ଆଫଗାନ ନୀତିରେ ପରିବର୍ତ୍ତନ

ଶାନ୍ତି ଆଲୋଚନାରେ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁ

ଆଫଗାନ ନୀତିରେ ଭାରତ କେତେକ ପରିବର୍ତ୍ତନ କରିଥିବା କିଛି ବର୍ଷ ହେଲା ଦେଖିବାକୁ ମିଳୁଛି। ବିଶେଷ କରି ତାଲିବାନ୍ ଉପରେ ଆମର ଆଭିମୁଖ୍ୟରେ ନରମ ସ୍ବଭାବ ପରିଲକ୍ଷିତ ହୋଇଛି। ଆଫଗାନିସ୍ତାନ ସରକାର ଓ ତାଲିବାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ଭାରତ ସମର୍ଥନ କରୁଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଜିକିସ୍ତାନରେ ଅନୁୁଷ୍ଠିତ ନବମ ଏସିଆ ସମ୍ମିଳନୀରେ ପ୍ରକାଶ କରିଥିଲେ। ୧୯୯୦ ମସିହାରୁ ତାଲିବାନ ସହ ଯେ କୌଣସି ବୁଝାମଣାକୁ ଭାରତ ବିରୋଧ କରିଆସୁଥିଲା। ଯେତେବେଳେ ଆମେରିକା ଓ ରୁଷ୍ ଆଫଗାନିସ୍ତାନ ସମସ୍ୟାର ଆଲୋଚନା ପାଇଁ ତାଲିବାନଙ୍କୁ ଶାନ୍ତି ପ୍ରସ୍ତାବ ଦେଲେ ସେବେଠାରୁ ଭାରତ ଏହି ପ୍ରସଙ୍ଗରେ ନରମି ଯାଇଛି।

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନ-ତାଲିବାନ ଶାନ୍ତି ଆଲୋଚନାକୁ ନେଇ ନୂତନ ପ୍ରସ୍ତାବ ଦେଇଥିଲେ। ଏହା ପରେପରେ ଭାରତର ବିଦେଶ ମନ୍ତ୍ରୀ ଆମେରିକାର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବାଇଡେନଙ୍କ ନୂତନ ପ୍ରସ୍ତାବ ହେଲା ଶାନ୍ତି ଆଲୋଚନାରେ ପରସ୍ପର ପ୍ରତି ବିରୋଧାଭାସ ଜାରି ରଖିଥିବା ସମସ୍ତ ପକ୍ଷକୁୁ ସାମିଲ କରିବା ଓ ଭାରତ, ପାକିସ୍ତାନ, ଚୀନ୍, ଇରାନ, ରୁଷ୍ ଏବଂ ଆମେରିକାର ରାଷ୍ଟ୍ରଦୂତଙ୍କ ମଧ୍ୟରେ ବହୁପକ୍ଷ ଆଲୋଚନା ଆରମ୍ଭ କରିବା। ଆମେରିକାର ଏହି ପ୍ରସ୍ତାବକୁ ଭାରତ କାଳବିଳମ୍ବ ନକରି ସମର୍ଥନ କରିଛି; କାରଣ ଏହି ଆଲୋଚନାରୁ ଭାରତକୁ ଦୂରରେ ରଖିବା ପାଇଁ ପାକିସ୍ତାନ ପ୍ରଥମରୁ ଉଦ୍ୟମ ଚଳାଇ ଆସିଥିଲା। ବାଇଡେନଙ୍କ ଉପରୋକ୍ତ ପ୍ରସ୍ତାବ ପରେ ପାକିସ୍ତାନ ଚୁପ୍ ହୋଇଯାଇଛି। ମଧ୍ୟଏସିଆରେ ଭାରତକୁ ଏକପାଖିଆ କରି କୌଣସି ନିଷ୍ପତ୍ତି ନେବାକୁ ଆମେରିକା ଚାହୁଁ ନାହିଁ। ଓସମା-ବିନ୍-ଲାଦେନ୍ ନିହତ ପରେ ନିଜର ପୁରାତନ ମିତ୍ର ରାଷ୍ଟ୍ର ପାକିସ୍ତାନ ଉପରୁ ଆମେରିକାର ଭରସା ତୁଟି ଯାଇଛି। ପରିବର୍ତ୍ତିତ ବିଶ୍ବରେ ଭାରତ ନିଜର ପୁରାତନ ତାଲିବାନ ନୀତିକୁ ତ୍ୟାଗ କରି ଆମେରିକା ଆହ୍ବାନରେ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଯାଉଛି।

