ନ ମାନିଲେ ରକ୍ଷା ନାହିଁ

କୋଭିଡ଼ ମାର୍ଗଦର୍ଶିକାକୁ ଠିକ୍‌ଭାବେ ପାଳନ କରିବା; ନଚେତ୍‌ ପୁଣି ଥରେ ଲକ୍‌ଡାଉନ ସଟ୍‌ଡାଉନ କଷ୍ଟ ଭୋଗିବାକୁ ପଡ଼ିବ

ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ତରଙ୍ଗ ଆସିବା ପରେ କ୍ରମଶଃ ସ୍ଥିତି ସାଂଘାତିକ ହେଉଛି। ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ ଭଳି ରାଜ୍ୟ ଏବେ ଦେଶରେ ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଏ ଗୁଡ଼ିକ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି; କାରଣ ବର୍ତ୍ତମାନ ମଧ୍ୟ ଆନ୍ତଃରାଜ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରାଯାଇନାହିଁ। ବିଶେଷତଃ ଏସବୁ ରାଜ୍ୟକୁ ଲାଗି ରହିଥିବା ସୀମାବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ସଂକ୍ରମଣର ବିପଦ ବେଶି ରହିଛି। ଛତିଶଗଡ଼ ଆମ ରାଜ୍ୟ ପାଇଁ କରୋନା ସଂକ୍ରମଣ ବଢ଼ାଇବାର ଏକ ପ୍ରମୁଖ ଉତ୍ସ ବୋଲି ଏବେ ଜଣାପଡ଼ିଲାଣି। କରୋନାର ପ୍ରଥମ ତରଙ୍ଗ ସମୟରେ ଗଞ୍ଜାମ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ବେଶି ପ୍ରଭାବିତ ହୋଇଥିଲା; କିନ୍ତୁ ବର୍ତ୍ତମାନର ଦ୍ବିତୀୟ ତରଙ୍ଗରେ ପଶ୍ଚିମ ଓଡ଼ିଶାରେ ଦ୍ରୁତ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ଏହାର କାରଣ ହେଉଛି ପଡ଼ୋଶୀ ଛତିଶଗଡ଼ର ସୀମାକୁ ଲାଗି ଓଡ଼ିଶାର ୮ଟି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲା ଅବସ୍ଥିତ। ଛତିଶଗଡ଼ରେ ଏବେ ସମଗ୍ର ଦେଶର ସଂକ୍ରମଣର ୬% ରହିଥିବାବେଳେ କରୋନାରେ ମୃତକଙ୍କ ସଂଖ୍ୟା ୩%। ଏହି ସଂଖ୍ୟା ଛତିଶଗଡ଼ ଭଳି ଛୋଟିଆ ରାଜ୍ୟକୁ ଦେଖିଲେ ନିଶ୍ଚୟ ଚିନ୍ତାଜନକ। ଓଡ଼ିଶାର ପଶ୍ଚିମାଞ୍ଚଳ ସହ ଛତିଶଗଡ଼ର ଦୈନନ୍ଦିନ ସମ୍ବନ୍ଧ ରହିଥିବାରୁ ଉଦ୍‌ବେଗ ବଢ଼ିବା ସ୍ବାଭାବିକ। ଆଶ୍ବାସନାର କଥା ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶାର ପ୍ରଭାବିତ ଜିଲାଗୁଡ଼ିକୁ ପରିଦର୍ଶନ କରି ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। କହିବା ବାହୁଲ୍ୟ, ଏହି ଅଞ୍ଚଳର ସ୍ବାସ୍ଥ୍ୟ ଭିତ୍ତିଭୂମି ବର୍ତ୍ତମାନ ମଧ୍ୟ ଅତି ଦୁର୍ବଳ। କରୋନା ପ୍ରଥମ ତରଙ୍ଗ ସମୟରେ ସରକାର ଅବଶ୍ୟ ଭିତ୍ତିଭୂମିକୁ କିଛିଟା ସଜାଡ଼ିବାକୁ ଚେଷ୍ଟା କରିଛନ୍ତି; ବିଶେଷକରି ସ୍ବତନ୍ତ୍ର ଭାବେ କୋଭିଡ଼ ଡାକ୍ତରଖାନା ଖୋଲିଛନ୍ତି, କିନ୍ତୁ ତାହା ଆଦୌ ଯଥେଷ୍ଟ ନୁହେଁ। ଗ୍ରାମାଞ୍ଚଳବାସୀଙ୍କ ପାଇଁ ଏବେ ବି ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି।

