ଶ୍ରମଜୀବୀ ସଙ୍କଟ

ଗତବର୍ଷ ଭଳି ପ୍ରବାସୀ ଶ୍ରମିକଙ୍କ ସ୍ବଗୃହ ପ୍ରତ୍ୟାବର୍ତ୍ତନ ହେଉଥିବାରୁ

କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନିଅନ୍ତୁ

ଭାରତରେ କ୍ରମଶଃ କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ସ୍ଥିତି ଅଧିକ ଜଟିଳ ହେଉଛି। ପ୍ରତ୍ୟହ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେତେକ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତରଖାନା ଶଯ୍ୟା, ଅମ୍ଳଜାନ, ଚିକିତ୍ସା ଉପକରଣ ଆଦିର ଅଭାବ ଗୁରୁତର ସଙ୍କଟ ସୃଷ୍ଟି କରିଛି। ଦେଶର ୬ଟି ଉଚ୍ଚ ନ୍ୟାୟାଳୟରେ ଏ ନେଇ ମାମଲା ଚାଲିଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ଏ ପ୍ରସଙ୍ଗରେ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ବର୍ତ୍ତମାନର ସ୍ଥିତିକୁ ଯଥାର୍ଥରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି (ନେସନାଲ୍ ଇମର୍ଜେନ୍ସି) ବୋଲି ଅଭିହିତ କରିଛନ୍ତି। ଅମ୍ଳଜାନ ଯୋଗାଣ, ଜୀବନରକ୍ଷାକାରୀ ଔଷଧ ତଥା ଟିକାକରଣ ପଦ୍ଧତି ଉପରେ ‘ଜାତୀୟ ନୀତି’ ଦେଖିବାକୁ ଚାହୁଁ ବୋଲି ପ୍ରଧାନ ବିଚାରପତି ଏସ୍.ଏ.ବୋବଡ଼େଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ସ୍ପଷ୍ଟ କହିଛନ୍ତି।

ସବୁଠୁ ବଡ଼ ଚିନ୍ତାର ବିଷୟ ହେଲା କରୋନା ଭୂତାଣୁର ଆଉ ଏକ ନୂଆ ରୂପ (ଟ୍ରିପଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍) ପଶ୍ଚିମବଙ୍ଗରେ ଆବିଷ୍କୃତ ହୋଇଛି। ଭୂତାଣୁର ଏହି ନୂଆ ରୂପ ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ସଂକ୍ରମିତ କରିବା ସହ ବ୍ୟକ୍ତିର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଏଡ଼ାଇଦେବାର କ୍ଷମତା ରଖେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଏପରି କି ପୂର୍ବରୁ କରୋନା ସଂକ୍ରମିତ ଓ ଟିକା ନେଇଥିବା ଲୋକେ ମଧ୍ୟ ଏହାର ଶିକାର ହେବେ। ଅଳ୍ପଦିନ ବ୍ୟବଧାନରେ ଏପରି ବହୁରୂପୀ ଭୂତାଣୁ ସହ ଲଢ଼ିବା ସହଜସାଧ୍ୟ ନୁହେଁ ନିଶ୍ଚୟ; କିନ୍ତୁ ଏକ ଦୀର୍ଘକାଳୀନ ମହାମାରୀ ସହ ଲଢ଼େଇ କରିବା ପାଇଁ ଯେଉଁ ଯୋଜନା, ପ୍ରସ୍ତୁତି, ତତ୍ତ୍ବାବଧାନ ଓ କାର୍ଯ୍ୟକାରିତାର ଆବଶ୍ୟକ ପଡ଼ିଥାଏ, ସରକାରୀ ଓ ପ୍ରାଶାସନିକ କ୍ଷେତ୍ରରେ ତାହାର ଅଭାବ ରହିଥିବା ଦୃଷ୍ଟିଗୋଚର ହେଉଛି। ରୋଗରେ ମୃତ୍ୟୁ ହେବାଠାରୁ ଚିକିତ୍ସା ସୁବିଧା ନପାଇ କାହାର ମୃତ୍ୟୁ ଘଟିବା ସବୁଠୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ।

କରୋନାର ଦ୍ବିତୀୟ ତରଙ୍ଗ ସଂକ୍ରମଣ ଯେତିକି ବ୍ୟାପକ ହେଉଛି, ରାଜ୍ୟଗୁଡ଼ିକରେ ତାଲାବନ୍ଦ ଭଳି କଠୋର କଟକଣା ଲଗାଯିବା ଆରମ୍ଭ ହେଲାଣି। ଏହା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ପୁଣି ସଙ୍କଟ ନେଇ ଆସିଛି। ଏବେ ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ବସ୍ ଓ ରେଳ ରହଣି ସ୍ଥଳଗୁଡ଼ିକରେ ସ୍ବଗୃହ ଫେରିବାକୁ ଅପେକ୍ଷାରତ ହଜାରହଜାର ଶ୍ରମଜୀବୀଙ୍କୁ ଦେଖିବାକୁ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କୁ ସେଠାରେ ରହିବାକୁ ନିବେଦନ କରିଥିବା ସତ୍ତ୍ବେ କିଛି ସୁଫଳ ମିଳିନାହିଁ। କାରଖାନା ମାଲିକମାନେ ମଧ୍ୟ ଶ୍ରମଜୀବୀଙ୍କ ପାଇଁ ସବୁ ସୁବିଧା କରିଥିବା କହୁଛନ୍ତି; କିନ୍ତୁ ଶ୍ରମିକମାନେ ସେମାନଙ୍କ ଉପରେ ଭରସା କରିପାରୁନାହାନ୍ତି। ଗତବର୍ଷ ହଠାତ୍ ସମଗ୍ର ଦେଶରେ ତାଲାବନ୍ଦ ଘୋଷଣା କରାଯିବାପରେ ଶ୍ରମଜୀବୀଙ୍କୁ ନେଇ ଯେଉଁ ଅଭୂତପୂର୍ବ ସଙ୍କଟ ଦେଖାଦେଇଥିଲା, ବର୍ତ୍ତମାନ ସେହିଭଳି ହୋଇ ନଥିଲେ ହେଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କର ବିଶ୍ବାସଭାଜନ ହୋଇପାରି ନାହାନ୍ତି, ତାହା ସ୍ପଷ୍ଟ। ଏହି କାରଣରୁ ସେମାନେ ନିଜର କେବଳ ଜୀବିକା ନୁହେଁ, ଜୀବନକୁ ମଧ୍ୟ ବାଜି ଲଗାଇ ଦୀର୍ଘପଥ ଅତିକ୍ରମ କରି ନିଜନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଚିତ ମଣୁଛନ୍ତି।

