ନୋହେ ଏହା ଜ୍ଞାନ…

ସ୍ବପ୍ନ, ମୋହ ଓ କାମନା ରାଜ୍ୟରେ ମଜ୍ଜିଗଲେ, ହଜିଗଲେ କଥା ସଇଲା। ବାସ୍ତବତା, ସତ୍ୟ ଅନବହିତ ଓ ନିରୁଦ୍ଦିଷ୍ଟ ହୋଇଯାଏ। ସ୍ବୀୟ ସୀମା ଓ ସ୍ଥିତି ଅସଚେତନ ଜଣେ ହୋଇଯାଏ। ଦେଖୁନାହାନ୍ତି ସୁଗ୍ରୀବଙ୍କ କଥା। ମହାପରାକ୍ରମଶାଳୀ ଭାଇ ବାଳି ତାଙ୍କୁ ରାଜ୍ୟଚ୍ୟୁତ କେବଳ କରି ନ ଥିଲେ, ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅପହରଣ କରି ନେଇଥିଲେ। ରାଜ୍ୟ, ଘର ବିବର୍ଜିତ ଏକ ଆଶ୍ରା ଓ ଆଶାହୀନ ଜୀବନ ସେ କାଟୁଥିଲେ। ନିଜ ବିକ୍ରମ ବିସ୍ମୃତ ଶ୍ରୀ ହନୁମାନଜୀ ମଧ୍ୟ ଏକ ସାଧାରଣ ମର୍କଟ ଭାବେ ତାଙ୍କର ଏକମାତ୍ର ସଙ୍ଗୀ ଥିଲେ। ସେ ଯାହା ହେଉ ପ୍ରଭୁ ଶ୍ରୀରାମଙ୍କ ସହ ସାକ୍ଷାତ ପରେ ଶ୍ରୀହନୁମାନ ତାଙ୍କ ବିସ୍ମୃତ ‘‘ଅମିତ ବିକ୍ରମଶାଳୀ’’ ବଳ ଯେମିତି ପାଇଲେ, ସୁଗ୍ରୀବ ବି ତାଙ୍କ ସ୍ତ୍ରୀ ଓ ରାଜ୍ୟ କେବଳ ଫେରି ପାଇ ନ ଥିଲେ, ଶ୍ରୀରାମ କର୍ତ୍ତୃକ ବଧ ବାଳିଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆଉ ଏକ ପତ୍ନୀ ଭାବେ ଗ୍ରହଣ କରି ପରମ ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ। ପ୍ରଭୁ ଏଠି ‘‘ଯେସାକୁ ତେସା’’ ନୀତି ପ୍ରୟୋଗ କରିଦେଲେ।

