ଧନୀଙ୍କ ଭାରତ ଛାଡ଼

ବିତ୍ତଶାଳୀ ବ୍ୟକ୍ତିଙ୍କ ପଳାୟନ ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ରୁଗ୍‌ଣ କରିବ

ବିଗତ କିଛି ବର୍ଷ ହେଲା ଦେଶର ଧନୀ ବ୍ୟକ୍ତିମାନେ ଭାରତ ଛାଡ଼ି ଅନ୍ୟତ୍ର ପଳାୟନ କରୁଥିବା ଦେଖିବାକୁ ମିଳିଛି। ‘ଗ୍ଲୋବାଲ ୱେଲ୍‌ଥ ମାଇଗ୍ରେସନ ରିଭ୍ୟୁ ରିପୋର୍ଟ’ରେ କୁହାଯାଇଛି, ବର୍ଷ ୨୦୨୦ରେ ଦେଶରେ ଥିବା ସମୁଦାୟ କୋଟିପତିଙ୍କ ମଧ୍ୟରୁ ୨ ପ୍ରତିଶତ ଭାରତ ଛାଡ଼ିଛନ୍ତି। ୨୦୧୯ ତୁଳନାରେ ଗତବର୍ଷ ୬୩ ପ୍ରତିଶତ ଅଧିକ ଭାରତୀୟ କୋଟିପତି ଦେଶ ଛାଡ଼ିଛନ୍ତି। ଗତବର୍ଷ କରୋନା ଯୋଗୁଁ ବିମାନ ସେବା ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏଣୁ ବିଦେଶ ଯିବା ପାଇଁ ଯେଉଁ କାଗଜପତ୍ର ଆବଶ୍ୟକ ତାହା ପ୍ରସ୍ତୁତ ହୋଇ ପାରି ନଥିଲା। ଏଣୁ ୨୦୨୦ରେ ୬ ହଜାର କୋଟିପତି ଦେଶ ଛାଡ଼ିଥିଲେ। ତେବେ ଚଳିତ ବର୍ଷ ଆରମ୍ଭରୁ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥର ଅଧିକ ସଂଖ୍ୟାରେ ଧନୀ ଦେଶ ଛାଡ଼ିପାରନ୍ତି ବୋଲି ଆକଳନ କରାଯାଇଛି। ୨୦୧୫ରୁ ୨୦୧୯ ମଧ୍ୟରେ ୨୯ ହଜାର କୋଟିପତି ଭାରତ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଥିବା ଜଣାପଡ଼ିଛି। ଏମାନେ ବିଶେଷକରି କାନାଡ଼ା, ପର୍ତ୍ତୁଗାଲ, ଅଷ୍ଟ୍ରିଆ, ମାଲ୍ଟା, ତୁର୍କି, ଆମେରିକା ଓ ବ୍ରିଟେନ ଆଦି ଦେଶର ନାଗରିକତା ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ବିଦେଶରେ ସ୍ଥାୟୀ ଭାବେ ବସବାସ କରିବାକୁ ଏମାନେ ମୁଖ୍ୟତଃ ଦୁଇଟି ପନ୍ଥା ଅବଲମ୍ବନ କରୁଛନ୍ତି। ପ୍ରଥମତଃ ଯେଉଁ ଦେଶର ନାଗରିକତ୍ବ ଗ୍ରହଣ କରୁଛନ୍ତି ସେଠାରେ ଏହି ଭାରତୀୟ ଧନୀମାନେ ବ୍ୟାପକ ପୁଞ୍ଜି ନିବେଶ କରୁଛନ୍ତି। ଦ୍ବିତୀୟ ପନ୍ଥାଟି ହେଲା ଏମାନେ ବ୍ୟାପକ ଅର୍ଥ ବିନିମୟରେ ସେଠାକାର ସରକାରୀ ଅଧିକାରୀଙ୍କୁ ହାତ କରି ସମ୍ପୃକ୍ତ ଦେଶର ନାଗରିକତା ଗ୍ରହଣ କରୁଛନ୍ତି। ତେବେ ଅଧିକାଂଶ ଭାରତୀୟ ଧନୀ ପ୍ରଥମ ପନ୍ଥା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ସେମାନେ କୌଣସି ଦେଶରେ ବ୍ୟାପକ ପୁଞ୍ଜି ନିବେଶ କରୁଛନ୍ତି। ସେଠାରେ ବ୍ୟବସାୟ ଭଲ ଚାଲିଲେ ସେଠାକାର ସରକାର ମଧ୍ୟ ଏମାନଙ୍କ ପ୍ରତି ନରମ ଭାବ ଅବଲମ୍ବନ କରୁଛନ୍ତି। ପୁଞ୍ଜି ନିବେଶ ତଥା ସମ୍ପୃକ୍ତ ଦେଶର ଆର୍ଥିକ ବିକାଶର ଦ୍ବାହି ଦେଇ ସେଠାକାର ନାଗରିକତା ଗ୍ରହଣ କରିବାରେ ଭାରତୀୟ କୋଟିପତି ସମର୍ଥ ହେଉଛନ୍ତି।

