ଭାବନା ବନାମ ଆବଶ୍ୟକତା

ଇସ୍ରାଏଲ ଓ ପାଲେଷ୍ଟାଇନ ସହ ସମତୁଲ ସମ୍ବନ୍ଧ ବଜାୟ ରହୁ
ଇସ୍ରାଏଲ ଓ ପାଲେଷ୍ଟାଇନ ସହ ସମତୁଲ ସମ୍ବନ୍ଧ ରକ୍ଷା କରିବା ହେଉଛି ଭାରତର ବୈଦେଶିକ ନୀତି। କୃଷି ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଇସ୍ରାଏଲ ଉପରେ ନିର୍ଭରଶୀଳ ଥିବାବେଳେ ପାଲେଷ୍ଟାଇନ ସହ ଭାବନାତ୍ମକ ସମ୍ପର୍କ ରହିଛି। କୁହାଯାଏ ଯେ କୌଣସି ରାଷ୍ଟ୍ରର ବିଦେଶ ନୀତିରେ କୌଣସି ଦେଶର ସ୍ଥାୟୀ ଶତ୍ରୁ ନଥାଏ କିମ୍ବା ମିତ୍ର ମଧ୍ୟ ନଥାଏ। ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହେନେରୀ କିସିଙ୍ଗରଙ୍କ ମତରେ ଯେଉଁ ନୀତି ବଳରେ ନିଜ ଦେଶର ସ୍ବାର୍ଥ ସାଧନ ହୋଇ ପାରିବ ତାହାକୁ ଆମେ ସଫଳ ବୈଦେଶିକ ନୀତି ବୋଲି କହି ପାରିବା। ଏଥିପାଇଁ ମିତ୍ର ଓ ଶତ୍ରୁ ରାଷ୍ଟ୍ର ଅଥବା ବୈଦେଶିକ ନୀତି ବାରମ୍ବାର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ନିକଟରେ ମଧ୍ୟ ପ୍ରାଚ୍ୟ ଅଶାନ୍ତ ହୋଇ ପଡ଼ିଥିଲା। ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ୧୧ ଦିନ ଧରି ସଂଘର୍ଷ ଦେଖା ଦେଇଥିଲା। ଶେଷରେ ଏହି ମାମଲା ଜାତିସଂଘ ମାନବିକ ଅଧିକାର ପରିଷଦକୁ ଯାଇଥିଲା। ଯୁଦ୍ଧ ଅପରାଧ ଭାବେ ଏହି ମାମଲାର ତଦନ୍ତ କରିବାକୁ ପରିଷଦ ପ୍ରସ୍ତାବ ଦେଇଛି।

ଏ ସଂକ୍ରାନ୍ତରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ମତଦାନ ଗ୍ରହଣ କରାଯାଇଥିଲା। ପରିଷଦର ଉପରୋକ୍ତ ପ୍ରସ୍ତାବ ସପକ୍ଷରେ ୨୪ ଓ ବିରୋଧରେ ୯ଟି ଭୋଟ ପଡ଼ିଥିଲା। ଭାରତ ସମେତ ଅନ୍ୟ ୧୪ଟି ଦେଶ ଏହି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନଥିଲେ। ପ୍ରଶ୍ନ ଉଠୁଛି ଭାରତ ଏହି ମତଦାନ ପ୍ରକ୍ରିୟାରୁ କାହିଁକି ଦୂରେଇଗଲା? ଇସ୍ରାଏଲ ଅଥବା ପାଲେଷ୍ଟାଇନ ମଧ୍ୟରୁ ଭାରତ କାହାକୁ ପୂର୍ଣ୍ଣ ସମର୍ଥନ କିମ୍ବା ସମ୍ପୂର୍ଣ୍ଣ ବିରୋଧ କରୁନାହିଁ କାହିଁକି?