ବାଳି ବଧ ଅନ୍ୟାୟ ଓ କାପୁରୁଷୋଚିତ ଥିଲା ବୋଲି ବାଳି ଶ୍ରୀରାମଙ୍କୁ ତାଙ୍କ ଜୀବନର ସେଇ ଅନ୍ତିମ ମୁହୂର୍ତ୍ତରେ କହିଥିଲେ। ଅପହୃତା ସୀତାଙ୍କୁ ରାବଣ କବଳରୁ ଉଦ୍ଧାର ଓ ରାବଣବଧ ପାଇଁ ସୁଗ୍ରୀବଙ୍କୁ ହାତେଇବା କଥାରେ, ବୀର ବାଳି ଜୀବନର ସେ ଅନ୍ତିମ ଦୁଃଖଦ ମୁହୂର୍ତ୍ତରେ ବି ହସି ପକେଇଲେ। କହିଲେ, ‘‘ଏଥିରେ ଭୀରୁ ସୁଗ୍ରୀବ କେମିତି ସାହାଯ୍ୟ ଆପଣଙ୍କୁ କରିବ? ମୁଁ ପୂଜାପାଠ କରୁଥିବା ବେଳେ, ବିଶ୍ରବା ଋଷିଙ୍କ ଏ ପଥଚ୍ୟୁତ ପୁଅ ରାବଣ ମୋ ପୂଜାରେ ବ୍ୟାଘାତ ଘଟାଏ। ଋଷି ସନ୍ତାନଟେ। ତାକୁ ମାରିବି କ’ଣ? ମୋ କାଖରେ ତାକୁ ପୂଜା ସରିବାଯାଏ ଜାକି ଧରିଥାଏ। ଇୟେ ସେଇ ରାବଣ ତ? ତା’ଠୁ ସୀତାଙ୍କୁ ଆଣିବା ଓ ତାକୁ ମାରିବା ପାଇଁ ଏତେ ପ୍ରସ୍ତୁତି କ’ଣ? ୟେ ତ ମୋ ବାଁ ହାତ୍‌କା ଖେଲ।’’ ତଟସ୍ଥ ଓ ଦୁଃଖିତ ହୋଇଥିଲେ ଶ୍ରୀରାମ ଏ କଥାରେ। ମାତ୍ର ମୁହଁରୁ ବାହାରି ଯାଇଥିବା କଥା ଓ ତୂଣୀରରୁ ବାହାରି ଯାଇଥିବା ଶର ଆଉ ନା ପାଟିକୁ ନା ତୂଣୀରକୁ ଫେରିଥାଏ? ସେ ଯାହାହେଉ, ବର୍ଷା ଋତୁ ‘ଚତୁର୍ମାସ୍ୟା’ ଆସିଯାଇଥିବାରୁ, ଏହାର ଅନ୍ତେ ରାବଣବଧ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବାର ସ୍ଥିର ହେଲା। ଶ୍ରୀରାମ ପତ୍ରକୁଡ଼ିଆକୁ ଓ ସୁଗ୍ରୀବ ନୂତନ ପ୍ରାପ୍ତ ରାଜ ଉଆସକୁ ଫେରିଲେ। ମହାଭୋଗର ଜୀବନ ତାଙ୍କର ପ୍ରଭୁ କୃପାରୁ ଆରମ୍ଭ ହୋଇ ଯାଇଥିଲା।

