ଆରବର ନାଲି ଆଖି

ଅଧିକ ତୈଳ ସଂରକ୍ଷଣ ଭଣ୍ଡାର ନିର୍ମାଣ ଆବଶ୍ୟକ

ଅଶୋଧିତ ତୈଳ ଆମଦାନୀକୁ ନେଇ ଗତ ତିନି ମାସ ହେଲା ଭାରତ ଓ ସାଉଦି ଆରବ ମଧ୍ୟରେ ତୁ..ତୁ..ମେ..ମେ ଜାରି ରହିଛି। ତୈଳ ମୂଲ୍ୟ ହ୍ରାସ କରିବାକୁ କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବ ସମକକ୍ଷ ଅବ୍‌ଦୁୁଲ ଅଜିଜ୍‌ ସଲମାନ ଅଲ ସାଉଦଙ୍କ ନିକଟରେ ଦାବି କରିଥିଲେ। ତେବେ ଶ୍ରୀ ପ୍ରଧାନଙ୍କ ଦାବିକୁ ଅବ୍‌ଦୁୁଲ ଅଜିଜ୍‌ ଅଗ୍ରାହ୍ୟ କରିବା ସହ ‘ଷ୍ଟ୍ରାଟେଜିକ୍‌ ତେଲ ରିଜର୍ଭ’ (ସଂରକ୍ଷିତ ଥିବା ତେଲ) ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସଂରକ୍ଷିତ ତେଲ କେତେବେଳେ ଖର୍ଚ୍ଚ କରାଯିବା ତାହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଭାରତକୁୁ ଏପରି ପରାମର୍ଶ ଦେବା ସାଉଦି ଆରବର ଅଧିକାରଭୁକ୍ତ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଗତ ମାସ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଭାରତ ସରକାର ଗତ ଏପ୍ରିଲ/ମେ’-୨୦୨୦ (ଲକ୍‌ଡାଉନ ଜାରି ପରେ)ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍‌ ଥିବାରୁ ସେତେବେଳେ ସମସ୍ତ ତୈଳ ସଂରକ୍ଷିତ ଭଣ୍ଡାରକୁ ଭରି ଦିଆଯାଇଥିଲା।