ଗତବର୍ଷର ଶ୍ରମଜୀବୀ ସଙ୍କଟର କୁପରିଚାଳନା ପରେ ସରକାର ବହୁ ସମାଲୋଚନାର ଶରବ୍ୟ ହୋଇଥିଲେ; ଏହା ସତ୍ତ୍ବେ ସେମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷାର ଯେପରି ବନ୍ଦୋବସ୍ତ କରାଯିବା କଥା ତାହା ହୋଇପାରିନାହିଁ। ପ୍ରବାସୀ ଶ୍ରମିକଙ୍କ ଉପରେ ଆଧାରିତ ନିତି ଆୟୋଗର ୨୦୨୧ ଯୋଜନା ଖସଡ଼ାରେ ଏ ସମ୍ପର୍କରେ ବହୁ ବ୍ୟାବହାରିକ ପରାମର୍ଶମାନ ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ ଶ୍ରମିକଙ୍କ ପରିଚୟ ରହିଥିବା ଏକ କେନ୍ଦ୍ରୀୟ ତଥ୍ୟଭଣ୍ଡାର ସୃଷ୍ଟି; ସ୍ବାସ୍ଥ୍ୟ ପତ୍ର, ଶ୍ରମଜୀବୀଙ୍କ ପିଲାଙ୍କୁ ଶିକ୍ଷାଦାନ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସେବା ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା; ମାନସିକ-ସାମାଜିକ ସହାୟତା ଏବଂ ସ୍ବଚ୍ଛନ୍ଦରେ ରହିହେବା ଭଳି ଘର ଆଦି ଅନ୍ତର୍ଭୁକ୍ତ।

ଏହା ସତ୍ୟ ଯେ ମହାମାରୀ ଭଳି ଗୁରୁତର ସଙ୍କଟ ସମୟରେ ସମସ୍ତ ଶ୍ରମଜୀବୀଙ୍କୁ ସବୁ କିଛି ସୁବିଧା ଯୋଗାଇଦେବା ସହଜସାଧ୍ୟ ନୁହେଁ; କିନ୍ତୁ ଅନ୍ତତଃ ଯାହା ଅତ୍ୟାବଶ୍ୟକ ତାହା କରାଯିବା ଦରକାର। ବିଶେଷତଃ ଶ୍ରମିକଙ୍କୁ ଯେ କୌଣସି ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା; ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସହରାଞ୍ଚଳକୁ ପରିବ୍ୟାପ୍ତ କରିବା ଏବଂ ସେମାନଙ୍କ ବ୍ୟାଙ୍କ୍ଖାତାରେ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ପଦକ୍ଷେପ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବା ଉଚିତ। ଏଥିରୁ ସରକାର ଶେଷୋକ୍ତ ପଦକ୍ଷେପଟିକୁ ଗତବର୍ଷ କାର୍ଯ୍ୟାନ୍ବୟନ କରିବା ଫଳରେ ସେମାନଙ୍କ ସମସ୍ୟା କିଛିଟା ଲାଘବ ହୋଇଥିଲା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ମନେହେଉଛି ଯେ ଆଗକୁ ଗତବର୍ଷଠାରୁ ମଧ୍ୟ ଅଧିକ ଦୁର୍ଦିନର ସମ୍ମୁଖୀନ ହେବାକୁ ପଡ଼ିପାରେ। ମହାମାରୀ ହେଉ ବା ଅନ୍ୟ ଦୁର୍ବିପାକ, ସବୁବେଳେ ନିର୍ଦ୍ଧନ ଓ ନିମ୍ନବର୍ଗର ଲୋକେ ହିଁ ଅଧିକ ପ୍ରଭାବିତ ହୋଇଥାଆନ୍ତି। ନିତି କାମ ନକଲେ ପେଟ ଯାହାର ଅପୋଷା ରହେ, ସେମାନଙ୍କ ପାଇଁ ଏବେ କଠିନ ସମୟ। ସେମାନଙ୍କୁ ସରକାର ଓ ଅନ୍ୟମାନଙ୍କଠାରୁ ସାହାଯ୍ୟ ସହାୟତା ଦରକାର। ପୁଣି ଥରେ ଗତବର୍ଷ ପରି ଏକ ବୃହତ୍ ମାନବୀୟ ସଙ୍କଟକୁ ଟାଳିବାକୁ ହେଲେ ଅବିଳମ୍ବେ ଏହି ବଞ୍ଚିତ ଓ ଶୋଷିତ ଶ୍ରେଣୀର ସମସ୍ୟା ବୁଝି ତା’ର ନିରାକରଣ କରିବାକୁ ହେବ।

Comments are closed.