ବର୍ଷା ଚାରିମାସ ଅନ୍ତ ହୋଇଗଲା। କାହାନ୍ତି ମିତ ସୁଗ୍ରୀବ? ସୀତା ଉଦ୍ଧାର କଥା କ’ଣ ହେଲା? ସୁଗ୍ରୀବଙ୍କ ଏମିତି ଆତ୍ମବିସ୍ମୃତିକୁ ଲକ୍ଷ୍ମଣ ଗ୍ରହଣ କରିପାରୁ ନ ଥା’ନ୍ତି, ଚରମ ଆସ୍ପର୍ଦ୍ଧା ଓ କୃତଘ୍ନତା ବୋଲି କହୁଥା’ନ୍ତି। ଚିରଶାନ୍ତ ଶ୍ରୀରାମ, ଭାଇ ଲକ୍ଷ୍ମଣଙ୍କୁ ଏମିତି ଭାବରୁ ବିରତ ହେବାକୁ କହି ସୁଗ୍ରୀବଙ୍କୁ ମନେ ପକେଇ ଦେବାକୁ, ତାଙ୍କ ପାଖୁ ଯିବାକୁ କହିଲେ। ରାତ୍ରି ଅନିଦ୍ରା ହୋଇଥିଲେ, ପାହାନ୍ତା ପହର ନିଦ ଯେମିତି ଦିନ ଦଶଟା ଯାଏ ବି ଘାରିଥାଏ, ବହୁ ନିର୍ଯାତନାରେ ଶ୍ରାନ୍ତ, କ୍ଳାନ୍ତ ସୁଗ୍ରୀବ ହଠାତ୍‌ ଏ ଐଶ୍ବର୍ଯ୍ୟ ଓ ଦୁଇରାଣୀ ପ୍ରାପ୍ତିରେ ଭୋଗାନ୍ଧ ହୋଇଯାଇଥିଲେ। ‘‘ରଙ୍କୁଣୀ ପାଇଛି ଇଲିଶି, କଣ୍ଟାମଣ୍ଟା କରି ଗିଳୁଛି।’’ ରାଜପ୍ରାସାଦ ସିଂହଦର୍ଜାରେ, ଲକ୍ଷ୍ମଣଙ୍କୁ ସିପେହି ଅଟକେଇଲେ, ଯେମିତି ଯେଡ଼େ ଅରକ୍ଷିତିଆ, ଅର୍ବାଚୀନ ଥିଲେ ବି ଏଇଲେ ତ ମନ୍ତ୍ରୀ! ତାଙ୍କ ଦୁଆର ଆଗରେ ବନ୍ଧୁକଧାରୀ ପୁଲିସ। ଦିନେ ତାଙ୍କ ମୁଣ୍ଡରେ ଗୋଡ଼ ଦେଇଥିବା ଗାଁର ବରିଷ୍ଠ ବିଜ୍ଞ ବ୍ୟକ୍ତି ଅନନ୍ତ ମିଶ୍ର, ଏ ନେଳିକୁଣ୍ଡିଆ ଶୃଗାଳର ମନ୍ତ୍ରୀରଙ୍ଗର ଫାଟକ ପାଖେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରି ବିନା ଭୋଟ ଲଢ଼େଇରେ ରାଜା ହୋଇଥିବା ଏ ସୁଗ୍ରୀବଙ୍କ ସିଂହଦରଜାରେ ଅଟକିବାକୁ ବାଧ୍ୟ ହେଲେ ଓ ଖବର ଦେଲେ ‘ଲକ୍ଷ୍ମଣ’ ଆସିଚି ବୋଲି।

