ଧନୀ ଦେଶ ବାଧକ

ଟିକାକୁ ଏକାଧିକାର ବ୍ୟବସ୍ଥାରୁ ମୁକ୍ତ କରାଯିବା ଆବଶ୍ୟକ

କରୋନାର ଦ୍ବିତୀୟ ଲହରରେ ବିଶ୍ବର ଦୁଇ ପ୍ରମୁଖ ରାଷ୍ଟ୍ର ଭାରତ ଓ ବ୍ରାଜିଲ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଦୁଇ ରାଷ୍ଟ୍ରରେ ଦୈନିକ ସହସ୍ରାଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ବିଶ୍ବର ଅଧିକାଂଶ ଦେଶରେ ଟିକାକରଣ ଚାଲିଛି ା ପରିତାପର ବିଷୟ, ବିକଶିତ ଦେଶଗୁଡ଼ିକ ଟିକାକରଣରେ ଅନ୍ୟ ଦେଶକୁ କୌଣସି ସାହାଯ୍ୟ ସହଯୋଗ କରିବା ପରିବ​‌େ​‌ର୍ତ୍ତ ନକାରାତ୍ମକ କୂଟନୀତି ଚଳାଇଛନ୍ତି। ଏମାନେ ଅନ୍ୟ ଦେଶକୁ ଟିକା ପଠାଇବା ତ ଦୂରର କଥା, ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଭାରତ ପରି ବିକାଶୋନ୍ମୁଖୀ ରାଷ୍ଟ୍ର ଏ ପର୍ଯ୍ୟନ୍ତ ୭୦ଟି ଦେଶକୁ ଟିକା ପଠାଇ ସାରିଛି। ପଡ଼ୋଶୀ ସମେତ ଆଫ୍ରିକାର କେତେକ ଗରିବ ଦେଶକୁ ସମ୍ପୂର୍ଣ୍ଣ ମାଗଣାରେ ଭାରତ ନିଜସ୍ବ ଟିକା ପ୍ରଦାନ କରିଛି।

ଏ ପଟେ ଆମେରିକାର ଅସଲି ଚେହେରା ସାମ୍‌ନାକୁ ଆସିଛି। ବିଶ୍ବର ସର୍ବାଧିକ ଟିକା ଭାରତରେ ପ୍ରସ୍ତୁତ କରାଯାଇ ଥାଏ। ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ମୁଖ୍ୟତଃ ଆମେରିକାରୁ ଆମଦାନୀ ହୋଇଥାଏ। ନିକଟରେ ବାଇଡେନ ପ୍ରଶାସନ ଏହା ଉପରେ କଟକଣା ଜାରି କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ଘୋର ଆପତ୍ତି ଉଠାଇଥିଲେ। ‘ଆମେ ଭାରତର ସମସ୍ୟାକୁ ଉପଲବ୍ଧି କରିଛୁ, ହେଲେ ଆମକୁ ବି ବଞ୍ଚି ରହିବାକୁ ପଡ଼ିବ’ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତକୁ କହିଥିଲେ। ଗତବର୍ଷ ଆମେରିକାରେ କରୋନା ଯେତେବେଳେ ଶୀର୍ଷରେ ପହଞ୍ଚିଥିଲା, ସେତେବେଳେ ଭାରତ ୫୦ ନିୟୁତ ଟନ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ସେଠାକୁ ରପ୍ତାନି କରିଥିଲା।

ଏବେ ଭାରତ ସଙ୍କଟଜନକ ସମୟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଆମେରିକା ଭାରତକୁ ସହାୟତା ଯୋଗାଇ ଦେବ ବୋଲି ଆଶା କରାଯାଉଥିଲା। ତେବେ କଞ୍ଚାମାଲ ରପ୍ତାନି ଉପରେ କଟକଣା ଲଗାଇ ଆମେରିକା ନିଜକୁ ସ୍ବାର୍ଥପର ରାଷ୍ଟ୍ର ଭାବେ ପ୍ରମାଣିତ କରିଛି।

କରୋନା ଟିକା ପାଇଁ ଥିବା ଏକାଧିକାର (ପେଟେଣ୍ଟ୍‌) ବ୍ୟବସ୍ଥାକୁ ଶେଷ କରିବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ଭାରତର ଏହି ପ୍ରସ୍ତାବକୁ ବିଶ୍ବର ୬୫ ଦେଶ ସମର୍ଥନ କରିଥିଲେ। କରୋନା ଟିକାକୁ ଏକାଧିକାର ଚକ୍ରରୁ ମୁକ୍ତ କଲେ ଏହାର ଅଧିକ ଉତ୍ପାଦନ ହୋଇ ପାରନ୍ତା ା ଏହା ବ୍ୟତୀତ ଗରିବ ଦେଶମାନଙ୍କୁ ମାଗଣା ଅଥବା ସ୍ବଳ୍ପମୂଲ୍ୟରେ ଟିକା ଯୋଗାଣ ସମ୍ଭବ ହୋଇ ପାରନ୍ତା। ଭାରତର ଏପରି ସକାରାତ୍ମକ ପ୍ରସ୍ତାବକୁ ଆମେରିକା, ବ୍ରିଟେନ, କାନାଡ଼ା ଓ ଆଉ କେତେକ ୟୁରୋପୀୟ ଦେଶ ଗୁରୁତ୍ବ ଦେଉନାହାନ୍ତି।

ଏହି ପ୍ରସ୍ତାବକୁ ସେଠାକାର ବିଦେଶୀ ସରକାରଙ୍କ ପ୍ରତିନିଧିଙ୍କ ନିକଟରେ ଉଠାଇବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରତି ଦେଶରେ ଥିବା ନିଜର ରାଷ୍ଟ୍ରଦୂତଙ୍କୁ ନିର୍ଦେଶ ଦେଇଛି। ଆସନ୍ତା ଜୁନ୍‌ ମାସରେ ହେବାକୁ ଥିବା ବିଶ୍ବ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ବୈଠକରେ ଟିକା ଉପରୁ ଏକାଧିକାର କଟକଣା ଉଚ୍ଛେଦ ପ୍ରସଙ୍ଗ ଭାରତ ଉଠାଇବ। ଭାରତ ଓ ଦକ୍ଷିଣ ଆଫ୍ରିକା ଗତ ମାର୍ଚ୍ଚ ମାସରେ ମିଳିତ ଭାବେ ଏହି ପ୍ରସ୍ତାବ ବିଶ୍ବ ସମୁଦାୟ ନିକଟରେ ରଖିଥିଲେ। କରୋନା ଟିକାର ସୂତ୍ର (ଫର୍ମୂଲା) ଏକାଧିକାର ବାଧ୍ୟତା ବ୍ୟବସ୍ଥାରୁ ହଟାଇବା ପାଇଁ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୋଲଡେନ ବ୍ରାଉନ, ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦଙ୍କ ସମେତ ୭୦ଟି ଦେଶର ଶୀର୍ଷ ନେତା ଓ ୧୦୦ ଜଣ ନୋବେଲ ପୁରସ୍କାର ବିଜେତା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟକୁୁ ପତ୍ର ଲେଖିଥିଲେ। ବିଶ୍ବକୁ କରୋନା ମହାମାରୀରୁ ମୁକ୍ତ କରିବାକୁ ହେଲେ ଟିକା ଉପରେ ଥିବା ଏକାଧିକାର ବ୍ୟବସ୍ଥାକୁୁ ଉଚ୍ଛେଦ କରିବା ଜରୁରୀ ବୋଲି ଏହି ନେତାମାନେ ମତ ଦେଇଥିଲେ।

‘ଯେ ପର୍ଯ୍ୟନ୍ତ ବିଶ୍ବର ପ୍ରତିଟି ବ୍ୟକ୍ତି ସୁରକ୍ଷିତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସମଗ୍ର ବିଶ୍ବ ଏହି ମହାମାରୀରୁ ମୁକ୍ତ ନୁହେଁ’ ବୋଲି ବିକଶିତ ରାଷ୍ଟ୍ରମାନେ ପ୍ରଥମେ ପ୍ରଥମେ ନାରା ଦେଇଥିଲେ। ଏବେ କିନ୍ତୁ ସେମାନଙ୍କ ସ୍ବର ବଦଳି ଯାଇଛି। ସଭିଏଁ ନିଜନିଜର ସ୍ବାର୍ଥକୁ ଆକଳନ କରୁଛନ୍ତି।

ଏବେ ଏକାଧିକାର ବ୍ୟବସ୍ଥା ଥିବାରୁ ଭାରତ ଅନ୍ୟ ଦେଶର ଚାହିଦା ଅନୁଯାୟୀ ଟିକା ପଠାଇ ପାରୁନି। ବ୍ୟବସ୍ଥିତ ଢଙ୍ଗରେ ଟିକା ପଠାଇବାକୁ ପଡ଼ୁଛି। ଯଦି ଏକାଧିକାର ବ୍ୟବସ୍ଥା ଉଚ୍ଛେଦ ହୋଇପାରନ୍ତା ସଂକ୍ରମିତଙ୍କ ସଂଖ୍ୟା ଅନୁୁଯାୟୀ ସମ୍ପୃକ୍ତ ଦେଶକୁ ଭାରତ ଟିକା ଯୋଗାଇ ପାରନ୍ତା। ତେବେ ବିକଶିତ ରାଷ୍ଟ୍ର ଏ ଯାଏ ଭାରତର ଉପରୋକ୍ତ ପ୍ରସ୍ତାବକୁ ଗୁରୁତ୍ବ ଦେଇନାହାନ୍ତି। ଏଥିଯୋଗୁଁ ଗରିବ ଦେଶମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଆମେରିକା ଓ ବ୍ରିଟେନ ଅନ୍ୟ ଦେଶକୁ ନିଜନିଜର ଟିକା ପଠାଉ ନଥିବାବେଳେ ଚୀନ୍‌ ଟିକା ବିକି ବିପୁଳ ବୈଦେଶିକ ମୁଦ୍ରା ଅର୍ଜନ କରିବା ସହ କୂଟନୈତିକ ଖେଳ ଜାରି ରଖିଛି। ଚୀନ୍‌କୁ ପ୍ରତିହତ କରିବାକୁ ହେଲେ ଆମକୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଭାରତ ‘କ୍ବାଡ୍‌’ ଦେଶ ସମୂହକୁ କହିଥିଲା। ଏହି ମହାମାରୀ ସମୟରେ ‘ବସୁଧୈବ କୁଟୁମ୍ବକମ୍‌’ ଆଧାରରେ ଭାରତ ଅନ୍ୟ ରାଷ୍ଟ୍ରମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛି। ଧନୀ ରାଷ୍ଟ୍ରମାନେ ଭାରତକୁ ଅନୁକରଣ କରି ନିଜସ୍ବ ନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ। ଏପରି ସମୟରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସହଯୋଗ ଓ ସମନ୍ବୟ ରହିଲେ ଖୁବ୍‌ କମ୍‌ ଦିନ ମଧ୍ୟରେ ଆମେ ବିଶ୍ବକୁ କରୋନା ମୁକ୍ତ କରିପାରିବା।

Comments are closed.