ଟିକା କୁଣ୍ଠା ଦୂର ହେଉ

ଆଜିଠାରୁ (ସୋମବାର) ସମଗ୍ର ଦେଶରେ ନୂଆ ଟିକାକରଣ ନୀତି ଅନୁସାରେ ଟିକାଦାନ ଆରମ୍ଭ ହେଉଛି। ଟିକାକରଣକୁ ତ୍ବରାନ୍ବିତ କରିବାପାଇଁ ଅଭିଯାନ ରୂପେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସରକାରଙ୍କର ପଦକ୍ଷେପ ସ୍ବାଗତଯୋଗ୍ୟ। ରାଜ୍ୟ ସରକାର ମଧ୍ୟ ଏହି ଅଭିଯାନରେ ସାମିଲ୍‌ ହୋଇ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଉଭୟ ଅନ୍‌ଲାଇନ୍‌ ଓ ସିଧାସଳଖ ଟିକାଦାନ କେନ୍ଦ୍ରରେ ପଞ୍ଜୀକରଣ କରିହେବ ଏବଂ ପୌର ପରିଷଦ, ମହାନଗର ନିଗମ, ପଞ୍ଚାୟତ ସମିତି ଆଦି ସ୍ବତନ୍ତ୍ର ଟିକାଦାନ ଅଧିବେଶନମାନ ଆୟୋଜନ କରିବେ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୨ ପ୍ରତିଶତ ଲୋକଙ୍କୁ ୯୬ ଲକ୍ଷରୁ ଊର୍ଦ୍ଧ୍ବ ପାନ ଟିକା ଦିଆଯାଇଛି। ନୂଆ ଟିକା ନୀତି କାର୍ଯ୍ୟକାରୀ ହେବାଫଳରେ ଏହି ସଂଖ୍ୟା ଅଳ୍ପଦିନରେ ବୃଦ୍ଧି ପାଇବ ବୋଲି ଆମେ ଆଶା କରିପାରିବା। ତେବେ ଟିକାକରଣ କ୍ଷେତ୍ରରେ ଏବେ ବି ଗୋଟିଏ ବଡ଼ ସମସ୍ୟା ହେଉଛି ଲୋକଙ୍କ ଟିକାଗ୍ରହଣ ପାଇଁ କୁଣ୍ଠାବୋଧ। ଏହା ଅବଶ୍ୟ କେବଳ ଆମ ରାଜ୍ୟ ନୁହେଁ, ସମଗ୍ର ଭାରତବର୍ଷର ସମସ୍ୟା।

ଆଦିବାସୀବହୁଳ ଅଞ୍ଚଳରେ ଜନସଚେତନତା ଅଭିଯାନ ଲୋଡ଼ା

ବିଶେଷକରି ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନସାଧାରଣ ଟିକା ନେବାକୁ କୁଣ୍ଠାପ୍ରକାଶ କରୁଛନ୍ତି। ନିକଟରେ ଏପରି ଅନେକ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଓଡ଼ିଶାର ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲାର ପର୍ବତାଞ୍ଚଳରେ ରହୁଥିବା ଆଦିବାସୀ ଓ ଜନଜାତିର ଲୋକେ ମିଥ୍ୟା ସୂଚନାଜନିତ ଭୟ, ଅଜ୍ଞତା ଓ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଟିକା ନେବାକୁ ମନା କରିଦେଉଛନ୍ତି। ଟିକାଦାନ ପାଇଁ ସ୍ବାସ୍ଥ୍ୟକର୍ମୀମାନେ ଗଁାକୁ ଆସୁଥିବା ଖବର ପାଇବା ମାତ୍ରେ ଘରଦ୍ବାର ଛାଡ଼ି ଜଙ୍ଗଲକୁ ପଳାଉଛନ୍ତି। ନବରଙ୍ଗପୁର ସହର ନିକଟସ୍ଥ ଡାବୁଗଁା ବିଧାୟକ ମନୋହର ରନ୍ଧାରୀଙ୍କ ନିଜ ଗାଁ ଭାଟିଗାଁ ଏବେ ଏଇଥିପାଇଁ ଚର୍ଚ୍ଚାରେ ରହିଛି ଯେ ଏହି ଗାଁର ଲୋକସଂଖ୍ୟା ୩୫୦୦ ହେଲେ ହେଁ ଟିକାଗ୍ରହଣ କୁଣ୍ଠା କାରଣରୁ ଅଢ଼େଇ ମାସ ଭିତରେ ମାତ୍ର ୬୭ ଜଣ ହିଁ ଟିକା ନେଇଛନ୍ତି। ସେହି ଗାଁରେ ଟିକାଦାନ କେନ୍ଦ୍ର ଖୋଲାଯାଇଥିବା ସତ୍ତ୍ବେ ଟିକାକରଣ ତ୍ବରାନ୍ବିତ ହୋଇପାରୁନାହିଁ। ଏଥିରୁ ଲୋକଙ୍କ ଭିତରେ ଟିକା ନେବାପାଇଁ କେତେ ଭୟ ରହିଛି, ତାହା ସହଜେ ଅନୁମେୟ।