ସେତେବେଳେ ମିଳୁଥିବା ଗୋଟେ କୋଉ ‘ଲିକର’ରୁ ଦି’ତିନି ଗିଲାସ (ପେଗ୍‌) ମଣିମା ପକେଇ ଦେଇଥିଲେ ବୋଧେ। ମେଜାଜ୍‌ ଖୁସ୍‌ କରିଦେବାର ୟେ ଗୋଟେ ପଦାର୍ଥ। ଆମ ନବୀନଜୀ ସେଇ କଥାକୁ ହାଡ଼େ ହାଡ଼େ ବୁଝିଛନ୍ତି। ତେଣୁ ସାରା ରାଜ୍ୟରେ ମଦ ବିପ୍ଳବ ଚଳାଇଛନ୍ତି। ମଦୁଆ ମାଛୁଆଙ୍କୁ କରୋନା ବେଶି ଧରୁଛି ଜାଣି ମଧ୍ୟ ଏ ସରକାର ଏପଟେ ମଦ ପେଇ ସେପଟେ କରୋନା ଛଡ଼ା ନାଟକ କରୁଛନ୍ତି। ହଉ କରନ୍ତୁ। ଗର୍ଜି ଉଠିଲେ ସୁଗ୍ରୀବରାଜା। କହିଲେ, ‘‘ଆରେ ଶଳେ କୋଉ ଲକ୍ଷ୍ମଣ ସେ?’’ ଗାଳିଖାଇଥିବା ସିପେହି ଥୋଡ଼େ ଲକ୍ଷ୍ମଣଙ୍କ ଉପରେ ଚଢ଼ିଗଲେ, କହିଲେ, ‘‘ତୁମେ କୋଉ ଲକ୍ଷ୍ମଣ? ପୂରା ଠିକଣା, ସାକ୍ଷାତ କାରଣ ଜଣାଅ।’’ ସହଜେ ତ କ୍ରୋଧୀ। ତଥାପି ବଡ଼ଭାଇଙ୍କ ମିତ ଖାତିରରେ ଦବିଗଲେ। କହିଲେ, ‘‘ପ୍ରଭୁ ଶ୍ରୀରାମଙ୍କ ସାନଭାଇ ଲକ୍ଷ୍ମଣ’’। ଏତିକି କହିଲେ ସେ ବୁଝିଯିବେ। ଡରିଡରି ସିପେହି କହିଲା, ‘‘ଆଜ୍ଞା, ସେ କହୁଚି ଶ୍ରୀରାମଙ୍କ ଭାଇ।’’ ପୁଣି ଗର୍ଜି ଉଠିଲେ ରାଜା ସୁଗ୍ରୀବ, ‘‘ଆବେ କୋଉ ଶ୍ରୀରାମ?’’ ଏଥର ସିପେହିଦଳ ମାରି ମିଶିଲେ ଲକ୍ଷ୍ମଣଙ୍କୁ। ଆରେ ଆମକୁ ପୂରା ଠିକଣା ଦଉନୁ, ରାଜା କହିଲେ ‘‘କୋଉ ରାମ ସେ?’’ ନିଜ ଅପମାନ ସିନା ସହିଥିଲେ, ବଡ଼ ଭାଇଙ୍କ ଅପମାନକୁ କୋଉ ସମ୍ଭାଳନ୍ତେ? ଭୁଲିଗଲେ ଭାଇଙ୍କ ପରାମର୍ଶ। ବିନ୍ଧିଲେ ଏକ ଶର। ଦି’ରାଣୀ ପରିବେଷ୍ଟିତ, ରାଜମୁକୁଟଧାରୀ ସୁଗ୍ରୀବଙ୍କ ମୁଣ୍ଡର ମୁକୁଟକୁ ଏ ଶର ଖସେଇଦେଲା। ପଲକମାତ୍ରେ ବୁଝିଗଲେ ସୁଗ୍ରୀବ ରାଜା ସବୁକଥା। ଏ ଲକ୍ଷ୍ମଣ, ଏ ରାମ କିଏ? ଲୁଗାପଟା ଫିଟିଯାଉଥାଏ, ମାତ୍ର ସେଥିକୁ କୁ ନିଘା ଥାଏ, ଧାଉଁଥା’ନ୍ତି ବିକଳରେ ଶ୍ରୀଲକ୍ଷ୍ମଣଙ୍କ ପାଖୁ। ୟେ ବିସ୍ମୃତି, ଆତ୍ମବିସ୍ମୃତି ଓ ଭୋଗାନ୍ଧର କଥା କି ଦଶା।