ପୂର୍ବରୁ ପାଲେଷ୍ଟାଇନ ପ୍ରତି ଭାରତ ନରମ ଆଭିମୁଖ୍ୟ ଗ୍ରହଣ କରିବା ସହ ଇସ୍ରାଏଲକୁ ହେୟଜ୍ଞାନ କରି ଆସୁଥିଲା। ତେବେ ବିଭିନ୍ନ କାରଣରୁ ଭାରତ ଇସ୍ରାଏଲ ସହ ଭିତିରି ସମ୍ପର୍କ ଜାରି ରଖିଥିଲା। ନରସିଂହ ରାଓଙ୍କ ସରକାର ସମୟରେ ଇସ୍ରାଏଲ-ପାଲେଷ୍ଟାଇନ ନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ତାଙ୍କ ସମୟରୁ ଇସ୍ରାଏଲ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ହୋଇ ଆସୁଛି। ୧୯୮୮ରେ ପାଲେଷ୍ଟାଇନକୁ ଭାରତ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ମାନ୍ୟତା ଦେଇଥିଲା। ଏପରି କି ୧୯୯୬ରେ ପାଲେଷ୍ଟାଇନର ଗାଜା ସହରରେ ଭାରତ ନିଜ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲା। ତେବେ ହମାସ୍‌ ସଙ୍ଗଠନର ବିରୋଧ ଯୋଗୁଁ ୨୦୦୩ରେ ଏହି କାର୍ଯ୍ୟାଳୟ ଗାଜାରୁ ରାମଲ୍ଲାକୁ ଉଠିଆସିଥିଲା। ଜାତିସଂଘର ସଦସ୍ୟତା ପାଇଁ ୨୦୧୧ରେ ପାଲେଷ୍ଟାଇନ ଦାବି କରିଥିଲା। ଏହାକୁ ଭାରତ ସମର୍ଥନ କରିଥିଲା। ୨୦୧୮ରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନକୁ ସରକାରୀ ଗସ୍ତ କରିଥିଲେ। ଏହା ପୂର୍ବରୁ ଅର୍ଥାତ୍‌ ୨୦୧୭ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ଯାଇଥିଲେ ହେଁ ସ୍ବଳ୍ପ ଦୂରରେ ଅବସ୍ଥିତ ପାଲେଷ୍ଟାଇନକୁ ଯାଇ ନଥିଲେ। ତେଣୁ ପାଲେଷ୍ଟାଇନକୁ ଖୁସି କରିବା ପାଇଁ ପର ବର୍ଷ ସେଠାକୁ ଯାଇଥିଲେ। ଏହାକୁ ‘ଭାରତୀୟ ବୈଦେଶିକ ବିଭାଗର ସମତୁଲ ନୀତି’ ବୋଲି କୁହାଯାଉଛି। ୧୯୪୮ରେ ଇସ୍ରାଏଲ ପୃଥକ୍‌ ରାଷ୍ଟ୍ରର ମାନ୍ୟତା ପାଇଥିଲା।

୧୯୫୧ରେ ମୁମ୍ବଇରେ ଇସ୍ରାଏଲ ନିଜର ବାଣିଜ୍ୟିକ ଦୂତାବାସ ଖୋଲିଥିଲା। ପରବର୍ଷ ଭାରତ ନିଜର ଦୂତାବାସ ଇସ୍ରାଏଲରେ ଖୋଲିବା ପାଇଁ ଚାହିଁଥିଲା; ତେବେ ଏହା ସମ୍ଭବ ହୋଇ ନଥିଲା। ଏହାର ୪୦ ବର୍ଷ ପରେ ୧୯୯୨ ରେ ଇସ୍ରାଏଲରେ ଭାରତ ନିଜର ଦୂତାବାସ ଖୋଲିଥିଲା। ତତ୍କାଳୀନ ସରକାର ସେତେବେଳେ କେତେ ଯେ ମାପିଚୁପି ପଦକ୍ଷେପ ନେଉଥିଲେ ତାହା ଏଥିରୁ ସ୍ପଷ୍ଟ। ଇସ୍ରାଏଲର ନିକଟତର ହେଲେ ଆରବ ଦେଶମାନେ ବିରୋଧ କରିବେ ବୋଲି ଭାରତ ଜାଣିଥିଲା। ସେତେବେଳେ ଆରବ ରାଷ୍ଟ୍ର ସମୂହଙ୍କ ସହ ଭାରତର ଉତ୍ତମ ସମ୍ପର୍କ ଥିଲେ ହେଁ ବୈଦେଶିକ ନୀତିରେ ଏକ ପ୍ରକାର ସୀମାରେଖା ଟଣାଯାଇଥିଲା।

