ବିକ୍ଷୋଭ ପ୍ରଦର୍ଶନର ଅଧିକାର

ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଆନ୍ଦୋଳନ କଦାପି ଆତଙ୍କବାଦୀ କାର୍ଯ୍ୟ ସହ ତୁଳନୀୟ ହୋଇ ନ ପାରେ

୨୦୨୦ ଫେବୃଆରୀରେ ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭବେଳେ ସୃଷ୍ଟି ହୋଇଥିବା ଦଙ୍ଗା ମାମଲାରେ ତିନି ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କ ଜାମିନ ଶୁଣାଣିବେଳେ ଗତ ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ସମ୍ବିଧାନ ପ୍ରଦତ୍ତ ବିକ୍ଷୋଭ ଅଧିକାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟରେ ରହିଥିବା ସୀମାରେଖାକୁ ରାଷ୍ଟ୍ର ଅସ୍ପଷ୍ଟ କରିଦେଇଛି ଏବଂ ଏପରି ଅସ୍ପଷ୍ଟତା ବଢ଼ିଚାଲିଲେ ଗଣତନ୍ତ୍ର ବିପଦରେ ପଡ଼ିଯିବ। ବିକ୍ଷୋଭରେ ସାମିଲ୍‌ ଥିବା ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଦୁଇଜଣ ଗବେଷକ ଛାତ୍ରୀ ଦେବାଙ୍ଗନା କଲିତା ଓ ନତାଶା ନରୱାଲ ଏବଂ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟର ସ୍ନାତକ ଛାତ୍ର ଆସିଫ୍‌ ଇକ୍‌ବାଲ୍‌ ତନ୍‌ହାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଭଳି କଠୋର ଆଇନ ପ୍ରୟୋଗ କରାଯାଇଥିବାରୁ ନ୍ୟାୟାଳୟ ଏପରି କହିବା ସମୀଚୀନ; କାରଣ ଏହି ପ୍ରସଙ୍ଗଟି ନାଗରିକଙ୍କ ମୌଳିକ ଅଧିକାର ସହ ଜଡ଼ିତ। ବିକ୍ଷୋଭ ଓ ଆନ୍ଦୋଳନ କଦାପି ଆତଙ୍କବାଦୀ କାର୍ଯ୍ୟ ସହ ତୁଳନୀୟ ହୋଇନପାରେ; ଅଥଚ ଗତ କିଛି ବର୍ଷ ହେଲା ଏପରି ଘଟଣାଗୁଡ଼ିକରେ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏର ବହୁଳ ପ୍ରୟୋଗ କରାଯାଉଥିବା ଦେଖିବାକୁ ମିଳୁଛି। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି।

ନ୍ୟାୟମୂର୍ତ୍ତି ସିଦ୍ଧାର୍ଥ ମୃଦୁଳ ଓ ଅନୁପ ଜୟରାମ ଭମ୍ଭାନୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ତିନି ଛାତ୍ରଛାତ୍ରୀଙ୍କୁ ଜାମିନ ପ୍ରଦାନ କରିବା ସହ ଖୁବ୍‌ ସ୍ପଷ୍ଟଭାବେ କହିଛନ୍ତି ଯେ ୟୁଏପିଏର ଧାରା ୧୫, ୧୭ ଅଥବା ୧୮ ଅନୁସାରେ ଅପରାଧ ବିବେଚନା ହେବାଭଳି କୌଣସି କାର୍ଯ୍ୟ ଏମାନେ କରିନାହାନ୍ତି। ୟୁଏପିଏରେ ଉଲ୍ଲେଖ ରହିଥିବା ସଂଜ୍ଞାଗତ ଶବ୍ଦ ଏବଂ ବାକ୍ୟଗୁଡ଼ିକୁ ବ୍ୟବହାର କରିବା ସମୟରେ ଅଦାଲତ ମଧ୍ୟ ସତର୍କ ହେବା ଜରୁରୀ; କାରଣ ପାରମ୍ପରିକ ବର୍ବର ଅପରାଧ ମଧ୍ୟ ଆତଙ୍କବାଦଠାରୁ ଅଲଗା। ଏହାକୁ ଠିକ୍‌ଭାବେ ନବୁଝି ୟୁଏପିଏରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଅନୁଚିତ। ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଖ) ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ ବିନା ଅସ୍ତ୍ରରେ ବିକ୍ଷୋଭ କରିବା ନାଗରିକଙ୍କର ଏକ ମୌଳିକ ଅଧିକାର। ଅତଏବ ବିକ୍ଷୋଭ ଓ ଆତଙ୍କବାଦୀ କାର୍ଯ୍ୟ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି। ଏହାକୁ ଅଧିକ ସ୍ପଷ୍ଟ କରିବାକୁ ଯାଇ ଅଦାଲତ କହିଛନ୍ତି ଯେ କେବଳ ସାଧାରଣରେ ଶାନ୍ତିଭଙ୍ଗ ଓ ଆଇନର ଅବମାନନାକୁ ଆତଙ୍କବାଦୀ କାର୍ଯ୍ୟ କୁହାଯାଇପାରିବ ନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପର ପରିଧି ଓ ପହଞ୍ଚ ସାଧାରଣ ଅପରାଧଗୁଡ଼ିକଠାରୁ ଅଧିକ ହୋଇଥିବା ଜରୁରୀ, ଯାହା ଉକ୍ତ ମାମଲାରେ ଦେଖାଯାଉ ନାହିଁ।