ଏ ଅନୁଭବ କାହାର ନାହିଁ ଯେ? ମାତ୍ର ୟେ ମନରେ, ବିବେକରେ କୁ ବସାବାନ୍ଧି ରହୁଛି? ‘‘ସାରାସାର ବୁଝି ଦେଉଥାନ୍ତେ ଲୋକେ, ଓହ୍ଲାଇ ଆସନ୍ତା ସ୍ବର୍ଗ ମର୍ତ୍ତ୍ୟଲୋକେ।’’

ଏବେ ଗୋଟାଏ ଅଜଣା, ଅଶୁଣା ରୋଗ କରୋନାକୁ ଦେଖୁନାହାନ୍ତି। କି ହୀନାବସ୍ଥା ୟେ ଲୋକଙ୍କୁ ନ କଲାଣି! ସମାଜର ମୁଣ୍ଡିଆଳ, ବଡ଼ପଣ୍ଡା, ବିଜ୍ଞାନୀଗଣ ଏଇଲେ କ’ଣ କରୁଛନ୍ତି? ଶିବଙ୍କ ଘରେ ଏଇଲେ ଘାଉଡ଼। ବଡ଼ ବଡ଼ ନେତା ମନ୍ତ୍ରୀଗୁଡ଼ା ବି କରୋନା ମାଡ଼ରେ ଛିନ୍‌ଛତ୍ର ହେଲେଣି। ‘‘ନିଜ ରକ୍ଷଣ ଅସମ୍ଭବ ସେ କାହୁଁ ପରକୁ ରଖିବ?’’ ‘‘ଟିକା ଟିକା’’ ପାଟି ହେଉଛି। କିରେ କାଇଁ କୁ ଟିକା? ହେଇ ଆସୁଛି, ହେଇ ଆସୁଛିରେ ବରଷେ ଗଲାଣି। ମୁହଁରେ ତୁଣ୍ଡି ବାନ୍ଧ। ତା’ ପୁଣି ନାକ ତଳକୁ ଖସିଲେ ମାଡ଼। ମଣିଷର ଦି’ ଗୁରୁତ୍ବପୂର୍ଣ୍ଣ ରନ୍ଧ୍ର ବା ଦ୍ବାର ନାକ ଓ ପାଟି, କଷ୍ଟ ହେଉ ପଛେ ତୁଣ୍ଡି ବାନ୍ଧି ହେଉଛନ୍ତି ଲୋକେ। ଏବେ ପୁଣି ଜଣେ ବୈଜ୍ଞାନିକ କହିଲେଣି ମୁହଁରେ ଥିବା ଆଉ ଦି’ଟା ଦ୍ବାର, ଆଖି ବାଟେ ଏ ଭୂତାଣୁ ପଶୁଛି। ଆରେ ତାକୁ ବନ୍ଦ କଲେ ଚଳିବ କେମିତି? ଆଖି ଆବୋରା ପ୍ରଚକ୍ଷୁ ଦିଆଯିବ। ମାତ୍ର ଏଥିରେ କି ଦଶା ସଇଲା? ଫେଣେ ଯେବେ ଏ ପଣ୍ଡିତେ ଆଉ ଦି’ଟା କଣା, କାନ ଆଡ଼କୁ ଯିବେ ଓ କ୍ରମେ କ୍ରମେ ଶରୀରର ସବୁ କଣାକୁ ମୁଦିବାକୁ କହିବେ ତେବେ, ମରଣାନ୍ତକ ଏ ଯନ୍ତ୍ରଣାଠୁ ନ ମରିବ ବି ଜଣେ କିଆଁ?

ଏବେ ପଣ୍ଡିତେ ବି କହୁଛନ୍ତି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ୟେ ବେଶି ବ୍ୟାପୁଛି। ଏଥିରୁ ଇଲମ ଖୋଜ। ପ୍ରଦୂଷଣ, ଅପ୍ରାକୃତ ଜୀବନଚର୍ଯ୍ୟାରେ ସହରୀ ଜୀବନ ଏଇଲେ ସିଝୁଛି। କାରଖାନା, ଗାଡ଼ିମଟର ଧୂଆଁ ଓ ତେଲପୋଡ଼ି, ରାତି ସାରା କୋଇଲା ଚୁଲିର ଢାବାରେ ମଦ ମାଂସର ଆସରରୁ ପ୍ରକୃତିକୁ ଆମେ କେମିତି କହୁଣି ମାରିଛେ ଓ ପରିଣତିରେ ଯେ ଏ ଅବସ୍ଥା ହୋଇଛି, ତା’ ବୁଝି ନ ହେବା ତ ସବୁ ଗୋଳର କାରଣ। ଜିତିଲାପରେ ମମତା ଦିଦି ‘ଖେଲା ହବେ’ କହିଲା ପରି ପ୍ରକୃତି ବି ‘ଖେଲା ହବେ’ରେ ଅଛି।

ବ୍ରାହ୍ମ ମୁହୂର୍ତ୍ତ ପୂର୍ବରୁ ଶଯ୍ୟା ତ୍ୟାଗ, ଶୁଦ୍ଧ ଶାକାହାର ଭୋଜନ, ଯୋଗ ପ୍ରାଣାୟାମ, ପିତାମାତାଙ୍କ ପୂଜନ ଆଦି ଜୀବନଚର୍ଯ୍ୟା ଆଜି ଗପ ହୋଇଗଲା। ଭେଣ୍ଡିଆ ଟୋକାଗୁଡ଼ା, ଧୂ ଧୂ ଖରାମାସରେ ଦିନ ଏଗାରଟା ଯାଏ ସବୁରି ଘରେ ଶୋଇଥିବା ଦେଖାଯାଉଛି। ‘‘କିରେ ସାନବାବୁ କ’ଣ ଦି’ପହର ଯାଏ ଶୋଇଛନ୍ତି। ଦିହ ଭଲ ନାହିଁ କି?’’ ପଚାରିଲେ, ବାପମା’ ମିଶି ଆସୁଛନ୍ତି, ‘‘ଦିହ କାହିଁକି ଭଲ ରହିବନି, ରାତି ସାରା ତ ପଢ଼ୁଛି, ଅନ୍‌ଲାଇନରେ ବି ପାଠ ପଢ଼ୁଛି, ଶୋଇବ ତ ପୁଣି! ତାକୁ ଡିଷ୍ଟର୍ବ (ବ୍ୟସ୍ତ) କରନି।’’ ୟେ ହେଲା କାମଜ ସନ୍ତାନଙ୍କ ପିତାମାତା।

