ମନୁଷ୍ୟକୃତ ମହାମାରୀ?

କୋଭିଡ୍‌-୧୯ ଭୂତାଣୁ ପ୍ରାକୃତିକ ନା କୃତ୍ରିମ, ସେହି ରହସ୍ୟ ଉନ୍ମୋଚନ ହେବା ଅତି ଜରୁରୀ

କୋଭିଡ଼-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ରହସ୍ୟ ଅଧିକ ଘନୀଭୂତ ହେଉଛି। ଦେଢ଼ବର୍ଷ ପରେ ମଧ୍ୟ ବିଶ୍ବର ବୈଜ୍ଞାନିକମାନେ ଏହାର ଠିକଣା ଠାବ କରିବାକୁ ଚେଷ୍ଟା କରି ଏ ପର୍ଯ୍ୟନ୍ତ ସଫଳତା ପାଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ଯାହା ବି କୁହାଯାଇଆସିଛି, ତାହା କେବଳ ଆନୁମାନିକ। ତେବେ ଏହା ଚୀନର ଉହାନରେ ସର୍ବପ୍ରଥମେ ସଂକ୍ରମଣ ବ୍ୟାପିଥିବାରୁ ଏହାର ଉତ୍ପତ୍ତିସ୍ଥଳ ମଧ୍ୟ ସେଇ ସ୍ଥାନ ବୋଲି କୁହାଯିବା ଯଥାର୍ଥ ହୋଇପାରେ। ତେବେ କେତେକ ଗବେଷକ ଇତିମଧ୍ୟରେ ସେଠାକାର ଭୂତାଣୁ ଗବେଷଣାଗାରରେ କୋଭିଡ଼ ୧୯ ଭୂତାଣୁକୁ ଜୈବାସ୍ତ୍ର ଭାବେ ବିକଶିତ କରାଯାଇଥିବା ଦାବି କରିବା ପରେ ସମଗ୍ର ବିଶ୍ବରେ ଏହାକୁ ନେଇ ତର୍କବିତର୍କ ହୋଇଆସିଛି। ନିକଟରେ ଆମେରିକାର କେତେଜଣ ବିଶେଷଜ୍ଞ କୋଭିଡ଼ ୧୯ର ମୂଳକୁ ନଜାଣିଲେ ଭବିଷ୍ୟତରେ କୋଭିଡ଼-୨୬ ଓ କୋଭିଡ-୩୨ ଭଳି ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଶଙ୍କା ପ୍ରକାଶ କରିବା ସାରା ପୃଥିବୀରେ ଉଦ୍‌ବେଗ ପ୍ରକାଶ ପାଇବା ସ୍ବାଭାବିକ। ବର୍ତ୍ତମାନ ଚୀନର ଉହାନ ଗବେଷଣାଗାରରୁ ସାର୍ସ-କୋଭ୍‌-୨ ଭୂତାଣୁ ବାହାରିଥିବା ସୂତ୍ର ପ୍ରତି ସମର୍ଥନ ବଢ଼ୁଥିବା ଏବଂ ଏହାକୁ ଭୁଲ୍‌ ପ୍ରମାଣିତ କରିବାପାଇଁ ଚୀନ ପକ୍ଷରୁ ଯଥେଷ୍ଟ ତଥ୍ୟ ଯୋଗାଇ ଦିଆଯାଇନଥିବା ଆମେରିକାର ବିଶେଷଜ୍ଞ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରିକୀୟ ଗୁଇନ୍ଦା ସଂସ୍ଥାକୁ ଭୂତାଣୁର ମୂଳ ଖୋଜି ୯୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ସର୍ବଦା ତଥ୍ୟ ଲୁଚାଇ ଆସିଥିବା ଚୀନରେ କୋଭିଡ଼ ଉତ୍ପତ୍ତିର ରହସ୍ୟ ଉଦ୍‌ଘାଟନ ନିଶ୍ଚିତଭାବେ ସହଜ କଥା ନୁହେଁ। ଉହାନରେ ମହାମାରୀ ଆରମ୍ଭ ହେବା ପୂର୍ବରୁ ୨୦୧୯ ନଭେମ୍ବରରେ ‘ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି’ର ୩ଜଣ ଗବେଷକ ରୋଗଗ୍ରସ୍ତ ହୋଇଥିଲେ ଓ ସେମାନଙ୍କ ନିକଟରେ କୋଭିଡ-୧୯ ଲକ୍ଷଣ ରହିଥିବା କୁହାଯାଇଥିଲା। ଏହି ସଂସ୍ଥା ଉପରେ ଅନ୍ୟ ଦେଶର ବୈଜ୍ଞାନିକଙ୍କ ଦୃଷ୍ଟି ସବୁବେଳେ ରହିଥାଏ, କାରଣ ସେଠାରେ ପୂର୍ବରୁ ସାର୍ସ ଭୂତାଣୁ ଓ ଅନ୍ୟ ଜୀବାଣୁଗୁଡ଼ିକୁ ନେଇ ନିରନ୍ତର ଗବେଷଣା ଚାଲିଥିବା ଜଣାପଡ଼ିଥିଲା। ସେଠାକାର ଶୀର୍ଷ ବୈଜ୍ଞାନିକ ଶିଜେଙ୍ଗ୍‌ଲୀ ଆମେରିକାରେ କୃତ୍ରିମ ଭୂତାଣୁ ତିଆରିର ଶିକ୍ଷାଗ୍ରହଣ କରିଥିବା କୁହାଯାଉଛି। ଶି’ଙ୍କ ନେତୃତ୍ବରେ ହିଁ ୟୁନ୍ନାନ ଅଞ୍ଚଳର ଏକ ଖଣିରୁ ବାଦୁଡ଼ିମାନଙ୍କୁ ଅଣାଯାଇଥିଲା, ଯେଉଁଠି କରୋନା ପ୍ରଜାତିର ଭୂତାଣୁ ଆବିଷ୍କାର କରାଯାଇଥିଲା। ୨୦୧୨ ମସିହାରେ ସେଠାକାର ୬ ଜଣ ଶ୍ରମିକ ହଠାତ୍‌ ବେମାର ପଡ଼ିଥିଲେ। ପରେ ଶି’ ମାନିଥିଲେ ଯେ ତାଙ୍କ ଗବେଷଣାଗାରରେ କରୋନା ପ୍ରଜାତିର ଭୂତାଣୁର ପ୍ରୟୋଗ ହେଉଥିଲା। ସେ ଦାବି କରିଥିଲେ ଯେ ଏପରି ପ୍ରୟୋଗ ଭବିଷ୍ୟତର ମହାମାରୀ ସମ୍ପର୍କରେ ଜାଣିବା ପାଇଁ କରାଯାଇଥିଲା। ବିଶ୍ବର ଅନ୍ୟ କେତେକ ବୈଜ୍ଞାନିକ ଏପରି ପ୍ରୟୋଗକୁ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିନାହାନ୍ତି, ତେବେ ସେମାନେ ଗବେଷଣାଗାରରୁ ଉକ୍ତ ଭୂତାଣୁ ବାହାରକୁ କିପରି ଆସିଲା, ତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଚୀନ ଗବେଷଣାଗାରରୁ ଏହା ବାହାରକୁ ଆସିବା କଥା ଏ ପର୍ଯ୍ୟନ୍ତ ସ୍ବୀକାର କରୁନାହିଁ ଏବଂ ଯାଞ୍ଚ କରିବାକୁ ମଧ୍ୟ ଦେଉନାହିଁ। ଚଳିତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଯେଉଁ ତଦନ୍ତକାରୀ ଦଳ ଯାଇଥିଲା, ସେମାନଙ୍କୁ ମଧ୍ୟ ଗବେଷଣାଗାରର ସଂପୂର୍ଣ୍ଣ ବିବରଣୀ ଚୀନ ଦେଖାଇନଥିଲା। ଅନ୍ୟପକ୍ଷରେ ଡବ୍ଲ୍ୟୁଏଚ୍‌ଓର ଦଳ କୃତ୍ରିକ ଭୂତାଣୁ ତିଆରି କଥାକୁ ଖାରଜ କରିଦେଇଥିଲେ। ଚୀନ କଥାରେ ଡବ୍ଲ୍ୟୁଏଚ୍‌ଓ ଏପରି କହିଥିବା ଆଲୋଚନା ଏ ପର୍ଯ୍ୟନ୍ତ ଥମିନାହିଁ। ଇତିମଧ୍ୟରେ ବ୍ରିଟେନ୍ ଓ ନର୍‌ୱେର କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ଉହାନ ଗବେଷଣାଗାରରେ ଏହାଠୁ ବି ଅଧିକ ବିପଜ୍ଜନକ ଜିନିଷ ରହିଛି ଏବଂ ସେଠାରେ ହିଁ କୃତ୍ରିମ କରୋନା ଭୂତାଣୁ ତିଆରି ହୋଇଛି। ସେମାନଙ୍କ ଅନୁଯାୟୀ ‘ରେଟ୍ରୋ ଜେନେଟିକ୍‌ ଇଂଜିନିୟରିଂ’ ଦ୍ବାରା ସେଗୁଡ଼ିକୁ ପ୍ରାକୃତିକ ରୂପ ଦେବାକୁ ଚେଷ୍ଟା କରାଯାଇଥିଲା, ଯେପରିକି କେହି ସନ୍ଦେହ କରିପାରିବେ ନାହିଁ। ତେବେ ଚୀନ ଏପରି କରିବ କାହିଁକି, ତାହା ଏକ ବଡ଼ ପ୍ରଶ୍ନ। ଏହା ପଛର କାରଣ ବି ଅବଶ୍ୟ କମ୍‌ ନାହିଁ।

ଏହା ଜଣାଶୁଣା କଥା ଯେ ବିଶ୍ବର ସବୁଠୁ ବଡ଼ ଆର୍ଥିକ ଶକ୍ତି ଭାବେ ଆମେରିକାକୁ ପଛରେ ପକାଇଦେବ ବୋଲି ଚୀନ ଆଶା ରଖିଛି ଓ ଏନେଇ ଉଭୟଙ୍କ ଭିତରେ ସଂଘର୍ଷ ଚାଲିଛି। କେବଳ ଆମେରିକା କି ୟୁରୋପ ନୁହେଁ, ଚୀନ ଅନ୍ୟାନ୍ୟ ଦେଶ ଉପରେ ମଧ୍ୟ ଆର୍ଥିକ ଆଧିପତ୍ୟ ଦେଖାଇବାକୁ ଚାହୁଁଛି। କୋଭିଡ଼-୧୯ର ପ୍ରକୋପ ଇତିମଧ୍ୟରେ ବିଶ୍ବର ବହୁ ଦେଶର ଅର୍ଥବ୍ୟବସ୍ଥାକୁ ଛିନ୍‌ଛତ୍ର କରିଦେଇଛି। ଆଶ୍ଚର୍ଯ୍ୟର କଥା ଯେ ଚୀନର ସେପରି କିଛି କ୍ଷତି ହୋଇନାହିଁ ଏବଂ ତା’ର ଅଭିବୃଦ୍ଧି ସବୁ ଦେଶଠାରୁ ଆଗରେ ରହିଛି। ତାକୁ ସନ୍ଦେହ ଚକ୍ଷୁରେ ଦେଖାଯିବାର ଏହା ମଧ୍ୟ ଏକ ପ୍ରମୁଖ କାରଣ। ସେ ଯାହାହେଉ, କୋଭିଡ଼-୧୯ ଭୂତାଣୁର ରହସ୍ୟ ଉନ୍ମୋଚନ ଏ ସୃଷ୍ଟିର ରହସ୍ୟ ଉନ୍ମୋଚନ ଭଳି ଅନ୍ତହୀନ କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ଏହା କରିବାକୁ ହେଲେ ପ୍ରଥମେ ଅସୁମାରୀ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାର ଉତ୍ତର ପାଇବା କାଠିକର ପାଠ। ତଥାପି ଏହି ରହସ୍ୟର ଉନ୍ମୋଚନ ପ୍ରୟାସ ଜରୁରୀ; କାରଣ ଏଥିସହ ସମଗ୍ର ମଣିଷ ସମାଜର ଭବିଷ୍ୟତ ଜଡ଼ିତ। ଏହା ମନୁଷ୍ୟକୃତ ମହାମାରୀ ନା ପ୍ରାକୃତିକ, ତାହା ଏବେ ନହେଲେ ମଧ୍ୟ ଭବିଷ୍ୟତରେ ଜଣାପଡ଼ିବ ବୋଲି ଆଶା କରିବା। ତେବେ ଚୀନ ସତ୍ୟ କ’ଣ ତାହା ବିଶ୍ବସମୁଦାୟ ଆଗରେ ପ୍ରକାଶ କରିଦେବା ଉଚିତ।

Comments are closed.