେ ଏହାକୁ ଅସ୍ବାଭାବିକ ବୋଲି କୁହାଯାଇ ନପାରେ। ପୁଣି ପରୀକ୍ଷା ​ଦେଇ ଫଳ ପ୍ରକାଶ ବେଳକୁ ​‌ଯୁକ୍ତ ୨ରେ ନାମ ​ଲେଖାଇବା ପାଇଁ ମଧ୍ୟ ଅନେକ ବିଳମ୍ବ ହୋଇଯିବାର ଆଶଙ୍କା ରହିଛି। ଆମ ଶିକ୍ଷା ବ୍ୟବସ୍ଥାରେ ମାଧ୍ୟମିକ ପରୀକ୍ଷା ଫଳ ଭବିଷ୍ୟତ ଶିକ୍ଷାର ଏକ ନିର୍ଣ୍ଣାୟକ ସୋପାନ ହୋଇଥିବାରୁ ଏହାକୁ ଯଥାସମ୍ଭବ ପରିଷଦ ତ୍ରୁଟିବିଚ୍ୟୁତିମୁକ୍ତ କରିବା ଆବଶ୍ୟକ।

ଏଥର ପରୀକ୍ଷା ଫଳକୁ ନେଇ କେତେକ ମେଧାବୀ ପିଲାଙ୍କ ବ୍ୟତୀତ ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ପ୍ରାୟତଃ ସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। ଏହାର କାରଣ ଅବଶ୍ୟ ସ୍ପଷ୍ଟ। ପରିଷଦ ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ, ଚଳିତବର୍ଷ ପରିଷଦ ଇତିହାସରେ ସର୍ବକାଳୀନ ଶିଖର ସ୍ପର୍ଶ କରି ୯୭.୮୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୦୨୦ରେ ଉତ୍ତୀର୍ଣ୍ଣ ହାର ଥିଲା ୭୮.୭୬%। ଏ ବର୍ଷ ଏ-୧ ଗ୍ରେଡ୍‌ରେ ୨,୬୫୬ ଜଣ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ଗତବର୍ଷ ଏହି ସଂଖ୍ୟା ଥିଲା ୧୨୭୯, ଅର୍ଥାତ ଅଧାରୁ କମ୍। ସେହିପରି ଏ-୨ ଗ୍ରେଡରେ ଗତବର୍ଷ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮,୪୫୮ ଥିବାବେଳେ ଏବର୍ଷ ୨୨,୧୩୧ ଜଣ ରହିଛନ୍ତି; ଅର୍ଥାତ ଗତବର୍ଷଠାରୁ ପ୍ରାୟ ତିନିଗୁଣ ପାଖାପାଖି ଛାତ୍ରଛାତ୍ରୀ ଏ-୨ ଗ୍ରେଡ଼ ପାଇଛନ୍ତି। କୌଣସି ବିଦ୍ୟାଳୟର ଫଳ ଶୂନ୍ୟ ହୋଇନଥିବା ବେଳେ ୫,୯୪୫ଟି ବିଦ୍ୟାଳୟର ଫଳ ଶତପ୍ରତିଶତ ହୋଇଛି, ଯାହା ଅଭୂତପୂର୍ବ। ବିନା ପରୀକ୍ଷାରେ ପ୍ରକାଶିତ ଏହି ମୂଲ୍ୟାୟନଭିତ୍ତିକ ପରୀକ୍ଷା ଫଳ ଉତ୍ସାହଜନକ ନିଶ୍ଚୟ, କିନ୍ତୁ ଏହି ଫଳକୁ ଯଥାର୍ଥ ମୂଲ୍ୟାୟନ ଭାବେ କେତେକ ଅଭିଭାବକ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।

ସେମାନଙ୍କ ଅନୁସାରେ ଅପେକ୍ଷାକୃତ ଦୁର୍ବଳ ଓ ମଧ୍ୟମ ବର୍ଗର ବିଦ୍ୟାର୍ଥୀ ଅଧିକ ମାର୍କ ରଖିଥିବାବେଳେ ମେଧାବୀ ପିଲାଙ୍କ ମଧ୍ୟରେ ନିରାଶା ଦେଖାଯାଇଛି। ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ଯେ ସତ୍ୟ, ତାହା ଆଦୌ ନୁହେଁ। ହୁଏତ କେତେକ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଏପରି ହୋଇଥିବା ସମ୍ଭବ, ଯାହାକୁ ପରିଷଦ ଚାହିଁଲେ ପୁନଃନିରୀକ୍ଷଣ କରି ସଂପୃକ୍ତ ବିଦ୍ୟାର୍ଥୀଙ୍କ ସଂଶୟମୋଚନ କରିପାରିବେ। ଦୁର୍ବଳ ଓ ମଧ୍ୟମ ବର୍ଗର ବିଦ୍ୟାର୍ଥୀ ଅଧିକ ମାର୍କ ପାଇଛନ୍ତି ବୋଲି ମେଧାବୀ ପିଲାଙ୍କ ମାର୍କ ତ କମିଯାଇନଥିବ, ତେଣୁ ଏହା ମେଧାବୀଙ୍କ ନୈରାଶ୍ୟର କାରଣ ହେବା ଅନୁଚିତ।

