ଶୁଭ ସଙ୍କେତ

କ୍ରମାଗତ ତିନିବର୍ଷ ଧରି ସ୍ବାଭାବିକ ବୃଷ୍ଟିପାତ ଦେଶ ପାଇଁ ଶୁଭ ସଙ୍କେତ

କୋଭିଡ୍‌-୧୯ର ଅଭୂତପୂର୍ବ ଦାରୁଣ ଦୁଃସମୟରେ ଦେଶ ଗତି କରୁଥିବା ବେଳେ ମୌସୁମିର ପରଶ କିଛିଟା ସାନ୍ତ୍ବନା ଦେଇଛି; କାରଣ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚଳିତବର୍ଷ ସ୍ବାଭାବିକ ବୃଷ୍ଟିପାତ ହେବ। କ୍ରମାଗତ ତିନିବର୍ଷ ଧରି ସ୍ବାଭାବିକ ବର୍ଷା ହେବା କୃଷିପ୍ରଧାନ ଦେଶଲାଗି ଶୁଭ ସଙ୍କେତ ନିଶ୍ଚୟ। ବର୍ତ୍ତମାନ ମଧ୍ୟ ଦେଶର ଚାଷ ଅନେକାଂଶ ବର୍ଷାଜଳ ଉପରେ ହିଁ ନିର୍ଭରଶୀଳ; ତେଣୁ ଉତ୍ତମ ବୃଷ୍ଟିପାତ ଅଧିକ ଫସଲ ଉତ୍ପାଦନର କାରଣ ମଧ୍ୟ ହୋଇଥାଏ; ଯାହା ଆମେ ଗତ ଦୁଇବର୍ଷ ହେଲା ପ୍ରତ୍ୟକ୍ଷ କରିଆସୁଛୁ। କୃଷିକ୍ଷେତ୍ର ହିଁ ଅବନତି ଆଡ଼କୁ ମୁଁହାଇନଥିବା ଦେଶର ଅର୍ଥବ୍ୟବସ୍ଥାକୁ କିଛିଟା ସମ୍ଭାଳି ରଖିଛି। ଏପରି କି ୨୦୨୦-୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ ଉଦ୍‌ବେଗଜନକ ଭାବେ (ଜିଡିପି) ୭.୩ ଶତାଂଶ ଖସିଯାଇଥିବାବେଳେ କୃଷି କ୍ଷେତ୍ରରେ ୩.୬ ଶତାଂଶ ଅଭିବୃଦ୍ଧି ଘଟିଛି। କୋଭିଡ୍‌ର ବ୍ୟାପକ ସଂକ୍ରମଣ ସତ୍ତ୍ବେ କୃଷି ପାଇଁ କୌଣସି କଟକଣା କରାଯାଇନାହିଁ; ଫଳରେ କେତେକ ବ୍ୟତିକ୍ରମକୁ ଛାଡ଼ିଦେଲେ କୃଷିକ୍ଷେତ୍ରରେ କାର୍ଯ୍ୟ ସ୍ବାଭାବିକ ଭାବେ ହୋଇଆସିଛି। ତେବେ ଗତବର୍ଷର ପ୍ରଥମ ତରଙ୍ଗଠାରୁ ଚଳିତବର୍ଷର ଦ୍ବିତୀୟ ତରଙ୍ଗ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇଛି। ଫଳରେ କେବଳ ସହରାଞ୍ଚଳ ନୁହେଁ; ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ପାଇଛି। ବର୍ତ୍ତମାନ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି ଏବଂ ଜୁନ୍‌ ତୃତୀୟ ସପ୍ତାହ ଆଡ଼କୁ ସ୍ଥିତିରେ ଅନେକଟା ଉନ୍ନତି ଆସିବାର ସମ୍ଭାବନା ରହିଛି। ତାହାହେଲେ କୃଷକମାନେ ଏହି ମହାମାରୀ କବଳରୁ ଊଦ୍ଧାର ପାଇ ଅନ୍ତତଃ ଚାଷକାର୍ଯ୍ୟ କରିବାରେ ମନ ଦେଇପାରିବେ। ଖରିଫ୍ ଚାଷ ଆରମ୍ଭ ହେବାକୁ ଯାଉଥିବାରୁ ଏହି ସମୟ ଅତି ଗୁରୁତ୍ବପୂର୍ଣ୍ଣ।

