‘‘ପିତୃଦେବୋ ଭବ’’

କର୍ପୂର ଉଡ଼ିଯାଇଥିବା କନାକୁ ‘‘ଏଥିରେ କର୍ପୂର ଥିଲା କର୍ପୂର’’ କହି ଯେତେ ହଲେଇଲେ, ଚିଲେଇଲେ ବି, ସେ କନା ଖଣ୍ଡକ କୁ ଆଦରଣୀୟତା ପାଏ? ଅଟ୍ଟହାସ୍ୟ ଯାହା ସୃଷ୍ଟି କରିଥାଏ। ସେମିତି ଭାବ କି ଭକ୍ତି ନଥିବା ଆଚରଣ ଭଣ୍ଡାମି, ଭାଣ୍ଡାମି ମାତ୍ର। ତାକୁ ବଦଳି କରିଥିବା, ଏସ୍‌.ପି. ସାଇବଙ୍କୁ, ସଶବ୍ଦ ସଲାମ କରୁଥିବା କ୍ଷୁବ୍ଧ କନଷ୍ଟେବଳର ଏ ସଲାମରେ, ନା ଥାଏ ଭକ୍ତି ନା ଭାବ, ବରଂ ମନ ଭିତରେ ‘ଶଳା’ ଗାଳି ଟକମକ ଫୁଟୁଥାଏ। ବାହ୍ୟ ଆବରଣ ଓ ଆଚରଣ ତେଣୁ କାର୍ଯ୍ୟ ସାଧନରେ ସମର୍ଥ ହୋଇ ନ ଥାଏ। କାରଣ ମନକୁ ଛୁଇଁବାର ମସଲା, ‘ପ୍ରେମ କି ଶ୍ରଦ୍ଧା’ ଏଥିରେ ନ ଥାଏ। ଦିନସାରା ରାବି ରାବି ଯାଦୁମଲମ ଗୋଟିଏ ବି ବିକ୍ରି ନ ହୋଇ ପାରିବାର କାରଣ ‘ଯାଦୁଆ’ ନିଜେ ବୋଲି ବୁଝି ପାରିବା ଯାଏ ଏମିତି କୋଡ଼ି କଚାଡ଼ି ହେଉଥାଏ। ଏବେ ଯାହାସବୁ ଘଟୁଛି, ତା’ ସବୁ ଆନ୍ତରିକତାହୀନ, ସ୍ବାର୍ଥଗତ, ତେଣୁ ଅଶାନ୍ତି ଦ୍ବନ୍ଦ୍ବ କଳହ କରୋନା ଭଳି ବ୍ୟାପୁଛି, ମଡ଼କ ସୃଷ୍ଟି କରୁଛି।

‘କହିପୋଛି ଜାଣେ ଯିଏ ପୁଇଁ ଚିଙ୍ଗୁଡ଼ି ବିକେ ସିଏ।’’ ଏବେ ପୁଇଁ ଚିଙ୍ଗୁଡ଼ି ବିକାଳିଙ୍କ ସଂଖ୍ୟା ବଢ଼ିଯାଇଛି। ଏ ଦେଶର ସଂସ୍କାର ସଂସ୍କୃତିକୁ ଲୋକେ ଫିଙ୍ଗି ଅନ୍ୟ ସଂସ୍କାର ସଂସ୍କୃତିକି ଆପଣେଇଛନ୍ତି। କବି ତ ଲେଖିଲେ, ‘‘ଛେନା– ବରା ଫିଙ୍ଗିଦେଇ ଖାଅ ବିସୁକୁଟ୍‌, ବନାନ୍ତର କୋଟ ପିନ୍ଧି ଠିଆ ହୋଇ ମୂତ’’। ଗୀତା କହିଲେ, ‘‘ସ୍ବଧର୍ମେ ନିଧନଂ ଶ୍ରେୟଃ, ପରଧର୍ମୋ ଭୟାବହଃ’’। ମାତ୍ର ଏକୁ ଶୁଣୁଛି କିଏ? ବୁଝୁଛି କିଏ? ସଭିଏଁ ଓଲିଆ ଇନ୍ଦ୍ରିୟାଧୀନ। ଆଜି ‘ପିତୃଦିବସ’ କ’ଣ ପାଳିତ ହେଉଛି। ମାତୃଦିବସ, ଭାଲେଣ୍ଟାଇନ ଦିବସ, ଗୁରୁଦିବସ ନୂତନ ଢଙ୍ଗ ଓ ରଙ୍ଗରେ ପାଳିତ ହେଉଛି। ସତେ ଯେମିତି ଇଏ ଗୋଟେ ନୂଆ ପ୍ରାଣର ଉତ୍ସ ଉନ୍ମୋଚିତ କରି ଦେଇଛି। ଆରେ ବାବୁ, ଏ ଦେଶ ସଭ୍ୟତା, ସଂସ୍କୃତି ଓ ବୌଦ୍ଧିକତାର ଶୀର୍ଷ ସୋପାନକୁ ଯାଇଥିଲା। ପାଶ୍ଚାତ୍ୟ ଜନତାଙ୍କ ବିସ୍ମୟ ସୃଷ୍ଟି କରୁଥିଲା। ବାପ, ପୁଅ, ସ୍ବାମୀ ସ୍ତ୍ରୀ ବି ଏକାଠି ଚଳିପାରୁ ନ ଥିବା ସେ ସଂସ୍କୃତିରେ ‘ଏକାନ୍ନବର୍ତ୍ତୀ’ ପରିବାର ତାଙ୍କ ବୋଧଗମ୍ୟ ନ ଥିଲା। ୟା’ର ମୂଳମନ୍ତ୍ର ଥିଲା ‘ପିତାମାତା’ଙ୍କୁ ଦେବତାର ଆସନ ଅର୍ପଣ କରିବା। କୁହା ତ ଗଲା, ‘‘ପିତାଧର୍ମଃ, ପିତାସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ।’’ ଭକ୍ତକବି ମଧୁବାବୁ ବି ଲେଖିଲେ, ‘‘ପିତାମାତା ପରି ଆଉ କେ ଅଛି ସଂସାରେ ଧନ୍ୟ ସେ ଯେ ଦିଏ ପ୍ରାଣ ତାଙ୍କରି ସେବାରେ।’’

