ମମତାଙ୍କ ମହାମେଣ୍ଟ ପ୍ରୟାସ

0

ଜାତୀୟ ସ୍ତରରେ ବିଜେପି ବିରୋଧରେ ଏକ ବିକଳ୍ପ ମେଣ୍ଟଗଠନ ଘେନି କିଛିକାଳ ଧରି ରାଜନୈତିକ ମହଲରେ ସ୍ବର ଉଠୁଛି। ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଏଭଳି ଏକ ମେଣ୍ଟଗଠନର ଆବଶ୍ୟକତା ପ୍ରାୟତଃ ସବୁ ରାଜନୈତିକ ଦଳର ନେତାମାନେ ବୁଝିଲେଣି। ଏଥିପାଇଁ ସମୟ ପରିପକ୍ବ ହୋଇନାହିଁ କହିବା ଠିକ୍‌ ନୁହେଁ। ବିଭାଜିତ ବିରୋଧୀଦଳଙ୍କ ଦୁର୍ବଳତାରୁ ଫାଇଦା ଉଠାଇବାକୁ ବିଜେପି ପୂରାଦମ୍‌ରେ ନିଜର କାମ ଚଳାଇଛି। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ୨୦୧୯ରେ ବିଜେପି ନେତୃତ୍ବରେ ପରିଚାଳିତ ଏନ୍‌ଡିଏର ମୁକାବିଲା କରିବା ପାଇଁ କଂଗ୍ରେସ ନେତୃତ୍ବରେ ପରିଚାଳିତ ୟୁପିଏ ମେଣ୍ଟ ସକ୍ଷମ ନୁହେଁ। ତେଣୁ ତୃତୀୟ ମେଣ୍ଟ ପରିବର୍ତ୍ତେ ୟୁପିଏକୁ ନେଇ ଏକ ମହାମେଣ୍ଟର ପରିକଳ୍ପନା କରାଯାଉଛି। ତେବେ ଏହି ମହାମେଣ୍ଟ ଗଠନରେ ଏକ ଜାତୀୟ ଦଳଭାବେ କଂଗ୍ରେସର ଭୂମିକା ବିଶେଷ ଗୁୁରୁତ୍ବପୂର୍ଣ୍ଣ ରହିବ। କଂଗ୍ରେସ ମଧ୍ୟ ଯେକୌଣସି ଅଣ-ବିଜେପିର ନେତା/ନେତ୍ରୀଙ୍କୁ ମହାମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରକଳ୍ପିତ କରିବାକୁ ପ୍ରସ୍ତୁତ ଥିବା ଏହାର ଯୁବ ସଭାପତି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ମହାମେଣ୍ଟ ଗଠନ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଦେୱେଗୌଡ଼ା, ବିଏସପି ମୁଖିଆ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ, ଏନସିପି ମୁଖ୍ୟ ଶରଦ ପୱାର ଏବଂ ବାମପନ୍ଥୀ ନେତାମାନେ ଅନୁକୂଳ ମନୋଭାବ ପ୍ରଦର୍ଶନ କରିବା ଏ କ୍ଷେତ୍ରରେ ଏକ ଉତ୍ତମ ଘଟଣାକ୍ରମ। ବିଜେପିର କଟ୍ଟର ବିରୋଧୀ ପାଲଟିଥିବା ତୃଣମୂଳ କଂଗ୍ରେସ ନେତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ ଏ କ୍ଷେତ୍ରରେ କେଇପାଦ ଆଗେଇ ଯାଇଛନ୍ତି। ତେବେ ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ ଏଯାଏ ତାଙ୍କ କାର୍ଡ ଗୁପ୍ତ ରଖି ସସ୍‌ପେନ୍ସ ଜାରି ରଖିବା ଘଟଣା ସୂଚାଏ ଯେ ସେ ବେଳ ଉଣ୍ଡି ପଦକ୍ଷେପ ନେବା ମସୁଧାରେ ଅଛନ୍ତି।
ମୋଟାମୋଟି ଭାବେ ଏବେ ମୋଦୀ ଓ ବିଜେପି ହଟାଓ ଅଭିଯାନର ଯେଉଁ ନକ୍ସା ଜାତୀୟସ୍ତରରେ ତିଆରି ହେଉଛି ସେଥିରେ ମମତା ଏକ ପ୍ରକାର ସ୍ବେଚ୍ଛାକୃତ ନେତୃତ୍ବ ନେଉଛନ୍ତି। ତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ପ୍ରକଳ୍ପିତ କରିବାକୁ କେତେକ ମହଲରେ ସ୍ବର ଉଠିଲାଣି। ଜ୍ୟୋତିବସୁଙ୍କୁ ପ୍ରଧାନମନ୍ତ୍ରୀ ନ’କରାଇ ବାମପନ୍ଥୀ କରିିଥିବା ଐତିହାସିକ ଭୁଲ ହେଉ ଅଥବା ପ୍ରଣବ ମୁଖାର୍ଜୀଙ୍କୁ ଏହି ପଦପାଇଁ କଂଗ୍ରେସର ଉପେକ୍ଷା ପ୍ରସଙ୍ଗ ହେଉ, ତାହାର ପୁନରାବୃତ୍ତି ନ’ଘଟାଇ ପଶ୍ଚିମବଙ୍ଗ ନେତୃତ୍ବ ନେଉ ଏବଂ ମମତା ପ୍ରଧାନମନ୍ତ୍ରୀ ହୁଅନ୍ତୁ- ଏଭଳି ଏକ ବିଚାର ଏବେ ବଙ୍ଗ ରାଜନୀତିକୁ ଆଚ୍ଛାଦିତ କରିଛି। ତେଣୁ ସେ ମହାମେଣ୍ଟର ନେତୃତ୍ବ ନେବାକୁ ଅଣ୍ଟା ଭିଡ଼ିବାସହ ପ୍ରଥମେ ମୋଦି ହଟାଓ ଓ ପ୍ରଧାନମନ୍ତ୍ରୀ କିଏ ହେବ ସେ କଥା ପଛକୁ ରଖିବାକୁ ବେଶ ଚତୁରତାରସହ କହୁଛନ୍ତି। ଏକଥା ସତ ଯେ ବିଜେପି ସହିତ ମମତା ଯେଉଁ ସାହସର ସହିତ ମୁକାବିଲା କରୁଛନ୍ତି ସେଥିରେ ସେ ନିଜ ରାଜ୍ୟ​‌େ​‌ର ବିଜେପିର ଉତ୍‌ଥାନ ଭୟ ଅଧିକ ଦେଖୁଛନ୍ତି।
ଭାରତରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ​‌େ​‌ନତା ତଥା ଉତ୍ତୁଙ୍ଗ ବ୍ୟକ୍ତିତ୍ବଧାରୀ ବ୍ୟକ୍ତିବିଶେଷ ଆଉ ପ୍ରଧାନମନ୍ତ୍ରୀ ପଦପାଇଁ ନିହାତି ଜରୁରୀ ନୁହନ୍ତି ଏକଥା ଆମ ଗଣତନ୍ତ୍ର ଏକାଧିକବାର ପ୍ରମାଣ କରିଦେଇଛି। ସେଇ ନ୍ୟାୟରେ ମମତାଙ୍କୁ ସମ୍ଭାବ୍ୟ ମହାମେଣ୍ଟର ଅନ୍ୟଦଳର ନେତାମାନେ କେତେ ଗ୍ରହଣ କରିବେ ତାହା ଉପରେ ସବୁ ନିର୍ଭର କରୁଛି। ମମତାଙ୍କର ସାଂଗଠନିକ ଦକ୍ଷତା ଉପରେ କାହାର ଆପତ୍ତି ନାହିଁ; ହେଲେ ଅତିଶୟ ପ୍ରତିକ୍ରିୟାଶୀଳ ଓ ଅସ୍ଥିର ସ୍ବଭାବର ମମତାଙ୍କ ନିୟନ୍ତ୍ରଣହୀନ ତୁଣ୍ଡ ତାଙ୍କ ପାଇଁ ଏକ ବଡ଼ ସମସ୍ୟା। ବିଜେପି ଭଳି ଏକ ଜାତୀୟସ୍ତରର ଦଳ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଜଣେ ଚତୁର ରାଜନେତା ଏବଂ ସଂଘ ପରିବାରର ମିଳିତ ଶକ୍ତିର ମୁକାବିଲା କରିବା ପାଇଁ ମମତାଙ୍କୁ କେତେ ଯଥାର୍ଥ ସମର୍ଥନ ପ୍ରସ୍ତାବିତ ମହାମେଣ୍ଟର ନେତାମାନେ ପ୍ରଦାନ କରିବେ ତାହା ଅନୁମାନ କରିବା କଷ୍ଟ। ଆମ ଆଞ୍ଚଳିକ ଦଳର ନେତାମାନଙ୍କର ଚରିତ୍ର ହେଲା ସେମାନେ କ୍ଷମତା ପାଇଁ ଏକଜୁଟ ହୁଅନ୍ତି ଓ ନିଜର ସ୍ବାର୍ଥହାନି ଘଟିଲେ ଗୋଠ ଭାଙ୍ଗନ୍ତି। ମମତା ଯଦି ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥାନ୍ତି ସେଥିରେ କିଛି ଅସୁବିଧା ନାହିଁ; ହେଲେ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବା ଭଳି ଅବସ୍ଥାର ସମ୍ମୁଖୀନ ତାଙ୍କୁ ହେବାକୁ ପଡ଼ିପାରେ। ରାଜନୀତିରେ ନିରାଟ ସତ୍ୟଟି ହେଲା ନେତାମାନେ ନିଜ ମିତ୍ର ଓ ମେଣ୍ଟ ସଦସ୍ୟଙ୍କ ସହିତ ମଧ୍ୟ ରାଜନୀତି କରନ୍ତି। ମମତାଙ୍କର ସେ ଅଭିଜ୍ଞତା ବେଶ୍‌ ଅଛି। ଏକଦା ସେ ବିଜେପି ମେଣ୍ଟରେ ଥିଲେ ଏବଂ କଂଗ୍ରେସ ବିରୋଧରେ ବିଦ୍ରୋହ କରି ସେଥିରୁ ଅଲଗା ହୋଇଯାଇଥିଲେ। ଏବେ ଯାହା କୁହାଯାଉଛି ଦେଶରେ ଏକ ଭୟର ବାତାବରଣ ରହିଛି ଏବଂ ମହାମେଣ୍ଟ ଗଢ଼ି ସେଥିରୁ ଫାଇଦା ଉଠାଇବାର ଯେଉଁ ସମ୍ଭାବନା ବିରୋଧୀ ଦେଖୁଛନ୍ତି ତାହା କେତେ ସତ, କେତେ ମିଛ, ୨୦୧୯ ନିର୍ବାଚନ ପ୍ରମାଣିତ କରିବ। ତେବେ ଆମ ମତ ହେଲା- ଗଣତନ୍ତ୍ରର ସମୃଦ୍ଧି ପାଇଁ ଦେଶରେ ଏକ ଦୃଢ଼ ବିରୋଧୀ ଦଳ ବା ମେଣ୍ଟ ରହିବା ଦରକାର।

Leave A Reply