ଆମ ଗଣତନ୍ତ୍ର ସୁରକ୍ଷିତ ତ?

0

ଅମ୍ବିକା ପ୍ରସାଦ କାନୁନ୍‌ଗୋ

ସୁସ୍ଥ ଗଣତନ୍ତ୍ର ପାଇଁ ବିରୋଧୀ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ, ଏକଥା ଆମେ ସମସ୍ତେ ଜାଣିଛୁ। ମାତ୍ର ମତଦାନବେଳେ ଆମେ ଗୋଟିଏ ଦଳ ସପକ୍ଷରେ ଏପରି ସମର୍ଥନ ଦେଇଥାଉ ଯେ ତାହା ବିରୋଧୀ ଦଳର ସ୍ଥିତିକୁ ଏକବାରେ ଦୁର୍ବଳ କରିଦିଏ। ଫଳରେ ସରକାରରେ ଥିବା ଦଳର ସ୍ବେଚ୍ଛାଚାରିତା ବଢ଼ିଯାଏ। ଯଦି କୌଣସି ଦଳ କ୍ଷମତାରେ ଦୀର୍ଘବର୍ଷ ରହିଯାଏ, ତେବେ ସେହି ସରକାରରେ ଏକଚ୍ଛତ୍ରବାଦ, ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଯାଇଥାଏ। ବିରୋଧୀ ଦଳର ସ୍ଥିତି ଦୁର୍ବଳ ଯୋଗୁଁ ସରକାରଙ୍କ ବିରୋଧରେ କିଛି ପଦକ୍ଷେପ ନେବା ସମ୍ଭବ ହୁଏନାହିଁ।
ଦ୍ରୁତ ଗତିରେ ଯାଇପାରୁଥିବା ଗାଡ଼ିର ଯଦି ବ୍ରେକ୍ ନଥାଏ, ତାହା ଯେପରି ଗାଡ଼ିରେ ବସିଥିବା ଲୋକ ପାଇଁ ବିପଦ ସୃଷ୍ଟି କରେ, ସେହିଭଳି ଗଣତନ୍ତ୍ରରେ ବିରୋଧୀ ଦଳ ଦୃଢ଼ ସ୍ଥିତି​‌େ​‌ର ନଥିଲେ ଗଣତନ୍ତ୍ର ପ୍ରତି ସେହି ଧରଣର ବିପଦ ସୃଷ୍ଟି କରିବା ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଖାଯାଇଛି। ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଆମେ ସର୍ବଦା ଦୁର୍ନୀତି, ଭ୍ରଷ୍ଟାଚାର, ଅବହେଳା ପାଇଁ ସରକାର ଉପରେ ଦୋଷ ଲଦିଥାଉ। ମାତ୍ର ବହୁ ସମୟରେ ଦେଖାଯାଉଛି, ସେହି ସବୁ ଘଟଣାକୁ ନେଇ ବିରୋଧୀ ଦଳ ଯେପରି ଭାବରେ ସରକାରଙ୍କୁ ଘେରିବା କଥା କିମ୍ବା ଜନସଚେତନତା ସୃଷ୍ଟି କରିବା କଥା, ତାହା କରିପାରୁନାହାନ୍ତି। ଗତ କିଛି ବର୍ଷ ହେବ ବିରୋଧୀ ଦଳର ଆ​‌େ​‌ନ୍ଦାଳନ ଜାତୀୟ ଏବଂ ପ୍ରାଦେଶିକ ସ୍ତରରେ କେବଳ ପ୍ରତୀକ ଢ଼ଙ୍ଗରେ ହେଉଛି, ଆ​‌େ​‌ନ୍ଦାଳନ ସଫଳତା ଲାଭ କରିବା ପର୍ଯ୍ୟନ୍ତ ଯାଉନାହିଁ କି ଆନ୍ଦୋଳନ ସହ ରାଜ୍ୟ ବା ଦେଶବାସୀଙ୍କୁ ସାମିଲ୍‌ କରି ସଫଳତା ଲାଭ କରିବାର ଉଦ୍ୟମ ହେଉନାହିଁ। ତେଣୁ ସରକାରରେ ଥିବା ଦଳଗୁଡ଼ିକରେ ଏକଚ୍ଛତ୍ରବାଦର ଧାରାରେ କୌଣସି ପରିବର୍ତ୍ତନ ଆସୁନାହିଁ।
ଆମେ ଭାରତୀୟ ନାଗରିକ ବୋଲି ଦାବି କରୁ। ମାତ୍ର ଭୋଟ୍‌ ସମୟରେ ବହୁବ୍ୟକ୍ତି ମତଦାନ କରନ୍ତି ନାହିଁ। ତେଣୁ ବହୁ କ୍ଷେତ୍ରରେ ଅଳ୍ପ ଲୋକଙ୍କ ସମର୍ଥନ ପାଇଥିବା ଦଳ ନିର୍ବାଚନ ଜିତି ସରକାର ଗଠନ କରିଥିବା ଦେଖାଯାଉଛି। ସେହିପରି ଦେଖିବାକୁ ଗଲେ ତ୍ରିକୋଣ କିମ୍ବା ଅଧିକ ସଂଖ୍ୟକ ଦଳ ନିର୍ବାଚନରେ ପ୍ରାର୍ଥୀ ଦେଇଥାଆନ୍ତି। ସେଠି