ସେବା ନାଁରେ ବର୍ବରତା

ଇନ୍ଦ୍ରିୟ ସୁଖ କି ଇନ୍ଦ୍ରିୟ ତୁଷ୍ଟୀକରଣ ଓ ପୁଷ୍ଟୀକରଣ ଜୀବନ ବା ଜୀବନର ଲକ୍ଷ୍ୟ ନୁହଁ। ତା’ ତ ହେଲେ ମଣିଷ ଓ ଇତର ପ୍ରାଣୀ ଏକାକାର। ସେଇଥିପାଇଁ ତ ବାରମ୍ବାର କୁହାଯାଇଛି, ‘‘ଆହାର-ନିଦ୍ରା-ଭୟ-ମୈଥୁନଂ ଚ ସାମାନ୍ୟମେତତ୍‌ ପଶୁଭିର୍ନରାଣାଂ, ଧର୍ମୋ ହି ତେଷାମଧି‌କୋ ବିଶେ‌ଷୋ, ଧର୍ମେଣ ହୀନାଃ ପଶୁଭିଃ ସମାନାଃ।’’ ଏ ‘ଧର୍ମ’ ଭାବ କେବଳ ମଣିଷଠେଇ ରହିଛି। ସେଇଥିପାଇଁ ସେ ମଣିଷ, ପଶୁ ଠାରୁ ଭିନ୍ନ, ତଫାତ୍‌, ସ୍ବତନ୍ତ୍ର। ତେବେ ‘ଧର୍ମ’କୁ ବ୍ରାହ୍ମଣ, ଶୂଦ୍ର, ହିନ୍ଦୁ, ମୁସଲମାନ ବୁଝିଥିବା ଲୋକଗୁଡ଼ା ପଶୁଆଡ଼ିଆ ବରଂ ହୋଇଯାଆନ୍ତି। ହଣାମରାରେ ଏଥିପାଇଁ ବ୍ୟାପୃତ ରହନ୍ତି। ମାତ୍ର ‘ଧର୍ମ’ର ବ୍ୟାଖ୍ୟା କରିବାକୁ ଯାଇ କୁହାଯାଇଛି, ‘‘ସଂକ୍ଷେପାତ୍‌ କଥ୍ୟତେ ଧର୍ମଃ ଜନାଃ କିଂ ବିସ୍ତରେଣ ତୁ ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନମ୍‌।’’ ଅର୍ଥାତ୍‌ ଲମ୍ବେଇ ବଢ଼େଇ କହିଲେ ଲୋକେ ସେଥିରୁ କ’ଣ ବୁଝିବେ, ସାର ବା ସଂକ୍ଷିପ୍ତ ହେଲା, ଯେଉଁ କାମ ଦ୍ବାରା ପରର ଉପକାର ହେଲା ତା’ ଧର୍ମ ବା ପୁଣ୍ୟ ଏବଂ ଯେଉଁ କାମ ଦ୍ବାରା ଅପକାର ହେଲା ତା’ ପାପ ବା ଅଧର୍ମ। ଏଇଥିରୁ ତଉଲନ୍ତୁ ତମ କାମକୁ ଓ ତମକୁ। ଏଇଟା ଗୋଟେ ନୂଆ କଥା ତା ଆଦୌ ନୁହେଁ। କଥା, ଗାଥା, ଲଥା ଓ ତଉଲା ତଉଲି କାଳେ କାଳେ ରହିଛି। ମାତ୍ର ସୃଷ୍ଟି ଖେଳ ତା’ ବାଟରେ ଚାଲିଛି। ରାବଣଙ୍କ କାନ୍ଥ ବାଡ଼ରେ, ‘‘ସୀତା ହରଣ ରାବଣ ମରଣ’’ ସବୁକାଳେ ଶ୍ରୀ ନାରଦ ଲେଖିଥା’ନ୍ତି ଓ ରାବଣ ସୀତା ଚୋରି ତା’ ସତ୍ତ୍ବେ ବି କରି ଚାଲନ୍ତି। ରାମ ଅବତାରରେ ଷେଣ୍ଢ ପୂରାଇବା ବା ତାକୁ ଜମାଣିଆ କରିବାକୁ ନାରଦଙ୍କ ଏ ଖେଳ ଯେତେ କୌତୂହଳ, ଯେତେ ଭୟାନକ ହେଲେ ବି ୟେ ସୃଷ୍ଟି ଓ ମାୟାର ଖେଳ। ସେମିତି ଜୀବନକୁ ବୁଝିନଥିବା ଗୁଡ଼େ ପଣ୍ଡିତଙ୍କ ବୟାନ ଓ ବାଣୀ ଜୀବନକୁ ମରଣମୟ କରିଦିଏ।

