ଆଶଙ୍କାର ଅଭିବୃଦ୍ଧି

ପଡ଼ୋଶୀ ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା ସକାରାତ୍ମକ ଅଭିବୃଦ୍ଧି ହାସଲ କରୁଥିବାବେଳେ ଭାରତର ବିଯୁକ୍ତାତ୍ମକ ଅଭିବୃଦ୍ଧି ନିରାଶାଜନକ

ଗତ ମଙ୍ଗଳବାର ବିଶ୍ବବ୍ୟାଙ୍କ ବିଶ୍ବ ତଥା ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ତା’ର ଅନୁମାନ ପ୍ରକାଶ କରିଛି। ୨୦୨୨ ଆର୍ଥିକ ବର୍ଷ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପୂର୍ବରୁ ଆକଳନ କରିଥିବା ୧୦.୧ ଶତାଂଶକୁ ହ୍ରାସ କରି ଏବେ ୮.୩ ଶତାଂଶ ହେବ ବୋଲି ଅନୁମାନ କରିଛି। ଭାରତରେ କୋଭିଡ-୧୯ ଯେଉଁ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରିଛି, ତାକୁ ଆଧାର କରି ବିଶ୍ବବ୍ୟାଙ୍କ ଏହି ଆକଳନ କରିଛି। ସୂଚନାଯୋଗ୍ୟ ଯେ ମହାମାରୀର ଦ୍ବିତୀୟ ତରଙ୍ଗ ଆରମ୍ଭ ହେବା ପୂର୍ବରୁ ୧ ଏପ୍ରିଲରେ ବିଶ୍ବବ୍ୟାଙ୍କ ଉପରୋକ୍ତ ଆକଳନ କରିଥିଲା ଏବଂ ଏହା ୫.୪ ଶତାଂଶ ହେବ ବୋଲି ଜାନୁଆରୀରେ କହିଥିଲା। ସେହିପରି ୨୦୨୩ ଆର୍ଥିକ ବର୍ଷ ପାଇଁ ବିଶ୍ବବ୍ୟାଙ୍କ ଅଭିବୃଦ୍ଧି ହାରକୁ ୭.୫ ଶତାଂଶରେ ସୀମିତ ରଖିଛି; କାରଣ ସେତେବେଳେ ଅର୍ଥବ୍ୟବସ୍ଥା ଉପରେ ମହାମାରୀର ପ୍ରଭାବ ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ସେମିତି ଦେଖିଲେ ମହାମାରୀକୁ ଅତିକ୍ରମ କରିଥିବା ଏକ ଅର୍ଥବ୍ୟବସ୍ଥା ପାଇଁ ଏହି ଆନୁମାନିକ ପରିସଂଖ୍ୟାନ ମଧ୍ୟ ନିରୁତ୍ସାହଜନକ ନୁହେଁ; କିନ୍ତୁ ଏହା ଭୁଲିଗଲେ ଚଳିବ ନାହିଁ ଯେ ଭାରତ ୨୦୨୦-୨୧ରେ ଏକ ବିଯୁକ୍ତାତ୍ମକ ଅଭିବୃଦ୍ଧି ହାର (-୭.୩ ଶତାଂଶ)ରୁ ଆରମ୍ଭ କରିବାକୁ ଯାଉଛି। ତେଣୁ ଏପରି ଅନୁମାନ ଏବେ ଆଦୌ ଆକର୍ଷଣୀୟ ମନେହେଉ ନାହିଁ।

ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ)ର ମଧ୍ୟ ନିଜର ପୂର୍ବ ଆକଳନରେ ଭାରତର ଅଭିବୃଦ୍ଧି ହାର ୧୦.୫ ଶତାଂଶ ବୋଲି କହିଥିବାବେଳେ ତାକୁ ଗତ ୪ ଜୁନରେ ୯.୫ ଶତାଂଶକୁ ଖସାଇ ଦେଇଛି। ଉଦ୍‌ବେଗର ବିଷୟ ହେଉଛି, ନିଜର ପଡ଼ୋଶୀ ଦେଶଗୁଡ଼ିକ ଅପେକ୍ଷା ମଧ୍ୟ ଭାରତର ପ୍ରଦର୍ଶନ ବହୁତ ନିରାଶାଜନକ ରହିଛି। ୨୦୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ବିଯୁକ୍ତ ୭.୩ ପ୍ରତିଶତ ଥିବାବେଳେ ବାଂଲାଦେଶ ତା’ର ଅର୍ଥବ୍ୟବସ୍ଥାକୁ ରାସ୍ତାକୁ ଫେରାଇଆଣିବାରେ ସମର୍ଥ ହେବା ସହ ୩.୬ ଶତାଂଶ ଅଭିବୃଦ୍ଧି ହାସଲ କରିଛି। ଏପରି କି ପାକିସ୍ତାନର ଜିଡିପି ମଧ୍ୟ ଏହି ସମୟରେ ୧.୩ ଶତାଂଶ ରହିଥିବା ବିଶ୍ବବ୍ୟାଙ୍କର ତାଜା ବିବରଣୀ ‘ବିଶ୍ବ ଆର୍ଥିକ ସମ୍ଭାବନା’ରେ କୁହାଯାଇଛି। ଏହି ବିବରଣୀରେ ବିଶ୍ବର ଅର୍ଥବ୍ୟବସ୍ଥାରେ ୫.୬ ଶତାଂଶ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ମହାମାରୀ ପୂର୍ବରୁ ବୈଶ୍ବିକ ସ୍ତରରେ ଯେତିକି ଉତ୍ପାଦନ ହେଉଥିଲା, ସେଥିରୁ ୨ ଶତାଂଶ କମ୍‌ ହେବ ବୋଲି ହିସାବ କରାଯାଇଛି। ବିଶ୍ବର କେତେକ ବଡ଼ ଓ ବିକଶିତ ଅର୍ଥବ୍ୟବସ୍ଥାରେ ହିଁ ଅଧିକ ଅଭିବୃଦ୍ଧି ହେବ ଏବଂ ଅଧିକାଂଶ ବିକାଶଶୀଳ ଓ ଅଳ୍ପଆୟକାରୀ ଅର୍ଥବ୍ୟବସ୍ଥାଗୁଡ଼ିକୁ କରୋନା ପ୍ରଭାବରୁ ମୁକ୍ତ ହେବାଲାଗି ସଂଘର୍ଷ କରିବାକୁ ପଡ଼ିବ। ଅନେକ ବିକାଶଶୀଳ ଦେଶରେ ଏ ପର୍ଯ୍ୟନ୍ତ ମଧ୍ୟ କରୋନା ଟିକା ପହଞ୍ଚି ପାରିନାହିଁ ଏବଂ ସେଠାରେ ଭୟର ବାତାବରଣ ରହିଛି। ଭାରତରେ ମଧ୍ୟ ଆଶାନୁରୂପ ଟିକାକରଣ ହୋଇପାରି ନଥିବାରୁ ସମସ୍ୟା ଦେଖାଦେଇଛି। ଆମେ ଗତ ଦଶନ୍ଧିରେ ଦାରିଦ୍ର୍ୟ ହାର କ୍ରମଶଃ ହ୍ରାସ କରିଆସିଥିବାବେଳେ କରୋନା ମହାମାରୀ ସେଥିରେ କେବଳ ପ୍ରତିବନ୍ଧକ ସୃଷ୍ଟି କରିନାହିଁ, ଦାରିଦ୍ର୍ୟ ବୃଦ୍ଧିର କାରଣ ହୋଇଛି।

