ଘୁମ ଭାଙ୍ଗୁ

ସରକାର ପାରମ୍ପରିକ ପଦ୍ଧତିରେ ନହେଲେ ମଧ୍ୟ ଆଭାସି ବ୍ୟବସ୍ଥା ଜରିଆରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରନ୍ତୁ

କରୋନା ମହାମାରୀ ପରି ଏକ ଜାତୀୟ ମହାସଙ୍କଟର ମୁକାବିଲା କରିବାକୁ ହେଲେ ପାରସ୍ପରିକ ସାହାଯ୍ୟ ସହଯୋଗ, ମତ ବିନିମୟ, ବିଚାରବିମର୍ଶ ଆଦି ଅତି ଜରୁରୀ। ସରକାର ନିଜର ଉତ୍ତରଦାୟିତ୍ବ ସଂପନ୍ନ କରିବା ସହ ବିରୋଧୀ ଦଳଗୁଡ଼ିକୁ ବିଶ୍ବାସକୁ ନେଇ ସେମାନଙ୍କ ପରାମର୍ଶକୁ ମଧ୍ୟ ଗ୍ରହଣ କରିବା ଆବଶ୍ୟକ। ଏହି ଦୃଷ୍ଟିରୁ ଗୁରୁବାର ଦେଶର ବିଭିନ୍ନ ବିରୋଧୀ ଦଳର ୧୨ ଜଣ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ୯ଟି ପ୍ରସ୍ତାବ ଦେବା ମହତ୍ତ୍ବପୂର୍ଣ୍ଣ। ଏଥିରେ ମାଗଣା ଓ ସାର୍ବଜନୀନ ଟିକାକରଣ ଅଭିଯାନ ଆରମ୍ଭ କରିବା, ଟିକା ଅଭାବ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ବବଜାରରୁ ଟିକା କିଣିବା, ବଜେଟ୍‌ରେ ବ୍ୟୟବରାଦ ହୋଇଥିବା ୩୫ ହଜାର ଟଙ୍କା ଟିକାକରଣରେ ଖର୍ଚ୍ଚ କରିବା, ଚର୍ଚ୍ଚିତ ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରକଳ୍ପ ନିର୍ମାଣ ବନ୍ଦ କରି ସେହି ଅର୍ଥରେ ଜରୁରୀ ସ୍ବାସ୍ଥ୍ୟ ଉପକରଣ କ୍ରୟରେ ଖର୍ଚ୍ଚ କରିବା, ବେରୋଜଗାରଙ୍କୁ ମାସିକ ୬୦୦୦ ଟଙ୍କା ପ୍ରଦାନ, ଚାଷୀଙ୍କୁ କରୋନା କବଳରୁ ବଞ୍ଚାଇବା ପାଇଁ ନୂଆ କୃଷି ଆଇନ ପ୍ରତ୍ୟାହାର ଆଦି ଅନ୍ତର୍ଭୁକ୍ତ।

କହିବା ବାହୁଲ୍ୟ ଯେ ବର୍ତ୍ତମାନ ସମଗ୍ର ଦେଶ ଯେଉଁ ବିପର୍ଯ୍ୟୟ ଦେଇ ଗତି କରୁଛି, ଏସବୁ ଜନସ୍ବାର୍ଥ ରକ୍ଷାକାରୀ ପ୍ରସ୍ତାବକୁ ସରକାର ଉପେକ୍ଷା କରିବା ଅନୁଚିତ। ତେବେ ଦୁର୍ଭାଗ୍ୟର କଥା ଯେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମହାମାରୀ ପ୍ରସଙ୍ଗରେ ବିରୋଧୀଙ୍କୁ ଏ ପର୍ଯ୍ୟନ୍ତ ବିଶ୍ବାସକୁ ନେଉନାହାନ୍ତି କିମ୍ବା କୌଣସି ବିରୋଧୀ ଦଳ ସହ ଏତେ ବଡ଼ ସଙ୍କଟ ସମୟରେ ବିଚାରବିମର୍ଶ କରିବାକୁ ଉଚିତ ମଣୁନାହାନ୍ତି। କିଏ ଯଦି ନିଜ ତରଫରୁ ପରାମର୍ଶ ବା ପ୍ରସ୍ତାବ ଦେଲା, ତାକୁ ତତ୍କାଳ ବିଭିନ୍ନ ଜରିଆରେ ସମାଲୋଚନା କରାଯାଉଛି। ସବୁଠୁ ବଡ଼ ବିଡ଼ମ୍ବନାର କଥା ଯେ ମହାମାରୀ ସମୟରେ ନ୍ୟାୟପାଳିକାର ସକ୍ରିୟତା ଓ କାର୍ଯ୍ୟପାଳିକାର ଉପସ୍ଥିତି ଜନସାଧାରଣ ଅନୁଭବ କରୁଥିବାବେଳେ ଦେଶର ବିଧାନପାଳିକା ସତେଯେମିତି ନିରୁଦ୍ଦିଷ୍ଟ ହୋଇଯାଇଛି। ଦେଶ ଯେତେବେଳେ ଶତାବ୍ଦୀର ସବୁଠୁ ବଡ଼ ବିଭୀଷିକାର ସମ୍ମୁଖୀନ ହେଉଛି, ସେତେବେଳେ ସଂସଦର ଏପରି ନିଷ୍କ୍ରିୟତା ଗ୍ରହଣୀୟ ହେଉନାହିଁ।

