ମୂଲ୍ୟାୟନ ଆହ୍ବାନ

ଆଗାମୀ ସମୟରେ ପିଲାଙ୍କ ନମ୍ବର ଆଧାରିତ ମୂଲ୍ୟାୟନ ପଦ୍ଧତି ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥାକୁ ଆପଣାଇବାକୁ ହେବ

କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ଆୟୋଜିତ ଦଶମ ପରୀକ୍ଷା ପରେ ଦ୍ବାଦଶ ପରୀକ୍ଷାକୁ ମଧ୍ୟ ଇତିମଧ୍ୟରେ ବାତିଲ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆଇଏସ୍‌ସି ଏବଂ ଓଡ଼ିଶା ସମେତ ଅନେକ ରାଜ୍ୟର ସରକାର ମଧ୍ୟ ଇତିମଧ୍ୟରେ ରାଜ୍ୟ ପରିଷଦ ଦ୍ବାରା ଆୟୋଜିତ ଏହି ପରୀକ୍ଷାକୁ ବାତିଲ୍‌ କରିଛନ୍ତି। କରୋନା ମହାମାରୀର ସାଂପ୍ରତିକ ସ୍ଥିତିକୁ ଦେଖିଲେ ଏପରି ନିଷ୍ପତ୍ତିକୁ ଅଯଥାର୍ଥ ବୋଲି କୁହାଯାଇନପାରେ।​‌ କେତେକ ଯୁକ୍ତି କରୁଛନ୍ତି ଯେ ପରୀକ୍ଷାକୁ ସଂପୂର୍ଣ୍ଣ ରଦ୍ଦ କରିବା ଦ୍ବାରା ପିଲାଙ୍କର ଭବିଷ୍ୟତ ନଷ୍ଟ କରିଦିଆଯାଉଛି ଏବଂ ଯେପରି ହେଉ ପରୀକ୍ଷା ଆୟୋଜନ କରାଯିବା ଉଚିତ। ମହାମାରୀ ସମୟରେ ବଡ଼ବଡ଼ ଧାର୍ମିକ ଆୟୋଜନକୁ ସରକାର ଅନୁମତି ଦେଇଥିବାବେଳେ ପରୀକ୍ଷା ନକରାଇବା ପଛରେ କିଛି ଦୁରଭିସନ୍ଧି ରହିଥିବା ମଧ୍ୟ ଅନେକ ନିନ୍ଦୁକଙ୍କ ମତ। ତେବେ କହିବା ବାହୁଲ୍ୟ ଯେ କେବଳ ପରୀକ୍ଷା କରାଇବାକୁ ଯାଇ କୋଟିକୋଟି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ ସହ ଖେଳିବା ଉଚିତ ହୋଇନଥା’ନ୍ତା। ଏହି ଅଭୂତପୂର୍ବ ସଙ୍କଟ ସମୟରେ ପିଲାଙ୍କୁ ସେମାନଙ୍କ ପାଠ୍ୟଜ୍ଞାନର ପ୍ରମାଣପତ୍ର ପ୍ରଦାନ ପାଇଁ ବିକଳ୍ପ ମାଧ୍ୟମ ଚିନ୍ତା କରାଯିବା ଆବଶ୍ୟକ। ସରକାରଙ୍କ ଅନୁସାରେ ଏଥିପାଇଁ ଏକ ବସ୍ତୁନିଷ୍ଠ ମୂଲ୍ୟାୟନର ବ୍ୟବସ୍ଥା କରାଯିବ। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ନମ୍ବରକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଶିକ୍ଷାଗ୍ରହଣର ସ୍ତର ମାପିବା ପାଇଁ ଅନ୍ୟକିଛି ଉପାୟ ଯେ ଆପଣାଇବାକୁ ହେବ କୋଭିଡ୍‌ ମହାମାରୀ ସେ ନେଇ ଆମକୁ ଚେତାଇ ଦେଇଛି।

