ଯଦ୍‌ ବା ତଦ୍‌ ବା ଭବିଷ୍ୟତି

ଜମାଣିଆ ଏ ସଂସାରରେ ପ୍ରତିଶୋଧ, ବଦଲା ନେବା ଢେର ଗୋଟାଏ ବିଭାବ। ୟା ବିନା ସଂସାର ଖେଳ କ’ଣ ସତରେ ଜମନ୍ତା? ମାତ୍ର ଅଧ୍ୟାତ୍ମ ଜୀବନ ବା ଜଗତରେ ୟେ ଗୋଟେ ମୋହାନ୍ଧତାର କଥା। କ୍ଷମା ବା ଉଦାରତାରେ ଉଦ୍‌ଭାସିତ ମନ ବା ଭାବରେ ଏମିତି ଦାନ୍ତ କାମୁଡ଼ା ଭାବ କାଇଁ? ରଜସ୍ବଳା ରାଜବଧୂ ଦ୍ରୌପଦୀଙ୍କୁ ଘୋଷାରି ଘୋଷାରି ଦୁଃଶାସନ ରାଜଦରବାରକୁ ଯେତେବେଳେ ଆଣିଲା ଓ ଭାଇ ଦୁର୍ଯ୍ୟୋଧନର ଆଦେଶରେ ଏ ସୁନ୍ଦରୀ କୁଳବଧୂ, ରାଜବଧୂଙ୍କୁ ଉଲଗ୍ନ କରିବାର ପ୍ରଚେଷ୍ଟା ଆରମ୍ଭ କରିଦେଲା, ସେତେବେଳେ ସତରେ ଆକାଶ ଭାଙ୍ଗିପଡ଼ିଲା। ପଞ୍ଚସ୍ବାମୀର ଏ ସ୍ତ୍ରୀଙ୍କ ଆକୁଳ କ୍ରନ୍ଦନ ରୋଳର କାଇଁ କିଛି ଫଳ ମିଳିଲାନି। ଜାବୁଡ଼ି ଧରୁଥା’ନ୍ତି କାମାନ୍ଧ ଏ ଦୁର୍ଦ୍ଧର୍ଷ ଦୁଃଶାସନର ଝିଙ୍କାକୁ ରୋକିବାକୁ। ସୁକୁମାରୀ ରାଜଦୁଲାଳୀ ସେ। ସେ କୋଉ ପୁଲିସ କନଷ୍ଟେବଳ, ହୋମଗାର୍ଡ଼ କି ଅଫିସର୍‌ ତାଲିମ ପାଇଥିଲେ ଯେ ୟା ସହ ମଲ୍ଲକୁସ୍ତିରେ ମାତି ଯାଇଥା’ନ୍ତେ! ସଖା କୃଷ୍ଣଙ୍କ ଆଡ଼େ ଦି’ହାତ ଟେକିଦେଲେ। ସେତେବେଳକୁ ଲୁହ ତ ନୁହଁ, ରକତଗୁଡ଼ା ଆଖିରୁ ବୋହି ଯାଉଥିଲା। କୃଷ୍ଣଙ୍କୁ ବିକଳରେ ଡାକୁଥିବା ଦୁଇଚାରିପଦ ତାଙ୍କ ପଶାଖେଳ ଭାଙ୍ଗିଦେଲା। ସେଥିରୁ ପଦେ ଅଧେ ମନକୁ ଆସୁଛି, ‘‘ଗୋବିନ୍ଦ ଦ୍ବାରକାବାସିନଃ କୃଷ୍ଣଃ ଗୋପୀଜନପ୍ରିୟଃ, କୌରବୈ ପରିଭୃତାନାଂ କିଂ ନୋ ଜାନାସି କେଶବଃ। ହେ ନାଥ, ହେ ରମାନାଥ, ବ୍ରଜନାଥାର୍ତ୍ତିନାଶନଃ, କୌରବାର୍ଣ୍ଣବମଗ୍ନାସ୍ମି ମୁଦ୍ଧରସ୍ବ ଜନାର୍ଦ୍ଦନ’’ ଇତ୍ୟାଦି।

