ଆପଦ ଆଣିଦେଇଛି ଅବସର

ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲୋଡ଼ା

ଗୋଟିଏ ପଟେ କରୋନାର ଦ୍ବିତୀୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବାବେେଳେ ଚିକିତ୍ସା ତନ୍ତ୍ରର ହୁଗୁଳା ଚେହେରା ଏବେ ସାମ୍ନାକୁ ଆସିଛି। କେଉଁ ଡାକ୍ତରଖାନାରେ ଅମ୍ଳଜାନ ସିଲିଣ୍ଡର ଅଭାବ ତ ଆଉ କେଉଁଠି ଜୀବନ ରକ୍ଷାକାରୀ ଔଷଧ ମିଳୁନି। ବିଭିନ୍ନ ସରକାରୀ ହାସପାତାଳରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ ଓ ଇଞ୍ଜେକ୍ସନର ଅଭାବ ଦେଖିବାକୁ ମିଳିଛି। ଦେଶରେ ଭରପୂର ଅମ୍ଳଜାନ ସିଲିଣ୍ଡର ଓ ଜୀବନ ସୁରକ୍ଷାକାରୀ ଔଷଧ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହୁଛି। ବାସ୍ତବରେ କେତେକ ରାଜ୍ୟର ମୁଖ୍ୟ ଡାକ୍ତରଖାନାରେ ଏହାର ଅଭାବ ପରିଲଖିତ ହୋଇଛି।

ଗତ ୧୨ ଦିନ ହେଲା ନିୟମିତ ଭାବେ କେତେକ ଡାକ୍ତରଖାନାରେ ଅମ୍ଳଜାନ ଓ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଠିକ୍ ସମୟରେ ସଂକ୍ରମିତଙ୍କୁ ଯୋଗାଇ ଦିଆଯାଇ ନଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏପରି ବିପଦ ସମୟ କେତେକ ଅସାଧୁ ବ୍ୟକ୍ତିଙ୍କ ପାଇଁ ସୁଯୋଗ ଆଣି ଦେଇଛି। ମଧ୍ୟପ୍ରଦେଶର ଦମୋହ ଜିଲା ହାସପାତାଳକୁ ଆସୁଥିବା ଏକ ଅମ୍ଳଜାନ ସିଲିଣ୍ଡର ଭରା ଟ୍ରକରୁ କେତେକ ଅସାଧୁ ବ୍ୟକ୍ତି ସିଲିଣ୍ଡର ଲୁଟି ନେଇଛନ୍ତି। କେବଳ ମଧ୍ୟପ୍ରଦେଶ ନୁହେଁ, ଅନୁରୂପ ଅବସ୍ଥା ହରିୟାଣା, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଦେଖିବାକୁ ମିଳିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ-ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରହିବା ନିତାନ୍ତ ଆବଶ୍ୟକ। ରାଜ୍ୟ-ରାଜ୍ୟ ସରକାରଙ୍କ ମଧ୍ୟରେ ସହାୟତା ମନୋଭାବ ରହିଲେ ଅମ୍ଳଜାନର ଅଭାବ ଦୂର ହେବା ସହ ସଂକ୍ରମିତଙ୍କ ମୃତ୍ୟୁହାର ହ୍ରାସ ପାଇ ପାରନ୍ତା।

ନିକଟରେ ନୂଆଦିଲ୍ଲୀରୁ ହରିୟାଣା ଯାଉଥିବା ଏକ ଅମ୍ଳଜାନ ସିଲିଣ୍ଡର ଭରା ଟ୍ରକରୁ କେତେକ ଦୁର୍ବୃତ୍ତ ସିଲିଣ୍ଡର ଲୁଟି ନେଇଥିଲେ। ଏଥିପାଇଁ ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଥିଲେ। ଦିଲ୍ଲୀ ସରକାର ସିଲିଣ୍ଡର ଲୁଟ୍ କରିଥିବା ସେ ଅଭିଯୋଗ କରିଥିଲେ। ନିଜ ରାଜ୍ୟର ଡାକ୍ତରଖାନାଗୁଡ଼ିକ ପାଇଁ ଅମ୍ଳଜାନ ସିଲିଣ୍ଡର ମହଜୁଦ ରଖିବା ପରେ ବଳକା ସିଲିଣ୍ଡର ଅନ୍ୟ ରାଜ୍ୟକୁ ଦିଆଯିବ ବୋଲି ସେ କହିଥିଲେ। ହରିୟାଣା ଅପେକ୍ଷା ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଓ କରୋନାଜନିତ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରପ୍ରଦେଶ ସରକାର କେତେକ ସିଲିଣ୍ଡର ଦିଲ୍ଲୀକୁ ଯୋଗାଇ ଦେଇଛନ୍ତି। ଏଭଳି ସ୍ଥିତିରେ ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ନିନ୍ଦନୀୟ ନିଶ୍ଚୟ।

ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ‘ରେମଡେସିଭର’ ବିଭିନ୍ନ ସ୍ଥାନରେ କଳାବଜାରରେ ୧୦ ଗୁଣରୁ ଅଧିକ ଦାମରେ ବିକ୍ରି ହେଉଥିବା ଜଣାପଡ଼ିଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ) ଗତବର୍ଷ ଜୁଲାଇରେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଏକ ଚିଠି କରିଥିଲେ। କେତେକ ସ୍ଥାନରେ ନିର୍ଦିଷ୍ଟ ମୂଲ୍ୟଠାରୁ ୮ ରୁ ୧୦ ଗୁଣ ଅଧିକ ଦାମରେ ‘ରେମଡେସିଭର’ ବିକ୍ରି କରାଯାଉଥିବା ସୂଚନା ଦେଇଥିଲେ। ସମ୍ପୃକ୍ତ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ତଦନ୍ତ କରିବାକୁ ଡିଜିସିଆଇ ସୁପାରିସ କରିଥିଲେ। ବର୍ଷକ ପୂର୍ବରୁ ‘ରେମଡେସିଭର’ କଳାବଜାର ସଂକ୍ରାନ୍ତରେ ଡିଜିସିଆର ସୂଚନା ଦେଇଥିଲେ ହେଁ କୌଣସି ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଏହାକୁ ଗୁରୁତ୍ବ ଦେଇ ନଥିଲେ। ଫଳରେ କଳାବଜାର ଅଧିକ ମାତ୍ରାରେ ହେଲା। ନିକଟରେ ଏହି ଇଞ୍ଜେକ୍ସନ ଉପରୁ ସରକାର ଆମଦାନି ଶୁଳ୍କ ପ୍ରତ୍ୟାହାର କରିବା ପରେ ଏହାର ଦାମ୍ ୫,୪୦୦ରୁ ହ୍ରାସ ପାଇ ୨,୭୦୦ରେ ପହଞ୍ଚିଛି। ତେବେ କଳାବଜାରରେ ଏହା ୭୦ ରୁ ୮୦ ହଜାର ଟଙ୍କାରେ ବିକ୍ରି ହେଉଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହାର ଅବିକଳ ନକଲ କେତେକ ସ୍ଥାନରେ ବିକ୍ରି କରାଯାଉଛି। ନକଲ ଇଞ୍ଜେକ୍ସନ ନେଇ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ନିୟମିତ କେତେକ କଳାବଜାର ଗୋଷ୍ଠୀ ଏପରି କରି ଚାଲିଥିଲେ ହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରି କଳାବଜାରକାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନରେ ମାମଲା ରୁଜୁ କରାଯିବ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ମଣିଷର ଜୀବନଠାରୁ ଆଉ କେହି ମୂଲ୍ୟବାନ ନୁହେଁ। ଅନ୍ୟ ରାଜ୍ୟମାନେ ଏହାକୁ ଅନୁକରଣ କରିବା ଆବଶ୍ୟକ।

କରୋନା ମହାମାରୀ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ହୋଇ ନଥିବାରୁ ଅମ୍ଳଜାନ ସିଲିଣ୍ଡର ମହଜୁଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଗତବର୍ଷରୁ ସୂଚନା ଦିଆଯାଇଥିଲା। ତେବେ ପ୍ରଥମ ଲହରର ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ କେନ୍ଦ୍ର ସରକାର ଏହାକୁ ସେତେଟା ଗୁରୁତ୍ବ ଦେଇ ନଥିଲେ। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ସରକାରୀ ଦଳ ଲାଗି ରହିଲେ ା ଏପଟେ କରୋନାର ଦ୍ବିତୀୟ ଲହର ହଠାତ୍ ଆସି ପହଞ୍ଚି ଗଲା। ଯଦି ପୂର୍ବରୁ ସରକାର ସଜାଗ ହୋଇ ଅଧିକ ସଂଖ୍ୟାରେ ଅମ୍ଲଜାନ ସିଲିଣ୍ଡର ମହଜୁଦ ରଖିଥା’ନ୍ତେ ଆଜି ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା।

ଏବେ ଅମ୍ଳଜାନ ସିଲିଣ୍ଡର କମ୍ ଥିବା ନେଇ ଉଭୟେ ଶାସକ-ବିରୋଧୀ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଦେଶର ବିଭିନ୍ନ ପ୍ଲାଣ୍ଟରେ ଦୈନିକ ୭,୫୦୦ ମେଟ୍ରିକ ଟନ ଅମ୍ଳଜାନ ଉତ୍ପାଦିତ ହେଉଛି। ଏଥିରୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ଦୈନିକ ୬,୬୦୦ ମେଟ୍ରିକ ଟନ ଯୋଗାଇ ଦିଆଯାଉଥିବା କେନ୍ଦ୍ର ସରକାର କହୁଛନ୍ତି। ଏପରିସ୍ଥଳେ ନୂଆଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପରି ରାଜ୍ୟରେ ଅମ୍ଳଜାନ ଅଭାବ ଦେଖା ଦେଉଛି କିପରି ? ଅମ୍ଳଜାନ ଓ ‘ରେମଡେସିଭର’ ଇଞ୍ଜେକ୍ସନର ଅଭାବଜନିତ କଳାବଜାର ପାଇଁ ଦାୟୀ କିଏ ? କରୋନା ମହାମାରୀ ପରି ଆପଦରୁ ଅବସର ଖୋଜିଥିବା ଏପରି ଲାଭଖୋର କଳାବଜାରଙ୍କ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କି ? ଏପରି ଅସାଧୁ ବ୍ୟକ୍ତି ବା ବ୍ୟବସାୟୀଙ୍କ ବିରୋଧରେ ଯଦି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ଥା’ନ୍ତା ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇ ନଥା’ନ୍ତା।

Comments are closed.