ସରକାରଙ୍କୁ ନିଜ ଚିନ୍ତା

ତୈଳ ଉପରେ ଟିକସ ବୃଦ୍ଧି କରି ସରକାର ନିଜସ୍ବ କ୍ଷତି ଭରଣା କରୁଛନ୍ତି; କିନ୍ତୁ ଗରିବ ଓ ମଧ୍ୟବିତ୍ତଙ୍କ କ୍ଷତି କିଏ ଭରଣା କରିବ?

ପେଟ୍ରୋଲ ପରେ ଏବେ ଡିଜେଲ ଶତକ ହାସଲ କରିବାକୁ ଯାଉଛି। ରାଜସ୍ଥାନ ଶ୍ରାଗଙ୍ଗା ନଗର ସହରରେ ଲିଟର ପିଛା ଡିଜେଲ ଏବେ ଦେଶର ସର୍ବାଧିକ ୯୯ ଟଙ୍କା ୨୪ ପଇସାରେ ବିକ୍ରି ହେଉଛି। ଇରାନ ଉପରେ ଆମେରିକା ଜାରି କରିଥିବା କଟକଣା ଯଦି ତୁରନ୍ତ ନହଟେ ତେବେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୧୦୦ ଟଙ୍କାକୁ ଅତିକ୍ରମ କରିଯିବ। ବିଶ୍ବ ବଜାରରେ ଏବେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା (ଏକ ବ୍ୟାରେଲ=୧୫୯ ଲିଟର)୭୧ ଆମେରିକୀୟ ଡଲାର ରହିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ୭୫ ଡଲାର ଛୁଇଁପାରେ ବୋଲି କେତେକ ଅର୍ଥନୀତିଜ୍ଞ ମତ ଦେଇଛନ୍ତି। ଏପରି ହେଲେ ମହାମାରୀ ସମସ୍ୟାକୁ ଯୁଝୁ ଥିବା ଭାରତୀୟଙ୍କ ଆର୍ଥିକ ବୋଝ ବୃଦ୍ଧି ପାଇବ। ଏବେ ସମଗ୍ର ବିଶ୍ବରେ ଟିକାକରଣ ଅଭିଯାନ ଚାଲିଛି। ଟିକା ନେବା ପରେ ୟୁରୋପୀୟ ଦେଶଗୁଡ଼ିକର ବଜାର ଖୋଲିବାରେ ଲାଗିଛି। ତେଣୁୁ ସେ ସବୁ ଦେଶରେ ପେଟ୍ରୋଲିୟମ ଜାତ ସାମଗ୍ରୀର ଆବଶ୍ୟକତା ବୃଦ୍ଧି ପାଇଛି। ଫଳରେ ଅଶୋଧିତ ତୈଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଆମେରିକାରେ ଟିକାକରଣ ପରେ ସେଠାରେ ମଧ୍ୟ ଚାହିଦା ବୃଦ୍ଧି ପାଇଛି। ଟଙ୍କା ତୁଳନାରେ ଡଲାର ମଜବୁତ ହେବାରେ ଲାଗିଛି।

ଏବେ ଏକ ଡଲାର ୭୩ ଟଙ୍କା ଥିବାବେଳେ ଆସନ୍ତା ୨/୩ ମାସ ମଧ୍ୟରେ ଏହା ୭୫ ଟଙ୍କାକୁ ବୃଦ୍ଧି ପାଇପାରେ। ଯଦି ଆଗାମୀ ଦିନରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୫ ଡଲାର ଓ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୭୫ ଟଙ୍କାରେ ପହଞ୍ଚେ ତେବେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ୩ରୁ ୪ଟଙ୍କା ବୃଦ୍ଧି ପାଇପାରେ।

