ଦାରିଦ୍ର୍ୟ ଦୂର ପାଇଁ ନୂଆ ଯୋଜନା ହେଉ

ସହରାଞ୍ଚଳ ଗରିବଙ୍କ ପ୍ରତି ମଧ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ

କରୋନା ମହାମାରୀରୁୁ ବର୍ତ୍ତିବା ପାଇଁ ଦେଶର ବୈଜ୍ଞାନିକମାନେ ନିଜସ୍ବ ଟିକା ଉଦ୍ଭାବନ କରିଛନ୍ତି। ଭାରତବାସୀଙ୍କ ପାଇଁ ଏହା ଖୁସିର ଖବର। ଆମର ଡାକ୍ତର ଓ ବୈଜ୍ଞାନିକମାନେ ଅନ୍ୟମାନଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣିତ କରିପାରିଛନ୍ତି। ଏହି ଟିକା ନେଇ କରୋନା ପରି ମହାମାରୀକୁ ଆମେ ପ୍ରାୟତଃ ବଶୀଭୂତ କରିପାରିବା। ତେବେ କରୋନା ସମୟରେ ସୃଷ୍ଟି ହୋଇଥିବା ଲକ୍ଷାଧିକ ବେକାରୀ ଓ ଗରିବଙ୍କ ସମସ୍ୟା ଆମେ ସମାଧାନ କରିପାରିଛନ୍ତି କି? ସରକାର ଏବେ ଟିକାକରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। କରୋନା କାଳରେ ଗରିବଙ୍କ ସଂଖ୍ୟା ବୃଦ୍ଧି ଆମ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ କିପରି ଦେଶ ମୁକୁଳିବ ସେ ନେଇ ସରକାର ଉପଯୁକ୍ତ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ୁ ନାହିଁ। ସଂକ୍ରମଣ ଯେତେ ବ୍ୟାପିବାରେ ଲାଗିଛି ଦାରିଦ୍ର୍ୟ ଓ ବେ​‌େ​‌ରାଜଗାରଙ୍କ ସଂଖ୍ୟା ସେତେ ବୃଦ୍ଧି ପାଇବାରେ ଲାଗିଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ସ୍ବାଧୀନତା ପରଠାରୁ ଭିନ୍ନଭିନ୍ନ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି ଆସିଛନ୍ତି। କ୍ଷମତାରେ ଯେଉଁ ସରକାର ରହିଛନ୍ତି ସମସ୍ତେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ା ଫଳତଃ ବର୍ଷକୁ ବର୍ଷ ଦେଶରୁ ଦରିଦ୍ରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ତେବେ କରୋନା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ପୁନଃ ଦେଶରେ ଗରିବ ଓ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ବିଗତ ବର୍ଷଗୁଡ଼ିକରେ ଯେତେ ସଂଖ୍ୟକ ଜନସାଧାରଣ ଦାରିଦ୍ର୍ୟରୁ ମୁକ୍ତି ପାଇଥିଲେ କରୋନା ମହାମାରୀ ସମୟରେ ତା’ଠାରୁ ଅଧିକ ଲୋକ ଗରିବ ପାଲଟିଛନ୍ତି। ଏହି ମହାମାରୀ ଯୋଗୁଁ ଦେଶର ୩୦ ପ୍ରତିଶତ ମଧ୍ୟବିତ୍ତ ପରିବାର ଗରିବ ହୋଇଯାଇଛନ୍ତି। ସେମାନଙ୍କୁ ମିଶାଇଲେ ମହାମାରୀ ଯୋଗୁଁ ମୋଟ ୭.୫ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି। ଭାରତରେ ଗରିବଙ୍କ ସଂଖ୍ୟା ବୃଦ୍ଧି ଉପରେ ପିଉ ନାମକ ଏକ ସଂସ୍ଥା ଗବେଷଣା କରିଥିଲା। ତାଲାବନ୍ଦ ଯୋଗୁଁ ଏପରି ସମସ୍ୟା ଦେଖା ଦେଇଥିବା ଉକ୍ତ ସଂସ୍ଥା ପ୍ରକାଶ କରିଛି। ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ଓ ଜନସାଧାରଣ ନିଯୁକ୍ତି ହରାଇବା ଭାରତର ଅର୍ଥନୀତିକୁ ମନ୍ଥର କରିଛି। ଦେଶର ଦାରିଦ୍ର୍ୟ ହାର ୨୦୨୦ରେ ୯.୭ ପ୍ରତିଶତ ବୃଦ୍ଧି ପାଇଥିବା ଏହି ସଂସ୍ଥା ମତ ଦେଇଛି। ୨୦୧୧ରୁ ୨୦୧୯ ମଧ୍ୟରେ ଗରିବଙ୍କ ସଂଖ୍ୟା ୩୪୦ ନିୟୁତରୁ ହ୍ରାସ ପାଇ ୭୮ ନିୟୁତରେ ପହଞ୍ଚି ଥିଲା। ପୁନଃ ଏଥିରେ ହ୍ରାସ ଘଟି ୨୦୨୦ ଆରମ୍ଭ ସୁଦ୍ଧା ୫୯ ନିୟୁତରେ ପହଞ୍ଚିଥିଲା ା ତେବେ କରୋନା ଯୋଗୁଁ ୨୦୨୧ ପ୍ରଥମାର୍ଦ୍ଧ ସୁଦ୍ଧା ଗରିବଙ୍କ ସଂଖ୍ୟା ୫୯ ନିୟୁତରୁ ବୃଦ୍ଧି ପାଇ ଏବେ ୧୩୪ ନିୟୁତରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ଆୟ ଖୁବ୍‌ ହ୍ରାସ ପାଇଛି। ମଧ୍ୟବିତ୍ତଙ୍କ ଦୈନିକ ଆୟ ୭୦୦ ରୁ ୧୫୦୦ ଟଙ୍କା ଥିବାବେଳେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ନିମ୍ନ ମଧ୍ୟବିତ୍ତଙ୍କ ଆୟ ଦୈନିକ ୧୫୦ ରୁ ୭୦୦ ଟଙ୍କା ଭିତରେ ସୀମିତ ରହିଛି।