ପ୍ରଧାନମନ୍ତ୍ରୀ ମୋଦିଜୀ କହିଲେ ଶିଶୁମାନଙ୍କ, ଛାତ୍ରମାନଙ୍କ ଜୀବନ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଦିନେ ଯାଇଛି କି ନାହିଁ ରାଜ୍ୟ ମୁଖ୍ୟମନ୍ତ୍ରୀ କହିଲେ ‘‘ଜୀବନ ଆଗ’’। ଏବେ ଦିହିଙ୍କ ଶାସନ ଦେଶରେ, ରାଜ୍ୟରେ ଚାଲିଛି। ‘ଜୀବନ’କୁ ଦିହେଁ ସମାନ ଭାବରେ ବୁଝିଲା ଭଳି ଲାଗେ। କୌଣସିମତେ ବଞ୍ଚିଯିବାକୁ ସେମାନେ ଜୀବନ ବୋଲି ବୁଝିଛନ୍ତି। ଏବେ ‘କରୋନା’ ମହାମାରୀରେ ଏ ମୁରବି ଓ ମୁଣ୍ଡିଆଳଙ୍କ କାର୍ଯ୍ୟର ସମୀକ୍ଷା କଲେ, ହୃଦୟ ବିଦାରି ହୋଇ ଯାଉଛି। ‘ଜୀବନ’ ମଧ୍ୟରୁ ମଣିଷପଣିଆକୁ କାଢ଼ିଦେଲେ, ସେ କ’ଣ ବା କୁ କାମକୁ ଲାଗିବ? ଅମଣିଷ ବଢ଼ି ଚାଲିଲେ, ସେ ଦିହେଁ ରହିବେ ତ? କରୋନା ବା କୋଭିଡ୍‌ ପ୍ରତିକାର ପାଇଁ ଏ ରାଜ୍ୟରେ ସରକାରୀ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଥିଲେ ଏମିତି ଅନ୍ତତଃ ହୁଅନ୍ତାନି। କରୋନା ରୋଗୀକୁ ତା’ ନିଜ ଲୋକ, ତା’ ସ୍ବାମୀ, ତା’ ସ୍ତ୍ରୀ, ତା’ ବାପ କି ତା’ ପୁଅ କେହି ସେବା ଜୀବନ୍ତରେ ତ ଏବେ ଦେଇ ପାରିବନି, ମରଣରେ ବି ନୁହଁ। ଚିକିତ୍ସାର ଦୁଇ ବିଭାବ, ସେବା ଓ ଶୁଶ୍ରୂଷା। ସେବା ଅର୍ଥ ତା’ ଶାରୀରିକ ଅସୁସ୍ଥିର ନିରାକରଣ ବ୍ୟବସ୍ଥା ଓ ଶୁଶ୍ରୂଷା ଅର୍ଥ ଶଯ୍ୟାଶାୟୀ ଅଶକ୍ତ ମଣିଷଟି କ’ଣ କହିବାକୁ ଚାହୁଁଛି ତାକୁ ଧୈର୍ଯ୍ୟର ସହ ଶୁଣିବା। ଚିକିତ୍ସକମାନେ ଏବେ ବି କହନ୍ତି ସେବାଠାରୁ ଶୁଶ୍ରୂଷା ଅଧିକ ଗୁରୁତ୍ବପୂର୍ଣ୍ଣ ଓ ରୋଗୀର ସୁସ୍ଥତା ପାଇଁ ଅଧିକ ଆବଶ୍ୟକ। କରୋନା ରୋଗୀଙ୍କ ପାଇଁ ଅଣାକର ଶୁଶ୍ରୂଷା ଦିଆଯାଇ ପାରୁଛି ତ? ସେଥିପାଇଁ ସରକାର ରୋଗୀପାଖେ ସହାୟକ ବା ସହାୟିକାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି। କୌଣସି ଚିକିତ୍ସାଳୟରେ ଆଜି ବି ସହାୟକ (ଆଟେଣ୍ଡାଣ୍ଟ) ବିନା ରୋଗୀକୁ ଗ୍ରହଣ କରାଯାଉନାହିଁ। ଏପରି କି ଅଜଣା, ଅସହାୟ (ଡେଷ୍ଟିଚ୍ୟୁଟ) ରୋଗୀ ପାଇଁ ସରକାର ଭଡ଼ା ସହାୟକର ବ୍ୟବସ୍ଥା କରିଛନ୍ତି ଓ ସେଥିପାଇଁ ସରକାରୀ ରାଜକୋଷରୁ ଅର୍ଥ ଦିଆଯାଏ।

ସତରେ, ଏପରି ବ୍ୟବସ୍ଥା ତ ମଣିଷପଣିଆର କଥା। ଡାକ୍ତରଖାନାରେ ଥିବା ସେବକ, ସେବିକା ଓ ଚିକିତ୍ସକ ଜଣେ ରୋଗୀର ଏ ସବୁ ଆବଶ୍ୟକତାକୁ ପୂରଣ କରି ପାରିବେନି। ତା’ ବି ସମ୍ଭବ ନୁହେଁ। ତେଣୁ ଏ ସେବକ ସେବିକା ବ୍ୟବସ୍ଥା। ମାତ୍ର ଏ ‘କରୋନା’ ରୋଗୀ ପାଇଁ ଏ ବ୍ୟବସ୍ଥା ଅଛି ତ? ସାରା ରାଜ୍ୟରେ ‘କରୋନା’ ବିଷୟରେ ଏକ ଭୟ ସୃଷ୍ଟି ଏ ସରକାର କରିଦେଉଛନ୍ତି। ବଞ୍ଚିବା ପାଇଁ ଜୀବନକୁ ବେପାରମୟ, ପଶୁତ୍ବ କରିଦେଉଛନ୍ତି। ଯେତେ ବିପଦ ହେଉ ପଛେ ସ୍ବାମୀ ସେବା କରିବାକୁ, ସ୍ତ୍ରୀ ସେବା କରିବାକୁ, ବାପ କି ପୁଅ ସେବା କରିବାକୁ କିଏ ଅମଙ୍ଗ ହେବ? ଇତରଙ୍କ କଥା ଛାଡ଼ନ୍ତୁ। ସେମାନେ ସବୁବେଳେ ସେଇଆ। ଯଦି ଜଣେ ନର୍ସ ବା ସେବିକା ‘କରୋନା’ ରୋଗୀକୁ ଦେଖାଚାହାଁ କରିପାରୁଛି, ତେବେ ତା’ ପାଖରେ ତା’ ରକ୍ତ ସମ୍ପର୍କୀୟକୁ ରଖିବାରେ ଅସୁବିଧା କାଇଁ, କ’ଣ? ଯଦି ରାଜକୋଷରୁ ଏ ବାବଦ ଖର୍ଚ୍ଚ ଅଧିକ ହୋଇଯାଉଛି, ତା’ ରୋଗୀର ଏ ସମ୍ପର୍କୀୟ ମଜୁରା କରିବେ। ମାତ୍ର ତାଙ୍କ ବିନା, ଅପରିଚିତ ଓ ବ୍ୟାବସାୟିକ ବିଧିରେ ବନ୍ଧା ଗୁଡ଼େ ଲୋକଙ୍କ ପାଖରେ ତା’ ଶେଷ ନିଶ୍ବାସ ଛାଡ଼ିବା, ତା’ ମନ କଥା କହିବା, ମନ ଲୋକଙ୍କୁ ଦେଖିବାରୁ ଏ ଚରମ ମୁହୂର୍ତ୍ତରେ ବଞ୍ଚିତ କରିବା କୋଉ ସେବା? ପଶୁଙ୍କର କୋଉ ଡାକ୍ତରଖାନା ଅଛି? ଯେ ଯେଉଁଠି ପଡ଼ି ମଲା। ବାର୍ଡ଼ ଫ୍ଲୁ ହେଲା ବୋଲି ଲକ୍ଷଲକ୍ଷ ନିରୀହ କୁକୁଡ଼ା, ଘୁଷୁରିଙ୍କୁ ଜୀବନ୍ତ ସମୂହ ହତ୍ୟା କରୁଥିବା