ବିରୋଧୀ ଦଳର ଭୋଟ୍‌ ଭାଗଭାଗ ହୋଇଯିବାରୁ ମୋଟ୍‌ ବିରୋଧୀ ଦଳର ଭୋଟ୍‌ଠାରୁ କିମ୍ବା କମ୍‌ ଭୋଟ୍‌ ପାଇଥିବା ଦଳ ସରକାର ଗଠନ କରିବାରେ ଅନେକ ନଜିର୍‌ ରହିଛି। ତେଣୁ ଭାରତର ସମସ୍ତ ନାଗରିକଙ୍କୁ ମତଦାନ କରିବା ବାଧ୍ୟତାମୂଳକ ପାଇଁ ଆଇନ୍‌ ପ୍ରଣୟନ ହେବା ଆବଶ୍ୟକ। ଯେଉଁମା​‌େ​‌ନ ଭାରତୀୟ ଭାବେ ବିଦେଶରେ ରହିଛନ୍ତି କିମ୍ବା ଶାରୀରିକ ଅସୁସ୍ଥ କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଥିବା ବ୍ୟକ୍ତିବିଶେଷ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ମତଦାନ କରିବାର ଆବଶ୍ୟକତା ରହିଛି। ଫଳରେ କେଉଁ ଦଳ ସପକ୍ଷରେ ଜନମତ ରହିଛି, ତାହା ସ୍ପଷ୍ଟ ହୋଇଯିବ ଏବଂ କମ୍‌ ଲୋକଙ୍କ ସମର୍ଥନ ପାଇଥିବା ଦଳ ସରକାର ଗଠନ କରିପାରିବେ ନାହିଁ।
ଆଜିକାଲି ଦେଖାଯାଉଛି, ଯେଉଁମାନେ ଗଣତନ୍ତ୍ର ମୂଲ୍ୟ ବୁଝନ୍ତି ନାହିଁ, ସେହି ଶ୍ରେଣୀର ଲୋକଙ୍କୁ କିଛି ଅର୍ଥ ଦେଇ ସମର୍ଥନ ହାସଲ କରାଯାଉଛି। ଏକଥା ସମସ୍ତେ ଜାଣନ୍ତି। ସେହିଭଳି ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ମତଦାନ କରିବାକୁ ଆସୁନାହାନ୍ତି। ତେଣୁ ବହୁ ଅପରାଧୀ ବ୍ୟବସାୟୀ ଏବଂ ରାଜନୈତିକ ବ୍ୟବସାୟୀ ଭାବି ଆସୁଥିବା କିଛି ବ୍ୟକ୍ତି ଅର୍ଥବଳରେ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେଉଥିବା ଦେଖାଯାଉଛି। ଏହିଭଳି ବ୍ୟକ୍ତି ଥରେ କ୍ଷମତାକୁ ଆସିଲେ ସମାଜର ଉପକାର ଅପେକ୍ଷା ନିଜର ସ୍ବାର୍ଥ ପାଇଁ ସମାଜର ଅପକାର କରିଥାନ୍ତି। ଏହି ଧାରାରେ ପରିବର୍ତ୍ତନ ଆବଶ୍ୟକ।
କିଛିବର୍ଷ ହେବ ଓକିଲ, ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍‌, ବିଧାନସଭା, ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହେଉଥିବାର ଦେଖାଯାଉଛି। ସେମାନଙ୍କର ବୃତ୍ତିଗତ ଦକ୍ଷତା ଓ ଲୋକପ୍ରିୟତା ଯୋଗୁଁ ବିଭିନ୍ନ ଦଳ ସେହିଭଳି ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇ ଦଳର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ସେଭଳି ବ୍ୟକ୍ତି ଯେ ରାଜନୀତିକୁ ନ ଆସିବେ, ସେ କଥା କୁହାଯାଉନାହିଁ। ମାତ୍ର ରାଜନୀତିକୁ ଆସିଲାପରେ ଲୋକସେବା ପାଇଁ ଯେତିକି ଧ୍ୟାନ ଦେବାକଥା, ସେମାନେ ସେତିକି ସମୟ ନଦେଇ ନିଜ ବୃତ୍ତିରେ ଅଧିକ ସମୟ ଦେଉଥିବା ଦେଖାଯାଉଛି। ରାଜନୀତିକୁ ଯେଉଁମାନେ ଲୋକଙ୍କ ସେବା ଭାବରେ ଗ୍ରହଣ କରିପାରିବେ ଏବଂ ନିର୍ବାଚିତ ହେଲାପରେ ଲୋକମାନଙ୍କ ପାଇଁ ସମୟ ଦେଇପାରିବେ, ସେହିଭଳି ବ୍ୟକ୍ତି ରାଜନୀତିକୁ ଆସନ୍ତୁ। ଅତୀତରେ ଅମିତାଭ ବଚ୍ଚନଙ୍କ ଭଳି ସୁପରଷ୍ଟାର ୧୯୮୪ ମସିହାରେ ଉତ୍ତରପ୍ରଦେଶ ଆହ୍ଲାବାଦ ଆସନରୁ ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ। ତାଙ୍କର ଲୋକପ୍ରିୟତା ପାଇଁ ସେ ବିପୁଳ ସମର୍ଥନ ପାଇ ଲୋକସଭାକୁ ନିର୍ବାଚିତ ହେଲେ। ମାତ୍ର ଲୋକସଭା ପାଇଁ ସମୟ ଦେଇପାରୁନଥିବାରୁ ନିର୍ବାଚିତ ହେବାର ମାତ୍ର ତିନିବର୍ଷ ପରେ ଆହ୍ଲାବାଦ ଆସନରୁ ନିଜ ଇଚ୍ଛାରେ ଇସ୍ତଫା ଦେଇଥିଲେ।
ସାଂସଦମାନେ ରାଜ୍ୟର ସ୍ବାର୍ଥସମ୍ପର୍କିତ ସମସ୍ୟାକୁ ସଂସଦରେ ଉପସ୍ଥାପନ କରିବା କଥା। ଏ ସମ୍ପର୍କରେ ଦଳର ନେତା ସାଂସଦମାନଙ୍କୁ ଅବଗତ କରାଇବା କଥା। ଲୋକସଭା ଏବଂ ରାଜ୍ୟସଭାରେ ଆମ ରାଜ୍ୟ ପ୍ରସଙ୍ଗରେ ଯେଉଁ ଦଳଗୁଡ଼ିକ ସହଯୋଗ କରିବେ, ସେହି ଦଳଗୁଡ଼ିକ ସହିତ ଅଧିବେଶନ ଆରମ୍ଭ ପୂର୍ବରୁ ଆଲୋଚନା କରିବା କଥା। ଦେଖାଯାଉଛି ଯେ ଅଧିକାଂଶ ସାଂସଦ ନିୟମିତ ସଂସଦକୁ ଯାଉନାହାନ୍ତି। ମାତ୍ର କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ରାଜ୍ୟର ସମସ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ କରୁନାହାନ୍ତି। ପ୍ରତି ଅଧିବେଶନରେ ପ୍ରତ୍ୟେକ ସଦସ୍ୟ ସମ୍ପର୍କରେ ଦଳପକ୍ଷରୁ ଆଲୋଚନା କରାଯିବା କଥା। ବୋଧେ ସେହିପରି ହୋଇଥିଲେ, ସାଂସଦମାନେ ଆହୁରି କ୍ରିୟାଶୀଳ ହୋଇପାରନ୍ତେ।
ସବୁ ଦଳଗୁଡ଼ିକ ପ୍ରାର୍ଥୀ ଚିହ୍ନଟ ବେଳେ ଜିତିବାର ସମ୍ଭାବନାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ମନୋନୟନ କରୁଥିବା ପ୍ରାର୍ଥୀଙ୍କର ରାଜନୀତି ଓ ଜନସେବା ପ୍ରତି ଆଗ୍ରହ ଅଛି କି ନାହିଁ, ତାହାକୁ ବିଚାରକୁ ନିଆଯାଉନାହିଁ। ବେଳେବେଳେ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିକୁ ଦଳୀୟ ଟିକଟ୍‌ ପ୍ରଦାନ କରାଯାଉଥିବାବେଳେ ପରବର୍ତ୍ତୀ କାଳରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ସତ୍ୟପାଠରୁ ଜଣାପଡ଼ୁଛି। ଏଥିପାଇଁ କ’ଣ ଆମେ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରିପାରିବାନାହିଁ! ଏହିଭଳି ବ୍ୟକ୍ତି ନିର୍ବାଚିତ ହୋଇ ସଂସଦ କିମ୍ବା ବିଧାନସଭାକୁ ଆସିଲେ ଗଣତନ୍ତ୍ର ସୁରକ୍ଷିତ ରହିବ ତ?
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର

Leave A Reply