ଦେଶରେ ପେଟ୍ରୋଲ ସଞ୍ଚୟ କରିବାର ଦାୟିତ୍ବ ‘ଇଣ୍ଡିଆନ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ଲିମିଟେଡ’ (ଆଇଏସପିଆରଏଲ) ଉପରେ ନ୍ୟସ୍ତ। ଏହା ଏ ପର୍ଯ୍ୟନ୍ତ ଦେଶର ୩ଟି ସ୍ଥାନରେ ମୋଟ ୫.୩୩ ନିୟୁୁତ ମେଟ୍ରିକ ଟନ ତୈଳ ସଂରକ୍ଷିତ କରି ରଖିଛି। ଅନ୍ୟ ଦେଶରୁ ତୈଳ ଆମଦାନୀ ବନ୍ଦ ହୋଇଗଲେ ଉପରୋକ୍ତ ପରିମାଣର ତେଲ ମାତ୍ର ୧୦ ଦିନ ମଧ୍ୟରେ ଶେଷ ହୋଇଯିବ। ଦେଶର ବିଶାଖାପାଟଣା, ମାଙ୍ଗାଲୁର ଓ ପାଦୁରରେ ତୈଳ ସଞ୍ଚୟ ଭଣ୍ଡାର ଅବସ୍ଥିତ। ସରକାରୀ ସଂରକ୍ଷିତ ଭଣ୍ଡାରକୁ ଛାଡ଼ି ଦେଲେ ବେସରକାରୀ କମ୍ପାନୀଗୁଡ଼ିକ ଯେତେ ପରିମାଣରେ ତେଲ ସଂରକ୍ଷିତ ରଖିଛନ୍ତି ସେଥିରେ ୬୪ ଦିନ ପର୍ଯ୍ୟନ୍ତ ଚଳିହେବ; ଅର୍ଥାତ୍‌ ବିନା ତୈଳ ଆମଦାନୀରେ ସରକାରୀ ଓ ବେସରକାରୀ ସଂରକ୍ଷିତ ତୈଳ ଭଣ୍ଡାରର ଉପଯୋଗ କରାଯାଇ ମାତ୍ର ୭୪ ଦିନ ଆବଶ୍ୟକତା ମେଣ୍ଟାଇ ଯାଇପାରିବ। ଦେଶରେ ଅଧିକ ତୈଳ ସଞ୍ଚୟ ବଢାଇବା ପାଇଁ ଓଡ଼ିଶାର ଚଣ୍ଡିଖୋଲରେ ୪ ନିୟୁତ ମେଟ୍ରିକ ଟନ ଓ କର୍ଣ୍ଣାଟକର ପାଦୁରରେ ୨.୫ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ତୈଳ ସଂରକ୍ଷିତ ଭଣ୍ଡାର ନିର୍ମାଣ କରାଯାଉଛି। ଏହି ଦୁୁଇଟି ଭଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହେଲେ ୧୨ ଦିନ ପର୍ଯ୍ୟନ୍ତ ତେଲର ଅଭାବ ପୂରଣ କରାଯାଇ ପାରିବ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଥିବାରୁ ତେଲ ଉତ୍ପାଦନ କରୁଥିବା ଦେଶ ସମୂହ ଉତ୍ପାଦନ ହ୍ରାସ କରି ଦେଇଛନ୍ତି। ସାଉଦି ଆରବ ତୈଳ ଉତ୍ପାଦନ ହ୍ରାସ କରିବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି। ଉତ୍ପାଦନ ବୃଦ୍ଧି କରିବାକୁ ଗତ ଜାନୁଆରୀ ମାସରେ ଭାରତ ସାଉଦି ଆରବକୁ ଅନୁରୋଧ କରିଥିଲା; କାରଣ ଚୀନ୍‌ ପରେ ଭାରତ ହେଉଛି ସାଉଦି ଆରବ ଠାରୁ ତୈଳ ଆମଦାନୀ କରୁଥିବା ଦ୍ବିତୀୟ ବୃହତ୍ତମ ଦେଶ। ତେବେ ଭାରତର ଏହି ଅନୁରୋଧକୁ ସାଉଦି ଆରବ ଗୁରୁତ୍ବ ଦେଇ ନଥିଲା। ସାଉଦି ଆରବ ଯୁକ୍ତି ବାଢିଥିଲା ଯେ, ଅଶୋଧିତ ତୈଳ ମୂଲ୍ୟ କମ୍‌ ଥିବାବେଳେ ଭାରତ ଯେଉଁ ତୈଳ ସଂରକ୍ଷିତ କରି ରଖିଥିଲା ତାହା ଏବେ ବ୍ୟବହାର କରିବା ଉଚିତ୍‌। ତୈଳ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ନିୟମ ରହିଛି। କେଉଁ ଦେଶ କେତେ ତେଲ ସଞ୍ଚୟ କରି ରଖିବ ଓ କେତେବେଳେ ତାହା ବ୍ୟବହାର କରିବ ତାହା ସମ୍ପୃକ୍ତ ଦେଶର ଆଭ୍ୟନ୍ତରୀଣ ବ୍ୟାପାର। କୂଟନୈତିକ ଦୃଷ୍ଟି କୋଣରୁ ସାଉଦି ଆରବର ଏପରି ମନ୍ତବ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି କେତେକ କୂଟନୀତିଜ୍ଞ ମତ ଦେଇଛନ୍ତି।

ଭାରତରେ ପେଟ୍ରୋଲିୟମ ଓ ପ୍ରାକୃତିକ୍‌ ଗ୍ୟାସ୍‌ କମ୍‌ ମାତ୍ରାରେ ଉପଲବ୍ଧ ଅଛି। ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହାର ଆମଦାନୀ ପ୍ରତି ବର୍ଷ ବୃଦ୍ଧି ପାଇ ଚାଲିଛି। ଗତ ବର୍ଷ ଦେଶର ମୋଟ ଖର୍ଚ୍ଚର କେବଳ ୮୫ ପ୍ରତିଶତ ତୈଳ ଓ ପ୍ରାକୃତିକ ଗ୍ୟାସ ବିଦେଶରୁ ଆମଦାନୀ କରିଥିଲା। ଏହାର ମୂଲ୍ୟ ୧୨୦ ବିଲିଅନ ଆମେରିକୀୟ ଡଲାର ଥିଲା। ଭାରତ ପରି ବିଶାଳ ଅର୍ଥନୀତି ସମ୍ପନ୍ନ ଦେଶର ବିକାଶ ପାଇଁ ତୈଳ ନିହାତି ଅପରିହାର୍ଯ୍ୟ। ବିଦେଶରୁ ଭାରତ ଆମଦାନୀ କରୁଥିବା ସମୁଦାୟ ତୈଳର ୨୫ ପ୍ରତିଶତ ଅଶୋଧିତ ତୈଳ ସାଉଦି ଆରବରୁ ଆମଦାନୀ ହୋଇଥାଏ। ଇରାନ ଓ ଭେନେଜୁଏଲା ଉପରେ ଆମେରିକା କଟକଣା ଲଗାଇବା ପରେ ତେଲ ଉପରେ ଆରବ ରାଷ୍ଟ୍ର ସମୂହ ଏକାଧିକାର ସାବ୍ୟସ୍ତ କରିଛନ୍ତି। ସାଉଦି ଆରବର ଆଧିପତ୍ୟ ହଟାଇବାକୁ ହେଲେ ଆମକୁ ଭେନେଜୁଏଲା ଓ ଇରାନରୁ ପୁନଃ ତେଲ ଆମଦାନୀ କରିବାକୁ ପଡ଼ିବ। କଟକଣା ପୂର୍ବରୁ ଏହି ଦୁଇ ଦେଶ ଭାରତକୁ ପ୍ରଚୁର ଅଶୋଧିତ ତୈଳ ରପ୍ତାନି କରୁଥିଲେ। ଦେଶରୁ ତୈଳ ସଙ୍କଟ ଦୂର କରିବା ପାଇଁ ଭାରତ ଦୀର୍ଘ ଦିନ ହେଲା ସୌର ଶକ୍ତି ଉପରେ ଗୁରୁତ୍ବ ଦେଇ ଆସୁଛି। ଭାରତ ନିଜର ‘ଷ୍ଟ୍ରାଟେଜିକ୍‌ ତେଲ ରିଜର୍ଭ’ର କ୍ଷମତା ବଢାଇବାକୁ ଆଉ କେତେକ ବିଶେଷଜ୍ଞ ମତ ଦେଇଛନ୍ତି। ଏବେ ବିନା ତୈଳ ଆମଦାନୀରେ ଆମେ ପ୍ରାୟ ୭୪ ଦିନ ପର୍ଯ୍ୟନ୍ତ ଚଳିଯାଇ ପାରିବା। ଏହାର କ୍ଷମତା ଅତିକମ୍‌ରେ ୯୦ ଦିନ ଅଥବା ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

