ସମୟୋଚିତ ପଦକ୍ଷେପ

ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ସହାୟତା ଘୋଷଣା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ

ଦେଶରେ କରୋନା ସଂକ୍ରାମକ ମହାମାରୀର ଦ୍ବିତୀୟ ତରଙ୍ଗ ବ୍ୟାପିଚାଲିଥିବାବେଳେ ଲୋକେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଆଗକୁ ତୃତୀୟ ତରଙ୍ଗ ନେଇ ଚେତାବନୀ ଦିଆଗଲାଣି। ତେଣୁ ଭବିଷ୍ୟତକୁ ନେଇ ଆତଙ୍କ ବଢ଼ିବା ସ୍ବାଭାବିକ। ସେପଟେ ସଂକ୍ରମଣ ହ୍ରାସ ପାଇଁ ଓଡ଼ିଶାରେ ଦୁଇ ସପ୍ତାହ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ତାଲାବନ୍ଦ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଜୀବନ ବଞ୍ଚାଇବାକୁ ଯାଇ ଜୀବିକାକୁ ଛାଡ଼ିବାକୁ ଲୋକେ ବାଧ୍ୟ। ବର୍ତ୍ତମାନ ସମଗ୍ର ଦେଶରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଜରୁରୀ ଉପକରଣର ଅଭାବକୁ ନେଇ ସଙ୍କଟମୟ ସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଜୀବନରକ୍ଷାକାରୀ ଯନ୍ତ୍ର ଆଦି ନଥିବାରୁ ରୋଗୀଙ୍କର ମୃତ୍ୟୁ ଘଟୁଛି। ଏପରି ସ୍ଥିତିରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ) ମହାମାରୀର ମୁକାବିଲା କରିବା ପାଇଁ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିବା ଏକ ମହତ୍ତ୍ବପୂର୍ଣ୍ଣ ସମୟୋଚିତ ପଦକ୍ଷେପ। ବିଶେଷକରି ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ଅର୍ଥ ଆର୍‌ବିଆଇ ପକ୍ଷରୁ ପ୍ରଦାନ କରାଯାଇଛି। ଟିକା ଉତ୍ପାଦନ, ଟିକାକରଣ, ନୂତନ ଡାକ୍ତରଖାନା ଓ ପରୀକ୍ଷାଗାର ନିର୍ମାଣ, ଅମ୍ଳଜାନ ଓ ଭେଣ୍ଟିଲେଟର ଆଦି ତିଆରି କରିବା ନିମନ୍ତେ ମଧ୍ୟ ଋଣ ଯୋଗାଇଦେବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ସେହିପରି କ୍ଷୁଦ୍ର ଓ ମଧ୍ୟମ ଋଣ ଗ୍ରହୀତାଙ୍କୁ ଋଣ ପରିଶୋଧ ନିମନ୍ତେ ବ୍ୟାଙ୍କଗୁଡ଼ିକ ଅଧିକ ସମୟ ପ୍ରଦାନ କରିବାକୁ ଦିଆଯାଇଥିବା ନିର୍ଦେଶ ସ୍ବାଗତଯୋଗ୍ୟ। କେନ୍ଦ୍ରୀୟ ବ୍ୟାଙ୍କର ଏହି ସହାୟତା କିପରି ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିବ, ତାହା ଗୁରୁତ୍ବପୂର୍ଣ୍ଣ। ତେବେ କହିବା ବାହୁଲ୍ୟ ଯେ ମହାମାରୀର ଦ୍ବିତୀୟ ତରଙ୍ଗ ନେଇ ବହୁ ପୂର୍ବରୁ ଚେତାବନୀ ଦିଆଯାଇଥିଲେ ହେଁ ନା କେନ୍ଦ୍ର ସରକାର ନା କେନ୍ଦ୍ରୀୟ ବ୍ୟାଙ୍କ ଏପରି ସହାୟତା କଥା ଚିନ୍ତା କରିଥିଲେ। ବର୍ତ୍ତମାନର ସହାୟତା ‘ବାହାଘର ବେଳେ ବାଇଗଣ ରୁଆ’ ପରି ହେବାର ଆଶଙ୍କା ବେଶି।