ମହାମାରୀର ପ୍ରଥମ ତରଙ୍ଗକୁ ସରକାର ଯେପରି ପରିଚାଳନା କରିଥିଲେ, ଦ୍ବିତୀୟ ତରଙ୍ଗ ସମୟରେ ସେପରି ହେଲାନାହିଁ ଓ ଅଧିକ ଭୁଲ୍‌ ନିଷ୍ପତ୍ତିମାନ ନେଇଥିବା ଦେଖିବାକୁ ମିଳିଲା। ଟିକାକରଣ ଅସ୍ଥିରତା ତା’ର ସବୁଠୁ ବଡ଼ ଉଦାହରଣ। ବର୍ତ୍ତମାନ ସୁଦ୍ଧା ଯଦି ଆମେ ଦେଶର ଅଧେ ଲୋକଙ୍କର ବି ଟିକାକରଣ କରିସାରିଥା’ନ୍ତୁ, ତେବେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ତା’ର ସକାରାତ୍ମକ ପ୍ରଭାବ ପଡ଼ିଥା’ନ୍ତା; ମାତ୍ର ତାହା ନୋହିଲା। ସମସ୍ତ ଭାରତୀୟଙ୍କୁ ଟିକାଦାନ ପାଇଁ ଆଉ କେତେ ମାସ ବା ବର୍ଷ ଲାଗିବ, ତାହା ମଧ୍ୟ ଅନିଶ୍ଚିତ। ବିଶ୍ବବ୍ୟାଙ୍କ ତା’ ବିବରଣୀରେ ଅବଶ୍ୟ ଭାରତର ବଜେଟ୍‌କୁ ଆଧାର କରି ‘ମହାମାରୀ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଅଧିକ ବ୍ୟୟ’ କଥା ଉଲ୍ଲେଖ କରିଛି; କିନ୍ତୁ ତା’ର ବାସ୍ତବ କାର୍ଯ୍ୟାନ୍ବୟନକୁ ନେଇ ବିଶେଷଜ୍ଞ ଏବେ ବି ସନ୍ଦିହାନ। ତେବେ ବଡ଼ ଆଶ୍ବାସନାର କଥା ଯେ ସମଗ୍ର ଦେଶରେ ଧୀରେଧୀରେ କୋଭିଡ଼ ଭୂତାଣୁ ସଂକ୍ରମଣ ଦ୍ରୁତବେଗରେ ହ୍ରାସ ପାଉଛି। ଫଳରେ ବ୍ୟବସାୟ ବାଣିଜ୍ୟ ଓ ଅନ୍ୟ ଆର୍ଥିକ ଗତିବିଧି ପୁନଃ ଚାଲୁହେବାର ସମ୍ଭାବନା ଦେଖାଦେଇଛି। ଅବଶ୍ୟ ସେପ୍ଟେମ୍ବର-ଅକ୍ଟୋବରରୁ ତୃତୀୟ ତରଙ୍ଗର ସମ୍ଭାବନା ସମ୍ପର୍କରେ କୁହାଗଲାଣି; ତେଣୁ ଏବେ ବି ସବୁକିଛି ଆଶା ଓ ଆଶଙ୍କା ମଧ୍ୟରେ।

ତାଲାବନ୍ଦ ସମୟ ମଧ୍ୟରେ ବୈଦ୍ୟୁତିକ ଓ ଯାନ୍ତ୍ରିକ ଘରୋଇ ଉପକରଣ, ସ୍ମାର୍ଟଫୋନ୍ ଆଦି ଆଶାନୁରୂପ ନହେଲେ ମଧ୍ୟ କମ୍‌ ବିକ୍ରି ହୋଇନାହିଁ। ଅନ୍‌ଲାଇନ୍‌ ବଜାରରେ ମଧ୍ୟ ନିକଟରେ ୧୦-୧୫ ଶତାଂଶ ବିକ୍ରି ବଢ଼ିଥିବା କୁହାଯାଇଛି। ତେବେ ଗରିବ ଓ ମଧ୍ୟବିତ୍ତଙ୍କ ଆୟକୁ ବଜାୟ ରଖିବା ବା ଆବଶ୍ୟକତା ଅନୁରୂପ ତାକୁ ବଢ଼ାଇବା ଏବଂ ବେରୋଜଗାରଙ୍କୁ ରୋଜଗାର ଦେବା ବର୍ତ୍ତମାନ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ। ବ୍ୟାଙ୍କ, ଉଦ୍ୟୋଗ ହେଉ ବା ସାଧାରଣ ଲୋକ, ସମସ୍ତେ ଆର୍ଥିକ ଅସୁରକ୍ଷା ଭିତରେ ଖର୍ଚ୍ଚ ହ୍ରାସ କରି କିଛି ସଞ୍ଚୟ କରି ରଖିବାକୁ ଚାହୁଁଛନ୍ତି; ପରିଣାମ ସ୍ବରୂପ ଆର୍ଥିକ ଗତିବିଧି ଆହୁରି ମନ୍ଥର ହେଉଛି। ଅତଏବ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଆଣିବାକୁ ହେଲେ ସମସ୍ତଙ୍କ ମନରେ ପୁନଃ ଆତ୍ମବିଶ୍ବାସ ଓ ସୁରକ୍ଷାର ଭାବନା ସୃଷ୍ଟି କରିବାକୁ ହେବ। ସରକାରଙ୍କ ନିକଟରେ ଏଥିପାଇଁ ବେଶି ସମୟ ଓ ସୁଯୋଗ ନାହିଁ; ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ କରିବାକୁ ହେବ।

Comments are closed.