ବେକାରୀ ବୃଦ୍ଧି ଚିନ୍ତାଜନକ

ସରକାର ନିୟନ୍ତ୍ରଣ ନ କଲେ ଅବସ୍ଥା ଅସମ୍ଭାଳ ହେବ

କରୋନା ଜର୍ଜରିତ ଆର୍ଥିକ ବର୍ଷ ୨୦୨୦-୨୧ ଇତିମଧ୍ୟରେ ଶେଷ ହୋଇଛି। ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ ୨୦୨୧-୨୨। ବର୍ଷ ଆରମ୍ଭରୁ ଦେଶରେ ବେରୋଜଗାର ପରି ଚିନ୍ତାଜନକ ସମସ୍ୟା ଦେଖାଦେଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶରେ ବେରୋଜଗାର ହାର ୬.୫୨ ପ୍ରତିଶତ ଥିଲା; ଅର୍ଥାତ୍‌ ପ୍ରତି ୧୦ ହଜାରରେ ୬୫୨ ଜଣ ବେରୋଜଗାର ଥିଲେ। ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକନମି’ (ସିଏମ୍‌ଆଇଇ) ଦ୍ବାରା ଜାରି କରାଯାଇଥିବା ସୂଚନାନୁଯାୟୀ ଗତ ଫେବୃଆରୀ ମାସରେ ଦେଶରେ ବେରୋଜଗାର ହାର ୬.୯୦ ପ୍ରତିଶତ, ଅର୍ଥାତ୍‌ ୧୦ ହଜାରରେ ୬୯୦ ଥିଲା। ତେବେ ସହରାଞ୍ଚଳରେ ବେ‌େ‌ରାଜଗାର ବୃଦ୍ଧି ପାଇବା ପରି ଚିନ୍ତାଜନକ ସମସ୍ୟା ଦେଖା ଦେଇଛି। ଫେବୃଆରୀରେ ସହରାଞ୍ଚଳ ବେରୋଜଗାର ପ୍ରତି ୧୦ ହଜାରରେ ୬୯୯ ଥିବାବେଳେ ମାର୍ଚ୍ଚରେ ଏହା ବୃଦ୍ଧି ପାଇ ୭୨୪ରେ ପହଞ୍ଚି ଥିଲା। ସେହିପରି ଗତ ବର୍ଷ ଡିସେମ୍ବରରେ ୮.୮୪ ଓ ଚଳିତ ବର୍ଷ ଜାନୁୁଆରୀରେ ବେରୋଜଗାର ହାର ୮.୦୮ ପ୍ରତିଶତ ଥିଲା। ସିଏମଆଇଇର ରିପୋର୍ଟ ଅନୁଯାୟୀ ମାର୍ଚ୍ଚରେ ଗ୍ରାମାଞ୍ଚଳରେ ବେରୋଜଗାର ହାର ହ୍ରାସ ପାଇ ୬.୧୯ ପ୍ରତିଶତ ଥିଲା, ଅର୍ଥାତ୍‌ ପ୍ରତି ୧୦ ହଜାରରେ ୬୧୯ ଜଣ ବେ‌େ​‌ରାଜଗାର ଥିଲେ। ଗତ ଫେବୃଆରୀରେ ଏହି ହାର ୬.୮୬ ପ୍ରତିଶତ ଥିଲା। ଦେଶର କେତୋଟି ସହରରେ ଏପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିଥିବାରୁ ବେରୋଜଗାର ସଂଖ୍ୟା ବୃଦ୍ଧି ପାଉଥିବା ସିଏମଆଇଇ କହିଛି। ସାମ୍ପ୍ରତିକ ପରିସ୍ଥିତିରେ ମନ ଇଚ୍ଛା ଲକ୍‌ଡାଉନ ଜାରି କରିବା ଅପେକ୍ଷା ବ୍ୟାପକ ଟିକାକରଣ ସହ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବା ଅଧିକ ଆବଶ୍ୟକ ବୋଲି ସିଏମଆଇଇ ମତ ଦେଇଛି।