ଏଥିରେ ସନ୍ଦେହ ନାହିଁ ଯେ ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଚୁର ପୁଞ୍ଜିନିବେଶ ଆବଶ୍ୟକ। ବ୍ୟାଙ୍କ ସହାୟତାରେ ଚିକିତ୍ସା ଉପକରଣ ଓ ଟିକା ଉତ୍ପାଦନ କାରଖାନା ଯଦି ପ୍ରତିଷ୍ଠା ହେଉଛି, ତେବେ ତାହା ଭବିଷ୍ୟତ ପାଇଁ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରିବ। ବର୍ତ୍ତମାନ ଦେଶରେ ଟିକାର ଘୋର ଅଭାବ। ଯଦି ପୂର୍ବରୁ ସରକାର ଏଥିପାଇଁ ଯୋଜନା କରିବା ସହ ଦୁଇଟି ସଂସ୍ଥା ପରିବର୍ତ୍ତେ ଅଧିକ ଟିକା ଉତ୍ପାଦନ କାରଖାନା ପ୍ରତିଷ୍ଠାର ବ୍ୟବସ୍ଥା କରିଥାନ୍ତେ, ତେବେ ଆଜିର ପରିସ୍ଥିତି ହୋଇନଥାନ୍ତା। ଦେଶବାସୀଙ୍କର ଟିକାକରଣ ବିଷୟ ଚିନ୍ତା ନ କରି ପ୍ରଥମେ ପୃଥିବୀସାରା ଟିକା ପଠାଇବା ଭଳି ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ମଧ୍ୟ ଏବେ ଟିକା ମିଳୁନାହିଁ। ୧୮ରୁ ଅଧିକ ବୟସର ଲୋକଙ୍କର ଟିକାକରଣ ଘୋଷଣା ହୋଇଥିଲେ ହେଁ ସେଥିପାଇଁ ଟିକା ନାହିଁ; ଏପରି କି ଦ୍ବିତୀୟ ପାନ ଟିକା ନେବାକୁ ଥିବା ଲୋକଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ୁଛି। ସେପଟେ ଗୋଟିଏ ଟିକା ଉତ୍ପାଦକ ସଂସ୍ଥାର ମାଲିକ ଉପରେ ଏତେ ଚାପ ପଡ଼ିଲା ଯେ ସରକାର ଆର୍ଥିକ ସାହାଯ୍ୟ କରିବା ସତ୍ତ୍ବେ ସେ ଦେଶ ଛାଡ଼ି ବିଦେଶ ପଳାଇବାକୁ ଉଚିତ ମଣିଲା। ଇଏ ଏକ ବିଚିତ୍ର ସ୍ଥିତି। ସରକାରଙ୍କ ନିକଟରେ ଏଥିପାଇଁ କିଛି ସୁଚିନ୍ତିତ ଯୋଜନା ନଥିବା ଦୁର୍ଭାଗ୍ୟଜନକ। ସେ ଯାହାହେଉ, ଏହି ଅଭୂତପୂର୍ବ ମହାମାରୀ ସଙ୍କଟରୁ ତ୍ରାହି ପାଇବାକୁ ହେଲେ ଟିକାକରଣକୁ ଅଧିକ ବ୍ୟାପକ ଓ ଶୃଙ୍ଖଳିତ କରିବାକୁ ହେବ। କେନ୍ଦ୍ର ସରକାର ଓ ପ୍ରତ୍ୟେକ ରାଜ୍ୟ ସେଥିପ୍ରତି ଗୁରୁତ୍ବ ଦିଅନ୍ତୁ।
ଗତ ବର୍ଷ ଦୀର୍ଘକାଳ ଧରି ତାଲାବନ୍ଦ ହେବା ଫଳରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକ ପ୍ରାୟ ବନ୍ଦ ହୋଇପଡ଼ିଥିଲା। ୨୦୨୦ ଡିସେମ୍ବର ବେଳକୁ ସ୍ଥିତି ସାମାନ୍ୟ ସୁଧୁରିବା ପରେ ଏଗୁଡ଼ିକୁ ପୁଣି ଥରେ ଚାଲୁ କରିବା ଆରମ୍ଭ ହୋଇଥିଲା; କିନ୍ତୁ ପୁଣି ତିନି ମାସ ପରେ ଦ୍ବିତୀୟ ତରଙ୍ଗ ପୂର୍ବାପେକ୍ଷା ଅଧିକ ଭୟାନକ ହୋଇଛି। ସରକାର ଏଥର ତାଲାବନ୍ଦ ଭିତରେ ଉଦ୍ୟୋଗଗୁଡ଼ିକୁ ବାଦ୍‌ ଦେଇଥିବା ସତ୍ତ୍ବେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ଏହି ଉଦ୍ୟୋଗଗୁଡ଼ିକ ଭିତରୁ ଅଧା ବନ୍ଦ ହୋଇଗଲାଣି। କେଉଁଠି କଞ୍ଚାମାଲର ଅଭାବ ତ ଆଉ କେଉଁଠି ଶ୍ରମିକ ନାହାନ୍ତି। ଏପରି ସ୍ଥିତିରେ ଆର୍‌ବିଆଇ ଋଣ ପୁନର୍ଗଠନ ନେଇ ଯେଉଁ ଘୋଷଣା କରିଛି, ତାହା ସମୟୋପଯୋଗୀ। ଏହାଦ୍ବାରା ଅନ୍ତତଃ କିଛି ଉଦ୍ୟୋଗ ବନ୍ଦ ହେବାରୁ ବର୍ତ୍ତିଯିବ। ତେବେ ଏହା ମଧ୍ୟ ଆଦୌ ଯଥେଷ୍ଟ ନୁହେଁ। କୋଟିକୋଟି ଲୋକଙ୍କ ଜୀବନ ଓ ଜୀବିକା ଉଭୟକୁ ବଞ୍ଚାଇବା ପାଇଁ ସରକାରୀ ସ୍ତରରେ ଆହୁରି ଅଧିକ ଏବଂ ତ୍ବରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସରକାର କେବଳ ନିଜର ଉଳ ଭାବମୂର୍ତ୍ତି ନିର୍ମାଣରେ ନ ମାତି ବାସ୍ତବ ସ୍ଥିତିକୁ ହୃଦୟଙ୍ଗମ କରନ୍ତୁ ଓ ତଦନୁଯାୟୀ ଅବିଳମ୍ବେ ନିଷ୍ପତ୍ତି ଗ୍ରହଣ କରନ୍ତୁ।

Comments are closed.