ଏ ଦେଶ ସଭ୍ୟତା ସଂସ୍କୃତି ଉପରେ ଥୁକୁଥିବା ବାଲାଙ୍କୁ କରୋନା ବିନ୍ଧୁଥିବ। ତାଙ୍କ ନବଦ୍ବାର ନିବୁଜ କରି ଆକେତା ମାକେତା କରୁଥିବ। ଖାଉଥା’ ଅଧରାତିରେ ଢାବାରେ, ରାତିସାରା ପଢ଼ା ନାଁରେ ରାତିକୁ ଦିନ କରୁଥା’ ଓ ଦିନକୁ ରାତି କରୁଥା’। କାଇଁ ଗଲା ଯୋଗ, ପ୍ରାଣାୟାମ, ବାଡ଼ିର ପୁରୁଣି ଶାଗ (ପୁନର୍ନବା)ଓ ପଖାଳ? ପିଜାରେ ପିଞ୍ଜି ହେଉଥା’ରେ ବେଟା। କେମିତି ଆଉ ହେଜିବ, ବୁଝିବ? ୟେ ଆମ ପଣ୍ଡିତପଣିଆ ନୁହଁ। ନିଜକୁ ବିକଳ ଲାଗୁଛି ତ ଚିଲଉଛୁ। କବିବର ରାଧାନାଥ ବି ସେଇ କଥା କହିଥିଲେ ଶହେ ବର୍ଷ ତଳେ–

‘‘ଜାଣେ ମୁହିଁ ଏହି ସାଂଯାତ୍ରିକ ଦଳେ, ହୀନଠାରୁ ହୀନ ମୁହିଁ ଜ୍ଞାନବଳେ।
ଅଜ୍ଞାନ ଅଟେ ମୁଁ ଏ ଜ୍ଞାନୁ ବଞ୍ଚିତ, ଭାଳ ନାହିଁ, ଭାଇ, ମୋତେ କଦାଚିତ।
ପ୍ରଭେଦ ମଧ୍ୟରେ ଏତିକି କେବଳ– ଯହିଁ ତୋଫାନର ସବୁଠାରୁ ବଳ।
ଗୁଣ-ବୃକ୍ଷ-ଚୂଳେ, କେଜାଣି କିମ୍ପାଇଁ। ଭାଗ୍ୟ, ଭାଇ ମୋତେ ଦେଇଛି ବସାଇ।
ହେଉଅଛି ନାହା କେତେ ଟଳମଳ, ତୋଫାନ କିପରି ହେଉଛି ପ୍ରବଳ।
ସବୁଠାରୁ ମୁହିଁ ଜଳୁଛି ଅଧିକ, ସବୁଠାରୁ ଯେଣୁ ହଲୁଛି ଅଧିକ।
ତେଣୁ ଆର୍ତ୍ତେ ସିନା ପକାଉଛି ହୁରି, ନୋହେ ଏହା ଜ୍ଞାନ ଗୁମାନ-ଚାତୁରୀ।
ସମଦୁଃଖୀଠାରେ-ଦୁଃଖୀ-ଆର୍ତ୍ତନାଦ, ସିନା ଏହା, ନୁହେଁ ଅଜ୍ଞେ ପ୍ରଜ୍ଞାବାଦ।’’

Comments are closed.