ଏହା ନିଃସନ୍ଦେହ ଯେ ଆଗକୁ ପରିଷଦ ଓ ବିଦ୍ୟାଳୟଗୁଡ଼ିକ ଆଗରେ ବହୁତ ବଡ଼ ଆହ୍ବାନ ରହିଛି। ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ନମ୍ବର ଗୁରୁତ୍ବ ବହନ କରୁଥିବାବେଳେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପିଲାଙ୍କ ଦକ୍ଷତାକୁ କିପରି ଆକଳନ କରିବ, ତାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। ଏଥିରେ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବା ନେଇ ଅଭିଭାବକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ଅସ୍ବାଭାବିକ ନୁହେଁ। ଆହୁରି ମଧ୍ୟ ଏକାଦଶ ଶ୍ରେଣୀ ପରୀକ୍ଷା ଓ ପ୍ରାକ୍‌-ବୋର୍ଡ ପରୀକ୍ଷାର ନମ୍ବରକୁ ଆଧାର କରି ପିଲାଙ୍କୁ ମୋଟ ନମ୍ବର ଦିଆଯିବ ନା ଅନ୍ୟ କୌଣସି ଉପାୟ ଆପଣାଯିବ, ତାହା ସ୍ଥିର କରିବା ସହଜ ନୁହେଁ। ସର୍ବୋପରି ନିର୍ଦ୍ଧାରିତ ମାନକ ଅନୁଯାୟୀ ଯେଉଁ ନମ୍ବର ପ୍ରଦାନ କରାଯିବ, ସେଥିରେ ସମସ୍ତ ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ, ସେପରି କହିହେଉ ନାହିଁ। ଅବଶ୍ୟ ଓଡ଼ିଶା ସରକାର କହିସାରିଛନ୍ତି ଯେ ଯେଉଁମାନେ ବିକଳ୍ପ ମୂଲ୍ୟାୟନରେ ସନ୍ତୁଷ୍ଟ ହେବେନାହିଁ, ସ୍ଥିତି ସ୍ବାଭାବିକ ହେବାପରେ ସେମାନଙ୍କ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ। ସେତେବେଳକୁ ଯେଉଁ ବିଳମ୍ବ ହୋଇସାରିିଥିବ, ସେଥିରେ ଉଚ୍ଚତର ଶ୍ରେଣୀରେ ନାମ ଲେଖାଇବା ପାଇଁ ପିଲାଙ୍କୁ ନିଶ୍ଚୟ ସମସ୍ୟା ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ନିର୍ଦିଷ୍ଟଭାବେ ନିର୍ଦେଶାବଳୀ ପ୍ରଣୟନ କରିବା ଉଚିତ ହେବ।

ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ନାମଲେଖା ପାଇଁ ନମ୍ବର ପରିବର୍ତ୍ତେ ପିଲାଙ୍କର ସାମାଜିକ, ଅର୍ଥନୈତିକ ଓ ଆଞ୍ଚଳିକ ପୃଷ୍ଠଭୂମିକୁ ଗୁରୁତ୍ବ ଦେବାର ସମୟ ଆସିଛି। ବର୍ତ୍ତମାନ ସ୍ଥିତିରେ କଟ୍‌-ଅଫ୍ ବ୍ୟବସ୍ଥା ଆପେ ଅକାମୀ ହୋଇଯିବ ଏବଂ ନାମଲେଖା ପାଇଁ ଦରଖାସ୍ତକାରୀ ଛାତ୍ରଛାତ୍ରୀଙ୍କ ମନୋନୟନ ପାଇଁ ଏକ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବାକୁ ହେବ। ଡାକ୍ତରୀ, ଇଂଜିନିୟରିଂ ଓ ଆଇନ କଲେଜଗୁଡ଼ିକରେ ନାମଲେଖା ପାଇଁ ବହୁପ୍ରସ୍ଥୀୟ ଆକଳନ ବ୍ୟବସ୍ଥା କରାଯାଇପାରେ; ତେବେ ଏହାର ସ୍ବରୂପ କ’ଣ ହେବ, ତାହା ନିଶ୍ଚିତ କରାଯିବା ଆବଶ୍ୟକ। ଜାତୀୟ ଶିକ୍ଷା ନୀତିରେ ଏ ନେଇ ବିକଳ୍ପ ଭାବେ ଯେଉଁ ପଦ୍ଧତି ସମ୍ପର୍କରେ କୁହାଯାଇଛି, ତାହା ଖୁବ୍‌ ମହତ୍ତ୍ବପୂର୍ଣ୍ଣ; କିନ୍ତୁ ଏହା ତ୍ବରିତ କାର୍ଯ୍ୟକାରୀ ହୋଇପାରିବ ନାହିଁ। ବିଦ୍ୟାଳୟ ସ୍ତରରୁ ହିଁ ପିଲାଙ୍କ ଶିକ୍ଷାର ମାନର ଅବିରତ ଆକଳନ କରାଯିବ ଏବଂ ଏକ ଜାତୀୟ ସ୍ତରୀୟ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯିବ। ଏହି ବ୍ୟବସ୍ଥାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଆବଶ୍ୟକ।

ଇଉରୋପୀୟ ଦେଶଗୁଡ଼ିକରେ ନମ୍ବରକୁ ନୁହେଁ, ବରଂ ପିଲା ଗ୍ରହଣ କରିଥିବା ଶିକ୍ଷାକୁ ଶିକ୍ଷକ ଆକଳନ କରି ବିଭିନ୍ନ ‘ଗ୍ରେଡ୍‌’ ପ୍ରଦାନ କରିଥା’ନ୍ତି ଏବଂ ସେହି ଅନୁସାରେ ସେମାନଙ୍କର ଉଚ୍ଚ ଶିକ୍ଷାକୁ ଉନ୍ନୀତ ହୋଇଥାଏ। ସର୍ବୋପରି ଗ୍ରେଡ୍‌ ଉପରେ ମଧ୍ୟ ସେଠାକାର ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ନୁହେଁ। ପ୍ରତ୍ୟେକ ଛାତ୍ର ବା ଛାତ୍ରୀକୁ ଏକକ ମାନବ ସମ୍ବଳ ରୂପେ ତିଆରି କରିବାରେ ସେଠାକାର ଶିକ୍ଷା ବ୍ୟବସ୍ଥା ଯଥେଷ୍ଟ ସୁବିଧାସୁଯୋଗ ଦେଇଥାଏ। ଆମ ଦେଶରେ ମଧ୍ୟ ଏପରି ବ୍ୟବସ୍ଥାକୁ କ୍ରମଶଃ ବିକଶିତ କରାଇବାକୁ ହେବ। ତା’ହେଲେ ବର୍ତ୍ତମାନର ମହାମାରୀ ଭଳି ଦୁଃସ୍ଥିତିର ସାମ୍ନା କରିବାରେ ସମସ୍ୟା ହେବନାହିଁ। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ଆଶ୍ବାସନାର ବିଷୟ; ତେବେ ଅଧିକ ନମୁନା ପରୀକ୍ଷା ସହ ଟିକାକରଣକୁ ତ୍ବରାନ୍ବିତ କରାଯିବା ଆବଶ୍ୟକ। ଶିଶୁ-କିଶୋରଙ୍କ ଟିକାକରଣ ପାଇଁ ମଧ୍ୟ ଚିନ୍ତା କରିବାକୁ ହେବ। ଇତିମଧ୍ୟରେ ସିଙ୍ଗାପୁର ଓ ଆମେରିକା ୧୨ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କ ଟିକାକରଣ କେନ୍ଦ୍ର ସରକାରଙ୍କ ପ୍ରଧାନ ଦାୟିତ୍ବ।

Comments are closed.