ସରକାର ସମ୍ବେଦନଶୀଳ ହୁଅନ୍ତୁ

ମହାମାରୀ ସମୟରେ ନେତୃବୃନ୍ଦ ଅନାବଶ୍ୟକ ଓ ନ୍ୟସ୍ତସ୍ବାର୍ଥ କାର୍ଯ୍ୟରେ ଦେଶର ଶକ୍ତି ଏବଂ କ୍ଷମତାର ଅପବ୍ୟୟ କରିବା ଅକ୍ଷମଣୀୟ

କରୋନା ମହାମାରୀର ପ୍ରଥମ ତରଙ୍ଗ ବିଶ୍ବର ବହୁ ଦେଶର ସରକାରଙ୍କୁ ଅଧିକ ଦାୟିତ୍ବବାନ ଓ ସମ୍ବେଦନଶୀଳ କରିଦେଇଥିଲା। ବିଶ୍ବର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ହୁଅନ୍ତୁ କି ଚୀନ ଓ ରୁଷିଆ ପରି ପ୍ରଭୁତ୍ବବାଦୀ ରାଷ୍ଟ୍ର, ସବୁର ଶାସକଗଣ ନିଜର ସମସ୍ତ ଶକ୍ତିସାମର୍ଥ୍ୟ ଖଟାଇ ମହାମାରୀର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଥିଲେ। ଏହାର ପରିଣାମ ସ୍ବରୂପ ଦେଖାଗଲା ଯେ ଅଧିକାଂଶ ରାଷ୍ଟ୍ରରେ ଦ୍ବିତୀୟ ଓ ତୃତୀୟ ତରଙ୍ଗକୁ ଅନେକ ପରିମାଣରେ ନିୟନ୍ତ୍ରଣ କରାଯାଇପାରିଲା। ପୂର୍ବରୁ ଯେତିକି ଆଶଙ୍କା କରାଯାଉଥିଲା, ସଂକ୍ରମଣ ଓ ମୃତ୍ୟୁହାର ତା’ଠାରୁ ହ୍ରାସ ପାଇଲା। ଭାରତରେ କିନ୍ତୁ ତାହା ହୋଇପାରିଲା ନାହିଁ।

ଏଠାରେ ଦ୍ବିତୀୟ ତରଙ୍ଗ ଆସିବା ପୂର୍ବରୁ ହିଁ ସରକାରଙ୍କ ପକ୍ଷରୁ କୁହାଗଲା ଯେ ମହାମାରୀର ଅନ୍ତ ଆସନ୍ନ ପ୍ରାୟ। ବିଡ଼ମ୍ବନାର କଥା ଯେ ନିଜେ ଜଣେ ଡାକ୍ତର ହୋଇଥିବା ସତ୍ତ୍ବେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ଭ୍ରମଧାରଣାର ବଶବର୍ତ୍ତୀ ହେଲେ। ଅତଏବ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଡାକ୍ତରୀ ସଂସ୍ଥା ପକ୍ଷରୁ ବାରମ୍ବାର ଦ୍ବିତୀୟ ତରଙ୍ଗର ଭୟାବହତା ସମ୍ପର୍କରେ ଚେତାବନୀ ଦିଆଯାଇଥିବା ସତ୍ତ୍ବେ ତା’ର ମୁକାବିଲା ପାଇଁ ଆବଶ୍ୟକ ଦୃଢ଼ ପ୍ରସ୍ତୁତି କରାଗଲା ନାହିଁ; ବରଂ କରୋନା ସଂକ୍ରମଣକୁ ବଢ଼ାଇବା ଭଳି ଧାର୍ମିକ ଉତ୍ସବ ଓ ନିର୍ବାଚନ ଆଦି ଆୟୋଜନ ପାଇଁ ଅନୁମତି ଦିଆଗଲା।

