ଏଥର ଆଶାଜନକ ବର୍ଷା

ଆଗୁଆ ପାଣିପାଗ ସୂଚନା କୃଷି କ୍ଷେତ୍ରକୁ କ୍ରିୟାଶୀଳ କରିବ

ଚଳିତ ବର୍ଷ ସାମାନ୍ୟଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନ କରୁଥିବା ସଂସ୍ଥା ‘ସ୍କାଏମେଟ’ ମତ ଦେଇଛି। ଜୁନ-ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୯୦୭ ମି.ମି ବର୍ଷା ହୋଇ ପାରେ। କେଉଁ ସ୍ଥାନରେ ଅଧିକ ବର୍ଷା, କୁଆପଥର ସହ ବର୍ଷା, ଲୁ ଓ ଶୀତ ପ୍ରବାହ ପରି ପ୍ରାକୃତିକ ବିପଦ ଦେଖାଦେବ ସେ ସଂକ୍ରାନ୍ତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥାଏ। ଏହାର ଆଧାରରେ କେନ୍ଦ୍ର ଓ ରାଜ୍ୟ ସରକାର ମରୁଡ଼ି ଅଥବା ବନ୍ୟାଞ୍ଚଳରେ କିପରି ମୁକାବିଲା କରିବେ ସେ ନେଇ ଆଗୁଆ ଯୋଜନା ପ୍ରସ୍ତୁତ କରିଥା’ନ୍ତି। ଭଲ ବର୍ଷା କୃଷି କ୍ଷେତ୍ରକୁ ଅଧିକ ମଜଭୁତ କରିବା ସହ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ। ୨୦୧୯ରେ ଦେଶର ୩୩୪ ଲକ୍ଷ ହେକ୍ଟର ଜମିରେ ଭଲ ଫସଲ ହୋଇଥିଲା। ସେହିପରି ଗତବର୍ଷ ୨୭ ନଭେମ୍ବର ପର୍ଯ୍ୟନ୍ତ ସମୁଦାୟ ୩୪୮ ଲକ୍ଷ ହେକ୍ଟର ଜମିରେ ଭଲ ଫସଲ ହୋଇଥିଲା। ଅର୍ଥାତ୍ ପୂର୍ବାପେକ୍ଷା ଗତ ବର୍ଷ ଏଥିରେ ୪ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ସେହିପରି ପାଞ୍ଚ ବର୍ଷ ମଧ୍ୟରେ ଫସଲ ଉତ୍ପାଦନ କ୍ଷେତ୍ରରେ ହାରାହାରି ୨ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଜୁନ୍, ଜୁଲାଇ, ଅଗଷ୍ଟ ଓ ସେେପ୍ଟମ୍ବର ଏହି ୪ ମାସରେ ପୂର୍ବ ଭାରତରେ ହାରାହାରି ୮୮୦.୬ ମିମି ବର୍ଷା ହୋଇଥାଏ। ଚଳିତ ବର୍ଷ ୧୦୩ ପ୍ରତିଶତ ମୌସୁମୀ ବାୟୁ ଜନିତ ବର୍ଷା ହୋଇପାରେ ବୋଲି ‘ସ୍କାଏମେଟ’ ପୂର୍ବାନୁମାନ କରିଛି। ୯୬ରୁ ୧୦୪ ପ୍ରତିଶତ ବର୍ଷା ହେଲେ ତାହାକୁ ସାମାନ୍ୟରୁ ଅଧିକ ବୋଲି ଧରାଯାଏ। ୨୦୧୯ରେ ୧୧୦ ଓ ଗତବର୍ଷ ୧୦୯ ପ୍ରତିଶତ ବର୍ଷା ହୋଇଥିଲା। କ୍ରମାଗତ ତିନି ବର୍ଷ ଧରି ଭଲ ବର୍ଷା ହେବା ଦେଶର କୃଷି କ୍ଷେତ୍ର ପାଇଁ ଶୁଭ ସଙ୍କେତ। ‘ସ୍କାଏମେଟ’ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ମାସରେ ୧୭୭ ମିମି, ଜୁଲାଇରେ ୨୭୭, ଅଗଷ୍ଟରେ ୨୫୮ ଓ ସେପ୍ଟେମ୍ବରରେ ୧୯୭ ମିମି ବର୍ଷା ହୋଇପାରେ। ଗତବର୍ଷ ଯେଉଁସବୁ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲା ଚଳିତ ବର୍ଷ ସେଠାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରେ ପଶ୍ଚିମବଙ୍ଗ ଓ ବିହାର, ଜୁଲାଇରେ ଓଡ଼ିଶା, ମହାରାଷ୍ଟ୍ର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଭଲ ବର୍ଷା ହୋଇପାରେ ା ଅପରପକ୍ଷେ ଏହି ସମୟ ମଧ୍ୟରେ ଉତ୍ତର ପୂର୍ବୋତ୍ତର ରାଜ୍ୟ ଓ କର୍ଣ୍ଣାଟକରେ ସାମାନ୍ୟ ବର୍ଷା ହୋଇପାରେ। ସେପ୍ଟେମ୍ବରରେ ମଧ୍ୟପ୍ରଦେଶ ଓ ପଶ୍ଚିମ ଭାରତରେ ଭଲ ବର୍ଷା ହୋଇପାରେ। ଜୁନ୍ ମାସ ଆରମ୍ଭରୁ ବାଣିଜ୍ୟିକ ରାଜଧାନୀ ମୁମ୍ବଇରେ ଅଧିକ ବର୍ଷା ହୋଇ ପାରେ ବୋଲି ‘ସ୍କାଇମେଟ’ ପୂର୍ବାନୁମାନ କରିଛି। ୟୁରୋପରେ ଚଳମାନ ବାୟୁ ଭାରତର ପାଣିପାଗକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଆମ ଦେଶରେ କ୍ରମାଗତ ପଶ୍ଚିମରୁ ପୂର୍ବକୁ ପବନ ବହିଥାଏ। ଏହି ପବନ ୟୁରୋପ ମହାଦେଶରୁ ସୃଷ୍ଟି ହୋଇ ଭାରତ ଆଡ଼କୁ ବହିଥାଏ। ମଝିରେ ପଡ଼ୁଥିବା ଇରାକ, ଇରାନ ଓ ପାକିସ୍ତାନରେ ସେପରି ସୁଉଚ୍ଚ ପାହାଡ଼-ପର୍ବତ ନଥିବାରୁ ଏହି ବାୟୁ ଭାରତର ହିମାଳୟ ପର୍ବତ ଶୃଙ୍ଖଳାରେ ଧକ୍କା ଖାଇଥାଏ। ଏଥିଯୋଗୁ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଉତ୍ତର ଭାରତରେ ଭଲ ବର୍ଷା ହୋଇଥାଏ।

ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନ କରୁଥିବା ଦେଶର ଏକମାତ୍ର ବେସରକାରୀ ସଂସ୍ଥା ହେଉଛି ‘ସ୍କାଏମେଟ’। ମୌସୁମି ଆଗମନର ଦୁଇ ମାସ ପୂର୍ବରୁ ଏହି ସଂସ୍ଥା ପୂର୍ବାନୁମାନ ଯୋଗାଇ ଦେଉଥିବାବେଳେ ସରକାରୀ ସଂସ୍ଥା ‘ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏପ୍ରିଲ-ମେ’ ମାସରେ ପୂର୍ବାନୁମାନ ରିପୋର୍ଟ ଜାରି କରିଥାଏ। । ଚଳିତ ବର୍ଷ ୯୮ ପ୍ରତିଶତ ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଦେଶର ଅଧିକାଂଶ ଅଞ୍ଚଳରେ ସାମାନ୍ୟ ବୃଷ୍ଟି ହୋଇପାରେ। ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନ କରିବା ପୂର୍ବରୁ ‘ସ୍କାଏମେଟ’ର ଜଳବାୟୁ ବୈଜ୍ଞାନିକ ଦେଶର ପ୍ରତି ୯ କି.ମି ଅଞ୍ଚଳରେ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି। ଏହି ଦୁଇ ସଂସ୍ଥାର ପୂର୍ବାନୁମାନକୁ ଭିତ୍ତି କରି ସରକାର ବନ୍ୟା ଅଥବା ମରୁଡ଼ିର ପ୍ରତିକାର ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିଥା’ନ୍ତି। ସବୁବେଳେ ଯେ ଏହି ଦୁଇ ସଂସ୍ଥାର ପୂର୍ବାନୁମାନ ଠିକ୍ ହୁଏ ତାହା ନୁହେଁ।