କୌଣସି ପ୍ରାକୃତିକ ବିପତ୍ତି ଅଥବା ଯୁଦ୍ଧ ସମ୍ଭାବନା ଦେଖାଦେଲେ ତୈଳ ଆମଦାନୀ ବ୍ୟାହତ ହୋଇଥାଏ। ଏଥି ପାଇଁ ବିଶ୍ବର ବିଭିନ୍ନ ଦେଶ ତୈଳ ସଂରକ୍ଷିତ ଭଣ୍ଡାର ଖୋଲିବା ଉପରେ ଗୁରୁତ୍ବ ଦେଇଥା’ନ୍ତି। ବିଶ୍ବର ସର୍ବବୃହତ୍‌ ତୈଳ ସଂରକ୍ଷିତ ଭଣ୍ଡାର ଆମେରିକାରେ ରହିଛି। ବିନା ତୈଳ ଆମଦାନୀରେ ଏହି ଦେଶ ପ୍ରାୟ ୬ ମାସ ପର୍ଯ୍ୟନ୍ତ ନିଜ ଦେଶର ଆବଶ୍ୟକତା ମେଣ୍ଟାଇ ପାରିବ। ଇରାକ୍‌-କୁଏତ୍‌ ଯୁଦ୍ଧରୁ ଶିକ୍ଷାଲାଭ କରି ଆମେରିକା ସରକାର ଦେଶରେ ତୈଳ ସଂରକ୍ଷିତ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଥିଲେ; କାରଣ ଆଗାମୀ ଯୁଦ୍ଧ ଯଦି ତୈଳକୁ ନେଇ ହୁଏ ଅଥବା ତୈଳ ସମ୍ପନ୍ନ ଦେଶଗୁଡ଼ିକ ଉପରେ କେହି ଆକ୍ରମଣ କରନ୍ତି ସେଥିପାଇଁ ଆମେରିକା ପ୍ରସ୍ତୁତ ଥିବା ସେ ଦେଶର ସରକାର କହିଛନ୍ତି। ଏପରି ସ୍ଥିତି ପାଇଁ ଆମେ ପ୍ରସ୍ତୁତ କି ? ଯଦି ତୈଳ ଆମଦାନୀ ବନ୍ଦ ହୋଇଯାଏ ଆମେ ମାତ୍ର ୭୪ ଦିନ ପର୍ଯ୍ୟନ୍ତ ଚଳିଯାଇ ପାରିବା। ଭାରତ ପରି ବିଶାଳ ଜନସଂଖ୍ୟା ସମ୍ପନ୍ନ ରାଷ୍ଟ୍ରରେ ତୈଳ ସଙ୍କଟ ବାରମ୍ବାର ଦେଖା ଦେଉଥିଲେ ହେଁ ଏହାର ନିରାକରଣ ପାଇଁ ସରକାର କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ନୂତନ ତୈଳ ସଂରକ୍ଷିତ ଭଣ୍ଡାର ଖୋଲିବା ସହ ଆଉ କେତେକ ଭଣ୍ଡାରର କ୍ଷମତା ବୃଦ୍ଧି କରିବା ଉଚିତ୍‌। ଏପରି ହୋଇ ପାରିଲେ ଆରବ ରାଷ୍ଟ୍ରଗୁଡ଼ିକ କଥାରେକଥାରେ ଆମକୁ ଆଉ ନାଲି ଆଖି ଦେଖାଇ ପାରନ୍ତେ ନାହିଁ।

Comments are closed.