କୃଷ୍ଣ ତ ଗାଣ୍ଠି ଗାଣ୍ଠି ଶାଢ଼ି ସ୍ବର୍ଗରୁ ତାଙ୍କ ଦେହରେ ଗୁଡ଼ାଇ ଦେଇଥିଲେ। ଦୁଃଶାସନ ହାର ମାନିଥିଲା ସିନା, ଦ୍ରୌପଦୀ ସେଦିନ ପ୍ରତିଜ୍ଞା କରିଥିଲେ ଯେ ଦୁଃଶା ଦ୍ବାରା ଫିଟି ଯାଇଥିବା ତାଙ୍କର ‘ଘନକେଶ’ ତା’ ବାହୁ ରକ୍ତରେ କେବଳ ବନ୍ଧା ହେବ। ସେ ଯାଏ ଏମିତି ମୁକ୍ତ ରହିବ। ସତରେ ମହାଭାରତ ଯୁଦ୍ଧରେ ଦୁଃଶାସନର ବାହୁ ଉଖାଡ଼ି ଆଣି ରକ୍ତ ବୋହି ପଡ଼ୁଥିବା ସେ ଉପୁଡ଼ା ହାତକୁ ଧରି ଯୁଦ୍ଧ ପଡ଼ିଆରୁ ଭୀମସେନ ଘରକୁ ଧାଇଁବା ଦୃଶ୍ୟ କି ଭୟଙ୍କର ଲୋ ମା’! ପ୍ରେମିକ ପ୍ରଦତ୍ତ ଦାମୀ ବାସନା ତେଲକୁ ପ୍ରେମିକା ସଲବଲ କରି ମୁଣ୍ଡରେ ବୋଳୁଥିବା ପରି, ସେଇ କଞ୍ଚା ଛେଲା ରକ୍ତକୁ ଦ୍ରୌପଦୀଙ୍କ ମୁଣ୍ଡ ଉପରେ ଓଜାଡ଼ୁ ଥା’ନ୍ତି ଭୀମ ଓ ଏକୁ ବେଶ୍‌ ଉପଭୋଗ କରି ମୁହୂର୍ତ୍ତକ ପାଇଁ ଭିନ୍ନ ବନି ଯାଇଥିଲେ ଏ ମାତୃରୂପା ସ୍ତ୍ରୀ ଜଣକ। କୋମଳା ନାରୀ ହୃଦୟରେ ପ୍ରତିଶୋଧର ଏ ଜଘନ୍ୟ ଭାବ କେମିତି ବି ସମ୍ଭେଇଲା ବୋଲି ଜଗତ ଭାବିଲା। ଆଉ ଯେତେବେଳେ ପାଣ୍ଡବଙ୍କ ପାଞ୍ଚ ଶିଶୁ ପୁତ୍ରଙ୍କୁ ପାଣ୍ଡବ ଭାବି, ଅଶ୍ବତ୍‌ଥାମା ହତ୍ୟାକଲେ, ଦ୍ରୌପଦୀ ଶୋକାଭିଭୂତ ହୋଇଗଲେ। ଅର୍ଜୁନ ଧନୁଗୁଣରେ ଅଶ୍ବତ୍‌ଥାମାକୁ ଘୋଷାରି ଆଣି ଲୋତକସ୍ନାତା ଦ୍ରୌପଦୀଙ୍କ ଆଗେ ହାଜର କରାଇଦେଲେ, ଆଉ କହିଲେ, ‘‘ଆଦେଶ କର, ଏଇ ମୁହୂର୍ତ୍ତରେ ତମ ପାଞ୍ଚ ପୁଅର ଏ ହତ୍ୟାକାରୀର ମୁଣ୍ଡକୁ ତା’ ଗଣ୍ଡିରୁ ଅଲଗା କରିଦେବି।’’ ରକ୍ତରେ ବେଣୀ ସଂହାର କରାଇଥିବା ଏ ଆହତ ମାତୃତ୍ବ କେମିତି ବି ଏକୁ କ୍ଷମା ଦେବ!! ହଁ, ଅର୍ଜୁନଙ୍କ ସମେତ ସାରା ଜଗତକୁ ସ୍ତମ୍ଭୀଭୂତ କରି ସେ ଏ ପିଶାଚକୁ ଛାଡ଼ି ଦେବାକୁ ଓ ତାଙ୍କ ଆଖି ଆଗରୁ ନେଇ ଯିବାକୁ ଅର୍ଜୁନଙ୍କୁ ବେଶ୍‌ ଆକୁଳ ଭାବରେ କହିଲେ।