ଅପରପକ୍ଷେ, ଖାଲି ପଶ୍ଚିମ ଓଡ଼ିଶା ନୁହେଁ; ସମଗ୍ର ରାଜ୍ୟରେ କରୋନାର କୋପ କମିବା ପରେ କେବଳ ଜନସାଧାରଣ କୋଭିଡ଼ ନିୟମାବଳୀ ମାନିବାରେ ଅବହେଳା କରିନାହାନ୍ତି, ସରକାରୀ ସ୍ତରରେ ମଧ୍ୟ ଯେଉଁ ତତ୍ପରତା ଦେଖାଯାଉଥିଲା ତାହା ଆଉ ନାହିଁ। ଏପରି କି ଅନେକ ସ୍ଥାନରେ କରାଯାଇଥିବା ସ୍ବତନ୍ତ୍ର କୋଭିଡ଼ ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନ ଅକାମୀ ହୋଇଯାଇଛି। ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବା ସତ୍ତ୍ବେ ଏଗୁଡ଼ିକ ଏବେ ଚିକିତ୍ସା ପାଇଁ କେତେ ଉପଯୋଗୀ ହୋଇପାରିବ, ତାହା ଦେଖିବା କଥା। କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ପୂର୍ବାପେକ୍ଷା ଅଧିକ ମାରାତ୍ମକ ବୋଲି କେତେକ ଗବେଷକ କହୁଥିବାରୁ ଏ ନେଇ ଅଧିକ ସତର୍କତା ଅବଲମ୍ବନର ଆବଶ୍ୟକତା ରହିଛି। ସେହି ଦୃଷ୍ଟିରୁ ରାଜ୍ୟ ସରକାର କୋଭିଡ଼ ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ କରିବା ନେଇ ଲୋକଙ୍କୁ ସଚେତନ କରିବାକୁ ଓ ଅମାନିଆଙ୍କୁ ଦଣ୍ଡିତ କରିବା ନିମନ୍ତେ ଯେଉଁ ପଦକ୍ଷେପମାନ ଘୋଷଣା କରିଛନ୍ତି ଏବଂ ଦଶଦିନିଆ ସ୍ବତନ୍ତ୍ର ଅଭିଯାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାହା ସ୍ବାଗତଯୋଗ୍ୟ। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ବର୍ତ୍ତମାନ ମଧ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ, ଦୋକାନବଜାର, ସପିଙ୍ଗ୍‌ ମଲ୍‌, ମନ୍ଦିର, ଘରୋଇ ଉତ୍ସବ ଆଦିରେ ଲୋକେ କୋଭିଡ଼ ନିୟମାବଳୀ ଆଦୌ ପାଳନ କରୁନଥିବା ଦେଖିବାକୁ ମିଳୁଛି। ଦେଶର ଯେଉଁସବୁ ସ୍ଥାନରେ ନିର୍ବାଚନ ହେଉଛି, ସେଠାରେ ନିର୍ବାଚନ ପ୍ରଚାର କରୁଥିବା ପ୍ରମୁଖ ରାଜନେତାମାନେ ହିଁ କୋଭିଡ଼ ନିୟମାବଳୀ ଉଲ୍ଲଙ୍ଘନ କରୁଛନ୍ତି। ଏହାକୁ ସରକାର ଓ ପ୍ରଶାସନ ଆଦୌ ପ୍ରଶ୍ରୟ ଦେବା ଅନୁଚିତ। ସମସ୍ତଙ୍କ ପାଇଁ ନୀତିନିୟମ ସମାନ ଭାବେ ଲାଗୁ ହେବା ଦରକାର। ନିୟମକାନୁନକୁ ଏବେ ପୂର୍ବାପେକ୍ଷା ମଧ୍ୟ ଅଧିକ ଗୁରୁତ୍ବର ସହ ପାଳନ କରିବା ଏଇଥିପାଇଁ ଆବଶ୍ୟକ ଯେ ଏଥର କେବଳ ବୟସ୍କମାନଙ୍କୁ ନୁହେଁ; ନୂଆ ଷ୍ଟ୍ରେନ ଶିଶୁ, କିଶୋର, ଯୁବବର୍ଗ, ଏପରିକି ଗର୍ଭବତୀଙ୍କୁ ମଧ୍ୟ ଆକ୍ରାନ୍ତ କରୁଥିବା ବିଶେଷଜ୍ଞ ଡାକ୍ତର କହୁଛନ୍ତି। ଏହାର ସଂକ୍ରମଣ ବ୍ୟାପିବାର ବେଗ ବି ଅଧିକ। ଅତଏବ ସମସ୍ତେ କରୋନା ମାର୍ଗଦର୍ଶିକା ଠିକ୍‌ରୂପେ ପାଳନ କରିବା ସହ ମାସ୍କ୍‌ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ଶାରୀରିକ ଦୂରତା ଅବଲମ୍ବନ କରିବା ଜରୁରୀ।

