ନୂଆ ଟିକା ନୀତି

ସରକାରଙ୍କ ନୂତନ ଟିକା ନୀତିର କାର୍ଯ୍ୟକାରିତା ନିମନ୍ତେ ଯଥେଷ୍ଟ ଟିକା ସଂଗ୍ରହ ସହ ଉପଯୁକ୍ତ ବଣ୍ଟନ ବ୍ୟବସ୍ଥା କରିବାକୁ ହେବ

ଦେଶର ଟିକାକରଣ ନୀତିରେ ପରିବର୍ତ୍ତନ ଆଣିବା ନିମନ୍ତେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ​‌େ​‌ଘାଷଣା କରିଛନ୍ତି। ଏହା ଅତି ଜରୁରୀ ଥିଲା; ତେଣୁ ନିଶ୍ଚିତ ସ୍ବାଗତଯୋଗ୍ୟ। ନୂତନ ଟିକାକରଣ ନୀତିରେ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କୁ ମାଗଣାରେ ଟିକାଦାନ ପାଇଁ ଟିକା ଉତ୍ପାଦକଙ୍କଠାରୁ ୭୫ ଶତାଂଶ ଟିକା କିଣିବେ ଓ ରାଜ୍ୟଗୁଡ଼ିକୁ ବଣ୍ଟନ ପାଇଁ ପଠାଇବେ। ଘରୋଇ ଅନୁଷ୍ଠାନ ଟିକା ଉତ୍ପାଦକଙ୍କଠାରୁ ବାକି ୨୫ ଶତାଂଶ ଟିକା କିଣିବେ ଏବଂ ଟିକାକୁ ଛାଡ଼ି ଟିକା ଦେବାର ଖର୍ଚ୍ଚ ଭାବେ ସେମାନେ ଅତି ବେଶୀରେ ପାନ ପିଛା ୧୫୦ ଟଙ୍କା ନେଇପାରିବେ। ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ନେବାକୁ ଚାହୁଁଥିବା ସ୍ବଚ୍ଛଳ ବର୍ଗର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ୧ ମେ’ରୁ ଯେଉଁ ନୀତି କାର୍ଯ୍ୟକାରୀ ହୋଇଥିଲା ସେଥିରେ ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ରାଜ୍ୟଗୁଡ଼ିକ ସିଧାସଳଖ ଟିକା କିଣି ଦେବାପାଇଁ କୁହାଯାଇଥିଲା। ଯେଉଁ ସମୟରେ ମହାମାରୀ ସଂକ୍ରମଣ ସର୍ବାଧିକ ବ୍ୟାପୁଥିଲା, ସେତେବେଳେ ଟିକାକରଣରୁ କେନ୍ଦ୍ର ଓହରିଯାଇ ରାଜ୍ୟକୁ ଦାୟିତ୍ବ ଦେବା ଓ ଉଦ୍ୟମ ସତ୍ତ୍ବେ ଟିକା କିଣିବାରେ ରାଜ୍ୟଗୁଡ଼ିକ ବିଫଳ ହେବା କେନ୍ଦ୍ର ସରକାରଙ୍କ ଏକ ତ୍ରୁଟିପୂର୍ଣ୍ଣ ନୀତି ଥିଲା, ସେଥିରେ ସନ୍ଦେହ ନାହିଁ।