ଏବେ ଦେଶରେ ସଂକ୍ରମଣ ବିଶ୍ବରେ ଶୀର୍ଷସ୍ତର ଛୁଇଁବା ସହ ମୃତ୍ୟୁସଂଖ୍ୟା ଦୈନିକ ଚାରି ହଜାରକୁ ଟପିଯାଇଛି। ଆଗାମୀ ଦିନରେ ଦୈନିକ ସଂକ୍ରମଣ ୧୦ ଲକ୍ଷ ହେବା ମଧ୍ୟ ଆଶଙ୍କା କରାଯାଇଛି। କେବଳ ସହରାଞ୍ଚଳ ନୁହେଁ, ଏହା କ୍ରମଶଃ ଗ୍ରାମାଞ୍ଚଳରେ ବ୍ୟାପିବା ଆରମ୍ଭ କରିଥିବାରୁ ଉପରୋକ୍ତ ଚେତାବନୀ ଏକ ସତର୍କ ଘଣ୍ଟି ହେବା ଉଚିତ। ସବୁଠୁ ଦୁଃଖଦ ସ୍ଥିତି ଡାକ୍ତରଖାନାଗୁଡ଼ିକରେ ଦେଖିବାକୁ ମିଳୁଛି, ଯେଉଁଠି ରୋଗରେ ଯେତିକି ନୁହେଁ, ତା’ଠୁ ବେଶି ଶଯ୍ୟା, ଡାକ୍ତରୀ ଅମ୍ଳଜାନ, ଔଷଧ ଆଦି ଅତ୍ୟାବଶ୍ୟକ ଜିନିଷର ଅଭାବରୁ ଲୋକେ ପ୍ରାଣ ହରାଉଛନ୍ତି। ଦେଶର ଶ୍ମଶାନଗୁଡ଼ିକରେ ଶବସଂସ୍କାର ପାଇଁ ସ୍ଥାନାଭାବ ଦେଖାଦେଇଥିବା ଭଳି ହୃଦୟ ବିଦାରକ ଖବର ପ୍ରତ୍ୟହ ଆସୁଛି।
ଏପରି ଦୁଃସ୍ଥିତି ସମ୍ଭବତଃ ସ୍ବାଧୀନ ଭାରତରେ କେବେ ଦେଖାଯାଇ ନଥିଲା।

ମହାମାରୀ ନିଶ୍ଚିତ ଭାବେ ଅଭୂତପୂର୍ବ ସଙ୍କଟ; କିନ୍ତୁ ତା’ର ମୁକାବିଲା କରିବାରେ ଯେଭଳି ତତ୍ପରତା ଓ କର୍ମକୁଶଳତା ଆବଶ୍ୟକ ତାହା ଭାରତର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖରେ ରହିଥିବା ପରି ମନେହେଉ ନାହିଁ। ଏହି କାରଣରୁ ନ୍ୟାୟପାଳିକାର ସକ୍ରିୟତା ବିଶେଷ ଉଲ୍ଲେଖଯୋଗ୍ୟ। ଦେଶରେ ଡାକ୍ତରୀ ଅମ୍ଳଜାନ ଅଭାବରୁ ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ କରୋନା ରୋଗୀଙ୍କ ଅକାଳ ନିଧନପରେ ଅନେକ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।

ଅମ୍ଳଜାନର ଉପଲବ୍ଧତା ଓ ଯୋଗାଣର ଆକଳନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅମ୍ଳଜାନ ସହ ଜରୁରୀ ଔଷଧଗୁଡ଼ିକର ମଞ୍ଜୁରୀ କରାଇବା ପାଇଁ ଶନିବାର ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଏକ ସ୍ବତନ୍ତ୍ର କାର୍ଯ୍ୟବାହୀ ଦଳ ଗଠନ ଏହି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟପାଳିକାର କାର୍ଯ୍ୟ ନ୍ୟାୟପାଳିକା ନିର୍ବାହ କରିବା ଏକ ଅବାଞ୍ଛନୀୟ ପରମ୍ପରା ହେଲେ ମଧ୍ୟ ବର୍ତ୍ତମାନର ଅଭୂତପୂର୍ବ ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ସମୟରେ ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ଗତି କରୁଛନ୍ତି ଏବଂ କାର୍ଯ୍ୟପାଳିକା ଜନସାଧାରଣଙ୍କ ବିଶ୍ବାସ ହରାଇବସୁଛି, ସେତେବେଳେ ଏକ ସକ୍ରିୟ ନ୍ୟାୟପାଳିକା ଲୋକଙ୍କର ଶେଷ ଆଶାଭରସା ହେବା ବିଚିତ୍ର ନୁହେଁ। କେବଳ କୋଭିଡ଼ ପରିଚାଳନା କ୍ଷେତ୍ରରେ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତି ନେଇ ମଧ୍ୟ ବିଶେଷଜ୍ଞ ଓ ଅଦାଲତ ପ୍ରଶ୍ନ ଉଠାଇଛନ୍ତି।

