ଅବାସ୍ତବ ପ୍ରସ୍ତାବ

ଭିତ୍ତିଭୂମି ଅଭାବ ଏବଂ ଜନସାଧାରଣଙ୍କ ଆର୍ଥିକ ଦୁଃସ୍ଥିତିକୁ ଦେଖିଲେ ୟୁଜିସିର ପ୍ରସ୍ତାବ ବାସ୍ତବତାଠୁ ବହୁ ଦୂରରେ

ମହାମାରୀ କାଳରେ ସମଗ୍ର ବିଶ୍ବରେ ଯାହା ଦୀର୍ଘକାଳ ଧରି ଗୁରୁତର ପ୍ରଭାବିତ ହୋଇଛି, ତାହା ହେଉଛି ଶିକ୍ଷା। ପ୍ରାଥମିକଠୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ, ସମସ୍ତ ପ୍ରକାରର ଶୈକ୍ଷିକ ଅନୁଷ୍ଠାନରେ ତାଲା ପଡ଼ିଛି। କେବଳ ପଢ଼ାପଢ଼ି ନୁହେଁ; ପରୀକ୍ଷା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ବୋର୍ଡର ଦ୍ବାଦଶ ପରୀକ୍ଷା ନେଇ ସରକାର ନିଷ୍ପତ୍ତି ନେଇପାରୁନାହାନ୍ତି। ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ବୋର୍ଡ ପରୀକ୍ଷା, ବିଶେଷତଃ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ଏସବୁକୁ ପାରମ୍ପରିକ ପଦ୍ଧତିରେ ଦେଇନପାରିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବା ନିଶ୍ଚିତ। ତେଣୁ ସରକାର ଏ ନେଇ ସୁଚିନ୍ତିତ ଭାବେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। କୋଭିଡ୍‌ ସମୟରେ ଅନନ୍ୟୋପାୟ ହୋଇ ସମସ୍ତ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍ ଶିକ୍ଷାଦାନକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। ସରକାର ମଧ୍ୟ ଏଥିପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି; କିନ୍ତୁ ସମଗ୍ର ଦେଶରେ ଏହା ଏ ପର୍ଯ୍ୟନ୍ତ ଆଶାନୁରୂପ ସଫଳତା ହାସଲ କରିଥିବା ଦେଖାଯାଇନାହିଁ। ଏହା କେବଳ ସହରାଞ୍ଚଳ ଏବଂ ସ୍ବଚ୍ଛଳ ପରିବାରର ପିଲାଙ୍କ ପାଇଁ ହୁଏତ କିଛିଟା ଆଶ୍ବସ୍ତି ଆଣିଦେଇଛି; ଗ୍ରାମାଞ୍ଚଳ ଓ ଗରିବ ଘର ପିଲାଏ ଅନ୍‌ଲାଇନ୍‌ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅନ୍‌ଲାଇନ୍‌ ପାଠପଢ଼ା ଆଦୌ ଉତ୍ସାହଜନକ ନୁହେଁ। ପ୍ରକୃତରେ ଗତବର୍ଷ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସେମାନଙ୍କ ଅଣପ୍ରଯୁକ୍ତିଗତ ପାଠ୍ୟକ୍ରମର ୪୦ ଶତାଂଶ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ନିର୍ଦେଶ ଦେଇଥିଲେ। ଅବଶ୍ୟ ଏ କ୍ଷେତ୍ରରେ ଅନ୍‌ଲାଇନ୍ ଶିକ୍ଷାଦାନ ଚିନ୍ତା ନୂଆ ନୁହେଁ। ୨୦୧୭ରେ ହିଁ ୟୁଜିସି ଦ୍ବାରା ୨୦ ଶତାଂଶ ପାଠ୍ୟକ୍ରମ ଅନ୍‌ଲାଇନ୍‌ରେ ପଢ଼ାଇବାକୁ କୁହାଯାଇଥିଲା। ତେବେ ଏବେ ୮୦ ଶତାଂଶ ଅଣପ୍ରଯୁକ୍ତିଗତ ପାଠ୍ୟକ୍ରମକୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ପ୍ରସ୍ତାବ ଦିଆଯାଇଛି; ଯାହାକୁ ନେଇ ଭ୍ରୂକୁଞ୍ଚନ ସୃଷ୍ଟି ହେବା ସ୍ବାଭାବିକ।

ଆମ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଓ ପ୍ରଯୁକ୍ତିଗତ ସୁବିଧାସୁଯୋଗକୁ ଦେଖିଲେ ୟୁଜିସିର ଏହି ପ୍ରସ୍ତାବ ଯେ ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିବ, ସେ ନେଇ ଘୋର ସଂଶୟ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଶ୍ରେଣୀକକ୍ଷରେ ଶିକ୍ଷାଦାନ ସତ୍ତ୍ବେ ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣରେ ସେଭଳି ଆଗୁଁସାର ହୋଇପାରୁ ନଥିବାବେଳେ ଅନ୍‌ଲାଇନ୍‌ରେ ସେମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ଏବଂ ସେମାନେ ତାକୁ ଗ୍ରହଣ କରିପାରିବେ, ତାହା ଏକ ବଡ଼ ପ୍ରଶ୍ନ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଅନ୍‌ଲାଇନ୍‌ ଶିକ୍ଷା ସମ୍ପର୍କରେ ଯେତିକି ବି ଅନୁଧ୍ୟାନ କରାଯାଇଛି, ତା’ର ନିରୁତ୍ସାହଜନକ ନିଷ୍କର୍ଷ ଆସିଛି। ଏହା ସତ୍ତ୍ବେ ସରକାର କାହିଁକି ଏପରି ପ୍ରସ୍ତାବ ଆଣିଛନ୍ତି, ତାହା ଅନେକ ସନ୍ଦେହକୁ ଜନ୍ମ ଦେଇଛି। ସରକାର ଉଚ୍ଚଶିକ୍ଷାର ଖର୍ଚ୍ଚକାଟ ପାଇଁ ଏଭଳି ଏକ ଚିନ୍ତା କରିନାହାନ୍ତି ତ ବୋଲି କେତେକ ସଂଶୟ ପ୍ରକଟ କରିଛନ୍ତି। ଏହା ଅଯଥାର୍ଥ ମଧ୍ୟ ମନେହେଉ ନାହିଁ, କାରଣ ଆମ ଦେଶର ସରକାର ଶିକ୍ଷାକୁ କେବଳ କାଗଜପତ୍ରରେ ମହତ୍ତ୍ବପୂର୍ଣ୍ଣ ବୋଲି ଦର୍ଶାଇ ବିଭିନ୍ନ ପ୍ରକାରର ନୂଆ ନୀତି ଓ ଯୋଜନା ଘୋଷଣା କରନ୍ତି ସିନା, ତା’ର କାର୍ଯ୍ୟକାରିତା ସମ୍ପର୍କରେ ଅଳ୍ପ ହିଁ ଚିନ୍ତା କରନ୍ତି। ସରକାର ପ୍ରତିବର୍ଷ ଉଚ୍ଚଶିକ୍ଷା ପାଇଁ ବଜେଟ୍‌ରେ ଯେଉଁ ଅର୍ଥ ବ୍ୟବସ୍ଥା କରନ୍ତି, ତାକୁ ଦେଖିଲେ ଏହାର ସତ୍ୟତା ଯେ କେହି ଉପଲବ୍ଧି କରିପାରିବ। ଗତବର୍ଷ କେନ୍ଦ୍ର ବଜେଟ୍‌ରେ ପୂର୍ବବର୍ଷଠାରୁ ପ୍ରାୟ ୧ ହଜାର କୋଟି ଟଙ୍କା ହ୍ରାସ କରିଦିଆଯାଇଥିଲା। ଏହା ହିଁ ସରକାରଙ୍କ ପ୍ରାଧାନ୍ୟ ସମ୍ପର୍କରେ ଜଣାଇ ଦିଏ।

ଜାତୀୟ ଶିକ୍ଷା ନୀତି ୨୦୨୦କୁ ନେଇ ଇତିମଧ୍ୟରେ ଖୁବ୍‌ ଆଲୋଚନା ପର୍ଯ୍ୟାଲୋଚନା ହୋଇସାରିଛି। ଏଥିରେ ଅନ୍‌ଲାଇନ୍ ଶିକ୍ଷାକୁ ନେଇ ଯେଉଁ ଦୃଷ୍ଟିକୋଣ ରଖାଯାଇଛି, ତାହା ବାସ୍ତବତାଠାରୁ ବହୁତ ଦୂରରେ ପରି ମନେହୁଏ। ବର୍ତ୍ତମାନ ସୁଦ୍ଧା ଦେଶର ବଡ଼ବଡ଼ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ସବୁ ପିଲାଙ୍କ ପାଖରେ ମଧ୍ୟ ଅନ୍‌ଲାଇନ୍ ଶିକ୍ଷା ପାଇଁ ଜରୁରୀ ସାଧନ କମ୍ପ୍ୟୁଟର, ସ୍ମାର୍ଟଫୋନ୍, ଦ୍ରୁତବେଗସଂପନ୍ନ ଇଣ୍ଟରନେଟ୍‌ ଆଦି ନାହିଁ। ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ଏପରି ଭିତ୍ତିଭୂମିର ଅଭାବ ରହିଛି। ଗତ ଦେଢ଼ବର୍ଷ ଭିତରେ ପିଲାଙ୍କ ଅନ୍‌ଲାଇନ୍‌ ଶିକ୍ଷା ଏକ ବଡ଼ ଡିଜିଟାଲ୍‌ ବିଭାଜନକୁ ମଧ୍ୟ ଚିହ୍ନାଇ ଦେଇଛି, ଯାହାର ସମାଧାନ କରିବା ସରକାରଙ୍କ କର୍ତ୍ତବ୍ୟ; କିନ୍ତୁ ଏ ପର୍ଯ୍ୟନ୍ତ ସେ କ୍ଷେତ୍ରରେ ଆଦୌ ଧ୍ୟାନ ଦିଆଯାଇ ନାହିଁ। ଶ୍ରେଣୀକକ୍ଷ ଶିକ୍ଷା ଯେ ସର୍ବତୋଭାବେ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ, ତାହା ବୁଝାଇବା ଅନାବଶ୍ୟକ। ଶ୍ରେଣୀକକ୍ଷରେ ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ସମାଲୋଚନାତ୍ମକ ଚିନ୍ତାଚେତନା ଓ ସ୍ବାଧୀନ ଦୃଷ୍ଟିକୋଣର ବିକାଶ ହୁଏ, ତାହା ଅନ୍‌ଲାଇନ୍ ଶିକ୍ଷାବ୍ୟବସ୍ଥାରେ ଆଦୌ ସମ୍ଭବ ନୁହେଁ। ବର୍ତ୍ତମାନର ସରକାର ସମ୍ଭବତଃ ତାହା ହେଉ ବୋଲି ଚାହାନ୍ତି ନାହିଁ। ମନେରଖିବା ଆବଶ୍ୟକ ଯେ ଅନ୍‌ଲାଇନ୍ ଶିକ୍ଷା ଶ୍ରେଣୀକକ୍ଷ ଶିକ୍ଷାର କେବଳ ସହାୟକ ଭୂମିକା ତୁଲାଇପାରିବ, ତା’ର ବିକଳ୍ପ ହୋଇପାରିବ ନାହିଁ। ସରକାର ଏ ସମ୍ପର୍କରେ ଭଲଭାବେ ବିଚାରବିମର୍ଶ କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.