ପୂର୍ବରୁ ମଧ୍ୟ ଅନେକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଅଭିବ୍ୟକ୍ତି ଓ ବିକ୍ଷୋଭର ଅଧିକାରକୁ ପ୍ରାଧାନ୍ୟ ଦେବାଭଳି ରାୟ ପ୍ରଦାନ କରିଛନ୍ତି। ୨୦୧୬ର ଅନୀତା ଠାକୁର ମାମଲାରେ ବିକ୍ଷୋଭର ଅଧିକାରକୁ ମୌଳିକ ଅଧିକାର ଭାବେ ବିବେଚନା କରି ନ୍ୟାୟାଳୟ କହିଥିଲେ, ‘‘ଉଚିତ ଭାବେ ଭିନ୍ନମତ ପ୍ରକାଶ ନିମନ୍ତେ ସ୍ଥାନ ରହିବା ଯେ କୌଣସି ଗଣତନ୍ତ୍ରର ଏକ ବିଶେଷ ଗୁଣ…ସଂଗଠିତ, ଅହିଂସକ ବିକ୍ଷୋଭ ଶୋଭାଯାତ୍ରା ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ଅସ୍ତ୍ର ଥିଲା।’’

ନିମ୍ନ ଅଦାଲତର ନିଷ୍ପତ୍ତି ଯୋଗୁଁ ଏହି ତିନି ଛାତ୍ରଛାତ୍ରୀଙ୍କୁ ବର୍ଷେ କାଳ କାରାଗାରରେ କଟାଇବାକୁ ପଡ଼ିଛି। ତେବେ ଉଚ୍ଚ ନ୍ୟାୟାଳୟ ଯେଉଁ ଆଧାରରେ ଏମାନଙ୍କୁ ଜାମିନ ଦେଇଛନ୍ତି, ତାକୁ ଅନୁଧ୍ୟାନ କଲେ ସେମାନଙ୍କ ବିରୋଧରେ ୟୁଏପିଏ ଭଳି କଠୋର ଆଇନ ପ୍ରୟୋଗ ଅନୁଚିତ ହୋଇଛି। ଅତଏବ ଏହି ରାୟରୁ ଅନେକ କଥା ଶିକ୍ଷା କରିବାର ଅଛି। ଆଇନକାନୁନକୁ ଠିକ୍‌ଭାବେ ବୁଝି ଆରକ୍ଷୀ ବଳ ତା’ର ପ୍ରୟୋଗ କରିବା ଆବଶ୍ୟକ। ବିଶେଷକରି ପୂର୍ବରୁ କୌଣସି ଅପରାଧ ସହ ସଂପୃକ୍ତ ନଥିବା ଲୋକଙ୍କ ବିରୋଧରେ ଯେତେବେଳେ ୟୁଏପିଏ ଭଳି ଆତଙ୍କବାଦ ନିରୋଧୀ ଆଇନର ପ୍ରୟୋଗ କରାଯାଉଛି, ସେତେବେଳେ ବିଶେଷ ସତର୍କତା ଅବଲମ୍ବନ ଜରୁରୀ। ରାଷ୍ଟ୍ରର ପ୍ରତିରକ୍ଷା ଓ ସୁରକ୍ଷା ଉପରେ ଆଞ୍ଚ ଆସୁଥିବା ମାମଲା ବ୍ୟତୀତ ଅନ୍ୟ କ୍ଷେତ୍ରରେ ଏହାର ପ୍ରୟୋଗ ଅନୁଚିତ। ଅନ୍ୟପକ୍ଷରେ ଆଇନଜୀବୀମାନେ ଭୟ ଦେଖାଇ ବା ପାତରଅନ୍ତର ନକରି ମୋକଦ୍ଦମା ପରିଚାଳନା କରିବା ଉଚିତ। ସେହିପରି ଭିନ୍ନମତ ପ୍ରକାଶ କଲେ ଜଣକୁ କାରାଗାରରେ ବନ୍ଦ ନକରି ସରକାର ନିଜ ପକ୍ଷ ରଖି ତା’ର ଖଣ୍ଡନ କରିବା ଆବଶ୍ୟକ। ନାଗରିକଙ୍କ କଣ୍ଠରୋଧ କରିବା କୌଣସି ଗଣତନ୍ତ୍ର ପାଇଁ ଆଦୌ ଶୁଭ ଲକ୍ଷଣ ନୁହେଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯଥାର୍ଥରେ କହିଛନ୍ତି ଯେ ଯେତେ ବିଦ୍ବେଷପୂର୍ଣ୍ଣ ହେଲେ ହେଁ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ଗୋଟାଏ ବିକ୍ଷୋଭ ସମାବେଶ ଆମ ଦେଶ ଯେଉଁ ଶକ୍ତିଶାଳୀ ମୂଳଦୁଆ ଉପରେ ଛିଡ଼ା ହୋଇଛି, ତାକୁ ଦୋହଲାଇ ପାରିବ ନାହିଁ। ସୂଚନାଯୋଗ୍ୟ, ଉପରୋକ୍ତ ତିନିଜଣଙ୍କ ମୂଳ ଠିକଣା ଏ ପର୍ଯ୍ୟନ୍ତ ଠାବ କରାଯାଇନାହିଁ ବୋଲି କହି ଜେଲରୁ ଖଲାସ ନକରିବାକୁ ଦିଲ୍ଲୀ ଆରକ୍ଷୀ ବଳର ଆବେଦନକୁ ନିମ୍ନ ଅଦାଲତ ଗ୍ରହଣ କରିନାହାନ୍ତି ଓ ତୁରନ୍ତ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ସେମାନଙ୍କୁ ମୁକୁଳାଇବାକୁ ଗୁରୁବାର ନିର୍ଦେଶ ଦେଇଛନ୍ତି।

Comments are closed.