କବିଙ୍କ ଭାଷାରେ ‘‘ରକ୍ତରେ ମୁଁ ଯେ ବେଣୀ ସଂହାର କରାଇଥିଲି, ଭୁଲିଯାଇ ନାହିଁ ମାତୃ ହୃଦୟର ଉଦାରଶିରୀ।’’ ସେଦିନ ଜଣାପଡ଼ିଥିଲା, ବେଣୀ ବାନ୍ଧିବାକୁ କରିଥିବା ଏମିତି ଗୋଟେ ଆକସ୍ମିକ ପ୍ରତିଜ୍ଞାକୁ ନେଇ ସେ ଖୁସି ବା ସୁଖୀ ନ ଥିଲେ। ତା’ ତ ମଣିଷପଣିଆ। ନ୍ୟାୟାନ୍ୟାୟ ବିଚାରରେ ଜଣଙ୍କୁ ଦଣ୍ଡାଦେଶ ଦେବା ଓ କାହାର ଅନ୍ୟାୟ କାର୍ଯ୍ୟର ପ୍ରତିଶୋଧ ନେବା ଢେର ଭିନ୍ନ କଥା। ଗେରସ୍ତ ମରୁ ପଛେ, ସଉତୁଣୀକୁ ରାଣ୍ଡ କରିବା ସେମିତି ଜଘନ୍ୟ, ଆତ୍ମଘାତୀ କାର୍ଯ୍ୟର ଏକ ଉଦାହରଣ। ଅନୁସରଣ ବା ଅନୁକରଣ ପାଇଁ ତ୍ୟାଗର ଉଦାହରଣ ଦିଆଯାଏ। ମାତ୍ର ହିଂସାର, ଅନ୍ୟାୟର ବାଟ ଆରେଇବା କୁ କଥାଟେ? ଜଣେ ଦୁର୍ଜନର ୟେ ହିଁ ମାର୍ଗ। ନିର୍ଯାତିତା ହୋଇ ଆସୁଥିବା ଅସହାୟା ବୋହୂ ଯେତେବେଳେ ଶାଶୂ ପାଲଟେ ସେ ସେମିତି ନିଷ୍ଠୁର ଓ ପ୍ରତିହିଂସା ପରାୟଣ ହୁଏ। ଘରେ ଦାମୀ ବାସନ ଥିଲେ ବି ଶାଶୂ ବୁଢ଼ୀକୁ ଭଙ୍ଗା ପଥୁରିରେ ଖାଇବାକୁ ଦେଉଥିବା, ତା’ର ସେଦିନର ନିର୍ଯାତନାକୁ ମନରେ ଆଉଟୁଥିବା ବୋହୂକୁ, ତା’ ପୁଅ ସେଦିନ ଠିକଣା ଶିକ୍ଷା ଦେଇଥିଲା। ଯାତ୍ରା ବୁଲି ବୋଉ ସହ ଯାଇଥିଲା। କ’ଣ ଗୋଟେ କିଣିବ ବୋଲି ଖାଲି ହଉଥାଏ। ବୋଉ ପଚାରୁଥା’ନ୍ତି, ‘‘ଆରେ କ’ଣ ଖୋଜୁଛୁ କହୁନୁ।’’ କେତେ ଝଲମଲିଆ ଜିନିଷ ଛାଡ଼ି ସେ ଗୋଟେ ପଥୁରି-ଥାଳି ଗିନା ଦୋକାନକୁ ବୋଉକୁ ଭିଡ଼ିନେଲା। ଆଚମ୍ବିତ ହୋଇଗଲେ ବୋଉ। ‘‘ଆରେ ଏତେ ଜିନିଷ ଛାଡ଼ି, ଏ ପଥୁରି ଗିନା କିଣିବାକୁ କାହିଁକି ଅଡ଼ି ବସୁଛୁ? ବାୟାଟା କିରେ।’’ ପୁଅ କହିଲା, ‘‘ନାଇଁ ଲୋ ବୋଉ, ଜେଜେମା’କୁ ତୁ ଯେଉଁ ପଥୁରି ଗିନାରେ ଖାଇବାକୁ ଦଉଛୁ, ସେଥିରୁ ଖଣ୍ଡେ ଛାଡ଼ି ଗଲାଣି। ମତେ ତ ଜଲ୍‌ଦି ବାହା କରିଦେବୁ ବୋଲି କହୁଛୁ। ମୋ ସ୍ତ୍ରୀ ଆସିଲେ ତତେ କୋଉଥିରେ ଖାଇବାକୁ ଦେବ କହୁନୁ। ଜେଜେମା’ ପଥୁରି ଗିନାଟା ତ ନ ଥିବ ସେତେବେଳକୁ ମୁଁ ହଇରାଣ ହେବି?’’ ବୋଉ ମୁଣ୍ଡ ଝାଇଁ ମାରିଗଲା। ସତରେ ସେ ଜେଜେମା’ ହେବା ବେଳ ପାଖେଇ ଆସିଲାଣି। ଉଧାର ମାଣକ ତିନିପା’ ନୁହଁ, ଏ କଥା ସେ ବୁଝି ପାରିଲା। ପୁଅ ତାକୁ ବିବେକର ବାଟ ଦେଖେଇଦେଲା।

ମାତ୍ର ପୁରୁଣାକାଳିଆ ମରହଟ୍ଟୀ କଥା ୟେ। ଶାଶୂବୁଢ଼ୀକୁ ପଥୁରି ଗିନାରେ ଖାଇବାକୁ ଦେଉଥିବା ବୋହୂ ବି ତା’ ଶାଶୂଦିନ ତକ ପଥୁରି ଗିନାରେ ଖାଇବ ହିଁ ଖାଇବ। ବିବେକବାନ ପୁଅ କାଇଁ ଏଇଲେ ବାଟ ଦେଖେଇବାକୁ? ଏଇଲେ ବୀର୍ଯ୍ୟଗୁଣେ ମିରିଗ ଏଠି ଫୁଟୁଫୁଟିକା ଦଳ ପୈଦା। ପବିତ୍ର ବିଧାନସଭାରେ ଜୋତା ଫିଙ୍ଗାଫିଙ୍ଗି ଭଳି ନାରକୀୟ, ଜଘନ୍ୟ ତଥା ଅଶ୍ଳୀଳ କାରବାର ଦେଖି ଏ କଥା ସବୁ ମନକୁ ଆସିଲା। ମାନ୍ୟବର ବାଚସ୍ପତି ତାଙ୍କୁ ନିଲମ୍ବିତ ଅବଶିଷ୍ଟ ସମୟ ପାଇଁ କଲେ। ଏଥିରେ, ଏ କ୍ଷମତା ମାତାଲ ବିଧାୟକମାନେ ଆହୁରି ମାତିଲେ, ତାତିଲେ। ଜୋତା, ଶ୍ରବଣଯନ୍ତ୍ର ଆଦି ଫିଙ୍ଗିଥିବା ମାନ୍ୟବର ବିଧାୟକମାନେ ହେଲେ, ଶ୍ରୀ ମୋହନ ମାଝି, ଶ୍ରୀ ବିଷ୍ଣୁ ଚରଣ ସେଠୀ, ଶ୍ରୀ ଜୟନାରାୟଣ ମିଶ୍ର। ମନେହେଲା, ଲୋକଙ୍କ ପାଇଁ ଏକ ଅନୁଚିତ ପ୍ରବଣତାରେ ସେମାନେ ଏମିତି ଗୋଟେ ଜଘନ୍ୟ, ଲଜ୍ଜାକର କାଣ୍ଡ କରିବସିଥିଲେ। ମନ ଭିତରେ ଅନୁତାପ କରୁଥିବେ। ତମ ପଦ ପଦବୀ କ’ଣ? ଦାୟିତ୍ବ କ’ଣ? ଏକୁ ଭୁଲିଗଲ? ଇତର ମଦୁଆ ଲୁଙ୍ଗି ଗାମୁଛା ଫିଙ୍ଗି ଲଜ୍ଜାହୀନ ଭାବେ ରାଜରାସ୍ତାରେ ମାରପିଟିରେ ମଜ୍ଜିଯିବାର କଥା ୟେ। ବାଚସ୍ପତିଙ୍କ ନିଲମ୍ବନ ଆଦେଶରେ, ଅନଶନରେ ଦଳେ ବସିଗଲେ। କିରେ, ଗାନ୍ଧୀ କଥା ହଠାତ୍‌ ଏଇଲେ ଏଥିକୁ କୁଆଡ଼େ ଅଇଲା? ଲଙ୍କାରେ ହରିନାମ! ଚପଲ ଫିଙ୍ଗାଫିଙ୍ଗି ଠେଲାପେଲା ତ ଏଠି ପ୍ରତିବାଦର ଧାରା। ଗୁଣ୍ଡା ବଦମାସିଆ ସୁଲଭ ଇୟେ। ସେଥିରେ ମାତୁଛ ମାତ, ମାତ୍ର ଅନଶନକୁ କିଆଁ ଫେରିଲ? ବେପାରପତ୍ରବାଲାଏ ଘେରିଗଲେ ‘ହିରୋ’ମାନଙ୍କ ପ୍ରତିକ୍ରିୟା ଜାଣିବାକୁ। ପ୍ରତିକ୍ରିୟାରୁ କିସମ ବାରି ହୋଇପଡ଼େ।

ସେମାନେ କହିଲେ, ‘‘ଏଥିପାଇଁ ଆମେ ଅନୁତପ୍ତ ନୋହୁଁ, ବାଚସ୍ପତି ଅନ୍ୟାୟ ଭାବେ ଗୃହ ଚଳଉଛନ୍ତି। ଅନ୍ୟାୟର ଜବାବ ଅନ୍ୟାୟରେ ଦିଆଗଲା।’’ ସେତିକି ନୁହେଁ, ତାଙ୍କୁ ଉତ୍ସାହିତ କରୁଥିବା, ପ୍ରଚୋଦିତ କରୁଥିବା, ମାର୍ଗ ଦର୍ଶଉଥିବା ‘ମହାଜନ’ଙ୍କ ଉଦାହରଣ ଦେବାର ଅଲାଜୁକପଣିଆକୁ ବି ପଦାରେ ପକେଇଦେଲେ। କହିଲେ, ‘‘ଆଗରୁ ଏମାନଙ୍କ ଅମଳରେ ବି କଛା ଖୋଲାଯାଇଛି, ମାଡ଼ପିଟି ହୋଇଛି। ତେଣୁ ୟେ କିଛି ଗୋଟେ ଅଭୂତପୂର୍ବ ତା’ ନୁହେଁ। ଯୁଧିଷ୍ଠିରଙ୍କୁ ଧର୍ମବକ ପଚାରିଲେ ‘‘କା ପନ୍ଥାଃ?’’ ବାଟ କ’ଣ? ସେ କହିଲେ, ‘‘ମହାଜନଃ ଯେନ ଗତଃ ସ ପନ୍ଥାଃ।’’ ‘‘ବଡ଼ବଡ଼ିଆମାନେ ଯେଉଁ ବାଟରେ ଯାଆନ୍ତି ତା’ ହିଁ ବାଟ ବା ପନ୍ଥା।’’ କଛା ଫିଟଉଥିବା, ଚପଲ ଫିଙ୍ଗୁଥିବା, ପବିତ୍ର ବିଧାନସଭାରେ ଅବିଧାନ କରୁଥିବା, ହେଉଥିବାମାନେ, ଏ ନେତାଙ୍କ ‘ମହାଜନ’। ତେଣୁ ସେମାନେ ସେଇ ବାଟରେ ଯାଇଛନ୍ତି। ସେଦିନ ବିଧାନସଭାର ଶେଷଦିନ ଥିଲା। ‘‘ଅବଶିଷ୍ଟ ସମୟତକ’’ ବୋଲି ବାଚସ୍ପତି ମହାପ୍ରୁ ଯେଉଁ ଦଣ୍ଡ ଦେଲେ ତା’ କେତେ ସମୟ ପାଇଁ ହେଲା? ଇୟେ ଖାଲି ଧର୍ମକୁ ଆଖିଠାର, ସଲାକୁସ୍ତି ଇଲମ। ଏଥିକୁ ବି ପୁଣି ତୁମ୍ବିତୋଫାନୀ!! ଏବେ ନୈତିକତା, ରୁଚିବୋଧ ଯେଉଁଠି ପହଞ୍ଚିଛି, ସେଥିରେ ୟା’ଠୁ ଅଧିକ କ’ଣ ଆଶା କରାଯିବ? କାଳିଦାସ ଥରେ କହିଥିଲେ, ‘‘ନଷ୍ଟସ୍ୟ କାନ୍ୟା ଗତିଃ’’।

ଗଣତନ୍ତ୍ରର ଦେବାଳୟ ବୋଲି, ସଂସଦ ଗୃହ ଆଗରେ ଆଣ୍ଠେଇ ଏ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ ଦଣ୍ଡବତ କରୁଥିବା ବେଳେ ତାଙ୍କ ଅନୁଗତିଆ ଦାବି କରୁଥିବାମାନେ ଚପଲ ଫିଙ୍ଗାଫିଙ୍ଗିରେ ଏକୁ ଅସନା ଓ ଅସମ୍ମାନ କରୁଛନ୍ତି। ଏଙ୍କ କାରବାରରେ, ଚଳନିରେ ମଣିଷପଣିଆ କାଇଁ? ମନେପଡ଼େ ମାଙ୍କଡ଼ କଥାଟେ, ‘‘ମର୍କଟସ୍ୟ ସୁରାପାନଂ, ତସ୍ମିନ୍‌ ବୃଶ୍ଚିକ ଦଂଶନମ୍‌, ତସ୍ମିନୈବ ଭୂତାବେଶ, ଯଦ୍‌ବା ତଦ୍‌ବା ଭବିଷ୍ୟତି।’’ ‘‘ମାଙ୍କଡ଼ ତ ସହଜେ ଚପଳ, ସେ ପୁଣି ପିଇଲା ମଦ, ତାକୁ କାମୁଡ଼ିଲା ବିଛା, ସେଥିରେ ପୁଣି ତା’ଠି ଲାଗିଲା ଭୂତ, କ’ଣ ହେବ କହିହେବନି। ଏଠି କ୍ଷମତା ମଦ, ସ୍ବାର୍ଥର ବିଛା ଓ ଅହଂକାରର ଭୂତ ଏଇମାନଙ୍କଠି ଲାଗିଛି। କିଏ କହିବ କ’ଣ ହେବ ଅବସ୍ଥା। ଯଦ୍‌ ବା ତଦ୍‌ ବା ଭବିଷ୍ୟତି।’’

Comments are closed.