ଏପ୍ରିଲ ପହିଲାରେ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ପାର ହୋଇଥିଲା। ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୪୩ ହଜାର ମାମଲା ରେକର୍ଡ କରାଯାଇଥିଲା। ଲକ୍‌ଡାଉନ ଯୋଗୁଁ ଗରିବ ଲୋକ ଓ ଦିନ ମଜୁରିଆ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଫଳରେ ବେ​ରୋଜଗାର ବୃଦ୍ଧି ପାଉଛି। ଗତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଏହି ଅବଧି ମଧ୍ୟରେ ବେ​ରୋଜଗାର ହାର ୨୩.୫୨ ପ୍ରତିଶତ, ଅର୍ଥାତ୍‌ ପ୍ରତି ୧୦ ହଜାରରେ ୨,୩୫୨ ଜଣ ବେ​ରୋଜଗାର ଥିଲେ। ମେ’ରେ ବ୍ୟବସ୍ଥାରେ ଉନ୍ନତି ଘଟିଥିଲା। ଏହି ମାସରେ ବେରୋଜଗାର ହାର ହ୍ରାସ ପାଇ ୨୧.୭୩ ପ୍ରତିଶତରେ ପହଞ୍ଚି ଥିଲା। ଅଟୋମେସନ (ମେସିନ ଦ୍ବାରା କାମ କରିବା) ଯୋଗୁଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନାହିଁ।

କରୋନା ମହାମାରୀ ସମୟରେ ଭାରତ ସମେତ ବିଶ୍ବର ଲକ୍ଷାଧିକ ଖ୍ୟାତନାମା କମ୍ପାନୀ ବନ୍ଦ ପଡ଼ିଛି। ଏସବୁ କେବେ ପୁଣି ଖୋଲିବ ତା’ ଧାର୍ଯ୍ୟ ହୋଇ ନାହିଁ। ଇତିମଧ୍ୟରେ ‘ୱର୍ଲ୍ଡ ଇକୋନୋମିକ ଫୋରମ’ (ଡବ୍ଲ୍ୟୁଇଏଫ) ବିଶ୍ବର ଅର୍ଥନୀତିକୁ ନେଇ ପ୍ରତିକୂଳ ରିପୋର୍ଟ ଦେଇଛି। ଆଗାମୀ ୪ ବର୍ଷ, ଅର୍ଥାତ୍‌ ୨୦୨୫ ସୁଦ୍ଧା ବିଶ୍ବର ପ୍ରତି ୧୦ ଜଣ ଚାକିରିଆଙ୍କ ମଧ୍ୟରେ ୬ ଜଣ ନିଯୁକ୍ତି ହରାଇ ପାରନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି। କରୋନା ପୂର୍ବରୁ ମେସିନରେ କାମ ଯୋଗୁଁ ଅଧିକାଂଶ ଲୋକ ଚାକିରି ହରାଇଥିଲେ। କରୋନା କାଳରେ ଦିନ ମଜୁରିଆ କିପରି ଦୈନିକ ନିଜ ପରିବାରର ପ୍ରତିପୋଷଣ କରିପାରିବେ ସେ ନେଇ ସରକାର ଉଦ୍ୟମ କରିଥିଲେ। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜବକାର୍ଡଧାରୀଙ୍କୁ କାମ ଯୋଗାଇ ଦିଆଯାଇଥିଲା। ପଞ୍ଚାୟତର ସରପଞ୍ଚଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହେଉଥିଲା। ତେବେ କାର୍ଯ୍ୟ ତୁରନ୍ତ ଶେଷ କରି ବିଲ୍‌ ଉଠାଇବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଜେସିବି ଲଗାଯାଇ କାର୍ଯ୍ୟ ସମ୍ପାଦିତ କରାଯାଇଥିଲା। ଫଳରେ ଶ୍ରମିକମାନେ କାର୍ଯ୍ୟ ହରାଇଥିଲେ। ଏହା ଦ୍ବାରା କେବଳ ସମ୍ପୃକ୍ତ କାର୍ଯ୍ୟର ଠିକାଦାର ତୁରନ୍ତ କାମ ସାରି ଅର୍ଥ ଉଠାଇ ଲାଭ ପାଉଥିଲା। ହେଲେ ଜବକାର୍ଡଧାରୀ ଜଣକ କାମ ନ ପାଇ ବେ‌େରାଜଗାର ହୋଇଥିଲା। କେବଳ ଜେସିବି ପରି ମେସିନ୍‌ ଯୋଗୁଁ ଦିନ ମଜୁରିଆ କାମ ପାଇପାରୁ ନାହାନ୍ତି।