କରୋନା ଯୋଗୁଁ ଗତ ବର୍ଷ ବିଶ୍ବରେ ଦରିଦ୍ରଙ୍କ ସଂଖ୍ୟା ୧୦.୪ ପ୍ରତିଶତ ବୃଦ୍ଧି ପାଇଥିଲା। ଚୀନ୍‌ର ଜନସଂଖ୍ୟା ଭାରତଠାରୁ କିଛି ଅଧିକ। ତେବେ ମହାମାରୀ ସମୟରେ ଭାରତଠାରୁ ଚୀନ୍‌ ଉନ୍ନତ ସ୍ଥିତିରେ ଅଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୮ ପ୍ରତିଶତ ରହିବ ବୋଲି ଚଳିତ ବର୍ଷ ଜାନୁଆରୀ ମାସରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଅନୁମାନ କରିଥିଲା। ୨୦୨୧ରେ ଚୀନ୍‌ର ଅର୍ଥନୀତି ୮.୪ ପ୍ରତିଶତ ଅଭିବୃଦ୍ଧି ଘଟିପାରେ ବୋଲି ଆକଳନ କରାଯାଇଛି। ଆୟରେ ଅସମାନତା ଗରିବଙ୍କ ବୃଦ୍ଧିର ଅନ୍ୟ ଏକ କାରଣ କୁହାଯାଇ ପାରେ। ‘ବିଶ୍ବ କ୍ଷୁଧା ସୂଚକାଙ୍କ-୨୦୨୦’ ତାଲିକାରେ ୧୦୭ଟି ଦେଶ ମଧ୍ୟରେ ଭାରତ ୯୪ତମ ସ୍ଥାନରେ ଥିଲା। ଆମ ଦେଶରେ ଗରିବ, ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଓ ଧନୀଙ୍କ ଆୟରେ ବହୁତ ତାରତମ୍ୟ ରହିଛି। ଏଥିରେ ସମତୁଲତା ଅଣାଯିବା ଜରୁୁରୀ। ଗରିବଙ୍କ ଉନ୍ନତି ପାଇଁ ସରକାର ଯେତକ ଯୋଜନା ପ୍ରଣୟନ କରିଛନ୍ତି ତାହା ଯଥେଷ୍ଟ ନୁହେଁ। ମହାମାରୀ ସମୟରେ ଗରିବ ଶ୍ରେଣୀର ଜନସାଧାରଣଙ୍କ ରୋଜଗାର ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିଯାନ ପରି ଯୋଜନା ପ୍ରଚଳନ କରିଥିଲେ। କେବଳ ଏହି ଦୁଇ ଯୋଜନା ଯଥେଷ୍ଟ ନୁହେଁ ା କୋଭିଡ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କୁ ଅଧିକ କିଛି ପଦକ୍ଷେପ ନେବାକୁ ପଡ଼ିବ। ଗ୍ରାମାଞ୍ଚଳରେ ମନରେଗା ପରି ସହରାଞ୍ଚଳର ଗରିବ ଜନସାଧାରଣଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଚଳନ କରିବା ଆବଶ୍ୟକ।

‘ବିଶ୍ବ ଖୁସି ସୂଚକାଙ୍କ-୨୦୨୧’ ତାଲିକାରେ ୧୪୯ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୯ରେ ରହିଛି। ଆୟ ବା ଅର୍ଥ ଅଭାବରୁ ଅଧିକାଂଶ ଭାରତୀୟ ସୁସ୍ଥ ଜୀବନ ବଞ୍ଚି ପାରୁନାହାନ୍ତି। ଅନ୍ୟ ପ୍ରସଙ୍ଗଗୁଡ଼ିକ ଅପେକ୍ଷା ସରକାର ଦାରିଦ୍ର୍ୟ ଦୂରୀକରଣ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ସମାଜର ଗୋଟିଏ ବର୍ଗ ସୁଖସ୍ବାଚ୍ଛନ୍ଦ୍ୟ ଜୀବନ ଜିଉଥିବାବେଳେ ଅନ୍ୟ ଏକ ବର୍ଗ ଦୁଇଓଳି ଦୁଇମୁଠା ଖାଦ୍ୟ ଯୋଗାଡ଼ କରିପାରୁ ନାହାନ୍ତି। ଟିକା ନେଇ କରୋନାରୁ ଆମେ ମୁକ୍ତ ହୋଇ ପାରିବା, କିନ୍ତୁ ଦାରିଦ୍ର୍ୟରୁ ନୁହେଁ ା ମହାମାରୀ ସମୟରେ ସରକାର ଟିକାକରଣକୁ ଯେପରି ପ୍ରାଧାନ୍ୟ ଦେଉଛନ୍ତି ଅନୁରୂପଭାବେ ଦାରିଦ୍ର୍ୟ ଓ ବେରାଜଗାର ହ୍ରାସ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ଭାରତରୁ ଦାରିଦ୍ର୍ୟ ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ବିଶ୍ବବାସୀଙ୍କ ଉପରେ ଆମେ ବୋଝ ବୋଲି ପରିଗଣିତ ହେଉଥିବା।

Comments
Loading...