ଏ ଦେଶରେ ଦିନେ କ’ଣ ମାସେ ପିତୃପକ୍ଷ ପାଳିତ ହୁଏ। ସ୍ବର୍ଗତ ପିତା, ପିତାମହ ଆଦିଙ୍କ ପାଇଁ ସନ୍ତାନର ପନ୍ଦର ଦିନ କାଳ ଖାଦ୍ୟ ପେୟ ଚଳଣିରେ ତ୍ୟାଗ ଓ ଭିନ୍ନତାର ଉଦାହରଣ ବିଶ୍ବର କୋଉ ଦେଶରେ ଅଛି କହୁନ? ସଭକ୍ତି ସାଇତା ପିତାଙ୍କର ଅସ୍ଥି ବିସର୍ଜନ ଭାବ ଓ ବ୍ୟବସ୍ଥା କୋଉ ଦେଶରେ ଅଛି? ବଞ୍ଚିଥିବା ଯାଏ, ପିତାମାତାଙ୍କ ଶ୍ରାଦ୍ଧ ପାଳନ ଓ ପିଣ୍ଡଦାନ ବ୍ୟବସ୍ଥା ଓ ପ୍ରାଣଛୁଆଁ ଭାବର ଅନ୍ୟ ଉଦାହରଣ କାଇଁ? ପିତାଙ୍କ ନିଷ୍ଠୁର ଆଦେଶ ପାଳନ କରି ପିତୃ ଆଶୀର୍ବାଦରେ ପର୍ଶୁରାମ କଳ୍ପାନ୍ତଜୀବୀ ବନିଗଲେ। ସେମିତି ପିତା ରାଜା ଦଶରଥଙ୍କ ସତ୍ୟରକ୍ଷା ପାଇଁ ଶ୍ରୀରାମ ରାଜଗାଦି ଛାଡ଼ି ଚଉଦବର୍ଷ ବନଯିବା କଥା ରାମାୟଣର ଉତ୍ସ ଓ କାରଣ ବନିଗଲା। ବୃଦ୍ଧରାଜା ଶାନ୍ତନୁ, ଅଜାତି କୈବର୍ତ୍ତର ସୁନ୍ଦରୀ ଷୋଡ଼ଶୀକୁ ବିବାହ କରିବାର ଇଚ୍ଛା ପୂରଣ ପାଇଁ ଭୀଷ୍ମଦେବଙ୍କ ତ୍ୟାଗର ପଟାନ୍ତର କାଇଁ? ରାଜଗାଦି ତ କୈବର୍ତ୍ତର ସର୍ତ୍ତରେ ଛାଡ଼ିଲେ, ସାରା ଜୀବନ ସନ୍ନ୍ୟାସୀ ପରି ଅବିବାହିତ ରହିଲେ। ୟେ ହେଲା ସନ୍ତାନର ପିତା ପ୍ରତି ତ୍ୟାଗ ଓ ଆଚରଣ। ଅବିବାହିତ ଭୀଷ୍ମଙ୍କୁ ସେଇଥିପାଇଁ ଆଚାଣ୍ଡଳ ବ୍ରାହ୍ମଣ ସମସ୍ତେ ପିତୃପୁରୁଷର ସମ୍ମାନରେ ପିଣ୍ଡଦାନ ଆଜି ବି ଏ ଦେଶରେ କୋଟି କୋଟି ଲୋକ ଦେଉଛନ୍ତି। ପିତୃ ଅଭିଶାପ ଓ ଅସନ୍ତୋଷ ଯେ ସନ୍ତାନ ପାଇଁ ବିଷବତ୍‌ କାମ କରେ ତା’ ବୁଝି ନ ଥିବା ସନ୍ତାନଗଣ କାଳେ କାଳେ ହିଂସାଭିମୁଖୀ ହୁଅନ୍ତି।