ଭାରତ ନିଜର ଆବଶ୍ୟକତା ପୂରଣ ପାଇଁ ପ୍ରାୟ ୮୫ ପ୍ରତିଶତ ଅଶୋଧିତ ତୈଳ ମଧ୍ୟପ୍ରାଚ୍ୟ ସମୂହ ରାଷ୍ଟ୍ରରୁ ଆମଦାନୀ କରିଥାଏ। ୨୦୧୯ ପର୍ଯ୍ୟନ୍ତ ଇରାନର ସବୁଠାରୁ ବଡ଼ ତୈଳ ଗ୍ରାହକ ଥିଲା ଭାରତ। ଇରାନର ଅଶୋଧିତ ତୈଳକୁ ବିଶୋଧନ କରିବାରେ କମ୍‌ ଅର୍ଥ ଖର୍ଚ୍ଚ ହୋଇଥାଏ। ଏଣୁ ଇରାକ୍‌ ଓ ସାଉଦି ଆରବ ଅପେକ୍ଷା ଭାରତ ଅଧିକ ଅଶୋଧିତ ତୈଳ ଇରାନରୁ ଆମଦାନୀ କରିଥାଏ। ଏହା ବ୍ୟତୀତ ଆମେରିକୀୟ ଡଲାରକୁ ବାଦ୍‌ ଦେଇ ଭାରତୀୟ ମୁଦ୍ରାରେ ଇରାନ ଆମ ଦେଶକୁ ତେଲ ବିକ୍ରି କରିଥାଏ। ଅନ୍ୟ ଦେଶ ସବୁ ଭାରତକୁ ଆମେରିକୀୟ ଡଲାର ମାଧ୍ୟମରେ ଅଶୋଧିତ ତୈଳ ବିକ୍ରି କରିଥା’ନ୍ତି। ଅଧିକ ଡଲାର ଦେଇ ଅଶୋଧିତ ତୈଳ ଆମଦାନୀ କରିବାକୁ ପଡ଼ିଥାଏ। ତେଣୁ ଡଲାରର ମୂଲ୍ୟ ବୃଦ୍ଧି ପାଇଲେ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ।

ଇରାନ ଭାରତୀୟ ମୁଦ୍ରା ଗ୍ରହଣ କରି ଅଶୋଧିତ ତୈଳ ଯୋଗାଇ ଦେଉଥିବାରୁ ଆମକୁ ଶସ୍ତା ଓ ସୁବିଧା ଦରରେ ଏହା ଉପଲବ୍ଧ ହୋଇଥାଏ। ଆଗାମୀ ସପ୍ତାହରେ ଇରାନ ଉପରେ ଜାରି କରାଯାଇଥିବା କଟକଣାକୁ ନେଇ ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକରେ ଯଦି ଇରାନ ଉପରେ କଟକଣା ପ୍ରତ୍ୟାହାର କରି ନିଆଯାଏ ତେବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୧ ଡଲାରରୁ ଖସି ୬୦ ଡଲାରରେ ପହଞ୍ଚି ଯିବ ଓ ଭାରତକୁ ଏଥିରୁ ଫାଇଦା ମିଳିବ। ଯଦି କଟକଣା ନହଟେ ଏବେ ପ୍ରତି ବ୍ୟାରେଲ ୭୧ ଡଲାର ଥିବା ଅଶୋଧିତ ତୈଳ ୭୫ ଡଲାର ଅତିକ୍ରମ କରିପାରେ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମୁଖ୍ୟତଃ ୪ଟି କାରଣ ଉପରେ ନିର୍ଭର କରିଥାଏ। ପ୍ରଥମଟି ହେଲା-ଅଶୋଧିତ ତୈଳର ମୂଲ୍ୟ, ଦ୍ବିତୀୟରେ ଭାରତୀୟ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ, ୩ୟରେ ଟିକସ ଓ ଶେଷରେ ତୈଳର ଚାହିଦା। ଯଦି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିସରଭୁକ୍ତ ହୁଏ ତେବେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ୭୪ ଟଙ୍କାକୁ ଖସି ଆସିବ; କିନ୍ତୁ ଏହାକୁ ଜିଏସଟି ପରିସର ଆଣିବାକୁ କେନ୍ଦ୍ର ସରକାର ରାଜି ହେବେ ନାହିଁ। କାରଣ ଏହା ଦ୍ବାରା ସରକାର ଅଧିକ ରାଜସ୍ବ ହରାଇବେ। ଆମ ଦେଶରେ ପେଟ୍ରୋଲର ମୂଳ ମୂଲ୍ୟ ଏବେବି ୩୩ ଟଙ୍କା ରହିଛି। ଏହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଟିକସ ଲଗାଇବା ପରେ ଏହାର ମୂଲ୍ୟ ଶତକ ଛୁଇଁ ଯାଉଛି। ଏବେ ପେଟ୍ରୋଲ ଉପରୁ ୫୪ ଟଙ୍କା ଓ ଡିଜେଲ ଉପରୁ ୪୪ ଟଙ୍କାରୁ ଊର୍ଦ୍ଧ୍ବ ଟିକସ ଆକାରରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଛନ୍ତି। ପେଟ୍ରୋଲର ମୂଳ ମୂଲ୍ୟ ୩୩ ଟଙ୍କା ଥିବାବେଳେ ଏଥିରେ ୫୪ରୁ ଅଧିକ ଟଙ୍କା ଟିକସ ଆକାରରେ ଲଦା ଯାଉଛି। ମୂଳ ମୂଲ୍ୟଠାରୁ ଟିକସ ଯଥେଷ୍ଟ ଅଧିକ ଆଦାୟ କରାଯାଉଛି।