ଆମର ଅଧିକାଂଶ ଚାଷୀ ଧାନ ଓ ଗହମ ଆଦି ଚାଷ କରୁଥିବାବେଳେ ବର୍ତ୍ତମାନ ତୈଳବୀଜ ଓ ଡାଲିଜାତୀୟ ଫସଲର ଅଧିକ ଚାଷ କରାଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଏସବୁକୁ ଆମକୁ ବିଦେଶରୁ ମଧ୍ୟ ଆମଦାନୀ କରିବାକୁ ପଡ଼ୁଛି। ଦେଶରେ ଖାଇବା ତେଲ ଓ ବିଭିନ୍ନ କିସମର ଡାଲିର ଦର ଯେଭଳି ଆକାଶଛୁଆଁ ହୋଇଛି, ବର୍ତ୍ତମାନ ଏସବୁର ଉତ୍ପାଦନ ବୃଦ୍ଧି ପ୍ରତି ଦୃଷ୍ଟି ଦିଆଯିବା ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷରେ ସରକାରୀ ସଂସ୍ଥାଗୁଡ଼ିକ ପୂର୍ବ ବର୍ଷ ଅପେକ୍ଷା ଅଧିକ ଧାନ ଓ ଗହମ କିଣିଥିବା ତଥ୍ୟ କହୁଛି; ତେବେ ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସବୁ ଚାଷୀଙ୍କୁ କିପରି ମିଳିପାରିବ, ତାହା ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ସୁନିଶ୍ଚିତ ହୋଇପାରିନାହିଁ। ଏଥିପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବା ଆବଶ୍ୟକ। ସରକାର ଉତ୍ତମ ମୌସୁମିକୁ ନଷ୍ଟ ହେବାକୁ ନଦେଇ କିପରି ତା’ର ସଦୁପଯୋଗ ହୋଇପାରିବ, ସେଥିନେଇ କୃଷକମାନଙ୍କୁ ବିଭିନ୍ନ ସ୍ତରରେ ସହାୟତା କରିବା ଉଚିତ। ତାହା ହିଁ ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ।

‘ନିତି’ ଚେତାବନୀ
ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କରେ ଓଡ଼ିଶାର କ୍ରମ ଅବନତି ଚିନ୍ତାଜନକ

ଗତ ସପ୍ତାହରେ ନିତି ଆୟୋଗ ପକ୍ଷରୁ ପ୍ରକାଶିତ ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ରେ ଓଡ଼ିଶାର କ୍ରମ ଅବନତି ରାଜ୍ୟ ସରକାରଙ୍କ ପାଇଁ ଏକ ସତର୍କଘଣ୍ଟି; କାରଣ ସବୁ କ୍ଷେତ୍ରରେ ବିକାଶ ହେଉଛି ବୋଲି କୁହାଯାଉଥିଲେ ହେଁ ଏହି ସୂଚକାଙ୍କରେ ରାଜ୍ୟ ନିମ୍ନ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶାର ମୋଟ ଅଙ୍କ ଗତବର୍ଷ ୫୮ ଥିବାବେ​‌େ​‌ଳ ଏଥର ସାମାନ୍ୟ ବଢ଼ି ୬୧ରେ ପହଞ୍ଚିଛି ସତ; କିନ୍ତୁ ସାମାଜିକ ଓ ଆର୍ଥିକ ମାପଦଣ୍ଡଗୁଡ଼ିକରେ ଓଡ଼ିଶା ପୂର୍ବାପେକ୍ଷା ପଛେଇଯାଇଥିବା ଦେଖାଯାଇଛି। ବିଶେଷକରି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅଧୀନରେ ରୋଜଗାର ପ୍ରଦାନ ହ୍ରାସ ପାଇଥିବାବେଳେ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଥିବା ଏଥିରେ କୁହାଯାଇଛି। ସେହିପରି ଶିଶୁଙ୍କ ଅପହରଣ ଓ ହତ୍ୟା ମାମଲା ମଧ୍ୟ ବଢ଼ିଛି। ରାଜ୍ୟର ୩୩ ଶତାଂଶ ଲୋକ ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି। କେବଳ ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଶା ଏହି ସୂଚକାଙ୍କରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିପାରିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଛି।

ତେବେ ନିତି ଆୟୋଗର ଏହି ସୂଚକାଙ୍କ ବିବରଣୀକୁ ନେଇ ଓଡ଼ିଶା ଓ ବିହାର ପରି ନିମ୍ନରେ ରହିଥିବା ରାଜ୍ୟଗୁଡ଼ିକ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସୂଚକାଙ୍କ ଆକଳନରେ ରାଜ୍ୟର କାର୍ଯ୍ୟକ୍ରମ ଓ ଉପଲବ୍ଧିଗୁଡ଼ିକୁ ଉପେକ୍ଷା କରିବା ଏବଂ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ସାମିଲ୍‌ କରିଥିବା ଅଭିଯୋଗ କରାଯାଇଛି। ଏପରି କି ବିହାରର ଜଣେ ବିଜେପି ବିଧାୟକ ଏହି ସୂଚକାଙ୍କ ପ୍ରସ୍ତୁତିକୁ ‘ପୂର୍ବନିର୍ଦ୍ଧାରିତ’ ବୋଲି କହିଛନ୍ତି। ସେ ଯାହାହେଉ, ନିମ୍ନରେ ଥିବା ରାଜ୍ୟଗୁଡ଼ିକ ନିଜର ତ୍ରୁଟିବିଚ୍ୟୁତିକୁ ସଜାଡ଼ି ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଉଦ୍ୟମ କରିବା ଉଚିତ।

Comments are closed.