ଅନେକଙ୍କ ମନରେ ଏହି ପରୀକ୍ଷା ଫଳର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ସେତେବେଳେ ହିଁ ଉଠିଥିଲା, ଯେତେବେଳେ ଅଭିଯୋଗ ଆସିଲା ଯେ ସରକାରଙ୍କ ମୂଲ୍ୟାୟନ ପଦ୍ଧତି ଘୋଷଣା ପରେପରେ କେତେକ ବିଦ୍ୟାଳୟ ଅସାଧୁ ଉପାୟ ଅବଲମ୍ବନ କରି ପିଲାଙ୍କୁ ଡାକି ଗୋପନ ପରୀକ୍ଷା କରାଇ ସେମାନଙ୍କ ମାର୍କକୁ ବଢ଼ାଇଛନ୍ତି। ଯଦି ସେପରି ହୋଇଥାଏ, ତାହା ନିଶ୍ଚୟ ଏ ଫଳାଫଳକୁ ପ୍ରଭାବିତ କରିଥିବ। ତେବେ ସରକାରଙ୍କ ନିକଟରେ ମହାମାରୀ ସମୟରେ ପରୀକ୍ଷା ବିନା ଏପରି ବିକଳ୍ପ ପଦ୍ଧତିକୁ ଗ୍ରହଣ କରିବା ବାଧ୍ୟତାମୂଳକ ଥିଲା, ତାହା ନିଃସନ୍ଦେହ। ବର୍ତ୍ତମାନ ଯେଉଁ ଅଭିଭାବକ ଓ ଛାତ୍ରଛାତ୍ରୀ ସେମାନଙ୍କ ଫଳକୁ ନେଇ ଅସନ୍ତୁଷ୍ଟ, ସେମାନଙ୍କୁ ‘ଅଫ୍‌ଲାଇନ୍‌’ ପରୀକ୍ଷା ଦେବାକୁ ବାଧ୍ୟ ନ କରି ମୂଲ୍ୟାୟନର ପୁନଃନିରୀକ୍ଷଣର ସୁଯୋଗ ଦେବା ଉଚିତ ମନେହୁଏ। ମାଧ୍ୟମିକ ଶିକ୍ଷା ପରିଷଦ ଏଥିପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସଂଶୟ ଅବିଳମ୍ବେ ଦୂର କରନ୍ତୁ।

ଚଳିତବର୍ଷ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ଯୁକ୍ତ ୨ରେ ଆସନ ସଂଖ୍ୟା କମ୍‌ ପଡ଼ିବାର ଯେଉଁ ଆଶଙ୍କା ଦେଖାଦେଇଛି, ତାହା ମଧ୍ୟ ଅମୂଳକ ନୁହେଁ। ରେଗୁଲାର୍‌, ଏକ୍ସ-ରେଗୁଲାର୍‌ ଆଦି ସବୁବର୍ଗର କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କ ସଂଖ୍ୟା ୬ ଲକ୍ଷ ୧୭ ହଜାରରୁ ଅଧିକ। ଯୁକ୍ତ ୨ରେ ସବୁ ବିଭାଗର ମୋଟ ଆସନ ସଂଖ୍ୟା ପ୍ରାୟ ୪ ଲକ୍ଷ ୪୩ ହଜାର। ବାକି ପିଲାଙ୍କ ଭିତରୁ ଯଦି ୫୦ ହଜାର ପିଲା ଆଇଟିଆଇ ବା ଡିପ୍ଲୋମାନେ ନାମ ଲେଖାଇବେ, ତା’ହେଲେ ମଧ୍ୟ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଆସନ କମ୍‌ ପଡ଼ିବ। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଯୁକ୍ତ ୨ ଆସନ କମ୍‌ ପଡ଼ୁଥିବା ଶିକ୍ଷାନୁଷ୍ଠାନରେ ଦରକାର ହେଲେ ଆସନ ବୃଦ୍ଧି କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ ନିଶ୍ଚୟ, କିନ୍ତୁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଏ ଚାପକୁ ସମ୍ଭାଳିବାରେ ସମର୍ଥ ତ? ସରକାର ଏ ସମ୍ପର୍କରେ ଏବେଠୁ ଚିନ୍ତା ନକଲେ ସମସ୍ୟାରେ ପଡ଼ିବେ।

Comments are closed.