ଦେଶରେ ଜାରି ରହିଥିବା କରୋନା ମହାମାରୀ ସବୁ ବର୍ଗର ଜନସାଧାରଣଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇଛି। ଗରିବ ବେରୋଜଗାର ଥିବାବେଳେ ମଧ୍ୟବିତ୍ତଙ୍କ ଆୟ ହ୍ରାସ ପାଇଛି। ବିଭିନ୍ନ ଶିଳ୍ପ ସଂସ୍ଥା ବନ୍ଦ ରହିବା ଯୋଗୁଁ ଅଧିକାଂଶ କର୍ମଚାରୀଙ୍କ ରୋଜଗାର ବାଧାପ୍ରାପ୍ତ ହୋଇଛି। ସେହିପରି ଆଉ କେତେକଙ୍କ ବେତନ ହ୍ରାସ ପାଇଛି। ଏପରି କର୍ମଚାରୀ ଓ ଗରିବ ଜନସାଧାରଣଙ୍କ ଦ୍ବିତୀୟ ରୋଜଗାର ପନ୍ଥା ନାହିଁ। ଗରିବଙ୍କ ପାଇଁ ସରକାର ମାଗଣାରେ ​‌େ​‌ରସନ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ଏହା ସେମାନଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ କରିଛି। ତେବେ ଯେଉଁମାନେ ନିଯୁକ୍ତି ହରାଇଛନ୍ତି ଅଥବା କମ୍‌ ବେତନ ପାଉଛନ୍ତି ସେମାନଙ୍କ ପ୍ରତି ସରକାରଙ୍କ ନିଘା ନଥିବା ଜଣାପଡ଼ୁଛି। ପେଟ୍ରୋଲ ଓ ଡିଜେଲ ସମେତ ନିଜ ଅଧୀନରେ ଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି କେନ୍ଦ୍ର ଓ ରାଜ୍ୟ ସରକାର ନିଜସ୍ବ କ୍ଷତିକୁ ଭରଣା କରୁଛନ୍ତି। ଏଥିପାଇଁ ସେମାନଙ୍କୁ କାଦୁଅକୁ ଯାଇ ମାଛ ଧରିବାକୁ ପଡ଼ୁ ନାହିଁ। ଗୋଟିଏ ନିଷ୍ପତ୍ତିରେ ଟିକସ ଆସି ସରକାରୀ ତହବିଲରେ ଜମା ହୋଇ ଯାଉଛି।

ମୂଲ୍ୟ ବୃଦ୍ଧି କରି ସରକାର ସିନା ନିଜର କ୍ଷତି ଭରଣା କରି ନେବେ; ହେଲେ ନିଯୁକ୍ତି ହରାଇଥିବା କର୍ମଚାରୀ ଓ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି କିପରି ଆୟ କରିବେ? କେନ୍ଦ୍ର ସରକାର ନିଜ ଚିନ୍ତା ଛାଡ଼ି ଏମାନଙ୍କ ପ୍ରତି ଦୃଷ୍ଟି ଦେବା ଉଚିତ୍‌ ନୁହେଁ କି?

Comments are closed.