ସାମଗ୍ରିକ ସ୍ତରରେ ହିସାବ କଲେ ବିଭିନ୍ନ କଳକାରଖାନାରେ କମ୍ପ୍ୟୁଟରଠାରୁ ଆରମ୍ଭ କରି ଅତ୍ୟାଧୁନିକ ମେସିନ ସରଞ୍ଜାମ ଲାଗିଛି। ଶହେ କର୍ମଚାରୀ ଦିନକରେ ଯେଉଁ କାମ କରିବେ, ମାତ୍ର କେତେ ଘଣ୍ଟାରେ ଏକ ମେସିନ ସେହି କାର୍ଯ୍ୟ ତୁରନ୍ତ ସମ୍ପାଦନ କରି ଦେଉଛି। ତେଣୁ ବିଭିନ୍ନ କଳକାରଖାନାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବଦଳରେ ହ୍ରାସ ପାଇବାରେ ଲାଗିଛି। ଆସନ୍ତା ବର୍ଷେ/ଦୁଇ ବର୍ଷ ମଧ୍ୟରେ ସେମାନେ ଚାକିରି ହରାଇ ପାରନ୍ତି ବୋଲି ୪୦ ପ୍ରତିଶତ କର୍ମଚାରୀ ଆଶଙ୍କା କରିଥିବା ‘ଡବ୍ଲ୍ୟୁଇଏଫ’ ଦ୍ବାରା କରାଯାଇଥିବା ସର୍ଭେରେ କୁହାଯାଇଛି। ସେମାନଙ୍କ ନିଯୁୁକ୍ତିର ସୁରକ୍ଷା ପାଇଁ ୬୦ ପ୍ରତିଶତ କର୍ମଚାରୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ଯେତେ ନୂଆ ଜ୍ଞାନ କୌଶଳ ଆବିଷ୍କାର ହେଲେ ହେଁ ସବୁରି ପରିସ୍ଥିତିରେ ସେମାନେ କାମ କରିପାରିବେ ବୋଲି ୮୦ ପ୍ରତିଶତ କର୍ମଚାରୀ ମତ ଦେଇଛନ୍ତି। ଉପଯୁକ୍ତ ଶିକ୍ଷା ଲାଭ ପରେ ଏମାନେ ନିଯୁକ୍ତି ପାଇଥିଲେ ହେଁ ଆସନ୍ତା ବର୍ଷେ/ଦୁଇ ବର୍ଷ ମଧ୍ୟରେ ଏମାନେ ଚାକିରି ହରାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ବେ‌କାରୀକୁ ନେଇ ଡବ୍ଲ୍ୟୁଇଏଫ ପ୍ରସ୍ତୁତ କରିଥିବା ଏହି ରିପୋର୍ଟ ଚିନ୍ତାଜନକ ନିଶ୍ଚିତ। ମେସିନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରୟୋଗ ଯୋଗୁଁ ସମଗ୍ର ବିଶ୍ବରେ ଗତବର୍ଷ ପ୍ରାୟ ସାଢେ ୮ କୋଟି କର୍ମଜୀବୀ ନିଯୁକ୍ତି ହରାଇବେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଭବିଷ୍ୟତରେ ଯଦି ଏପରି ଅବସ୍ଥା ସୃଷ୍ଟି ହୁଏ ଦେଶର ଭିତ୍ତିଭୂମି ଦୋହଲିଯିବ। ଏ ଦିଗରେ ସରକାର ଏବେଠାରୁ ଯତ୍ନବାନ ହେବା ଜରୁରୀ ହୋଇ ପଡ଼ିଛି।

Comments are closed.