ଏପରି ଟିକାକରଣ ନୀତି କେବଳ ବିଶେଷଜ୍ଞ ନୁହନ୍ତି, ଜନସାଧାରଣ ଓ ଶେଷରେ ସର୍ବୋଚ୍ଚ ନ୍ୟାୟାଳୟର ସମାଲୋଚନାର ଶରବ୍ୟ ହୋଇଥିଲା, ଯାହା ସ୍ବାଭାବିକ। ସର୍ବୋଚ୍ଚ ନ୍ୟାୟାଳୟ ତ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ‘ମନମୁଖି’ ଓ ‘ଅଯୌକ୍ତିକ’ ବୋଲି କହିବାକୁ ପଛାଇ ନଥିଲେ। ବହୁ ରାଜ୍ୟରେ ଟିକା ଅଭାବରୁ ଟିକାକରଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ପଡ଼ିଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ଯାହାହେଉ, ପ୍ରଧାନମନ୍ତ୍ରୀ ସମାଲୋଚନା ଓ ନିଜର ଟିକା ରଣନୀତିର ବିଫଳତାକୁ ବୁଝି ଶେଷରେ ତାକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି। ଏହି ନୂତନ ଟିକାକରଣ ନୀତି କେବଳ ଜନସାଧାରଣ ନୁହନ୍ତି, ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଆଶ୍ବସ୍ତ କରିବ, ଯେଉଁମାନେ ଟିକା କ୍ରୟ କରିବାରେ ବିଶ୍ବର ବିଭିନ୍ନ ଟିକା ଉତ୍ପାଦକ ସଂସ୍ଥା ସହ ଯୋଗାଯୋଗ କରି ବିଫଳ ହୋଇଥିଲେ ଏବଂ ଅନେକ ଗରିବ ରାଜ୍ୟକୁ ମଧ୍ୟ ଏଥିପାଇଁ ବହୁ ଟଙ୍କା ବ୍ୟୟ କରିବାକୁ ପଡ଼ିଥାନ୍ତା।

ଜୁନ ୮ ତାରିଖ ସୁଦ୍ଧା ପ୍ରାୟ ୨୩ କୋଟି ୬୦ ଲକ୍ଷ ପାନ ଟିକା ଦିଆଯାଇଛି। ଦେଶର ୪.୪୮ କୋଟି ଲୋକଙ୍କୁ ଦୁଇ ପାନ ଟିକା ଦିଆଯାଇଛି ଓ ଏହା ଜନସଂଖ୍ୟାର ମୋଟ ୩.୩%। ଏଥିରୁ ଭାରତର ଟିକାକରଣ ଅଭିଯାନର ମନ୍ଥର ଗତି କେତେ ତାହା ସହଜେ ଅନୁମେୟ। କେତେକ କେନ୍ଦ୍ର ମନ୍ତ୍ରୀ ଟିକାକରଣ ଅଭିଯାନ ନେଇ ଯେତେ ସକାରାତ୍ମକ କଥା କହିଲେ ହେଁ ତାହା ମୂଲ୍ୟହୀନ ସାବ୍ୟସ୍ତ ହେଉଛି; କାରଣ ବାସ୍ତବତା ଭିନ୍ନ ଏବଂ ତାହା ଜଳଜଳ ହୋଇ ଦେଖାଯାଉଛି। ଅବଶ୍ୟ ଏ ନେଇ ବିଳମ୍ବରେ ସରକାରଙ୍କ ଚୈତନ୍ୟୋଦୟ ହେବାପରେ ୨୦୦ କୋଟିରୁ ଅଧିକ ପାନ ଟିକା ଚଳିତବର୍ଷ ଶେଷ ସୁଦ୍ଧା ମିଳିବାପାଇଁ ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ସୂଚନା ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ ଏତେ ପରିମାଣର ଟିକା ସଂଗ୍ରହ କରାଯାଇ ପାରିବ ନା ନାହିଁ, ତାହା ନିଶ୍ଚିତ କରି କହିବା କଷ୍ଟ।