ସାର୍ବଜନୀନ ଟିକାକରଣ ନିମନ୍ତେ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ନୀତି ଓ କାର୍ଯ୍ୟାବଳୀ ପ୍ରସ୍ତୁତ କରିବା କଥା କହିଆସୁଥିବାବେଳେ ସେଥିରୁ ଓହରି ରାଜ୍ୟଗୁଡ଼ିକ ଉପରେ ସଂପୂର୍ଣ୍ଣ ଦାୟିତ୍ବ ଲଦି ଦେବାକୁ ସରକାରଙ୍କ ପୂର୍ବତନ ପରାମର୍ଶଦାତାମାନେ ମଧ୍ୟ ଗ୍ରହଣ କରିପାରିନାହାନ୍ତି। ସେହିପରି ଟିକା ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ ମଧ୍ୟ ଦୂରଦୃଷ୍ଟିହୀନତା ଲକ୍ଷ୍ୟ କରାଯାଏ।
କୋଭିଡ଼ ବିପର୍ଯ୍ୟୟ ଯେତିକି ବଢ଼ୁଛି, ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଦୁର୍ବଳତା ସେତିକି ପଦାକୁ ଆସୁଛି। ଏଥିସହ ସରକାରଙ୍କ ତଥ୍ୟ ଓ କାର୍ଯ୍ୟ ନେଇ ବିଶ୍ବସନୀୟତା ନେଇ ଘୋର ସଂଶୟ ସୃଷ୍ଟି ହୋଇଛି।

ବିଶେଷତଃ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ କୋଭିଡ଼ରେ ମୃତକଙ୍କ ପ୍ରକୃତ ସଂଖ୍ୟା ଲୁଚାଉଥିବା କୁହାଯାଉଛି। ଏବେ ତ ଦେଶର ଏକ ପ୍ରମୁଖ ସଂଗଠନ ଭାରତୀୟ ଡାକ୍ତରୀ ସଂଘ (ଆଇଏମ୍‌ଏ) କେନ୍ଦ୍ର ସରକାରଙ୍କୁ ଏ ନେଇ ଏକ ପତ୍ର ଲେଖି ପ୍ରଶ୍ନ କରିଛି ଯେ ସରକାର କୋଭିଡ଼ଜନିତ ମୃତ୍ୟୁସଂଖ୍ୟାକୁ କାହିଁକି ଗୋପନ ରଖିବାକୁ ଚେଷ୍ଟା କରୁଛନ୍ତି। ଏପରିକି ମହାମାରୀ ମୁକାବିଲା ପାଇଁ ଆଇଏମ୍‌ଏର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ସରକାର ଆଦୌ ଧ୍ୟାନ ଦେଇନଥିବା ସଂଘ ଅଭିଯୋଗ କରିଛି। କେବଳ କେନ୍ଦ୍ର ନୁହେଁ, ଅନେକ ରାଜ୍ୟ ସରକାର ମଧ୍ୟ ବାସ୍ତବ କୋଭିଡ଼ ମୃତକଙ୍କ ତଥ୍ୟ ଦେଉନଥିବା ଅଭିଯୋଗ ହେଉଛି।

ସରକାରଗୁଡ଼ିକ ନିଜର ଦୁର୍ବଳତାକୁ ଘୋଡ଼ାଇବା ଉଦ୍ଦେଶ୍ୟରେ ହୁଏତ ଏପରି କରୁଛନ୍ତି; କିନ୍ତୁ ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ନ୍ୟାୟରେ ଶ୍ମଶାନଗୁଡ଼ିକରେ ଅହୋରାତ୍ର ଜଳୁଥିବା ଚିତାଗ୍ନି ହିଁ ଅସଲ ସ୍ଥିତି ବିଷୟରେ କହିଦେଉଛି। ଯେଉଁ ସମୟରେ ଦେଶବାସୀ ମହାମାରୀ ସହ ଜୀବନମରଣ ସଂଗ୍ରାମ କରୁଛନ୍ତି, ସେହି ସମୟରେ ଦେଶର ନେତୃବୃନ୍ଦ ଅନାବଶ୍ୟକ ଓ ନ୍ୟସ୍ତସ୍ବାର୍ଥ କାର୍ଯ୍ୟରେ ଦେଶର ଶକ୍ତି ଓ କ୍ଷମତାର ଅପବ୍ୟୟ କରିବା ଅକ୍ଷମଣୀୟ ନିଶ୍ଚୟ। ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ସରକାରଙ୍କଠାରୁ ଦୂରଦର୍ଶୀ ନିଷ୍ପତ୍ତି ଓ କାର୍ଯ୍ୟଦକ୍ଷତା ସହ ସମ୍ବେଦନଶୀଳତା ଆଶା କରାଯାଏ।

Comments are closed.