ନିକଟ ଅତୀତରେ ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖି କୋଭିଡ ସଙ୍କଟ ବିଷୟରେ ଆଲୋଚନା କରିବା ନିମନ୍ତେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ। ସେହିପରି ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ସଂସଦୀୟ ସ୍ଥାୟୀ ସମିତିର ବୈଠକ ଆହ୍ବାନ ପାଇଁ ପତ୍ର ଲେଖିଥିଲେ। ଏହି ଦୁଇ ବିରୋଧୀ ନେତାଦ୍ବୟଙ୍କ ପ୍ରସ୍ତାବ ଆଦୌ ଅନୁଚିତ ନଥିଲା ବରଂ ଜନସାଧାରଣଙ୍କ ଦୁଃଖକଷ୍ଟ ନିବାରଣ ଓ ସମସ୍ୟାର ନିରାକରଣ ପାଇଁ ଦେଶର ପ୍ରତ୍ୟେକ ରାଜ୍ୟର ଜନପ୍ରତିନିଧିମାନେ ବିଭିନ୍ନ ଉପାୟ ସମ୍ପର୍କରେ ବିଚାରବିମର୍ଶ ତଥା ମତ ବିନିମୟ କରିବା ବର୍ତ୍ତମାନର ଏକ ଜରୁରୀ ଆବଶ୍ୟକତା। ଏହା ସରକାରଙ୍କୁ ଦେଶର ବାସ୍ତବ ସ୍ଥିତି ସମ୍ପର୍କରେ ସଚେତନ କରାଇଦେବା ସହ ଦୋଷତ୍ରୁଟିକୁ ସୁଧାରିବାରେ ସାହାଯ୍ୟ କରିଥାନ୍ତା। ଆଉ ମଧ୍ୟ ଏହା ଭବିଷ୍ୟ ଯୋଜନା ପ୍ରସ୍ତୁତି ନିମନ୍ତେ ମଧ୍ୟ ସରକାରଙ୍କୁ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାନ୍ତା। ସାଂସଦମାନେ ନିଜନିଜ ସଂସଦୀୟ କ୍ଷେତ୍ରର ତଥ୍ୟ ଓ ସମ୍ବଳର ବଣ୍ଟନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥାନ୍ତେ।

ସରକାର ପୂର୍ବରୁ ଯଦି ଅଧିବେଶନ ଡାକିଥାନ୍ତେ, ତେବେ ହୁଏତ ଦେଶରେ ଟିକାକରଣ ଓ ସ୍ବାସ୍ଥ୍ୟସେବା ନେଇ ଯେଉଁ ସମସ୍ୟା ଦେଖାଦେଇଛି ତା’ର ସମାଧାନ ଆଗୁଆ ମିଳିଯାଇଥାନ୍ତା; କାରଣ ସଂପ୍ରତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି, ତାହା ମୂଳତଃ ସ୍ପଷ୍ଟ ଓ ଦୂରଦର୍ଶୀ ନୀତି ଏବଂ ଯୋଜନାର ଅଭାବ ଯୋଗୁଁ। ଏବେ ବି ସମୟ ଅଛି, ସଂସଦକୁ କ୍ରିୟାଶୀଳ କରିବା ପାଇଁ ସରକାର ପାରମ୍ପରିକ ପଦ୍ଧତିରେ ନହେଲେ ମଧ୍ୟ ଆଭାସି ବ୍ୟବସ୍ଥା ଜରିଆରେ ଏକ ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରନ୍ତୁ। କାର୍ଯ୍ୟପାଳିକାର ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରିବାରେ ମଧ୍ୟ ଏହା ସାହାଯ୍ୟ କରିବ।

କୋଭିଡ଼ ସଂକ୍ରମଣ ଆଳରେ ବିଶ୍ବର ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ସେମାନଙ୍କର ସଂସଦୀୟ କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିଦେଇନାହାନ୍ତି; ବରଂ ସେମାନେ ଏହାକୁ ଚଳାଇ ରଖିବାପାଇଁ ନୂତନ ଉପାୟମାନ ଆପଣାଇଛନ୍ତି। କେତେକ ଦେଶରେ ଜନପ୍ରତିନିଧିବୃନ୍ଦ ପ୍ରଯୁକ୍ତି ମାଧ୍ୟମରେ ଆଭାସି ବୈଠକ କରୁଛନ୍ତି ତ ଆଉ କିଛି ଦେଶରେ କୋଭିଡ଼ ନିୟମ ଅନୁପାଳନ ପୂର୍ବକ ଉଭୟ ପାରମ୍ପରିକ ଓ ଆଭାସି ବୈଠକରେ ଭାଗ ନେଉଛନ୍ତି। ଏପରିକି ସଂସଦ ଭବନକୁ ଛାଡ଼ି ଅନ୍ୟ ସ୍ଥାନରେ ବୈଠକ ଡାକି ନିଜର ସାମ୍ବିଧାନିକ କର୍ତ୍ତବ୍ୟକୁ ପାଳନ କରୁଛନ୍ତି। ଆମ ଦେଶରେ ଏହା ଦେଖାଯାଉ ନାହିଁ। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବିଚାରବିମର୍ଶ, ଆଲୋଚନା ଓ ତର୍କବିତର୍କର କୌଣସି ବିକଳ୍ପ ନାହିଁ। ଏହା ଯେତେବେଳେ ଗୁରୁତ୍ବ ହରାଏ, ସେତେବେଳେ ବୁଝିବାକୁ ହେବ ଯେ ଗଣତନ୍ତ୍ରର ମହାଦ୍ରୁମରେ କେଉଁଠି ନା କେଉଁଠି ଘୁଣ ଲାଗିଯାଇଛି। ସଂସଦର ଘୁମ ଭାଙ୍ଗୁ। ତାହା ହିଁ ଦେଶ ପାଇଁ ମଙ୍ଗଳ।

Comments are closed.