ସେ ଜୀବନରେ ସୁଖଶାନ୍ତି କାଇଁ? ଇତିହାସର କଥା। ଉଦ୍ଧତ ଓ କୃତଘ୍ନ ପୁତ୍ର ପିତା ବିମ୍ବିସାରଙ୍କୁ ରାଜଗାଦିରୁ ତଡ଼ିଲେନି କେବଳ କାରାରୁଦ୍ଧ କଲେ ଓ ପିତାଙ୍କୁ ଯିଏ ଯେତେ ଯନ୍ତ୍ରଣା ଦେବ ସେ ସେତେ ପୁରସ୍କୃତ ହେବାର ନିର୍ଦେଶ ଦେଲେ। ନ ମାରି କଲବଲ କରିବାର ତରିକା ବି କହିଲେ, ‘‘କାଲି, ପାଣି ପାଣି ବୋଲି ସକାଳୁ ବିକଳରେ ବନ୍ଦୀ କହୁଥିବା ବେଳେ ମୁଁ ତାଙ୍କୁ ସନ୍ଧ୍ୟାରେ ପାଣି ଗିଲାସେ ଦେଲି। ସେ ତାକୁ ବିକଳରେ ପାଟିକୁ ନେଲାବେଳେ ମୁଁ ଗିଲାସକ ପାଣି ହାତବାଡ଼େଇ ଇଡ଼ିଦେଲି। ସେ ହା ପୁତ୍ର ହା ପୁତ୍ର ବୋଲି ଖାଲି ଚିତ୍କାର କରୁଥିଲେ। ଆଜି ଏ ଯାଏ କବାଟ ଫିଟାଇନୁ ‘ମଣିମା’। କାଲି ଶେଷଥର ହା ପୁତ୍ର ହା ପୁତ୍ର ବିକଳ ଚିତ୍କାର ଶୁଣିଥିଲୁ। ହାଃ ହାଃ ହସି ପ୍ରହରୀକୁ ପୁରସ୍କାର ଦେବା ପ୍ରସ୍ତୁତିରେ ଥିବାବେଳେ ରାଣୀମହଲରୁ ଖିଲିଖିଲି ହସି ଦାସୀ ଧାଇଁ ଆସିଲା। କହିଲା, ‘‘ମଣିମା, ପୁରସ୍କାର ଦିଅନ୍ତୁ, ରାଜ୍ୟରେ ମହୋତ୍ସବର ଘୋଷଣା ଓ ଆୟୋଜନ କରନ୍ତୁ, ଆପଣଙ୍କର ପୁତ୍ର ସନ୍ତାନ ଜନ୍ମିଛି। ଠିକ୍‌ ଆପଣଙ୍କ ପରି ହୋଇଛି।’’ ଏ ସମ୍ବାଦରେ ଆନନ୍ଦରେ ଛାତି ଫାଟିପଡ଼ିଲା ବିମ୍ବିସାରଙ୍କର।