ଆଦିବାସୀବହୁଳ ଅଞ୍ଚଳଗୁଡ଼ିକରେ ଟିକାଦାନକୁ ତ୍ବରାନ୍ବିତ କରିବାକୁ ହେଲେ ସ୍ଥାନୀୟ କାରଣଗୁଡ଼ିକୁ ଖୋଜି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ସର୍ବପ୍ରଥମେ ଲୋକଙ୍କ ମନରୁ ପ୍ରତିଷେଧକ ଟିକା ପ୍ରତି ଥିବା ଭୟ ଦୂର କରିବାକୁ ହେବ। ଏହି ଭୟ ବିଭିନ୍ନ ମାଧ୍ୟମରୁ ସେମାନଙ୍କୁ ପ୍ରାପ୍ତ ହୋଇଥାଏ। ମିଥ୍ୟା ତଥ୍ୟ, ମିଛ ଖବର ଓ ଅନ୍ଧବିଶ୍ବାସର ଉତ୍ସକୁ ବନ୍ଦ କରିବାକୁ ପଡ଼ିବ। ଲୋକଙ୍କୁ ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବାରମ୍ବାର ସଚେତନ କରିବାର ଆବଶ୍ୟକତା ଅଛି। ଏହି ସମୟରେ ସେମାନଙ୍କ ଭାଷା, ସଂସ୍କୃତି, ଜୀବନଧାରଣର ଶୈଳୀ ଆଦିକୁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ପ୍ରତ୍ୟେକ ଆଦିବାସୀ ଗ୍ରାମରେ ଜଣେଜଣେ ମୁଖିଆ ଥାଆନ୍ତି। ତାଙ୍କୁ ବୁଝାଇ ପାରିଲେ ତାଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ବୁଝାଇବା କଷ୍ଟକର ହେବନାହିଁ।

ସଚେତନତା କାର୍ଯ୍ୟରେ ଦଳମତ ନିର୍ବିଶେଷରେ ସ୍ଥାନୀୟ ସମସ୍ତ ଜନପ୍ରତିନିଧି ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଂଶଗ୍ରହଣ କରନ୍ତୁ। ସେପରି ହେଲେ ଲୋକଙ୍କ ଉପରେ ବେଶି ପ୍ରଭାବ ପଡ଼ିବ ଏବଂ ସେମାନେ ଟିକା ନେବାକୁ କୁଣ୍ଠିତ ହେବେ ନାହିଁ। ଏହି ସମସ୍ୟା ସମାଧାନ ହେବାର ଆଶା ରହିଛି; କାରଣ ସର୍ବଭାରତୀୟ ସ୍ତରରେ ଆଦିବାସୀ ଅଞ୍ଚଳର ଟିକାକରଣ ହାର ଉତ୍ସାହଜନକ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଦେଶର ଆଦିବାସୀ ଅଞ୍ଚଳରେ ଏକ ନିୟୁତ ଜନସଂଖ୍ୟାରେ ଟିକାକରଣ ହାର ଜାତୀୟ ହାରଠାରୁ ଅଧିକ ଏବଂ ୧୭୬ଟି ଆଦିବାସୀ ଜିଲା ଭିତରୁ ୧୨୮ଟିର ଭାରତର ଅନ୍ୟ ଅଞ୍ଚଳଠାରୁ ଟିକାକରଣ ସ୍ଥିତି ବେଶ୍‌ ଭଲ। ଅତଏବ ରାଜ୍ୟ ସରକାର ଆଦିବାସୀ ଅଞ୍ଚଳରେ ଯଥାଶୀଘ୍ର ଜନସଚେତନତା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।

Comments are closed.