ଆମେରିକାରେ ରହିବାକୁ ହେଲେ ଭାରତୀୟଙ୍କୁ ‘ଗ୍ରୀନ୍‌ ଭିସା’ ନେବାକୁ ପଡ଼ିଥାଏ। ଏଥିପାଇଁ ଆମେରିକାରେ ୬.୫ କୋଟି ଟଙ୍କା ନିବେଶ କରିବାକୁ ପଡ଼ିଥାଏ। ସେହିପରି ବ୍ରିଟେନରେ ୧୮ କୋଟି ଓ ନ୍ୟୁଜିଲ୍ୟାଣ୍ଡରେ ସ୍ଥାୟୀ ଭାବେ ବସବାସ କରିବାକୁ ହେଲେ ୧୦.୯ କୋଟି ଟଙ୍କାର ନିବେଶ କରିବାକୁ ପଡ଼ିଥାଏ ା ଆଉ କେତେକ ଦକ୍ଷିଣ ଆମେରିକୀୟ ଦେଶରେ ୭୨ ଲକ୍ଷ ଟଙ୍କାର ନିବେଶ କଲେ ସମ୍ପୃକ୍ତ ଦେଶର ନାଗରିକତା ମିଳି ଯାଇଥାଏ। ଭାରତରେ ନିଯୁକ୍ତି ସୁଯୋଗ କମ୍‌, ରାଜନୈତିକ ବି​‌େ​‌ଦ୍ବଷ, ପ୍ରଶାସନିକ ଅବ୍ୟବସ୍ଥା, ଦୁର୍ନୀତି ଓ ପ୍ରଦୂଷଣ ସମସ୍ୟା ଯୋଗୁଁ ଏମାନେ ଦେଶ ଛାଡ଼ୁୁଥିବା କୁହାଯାଉଛି। ତେବେ ବାସ୍ତବ କଥା ହେଲା ଭାରତ ସରକାରଙ୍କ ଟିକସ ଫାଙ୍କିବା ପାଇଁ ଏମାନେ ବିଦେଶ ପଳାୟନ କରୁଛନ୍ତି।

ଯେଉଁସବୁ ଦେଶରେ ଟିକସ ହାର କମ୍‌, ଉତ୍ତମ ସ୍ବାସ୍ଥ୍ୟ ସେବା, ବ୍ୟବସାୟ ପାଇଁ ଉପଯୁକ୍ତ ପରିବେଶ, ପ୍ରଦୂଷଣ କମ୍‌ ଓ ବେଆଇନ ସମ୍ପତ୍ତିକୁ ଆଇନ ସମ୍ମତ କରିବାର ସହଜ ଉପାୟ ରହିଛି ସେହିସବୁ ଦେଶରେ ରହିବା ପାଇଁ ଏମାନେ ପସନ୍ଦ କରୁଛନ୍ତି। କାନାଡ଼ା, ବ୍ରିଟେନ, ଅ​‌େ​‌ଷ୍ଟ୍ରଲିଆ ଓ ନ୍ୟୁଜିଲ୍ୟାଣ୍ଡ ହେଉଛନ୍ତି ଏହିପରି ଦେଶ। ଆମେରିକା ପ୍ରତି ଏମାନଙ୍କ ଆକର୍ଷଣ ହ୍ରାସ ପାଇଛି। କାରଣ ଆମେରିକା ସରକାର ‘ଗ୍ରୀନ୍‌ ଭିସା’ ପାଇଁ ଆବଶ୍ୟକ ପୁଞ୍ଜି ନିବେଶ ୫ ଲକ୍ଷରୁ ବଢାଇ ୯ ଲକ୍ଷ ଆମେରିକୀୟ ଡଲାର କରିଦେଇଛନ୍ତି। ଯେଉଁମାନେ ଭାରତ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରି ସେଠାରେ ରହି ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରେ ନିଜର ବ୍ୟବସାୟକୁ ଛାଡ଼ୁନାହାନ୍ତି; କାରଣ କିଛିବର୍ଷ ସେମାନେ ବିଦେଶରେ ରହିବା ପରେ ଭାରତ ସରକାର ସେମାନଙ୍କୁ ଏନ୍‌ଆର୍‌ଆଇ ବା ଅଣବାସିନ୍ଦା ଭାରତୀୟ ମାନ୍ୟତା ଦେଇଥାନ୍ତି। ଫଳରେ ଏଠାରେ ସେମାନଙ୍କୁ ଆଉ ‘କର୍ପୋରେଟ ଟିକସ’ ଦେବାକୁ ପଡ଼େ ନାହିଁ।

ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବା ଅର୍ଥ ନୁହେଁ ଯେ ସେଠାରେ ଘର ତିଆରି କରି ସ୍ଥାୟୀ ଭାବେ ବସବାସ କରିବା। ସମ୍ପୃକ୍ତ ଦେଶରେ ତାଙ୍କର ଚଳାଚଳ ସମ୍ପତ୍ତି ଥାଇପାରେ। ତେଣୁ ସେହି ଦେଶର ନାଗରିକତା ଗ୍ରହଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ଦୁଇ ଦେଶର ନ୍ୟାୟିକ ବ୍ୟବସ୍ଥା ମଧ୍ୟକୁ ଆସି ଯାଇଥାଏ। ପ୍ରଥମଟି ହେଉଛି ନିଜ ଦେଶ ଓ ଅନ୍ୟଟି ନାଗରିକତା ଗ୍ରହଣ କରିଥିବା ଦେଶ। ଯଦି କୌଣସି ଦେଶରେ ତାଙ୍କ ସମ୍ପତ୍ତିକୁ ନେଇ ବିବାଦ ଉପୁୁଜେ ତେବେ ଦୁଇଟି ଦେଶର ଆଇନ କ’ଣ ଅଛି ତାହା ଦେଖିବାକୁ ପଡ଼େ। ଗୋଟିଏ ଦେଶର ସମ୍ପତ୍ତିଗତ ଆଇନ ଅନ୍ୟ ଦେଶଠାରୁ ଭିନ୍ନ ହୋଇଥାଏ। ଏହାର ଫାଇଦା ଉଠାଇଥା’ନ୍ତି ଦେଶ ଛାଡ଼ି ଅନ୍ୟ ଦେଶର ନାଗରିକତ୍ବ ଗ୍ରହଣ କରୁଥିବା ବ୍ୟକ୍ତି।

କରୋନାର ଦ୍ବିତୀୟ ଲହରରେ ଭାରତର ବେରୋଜଗାରଙ୍କ ସଂଖ୍ୟା ୧କୋଟିରେ ପହଞ୍ଚିଛି। ଏହି ସମୟରେ ଯଦି ଦେଶର ଧନୀମାନେ ବାହାରକୁ ପଳାଇବେ ତେବେ ଆର୍ଥିକ ସଙ୍କଟ ବୃଦ୍ଧି ପାଇବ। ସରକାରଙ୍କ ଟିକସ ଆଦାୟ ମଧ୍ୟ ହ୍ରାସ ପାଇବ। ଧନୀ-ଗରିବଙ୍କ ମଧ୍ୟରେ ବିଶାଳ ପାର୍ଥକ୍ୟ ପ୍ରତୀୟମାନ ହେବ। ସିଙ୍ଗାପୁର, ହଂକଂ, ବ୍ରିଟେନ ଓ ଦକ୍ଷିଣ କୋରିଆରେ ଟିକସ ବ୍ୟବସ୍ଥା ଭାରତ ଅପେକ୍ଷା ସରଳ। ପାଣିକୁ ନ ଓହ୍ଲାଇ ଶୁଖିଲାରେ ବସି ମାଛ ଧରିବା ହେଉଛି ଭାରତ ସରକାରଙ୍କ ଟିକସ ବ୍ୟବସ୍ଥା। ସରକାର ଯେତେ ସହଜରେ ଟିକସ ଆଦାୟ କରୁଛନ୍ତି ସେହି ଅନୁଯାୟୀ ସୁବିଧା ସୁଯୋଗ ସୃଷ୍ଟି କରୁନାହାନ୍ତି। ଦେଶରେ ‘ମାଗଣା ଯୋଜନା’ ଏକ ପ୍ରକାର ପ୍ରଥା ପାଲଟି ଗଲାଣି। ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ଏଥିନେଇ ଏକ ପ୍ରକାର ପ୍ରତିଯୋଗିତା ଜାରି ରହିଛି। ମାଗଣା ଯୋଜନା, କେତେକ ନିର୍ଦିଷ୍ଟ ବର୍ଗକୁ ସଂରକ୍ଷଣ ଓ ଟିକସର ଜଟିଳତା ଭାରତର ଆର୍ଥିକ ବିକାଶ ପଥରେ କଣ୍ଟା ସାଜିଛି। ଏବେଠାରୁ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଅଧିକ ସଂଖ୍ୟକ ଧନୀ ଭାରତ ଛାଡ଼ି ଅନ୍ୟ ଦେଶକୁ ପଳାୟନ କରିବେ ଏଥିରେ ସନ୍ଦେହ ନାହିଁ।

Comments are closed.