କରୋନା ମହାମାରୀକୁ ରୋକିବାକୁ ଟିକା ଏକ ବଡ଼ ଅସ୍ତ୍ର ବୋଲି କୁହାଯାଉଥିଲେ ହେଁ ଭାରତରେ ବର୍ତ୍ତମାନ ସୁଦ୍ଧା ଯେପରି ଟିକାକରଣ କାର୍ଯ୍ୟକ୍ରମ ଚାଲିଛି, ତାହା ଉତ୍ସାହଜନକ ନୁହେଁ। ଅବଶ୍ୟ ଗତ କିଛିଦିନ ହେଲା ଦୈନିକ ଟିକାଦାନ ସଂଖ୍ୟା ବଢ଼ିଛି; କିନ୍ତୁ ଜନସଂଖ୍ୟା ଅନୁପାତରେ ତାହା ନ୍ୟୂନ। ସମ୍ଭବତଃ ଏହା ଅନୁଭବ କରି ଏପ୍ରିଲ ୧୧ରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ୧୦୦ ଜଣ ବ୍ୟକ୍ତି ଯଦି ରହିଥିବେ, ତେବେ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ଷେତ୍ରରେ ଟିକାକରଣ ବ୍ୟବସ୍ଥା କରିହେବ ବୋଲି ବୁଧବାର କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଟିକା ଅଭାବ ଏକ ବଡ଼ ସମସ୍ୟା ହେଲାଣି। ରାଜ୍ୟଗୁଡ଼ିକ ଯେତେ ଟିକା ଚାହୁଁଛନ୍ତି, ସେତିକି ସେମାନଙ୍କୁ ମିଳୁନାହିଁ। ଓଡ଼ିଶା, ମହାରାଷ୍ଟ୍ର ଆଦି ରାଜ୍ୟ କେନ୍ଦ୍ର ସରକାରଙ୍କୁ ଏ ନେଇ ପତ୍ର ଲେଖିଛନ୍ତି। ଗଞ୍ଜାମ ସମେତ କେତେକ ଜିଲାରେ କରୋନା ଟିକାର ଘୋର ଅଭାବ ରହିଥିବା ଖବର ମିଳିଛି। ମଙ୍ଗଳବାର ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ୧୫ରୁ ୨୦ ଲକ୍ଷ ଟିକା ପଠାଇବାକୁ ଅନୁରୋଧ କରାଯାଇଛି। କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ନେବା ଆବଶ୍ୟକ। ଅପରପକ୍ଷେ, ରାଜ୍ୟ ସରକାର କୋଭିଡ଼ ଡାକ୍ତରଖାନାଗୁଡ଼ିକୁ ପୂର୍ବପରି ପୁନଃସକ୍ରିୟ କରିବା ଆବଶ୍ୟକ। ଅନ୍ୟ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ଅଧିକ ହେଲେ ଲକ୍‌ଡାଉନ୍ ସଟ୍‌ଡାଉନ୍ ଭୟରେ ପ୍ରବାସୀ ଶ୍ରମଜୀବୀମାନେ ପୁଣି ଓଡ଼ିଶା ଫେରିପାରନ୍ତି। ସେଥିପାଇଁ ମଧ୍ୟ ଆଗରୁ ଯୋଜନା କରାଯାଉ।

Comments are closed.