ସରକାର ଟିକା ପାଇଁ କେବଳ ଦୁଇଟି କମ୍ପାନୀ ଉପରେ ସଂପୂର୍ଣ୍ଣ ନିର୍ଭର କରିବାର ଫଳ ଭୋଗିବା ପରେ ଧୀରେଧୀରେ ବିଶ୍ବର ଅନ୍ୟ ସଂସ୍ଥାଗୁଡ଼ିକର ଟିକାକୁ ଅନୁମତି ଦେଉଛନ୍ତି। ଏହା ବହୁ ପୂର୍ବରୁ କରିବାର ଥିଲା। ଗତ ସପ୍ତାହରେ ସରକାର ହାଇଦରାବାଦସ୍ଥିତ ବାଇଓଲୋଜିକାଲ୍‌-ଇ ନାମକ ସଂସ୍ଥାକୁ ୩୦ କୋଟି ପାନ କୋଭିଡ଼ ଟିକା ତିଆରି ପାଇଁ ଅଗ୍ରିମ ୧୫୦୦ କୋଟି ଟଙ୍କା ଦେଇଥିବା କହିଛନ୍ତି। ତେବେ ନିୟାମକଙ୍କଠାରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇନଥିବା କୌଣସି ଟିକା ପ୍ରସ୍ତୁତକାରୀ ସଂସ୍ଥାକୁ ଅଗ୍ରିମ ଅର୍ଥ ପ୍ରଦାନର ଏହା ପ୍ରଥମ ଘଟନା। ଅନ୍ୟ ଟିକାଗୁଡ଼ିକ ପରି ଏହି ସଂସ୍ଥାର ଟିକା ସମ୍ପର୍କରେ ମଧ୍ୟ ସେଭଳି ଚର୍ଚ୍ଚା ଦେଖିବାକୁ ମିଳିନାହିଁ। ଯେ କୌଣସି ଟିକାକୁ ବ୍ୟବହାର ପାଇଁ ଅନୁମୋଦନ ଦେବା ପୂର୍ବରୁ ତାହା ସମସ୍ତ ପ୍ରକାରର ମାନଦଣ୍ଡରେ ପରୀକ୍ଷିତ ହେବା ଜରୁରୀ। ଏଥିରେ କୌଣସି ମତେ ସାଲିସ୍‌ କରାଯିବା କଥା ନୁହେଁ। ସେ ଯାହାହେଉ, ସରକାର ଚଳିତବର୍ଷ ଶେଷସୁଦ୍ଧା ଦେଶର ସମସ୍ତ ଯୁବ ଓ ବୟସ୍କଙ୍କୁ ଟିକାଦାନର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ କରିବାକୁ ହେଲେ ବର୍ତ୍ତମାନର ଟିକାକରଣ ଗତିକୁ ଚାରିଗୁଣ ବଢ଼ାଇବାକୁ ହେବ। ଏହା ନିଶ୍ଚୟ ସହଜସାଧ୍ୟ ନୁହେଁ; କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ସରକାର ସର୍ବପ୍ରଥମେ ଯଥେଷ୍ଟ ପରିମାଣର ଟିକା କ୍ରୟ କରିବା ଜରୁରୀ, ଯେପରି କି ସମସ୍ତଙ୍କ ପାଇଁ ସବୁ ସମୟରେ ଟିକା ଉପଲବ୍ଧ ହୋଇପାରିବ।

କେବଳ ଚଳିତବର୍ଷ ପାଇଁ ନୁହେଁ; ଆଗାମୀ ବର୍ଷ ପାଇଁ ମଧ୍ୟ ଟିକା ସଂଗ୍ରହ ନିମନ୍ତେ ସରକାର ପ୍ରସ୍ତୁତ ରହିବା ଉଚିତ। ସାର୍ବଜନୀନ ଟିକାଦାନକୁ ସଫଳ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ନିଜର ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆବଶ୍ୟକ ହେଲେ ଘରଘର ବୁଲି ଟିକାଦାନ କରିବାକୁ ହେବ। ଟିକାକରଣ ଅଭିଯାନ ସହ ସଂପୃକ୍ତ ସମସ୍ତେ ସ୍ବକର୍ତ୍ତବ୍ୟ ଠିକ୍‌ରୂପେ ପାଳନ କଲେ ଆମେ ଅବଶ୍ୟ ଏଥିରେ ସଫଳ ହେବା।

Comments are closed.