ଏ ମଣିଷର ନିଷ୍ଠୁରତା ନିଜ ଆଡ଼କୁ ଫେରି ଆସିଛି। କରୋନାକୁ ଛାଣିଦେଇ, ଅଲଗା କରି, ତାଙ୍କ ନିଜ ଲୋକଙ୍କଠାରୁ ପୂରା ଅଲଗା କରି ଯେପରି ଦାରୁଣ ମେଲାଣି ଦିଆଯାଉଛି ତା’ କ’ଣ ‘ଜୀବନ’ର କଥା କି ମଣିଷପଣିଆ? ତା’ ପରେ, ବାପା, ମା’, ଭାଇ, ଭଉଣୀ, ସ୍ବାମୀ, ସ୍ତ୍ରୀର ସେବା ନ କରି ତାକୁ ଅବାଞ୍ଛିତ ବସ୍ତୁଭାବେ ଜରି ଗୁଡ଼ାଇ ଯେମିତି ପୋଡ଼ା ଯାଉଛି, ସେଥିରେ ମଣିଷପଣିଆ କେତେ? ଆଉ ଏଭଳି ଜୀବନକୁ, ବ୍ୟବସ୍ଥାକୁ ଗ୍ରହଣ କରୁଥିବା ଜୀବଗୁଡ଼ା କ’ଣ ମଣିଷ ପଦବାଚ୍ୟ? ସ୍ବାମୀ ନ ଥିଲେ କି ଜୀବନ, ସ୍ତ୍ରୀ ନଥିଲେ କି ଘର ମ? ସେଇଥିପାଇଁ ତ ସ୍ତ୍ରୀ ଅଳି କରୁଥିଲା, ‘‘ନିଅ ସଙ୍ଗେ ମତେ ରଣ ଭୂମେ ପ୍ରିୟ, ନ ରହିବି ବାସେ ପତି ବରଜି, ଯେତେଥର ଧନୁ ବଙ୍କାଇବ ତମେ, ତେତେଥର ଶର ଦେବି ମୁଁ ଖଞ୍ଜି।’’ ରାଜଉଆସ ଛାଡ଼ି, ଜୀବନକୁ ବାଜି ଲଗେଇ ସୀତା ଅଳିକଲେ, ବାଧ୍ୟ କଲେ ରାମଙ୍କୁ ତାଙ୍କ ସହ ବନବାସ ନେବାକୁ। ଲୁହ ଛଳଛଳ ଆଖିରେ କହିଲେ, ‘‘କଥଂ ମାମିଚ୍ଛତେ ତ୍ୟକତୁଙ୍ଗ ଧର୍ମପତ୍ନୀ ପତିବ୍ରତାମ୍‌।’’ ରାମ ବି ସୀତା ବିନା କୋଉ ବନବାସୀ ହୋଇପାରିଲେ? ଇୟେ ହେଲା ଜୀବନର କଥା ଗାଥା। ମା’ଠୁ କ୍ଷୀର ଖାଇ ଖାଇ ଡେଣା ଲାଗିଲେ ଫୁର୍‌ ହୋଇ ଆଉ ଦିନେ ମା’ ପାଖକୁ ନ ଫେରିବା ଭାବ, ଇତର ଜୀବର, ମଣିଷର ନୁହଁ।