ଆଫଗାନିସ୍ତାନରେ ତାଲିବାନର ଉପସ୍ଥିତିକୁ କେବେ ବି ଅସ୍ବୀକାର କରି ହେବ ନାହିଁ। ରୁଷ୍ ଓ ଆମେରିକା ପରି ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ତାଲିବାନକୁ ସମୂଳ ନାଶ କରିପାରିଲେ ନାହିଁ। ଶେଷରେ ବାଧ୍ୟ ହୋଇ ଉଭୟ ଦେଶ ତାଲିବାନ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେଣୁ ଭାରତ ଯଦି ପୂର୍ବ ନୀତିରେ ଅଟଳ ଥା’ନ୍ତା ତେବେ ତାଲିବାନ ସମସ୍ୟାର ସମାଧାନ ହୋଇ ପାରି ନଥା’ନ୍ତା। ଆମେରିକା, ରୁଷ୍, ଚୀନ୍, ଇରାନ ଓ ପାକିସ୍ତାନ ଆଫଗାନିସ୍ତାନ-ତାଲିବାନ ଆଲୋଚନାକୁ ଗୁରୁତ୍ବ ଦେଉଥିବାବେଳେ ଭାରତ ଏକାକୀ ବିରୋଧ କରିବା ଉଚିତ୍ ନଥିଲା। ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ଥିଲା ପାକିସ୍ତାନ। କାରଣ ଭାରତକୁ ଆଫଗାନିସ୍ତାନରୁ ତଡ଼ିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଉଦ୍ୟମ କରି ଆସୁଥିଲା। ଏପରି ହୋଇଥିଲେ ମଧ୍ୟଏସିଆରେ ଚୀନ୍ ଓ ପାକିସ୍ତାନର ପତିଆରା ବୃଦ୍ଧି ପାଇଥା’ନ୍ତା। ତେବେ ଭାରତର କୂଟନୀତି ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇଛି। ଗୃହଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରେ ଭାରତ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଜାରି ରଖିଛି।

ଆଫଗାନିସ୍ତାନର ସଂସଦ ଭବନକୁ ଭାରତ ନିର୍ମାଣ କରିଛି। ଏହା ବ୍ୟତୀତ ଭାରତୀୟ ଯନ୍ତ୍ରୀ ଓ ଡାକ୍ତର ଆଫଗାନିସ୍ତାନରେ କାର୍ଯ୍ୟରତ। ଏହି ଦେଶର ବିକାଶ ହେଲେ ମଧ୍ୟଏସିଆରେ ଅସ୍ଥିରତା ହ୍ରାସ ପାଇବ ଓ ଦେଶ-ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ। ତେଣୁ ଭାରତ ପାଇଁ ଆଫଗାନିସ୍ତାନ ସମସ୍ୟା ଅଧିକ ଗୁରୁତ୍ବ ବହନ କରେ। ସେପଟେ ଆଫଗାନିସ୍ତାନ ସରକାର ଓ ଜନତା ପାକିସ୍ତାନ ଅପେକ୍ଷା ଭାରତକୁ ମିତ୍ର ଦୃଷ୍ଟିରେ ଦେଖନ୍ତି। ଭାରତରେ ଯେତେବେଳେ ପିଆଜ ଦର ବୃଦ୍ଧି ପାଇଥିଲା ସେତେବେଳେ ଆଫଗାନିସ୍ତାନ ଇରାନ ବାଟଦେଇ ଆମ ଦେଶକୁ ପିଆଜ ପଠାଇଥିଲା। ପାକିସ୍ତାନ ସୀମା ଦେଇ ଆଫଗାନିସ୍ତାନର ପିଆଜ ଟ୍ରକ ଭାରତରେ ସହଜରେ ପ୍ରବେଶ କରି ପାରିଥା’ନ୍ତା। ଏପରି ହୋଇଥିଲେ ସମୟ କମ୍ ଲାଗିଥା’ନ୍ତା ଓ ଖର୍ଚ୍ଚ ମଧ୍ୟ କମ୍ ପଡ଼ିଥା’ନ୍ତା। ତେବେ ପାକିସ୍ତାନ ଭାରତକୁ ଆସୁଥିବା ଆଫଗାନିସ୍ତାନର ପିଆଜ ଟ୍ରକକୁ ନିଜ ଦେଶ ଦେଇ ଯିବାକୁ ଅନୁମତି ପ୍ରଦାନ କଲା ନାହିଁ। ଏଣୁ ଇରାନ ଓ ଆରବ ସାଗର ଦେଇ ଭାରତରେ ଆଫଗାନିସ୍ତାନ ପିଆଜ ପହଞ୍ଚି ଥିଲା। କେବଳ ପିଆଜ ନୁହେଁ, ତଟକା ଫଳ ମଧ୍ୟ ଆଫଗାନିସ୍ତାନରୁ ଭାରତ ଆମଦାନୀ କରିଥାଏ।