ଏ ପାଖେ ଭୃତ୍ୟର ନିଜ ପିତାଙ୍କୁ ନିର୍ଯାତନା ଖବର ଓ ଅନ୍ୟପକ୍ଷରେ ପୁତ୍ର ସନ୍ତାନ ଜନ୍ମରେ ମନରେ ସୃଷ୍ଟ ଅପାର ଆନନ୍ଦ। ତାଙ୍କ ନିଃଶବ୍ଦ ବିବେକ ଚେଇଁ ଉଠିଲା। ଭାବିଲେ ଏଇ କ୍ରୂର କୃତଘ୍ନ ପୁତ୍ର ଅଜାତଶତ୍ରୁ, ‘‘ମୁଁ ଜନ୍ମବେଳେ ମୋ ପିତା ବି ଏମିତି ଆନନ୍ଦ ହୋଇଥିବେ। ମାତ୍ର ତାଙ୍କୁ ଆଜି ମୁଁ କାରାଗାରରେ ଯନ୍ତ୍ରଣା ଦେଉଛି। ଏ ପୁତ୍ର କ’ଣ ମତେ ସେଇଆ କରିବ? ସୁନ୍ଦର କାଚପାତ୍ର ଟିକିଏ ଆଘାତରେ ଟୁକୁରା ଟୁକୁରା ହୋଇଯିବା ପରି, ତାଙ୍କର ମୋହ ତୁଟିଗଲା। ଧାଇଁଲେ ପିତାଙ୍କ ପାଖୁ କ୍ଷମାଭିକ୍ଷା କରିବାକୁ। ବହୁଦିନୁ ଫିଟିନଥିବା ମୁଖ୍ୟକବାଟ ଫିଟେଇବାକୁ ବି ବିଳମ୍ବ ହେଲା। କବାଟ ଫିଟିବା ମାତ୍ରେ ଧସେଇ ପଶିଲେ କାରାଗାରକୁ ପିତାଙ୍କୁ କ୍ଷମା ମାଗିବାକୁ। ମାତ୍ର କୃତଘ୍ନ ପୁତ୍ରର ଏ ଅନୁତାପ ଦେଖିବାକୁ ସେ ନ ଥିଲେ। ଇତିହାସ କହେ ଅଜାତଶତ୍ରୁଙ୍କୁ, ପୁଅ ଉଦୟୀ ମଧ୍ୟ କାରାରୁଦ୍ଧ କରିଥିଲେ ଯେ ତା’ ନୁହଁ, ପିତୃ ଅଭିଶାପ ତିନି ପୁରୁଷ ଯାଏ ଲମ୍ବିଥିଲା ଓ ସବୁ ରାଜା ତାଙ୍କ ପୁତ୍ର ଦ୍ବାରା କାରାରୁଦ୍ଧ ହୋଇ ମରିଥିଲେ। ପିତାମାତାଙ୍କ ଆଶୀର୍ବାଦରେ ବିଶ୍ବବିଜୟୀ ହେବାର ବହୁ ଐତିହାସିକ ଉଦାହରଣ ରହିଛି।

ଏ ଦେଶରେ ପୁଅକୁ ‘ନନ୍ଦନ’ ବୋଲି କୁହାଯାଏ। ସେ ଆନନ୍ଦ ଦିଏ ବୋଲି ‘ନନ୍ଦନ’ ଭାବେ ପିତା କୋଳମଣ୍ଡନ କରେ, ମାତ୍ର ଆଜି ଏ ନନ୍ଦନ ‘ଶତ୍ରୁ-ନନ୍ଦନ’ ବନିଯାଇଛନ୍ତି। ପିତାଙ୍କୁ ନିର୍ଯାତନା ଓ ଅବହେଳା କରି ନିଜ ବଂଶର ଶତ୍ରୁକୁ ଏମାନେ ଆନନ୍ଦ ଦେଉଥିବାରୁ ଏଙ୍କୁ ‘ଶତ୍ରୁନନ୍ଦନ’ କୁହାଯାଇଛି। ସାମାଜିକ ବ୍ୟବସ୍ଥା ଆଇନରେ ମଧ୍ୟ ପିତାର ନିରଙ୍କୁଶ କ୍ଷମତା ଥିଲା। ମାତ୍ର ଏବେ ତା’ ନାହିଁ। ସମ୍ପତ୍ତି ପାଇଁ ପୁଅ ବାପାକୁ ଅଦାଲତକୁ ଟାଣୁଛି। ୟେ ସବୁ ‘ଡାଡି’ ସଂସ୍କୃତିର ମୋହ। ଇଂରାଜୀରେ ବି କୁହାଯାଇଛି, ‘‘Father is above reason and question.’’ ମନେପଡ଼େ ବାପ ଲର୍ଡ଼ ଚେଷ୍ଟରଫିଲ୍‌ଡଙ୍କର ବାହାରେ ରହି ପାଠପଢ଼ୁଥିବା ପୁଅ ଫିଲିପ ପାଖୁ ପିତୃସ୍ନେହ ଓ ଆଶୀର୍ବାଦବୋଳା ତଥା ଆକଟ ଓ ତାଡ଼ନାର ଏକ ପତ୍ର। ୧୭୪୭ ମସିହା ମାର୍ଚ୍ଚ ତା୬ରିଖରେ ଏଇ ପତ୍ର ସେ ଲେଖିଥିଲେ, ତା’ର କିୟଦଂଶ ଆଜିର ଏଇ ବାପା ଓ ଏଇ ପୁଅଙ୍କ ପାଇଁ ଝଲକାଏ ଭାବ ସୃଷ୍ଟି କରିପାରେ।