କରୋନା ରୋଗୀଙ୍କ ମରଣ କଥାରୁ ଏ ସମାଜରେ ପଶୁପଣିଆ କେତେ ବଢ଼ିଯାଇଛି, ତା’ ଜଣାପଡ଼େ। କଟକ ସତୀଚଉରାକୁ ଜିଲାପାଳ, କଟକ ମ୍ୟୁନିସିପାଲିଟି କମିସନର, କର୍ମକର୍ତ୍ତା ବା ଜନସେବକ ଅଧ୍ୟକ୍ଷ କେବେ ଥରେ ବି ଆଖି ପକେଇବାକୁ ଯାଇଛନ୍ତି? ଜରି କାଗଜରେ ଏ ମୁଣ୍ଡରୁ ସେ ମୁଣ୍ଡ ଗୁଡ଼ା ବର୍ଜ୍ୟବସ୍ତୁ ପରି ମଣିଷକୁ ଏ ଶ୍ମଶାନକୁ ପେଲି ଦିଆଯାଏ। ରାତି ଏଗାର ପରେ ମରିଥିବା ମଣିଷ ତା’ ପର ବାରଟା ପୂର୍ବରୁ ପୋଡ଼ାଯାଇ ପାରିବନି। ଏ ଜୁଇ କାମ ଜଣେ ସମାଜସେବୀ ସଂସ୍ଥା କୁଆଡ଼େ ନିଲାମରେ ନେଇଛନ୍ତି। ସେଠି ଅସ୍ଥିଖଣ୍ଡେ ପାଇଁ, ଘିଅ ଟିକିଏ ଢାଳି ଦେବାପାଇଁ ଅଶ୍ରୁପ୍ଳାବିତ ଆପଣା ଲୋକଙ୍କ ଆକୁଳତାକୁ ପଶୁପ୍ରାୟ କିପରି କିଣାବିକା ହୁଏ ତା’ ବିଶ୍ବାସ କରିହୁଏ ନାହିଁ। ଲୁହା ଫାଟକରେ ଟିଣ ଚାଦର ବି ଢଙ୍କାଯାଇଛି। କାରଣ ରାସ୍ତା ଉପରେ ଠିଆ ହୋଇ ଏ ଜୀବନର, ଏ ପ୍ରିୟ ଲୋକଟିର ଅନ୍ତିମ ପ୍ରାଣବିଦରା ମେଲାଣି ଦେଖିଲେ ବି ଏମାନେ କୁଆଡ଼େ କରୋନା ପ୍ରସାରି ଦେବେ? ଫାଟକବାଲାକୁ କିଛି ଦେଇଦେଲେ, ଫାଙ୍କ ସୃଷ୍ଟି ତ ହୋଇଯିବ? ଜଣେ ହୃଦୟବାନ, ସମର୍ପିତ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟିକୁ ବଡ଼ ବିକଳ ହୋଇ ଏ କଥା ଅଣାଗଲା। ସେ ଦିଇଟା ଅନ୍ୟ ଠିକଣା ବତେଇ ଦେଲେ।

ଏମିତି ମହାମାରୀ ଯେ ନ ଥିଲା ତା’ ନୁହେଁ, ମାତ୍ର ମଣିଷ କୋଉଠି ବି ନିଜ ଲୋକକୁ ଏମିତି ହୀନିମାନ କରି ନ ଥିଲା କି କୋଉ ମୁରବି, ସରକାର ବା ରଜା ତାକୁ ଏମିତି ହୀନିମାନ କରାଇ ନ ଥିଲେ। ଦି’ଶ ତିନି ବର୍ଷ ତଳର କଥା। ସେମିତି ଏକ ମହାମାରୀ ପଡ଼ିଥାଏ। କବି ମିର୍ଜା ଗାଲିବ ତ ବଡ଼ ବେପରୁୱା ଲୋକ। ନିର୍ବିକାର ମଣିଷଙ୍କ ସହ ମିଶୁଥା’ନ୍ତି। ସ୍ତ୍ରୀଙ୍କ ଆକଟକୁ ଶୁଣୁ ନ ଥାନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ଏ ଆକଟର ଉତ୍ତର ଦେଇ ଲେଖିଲେ,

‘‘ରହିଏ ଅବ ଐସି ଜଗହ, ଚଲକର ଜହାଁ କୋଇ ନ ହୋ,
ହମ-ସୁଖନ କୋଇ ନ ହୋ ଔର ହମ-ଜବାଁ କୋଇ ନ ହୋ।
xxx ପଡ଼ିଏ ଗର ବିମାର ତୋ କୋଇ ନ ହୋ ତିମାରଦାର,
ଔର ଅଗର ମର ଜାଏଁ ତୋ ନୌହାଖ୍ବାଁ କୋଇ ନ ହୋ।’’

‘‘ଯାଉଛୁ ଏମିତି ଜାଗାକୁ ବନ୍ଧୁ, ନାହାନ୍ତି ସେଠାରେ କେହି,
ସୋହାଗର ଭାଷା, ଭଲମନ୍ଦ ଗାଥା, ସେଠାରେ ମିଳିବ ନାହିଁ।
xxx ଏ ରୋଗବ୍ୟାଧିର ଯତ୍ନ ନେବାକୁ, ନ ଥିବେ ଆତ୍ମୀୟ ଜଣେ,
ମରିଯାଅ ଯଦି ବିଷାଦ ଗୀତିକା, ଝରିବନି କାହା ପ୍ରାଣେ।’’

Comments are closed.