୨୦୧୫ରେ ଦେଶରେ ୧୦୨ ପ୍ରତିଶତ ବର୍ଷା ହେବ ବୋଲି ‘ସ୍କାଏମେଟ’ ଓ ୯୩ ପ୍ରତିଶତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା। ତେବେ ବାସ୍ତବରେ ହାରାହାରି ୮୬ ପ୍ରତିଶତ ବର୍ଷା ହୋଇଥିଲା। ଆମ ଦେଶର କେବଳ ସଂସ୍କୃତି ଭିନ୍ନ ନୁହେଁ, ବାୟୁ ମଣ୍ଡଳର ବିବିଧତା ମଧ୍ୟ ଅନେକ ସ୍ଥାନରେ ପରିଲକ୍ଷିତ ହୋଇଥାଏ। ନଦୀ, ଜଙ୍ଗଲ ଓ ପର୍ବତକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ବାୟୁ ମଣ୍ଡଳ ସୃଷ୍ଟି ହୋଇଥାଏ। ଏହି ଦୃଷ୍ଟିରୁ ପାଣିପାଗର ସଠିକ ପୂର୍ବାନୁମାନ କରିବା ଦୁରୂହ ବ୍ୟାପାର। ତେବେ ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ପୂର୍ବାପେକ୍ଷା ଆମେ କ୍ରମଶଃ ସୁଦୃଢ ହେବାରେ ଲାଗିଛନ୍ତି। ବିଗତ ବର୍ଷମାନଙ୍କରେ ଆଇଏମଡିର ଅଧିକାଂଶ ପୂର୍ବାନୁମାନ ତ୍ରୁଟିପୂର୍ଣ୍ଣ ସାବ୍ୟସ୍ତ ହେଉଥିଲା। ‘ସ୍କାଏମେଟ’ ପୂର୍ବାନୁମାନ ଯୋଗାଇବା ଆରମ୍ଭ କରିବା ପରେ ଆଇଏମଡି ଅଧିକ ସତର୍କତା ଅବଲମ୍ବନ କରି ଆସୁଛି। ସଠିକ୍ ପୂର୍ବାନୁମାନକୁ ନେଇ ଉଭୟ ସଂସ୍ଥା ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହୋଇଛି। ବୈଜ୍ଞାନିକମାନେ ପୂର୍ବାନୁମାନ ରିପୋର୍ଟ ଜାରି କରିବା ପୂର୍ବରୁ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଏଥିଯୋଗୁଁ ପୂର୍ବାପେକ୍ଷା ପାଣିପାଗ ପୂର୍ବାନୁମାନ ଅଧିକ ସଠିକ ସାବ୍ୟସ୍ତ ହୋଇ ପାରୁଛି। ଦେଶର କୃଷକ ଏଥିରୁ ଫାଇଦା ଉଠାଇ ପାରୁଛନ୍ତି। କରୋନା ମହାମାରୀ ପରି ଦୁଃଖଦ ପରିସ୍ଥିତି ମଧ୍ୟରେ ‘ସ୍କାଏମେଟ୍’ ଓ ଆଇଏମଡିର ଏହି ପୂର୍ବାନୁମାନ କୃଷକଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିବ ନିଶ୍ଚୟ।

Comments are closed.