‘‘Dear Boy, Whatever you do, will always affect me, very sensibly, one way or another; xxx Virtue and learning, like gold, have their intrinsic value; but if they are not polished, they certainly lose a great deal of their lustre: and even polished brass will pass upon more people than rough gold. xxx You know what virtue is: you may have it if you will; it is in every man’s power; and miserable is the man who has it not. Good-sense God has given you. Learning you already possess enough of, to have, in a reasonable time, all that a man need have. With this, you are thrown out early into the world, where it will be your own fault if you do not acquire all the other accomplishments necessary to complete and adorn your character.’’

କେଳା ତା’ ମାଇପ ଓ ପିଲାଙ୍କୁ ନେଇ ଜାଗାକୁ ଜାଗା ବୁଲି ପରପିଢିକୁ ବି କେଳାକରି ଦେଲା ପରି, ଆଜି ଆଉ ଶାଶୂଘର ବୋହୂପାଇଁ ନାହିଁ। ବିଭା ସଇଲା ତ ସ୍ତ୍ରୀକୁ ଧରି ଚାଲ। ଆମେରିକା ଗଲେ ତ କଥା ସଇଲା। ଦିନା କେତେ ‘ଡଲାର’ ପାଇବାର କୁତୁକୁତୁ, ତା ବନ୍ଦ ପରେ ବିଚରା ବାପ ମା’ଙ୍କର ମୋହ ସରିଯାଏ। ଭୁବନେଶ୍ବରରେ ବିରାଟ ପ୍ରାସାଦ ବନେଇ, ତୈଳମର୍ଦନ ସିଦ୍ଧ ଆଇ.ଏ.ଏସ୍‌. ହୋଇ ଅବସର ପରେ ଏବେ ‘ମାମୁମାଈଁ’ ଦି ପ୍ରାଣୀ ଯେମିତି ଦୟନୀୟ ଭାବେ ଚଳୁଛନ୍ତି ତା’ ଦେଖିଲେ ମଣିଷ ଓ ପଶୁସମାଜ ଭିତରେ ପାର୍ଥକ୍ୟ କାଇଁ? ମାତୃସ୍ନେହ ତାଙ୍କ ପ୍ରତି କର୍ତ୍ତବ୍ୟ ନିଜ ଜୀବନ ଆଗରେ ତୁଚ୍ଛ ହୋଇଯାଇଛି। ଦେଖୁନା, ଏ କରୋନା ପ୍ରପୀଡ଼ିତ, କରୋନା ଡାକ୍ତରମାନଙ୍କର ହା ହୁତାଶରେ ପୁଅ, ମାଇପ, ଝିଅ କାହାର ମୁହଁ ନ ଦେଖି ଶେଷ ମୁହୂର୍ତ୍ତରେ ମରିବା ଘଟଣାରୁ, ଏଠି ନୈତିକତା କେମିତି ହଜିଯାଉଛି।

ପିତୃସତ୍ୟ ପାଳିବା ପାଇଁ କଠୋର ତ୍ୟାଗ କରିଥିବା ଶ୍ରୀରାମ, ଭାଇ ଲକ୍ଷ୍ମଣଙ୍କୁ କହୁଥିଲେ, ‘‘ପୁତ୍ର ତିନିପ୍ରକାର ଉତ୍ତମ, ମଧ୍ୟମ ଓ ଅଧମ। ପିତାଙ୍କ ମନ ବୁଝି, ସେ କହିବା ଆଗରୁ କାମ କରୁଥିବା ପୁତ୍ର ଉତ୍ତମ ଶ୍ରେଣୀର। ପିତା ଆଦେଶ ମୁତାବକ କାମ କରୁଥିବା ପୁତ୍ର ମଧ୍ୟମ ଓ ପିତାଦେଶ ଅମାନ୍ୟ କରୁଥିବା ପୁତ୍ର ଅଧମ।’’

ଏ ପିତୃଦିବସରେ ମପାଯାଉ ନିଜକୁ। ବିମ୍ବିସାର କି ଉଦୟୀ ହେବା ପରିଣତି ଆମର ହେବ କି ନାହିଁ। ‘‘ପିତୃଦେବୋ ଭବ।’’

Comments are closed.