ଭାରତ ଓ ଇସ୍ରାଏଲ ଉଭୟେ ନିକଟତର ହେବାର ପ୍ରମୁଖ କାରଣ ହେଉଛି ଆତଙ୍କବାଦ। ଏହି ଦୁଇ ଦେଶ ଦୀର୍ଘ ବର୍ଷ ହେଲା ଆତଙ୍କବାଦ ସମସ୍ୟାରେ ଜର୍ଜରିତ। ବୈଷୟିକ, କାରିଗରୀ ବିଦ୍ୟା ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଇସ୍ରାଏଲ ବିଶ୍ବର ଶୀର୍ଷ ୫ଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଆମେରିକା ଓ ରୁଷ୍‌ ପରି ଦେଶ ଇସ୍ରାଏଲର ଯୁଦ୍ଧାସ୍ତ୍ରକୁୁ ସାବାସି ଦେଉଛନ୍ତି। ବିଶେଷ କରି ଇସ୍ରାଏଲର ଡ୍ରୋନ ଓ ତୋପ ସବୁଠାରୁ ଭୟଙ୍କର ବୋଲି କୁହାଯାଏ। ଇସ୍ରାଏଲ ଏସବୁ ଏବେ ଭାରତକୁ ଯୋଗାଇ ଦେଉଛି। ଯୁଦ୍ଧାସ୍ତ୍ର କିଣୁ ଥିବା ଭାରତ ପରି ବିଶାଳ ରାଷ୍ଟ୍ରକୁ ହାତଛଡ଼ା କରିବାକୁ ଇସ୍ରାଏଲ ଚାହୁଁ ନାହିଁ। ଭାରତ ଓ ଇସ୍ରାଏଲ ଉଭୟେ ନିଜେ ନିଜର ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି। ଏହି ଦୁଇ ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ଗଠନ କରାଯାଇଥାଏ। ତେଣୁ ଉଭୟ ଦେଶ ମଧ୍ୟରେ କୂଟନୀତି ଓ ବୈଦେଶିକ ନୀତି ବେଶ୍‌ ଶାଣିତ ଏବଂ ସୁଦୂର ପ୍ରସାରୀ। ଇସ୍ରାଏଲ ଓ ଭାରତ ଉଭୟେ ପରସ୍ପରର ନିକଟତର ହୋଇଥିଲେ ହେଁ ଆରବ ରାଷ୍ଟ୍ରମାନେ ଏବେ ଏହାକୁ ବିରୋଧ କରି ନାହାନ୍ତି। ଭାରତ ଯେତେବେଳେ ଜାମ୍ମୁ ଓ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କଲା ସେତେବେଳେ ପାକିସ୍ତାନ ଆରବ ରାଷ୍ଟ୍ରମାନଙ୍କ ସହଯୋଗ ଲୋଡ଼ିଥିଲା। ତେବେ କୌଣସି ରାଷ୍ଟ୍ର ପାକିସ୍ତାନ କଥା ଶୁଣି ନଥିଲେ। କେବଳ ତୁର୍କୀ ହିଁ ପାକିସ୍ତାନକୁ ଖୁସି କରିବା ପାଇଁ କେତେକ ମନ୍ତବ୍ୟ ପ୍ରଦାନ କରିଥିଲା। ଇସ୍ରାଏଲ ଓ ପାଲେଷ୍ଟାଇନ ସହ ଭାରତର ସମ୍ପର୍କ ଅନ୍ୟ ଦେଶଗୁଡ଼ିକଠାରୁ ଭିନ୍ନ। ପାଲେଷ୍ଟାଇନ ସହ ଆମର ଭାବଗତ ଆଦାନପ୍ରଦାନ ରହିଥିଲେ ହେଁ ଇସ୍ରାଏଲ ଆମର ପ୍ରମୁଖ ସାମରିକ ସହଯୋଗୀ। ଅତୀତର କେତୋଟି ଯୁଦ୍ଧରେ ଇସ୍ରାଏଲ ପରୋକ୍ଷରେ ଭାରତକୁ ସହଯୋଗ କରିଥିବା କୁହାଯାଏ। ତେଣୁ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ସହ ସମତୁଲ ସମ୍ବନ୍ଧ ରକ୍ଷା କରିବା ଆମ ବୈଦେଶିକ ନୀତିର ମୂଳ ଲକ୍ଷ୍ୟ ହେବା ଆବଶ୍ୟକ।

Comments are closed.