ଏହା ବ୍ୟତୀତ ଭାରତର କେତେକ ବିଶ୍ବବିଦ୍ୟାଳୟରେ ଆଫଗାନିସ୍ତାନ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ଭାରତ ସରକାର ବୃତ୍ତି ପ୍ରଦାନ କରୁଛନ୍ତି। ଆମ ଦେଶର କେତେକ କୃତ୍ରିମ ଉପଗ୍ରହ (ସାଟେଲାଇଟ) ଆଫଗାନିସ୍ତାନକୁ ଜଳବାୟୁ ସଂକ୍ରାନ୍ତରେ ତଥ୍ୟ ଯୋଗାଇ ଦେଉଛି। ତେଣୁ ଆଫଗାନିସ୍ତାନବାସୀ ପାକିସ୍ତାନ ପ୍ରରୋଚନାରେ ପଡ଼ି ଭାରତ ପରି ମିତ୍ର ରାଷ୍ଟ୍ରକୁ ହରାଇବାକୁ ଚାହୁଁ ନାହାନ୍ତି। ଆଫଗାନିସ୍ତାନ ସେନା ଓ ଜନତା ପାକିସ୍ତାନକୁ ‘ଦାସ’ (ଚାକର)ର ଦେଶ ଭାବେ ବିବେଚନା କରନ୍ତି। ଏସବୁକୁ ଉପଲବ୍ଧି କରି ଆମେରିକା ଶାନ୍ତି ଆଲୋଚନାରେ ଭାରତକୁ ସାମିଲ କରିବାକୁ ଚାହୁଁଛି।

ପୂର୍ବରୁ ଭାରତ-ତାଲିବାନ ଉଭୟେ ଘୋର ବିରୋଧୀ ଥିଲେ। ଏହାର କାରଣ ଥିଲା ପାକିସ୍ତାନ। ପାକିସ୍ତାନର କେତେକ ଆତଙ୍କବାଦୀ ତାଲିବାନ ସଂଗଠନରେ ସାମିଲ ଥିଲେ। କାଶ୍ମୀରରେ ଜେହାଦକୁ ତାଲିବାନ ସମର୍ଥନ କରୁ ବୋଲି ସେମାନେ ଚାହୁଁଥିଲେ। ଦୀର୍ଘ କାଳରୁ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ସାଂସ୍କୃତିକ ସମନ୍ବୟ ରହିଆସିଛି। ଏହାକୁ ଦୃଷ୍ଟିରେ ରଖି ତାଲିବାନ ଭାରତ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିଲା। ମଧ୍ୟଏସିଆରେ ଭାରତକୁ ମୁଣ୍ଡ ଟେକିବାକୁ ହେଲେ ଚୀନ୍ ଓ ପାକିସ୍ତାନର ପ୍ରଭାବ ହ୍ରାସ କରିବାକୁ ପଡ଼ିବ। ଯଦି ଆଫଗାନିସ୍ତାନ ସରକାର ଓ ତାଲିବାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସଫଳ ହୁଏ ଭାରତକୁ ଏଥିରୁ ନିଶ୍ଚୟ ଲାଭ ମିଳିବ। କେବଳ ଆମେରିକା କଥାରେ ଉଠବସ୍ ନ ହୋଇ ଏହି ପ୍ରସଙ୍ଗରେ ଭାରତ ନିଜର ସ୍ବରକୁ ଅଧିକ ଶାଣିତ କରିବା ଆବଶ୍ୟକ ମନେ ହୁଏ।

 

 

 

 

 

 

 

==
ନବରଙ୍ଗପୁର କୋଭିଡ ହସ୍ପିଟାଲ ସହ ଟିଏମସି କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଏବଂ ବିଧାୟକ
ନବରଙ୍ଗପୁର,30/4 (ଆ ପ୍ର ) – ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଡାବୁଗାଁ ବିଧାୟକ ବିଧାୟକ ମନୋହର ରନ୍ଧାରୀ ଏବଂ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ପ୍ରମୁଖ ଆଜି ନବରଙ୍ଗପୁର କୋଭିଡ ମେଡିକାଲ ପରିଦର୍ଶନ କରିବା ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ |
ସାଂସଦ ଶ୍ରୀ ମାଝୀ ପ୍ରଥମେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ଏବଂ ଆଦିବାସୀ ହାଇସ୍କୁଲ ଛାତ୍ରବାସ ରେ ନୂତନ ଭାବେ ଖୋଲାଯାଇଥିବା ଟିଏମସି ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ଏବଂ ସେଠାରୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ରୋଗୀ ସେବା କିପରି ଚାଲିଛି ସେ ବିଷୟରେ ଅନୁଧ୍ୟାନ କରି ଡାକ୍ତର ଙ୍କ ସହ ଆଲୋଚନା କରି ଥିଲେ | ସେଠାରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀ ମାନଙ୍କୁ ସେମାନଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ ଭେକସିନ ଏବଂ କୋରନା ଟେଷ୍ଟ ପ୍ରଚୁର ପରିମାଣ ରେ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ବିଧାୟକ ଶ୍ରୀ ରନ୍ଧାରୀ ଏବଂ ସାଂସଦ ଆଲୋଚନା କରିବା ସହ ପାପଡାହାଣ୍ଡି ବ୍ଲକ ଅଂଚଳ ମାନଙ୍କରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଡୁଥିବା ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଲ୍ଲୀ ଅଂଚଳ ମାନଙ୍କ ରେ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ | ସେଠାରୁ ଉଭୟେ ନବରଙ୍ଗପୁର କୋଭିଡ ମେଡିକାଲ କୁ ଯାଇ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବି ଉପସ୍ଥିତ ଥିଲେ | ସାଂସଦ ଶ୍ରୀ ମାଝୀ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କୋଭିଡ ହସ୍ପିଟାଲ ଯାଇ ସେଠାରେ ମେଡିକାଲ ର ମ୍ୟାନେଜମେଣ୍ଟ ଦାୟିତ୍ୱ ରେ ଥିବା ଡାକ୍ତର ପ୍ରଫେସର ମାନଙ୍କ ସହ ଆଲୋଚନା କରି ମେଡିକାଲ ରେ କେତେ ରୋଗୀ ଅଛନ୍ତି, କେତେ ବେଡ଼ ଖାଲିଅଛି ସେ ସମ୍ପର୍କରେ ପଚାରି ବୁଝିବା ସହ ନବରଙ୍ଗପୁର ଜିଲ୍ଲାରୁ ପ୍ରତିଦିନ ବହୁ ପରିମାଣ ରେ ଗୁରୁତର କୋରନା ରୋଗୀ ଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଉ ଥିବା ଯୋଗୁଁ ସେମାନଂକୁ କିପରି ଉତ୍ତମ ଚିକିତ୍ସା ମିଳିପାରିବ ସେ ବିଷୟରେ ଆଲୋଚନା କରିଥିବା ସାଂସଦ ଶ୍ରୀ ମାଝୀ ସୂଚନା ଦେଇଛନ୍ତି |

Comments are closed.