ବନବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ

0

ଅଭିରାମ ବିଶ୍ବାଳ

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କୀତ ଓଡ଼ିଶା ସରକାରଙ୍କ .ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକର ନିଷ୍ପତ୍ତିଟି ଯେତିିକି ମହତ୍ତ୍ବପୂର୍ଣ୍ଣ ସେତିକି ସ୍ବାଗତଯୋଗ୍ୟ। ସେଇ ସତ୍ୟବାଦୀ ଦିନେ ବନବିଦ୍ୟାଳୟ ପାଇଁ ଚାରିଆଡ଼େ ବେଶ ଖ୍ୟାତି ଅର୍ଜନ କରିଥିଲା। ୧୯୦୯ ମସିହାର କଥା। ଏମିତିଆ ଏକ ଅଗଷ୍ଟ ମାସ। ତାରିଖ ଥିଲା ୧୨। ସେ ଦିନ ପୁଣି କୁମାରପୂର୍ଣ୍ଣିମା। ଆରମ୍ଭ ହେଲା ସତ୍ୟବାଦୀ ମାଇନର୍‌ ସ୍କୁଲ। ଚାଳଘରଟିରୁ ୧୯ ଜଣ ଛାତ୍ରଙ୍କୁ ନେଇ । ସେ ଅଭିନବ ପରିକଳ୍ପନା ଓ ଅଧିକ୍ରମଟିର ଜନକ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଦାସେ ଆପଣେ। ସ୍ଥାନ ନିରୂପଣ ବେଳେ ନୀଳଗିରି, ମୟୂରଭଂଜ, ସମ୍ବଲପୁର, ପୁରୀ ଓ ଗଞ୍ଜାମ କଥା ମଧ୍ୟ ପଡ଼ିଥିଲା; କିନ୍ତୁ ଭକ୍ତକବି ଓ ଶିକ୍ଷା ଉପପରିଦର୍ଶକ ମଧୁ ରାଓ କହିଥିଲେ- ସତ୍ୟବାଦୀର ବଉଳ ଛୁରିଅାନା ବଣ ଜାଗା ଭାବେ ସବୁଠୁଁ ବଢ଼ିଆ। ଗୋପବନ୍ଧୁ ପ୍ରମୁଖ ଚାହିଁଥିଲେ ସେଠି ଏମିତି ସେମିତି ଇସ୍କୁଲ ନୁହେଁ, ବରଂ ମଣିଷଗଢ଼ା କାରଖାନା। ୧୯୧୩ ମସିହା ଖରାଦିନେ ସତ୍ୟବାଦୀ ଆସିଥିବାବେଳେ ଉତ୍କଳ ଗୌରବ ମଧୁସୂଦନ ଦାସ କହିଥିଲେ- ଏ ବିଦ୍ୟାଳୟ ଧନରେ ଗଢ଼ା ହୋଇନାହିଁ; ରକ୍ତ, ମାଂସ ଓ ମସ୍ତିଷ୍କରେ ଗଢ଼ା ହୋଇଛି। ଏହାର ପିଲାମାନେ ଜୀବନ୍ତ ବୋମା ସମାନ। ପୁଣି ମନଖୋଲି ପ୍ରକାଶ କରିଥିଲେ- ଗୋପବନ୍ଧୁ, ଏଠି ନାଳନ୍ଦାଟେ ଠିଆ କରିଦେଲ। ହେଲେ ମହାନୁଭବ ଗୋପବନ୍ଧୁ ସାଙ୍ଗେସାଙ୍ଗେ ସୂଚେଇଥିଲେ- ମୁଁ ନୁହେଁ, ନୀଳକଣ୍ଠ। ଏକଥା ନୀଳକଣ୍ଠ ଦାସ ନିଜେ ଲେଖିଛନ୍ତି।
ଉତ୍କଳମଣିଙ୍କ ହୃଦୟଚୁମ୍ବକର ଅସାଧାରଣ ଆକର୍ଷଣ ବଳରେ ସତ୍ୟବାଦୀରେ ଆସି ଶିକ୍ଷକ ଭାବେ ଯୋଗଦେଲେ ନୀଳକଣ୍ଠ, ହରିହର ଦାସ, ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ର। ଏକକୁ ଆରେକ ବଳି। ମିଶିକି ସମ୍ଭବ କରାଇଲେ ‘ପଞ୍ଚସଖା’ ଅବଧାରଣା, ଯାହାକୁ ଅତ୍ୟାଧୁନିକ ପରିଭାଷାରେ ‘ପ୍ଲୁରାଲ୍‌ ଏକ୍‌ଜିକ୍ୟୁଟିଭ’ (ସାମୟିକ କାର୍ଯ୍ୟପାଳିକା) ବା ‘କଲେଜିଅମ୍‌’ (ଚିନ୍ତାଶୀଳ ଓ କର୍ମପ୍ରବଣ ମଣ୍ଡଳୀ) କୁହାଯାଇପାରେ। ଫକିର ମୋହନ ସେନାପତିଙ୍କ ଭାଷାରେ ‘ସମଚେତ ସମବେତ’। ୧୯୧୬ ମସିହାରେ ଏକ ଶନିବାରିଆ ସଭାକୁ ସତ୍ୟବାଦୀ ଆସିଥିବା ଫକିରମୋହନ ସେଠି ଶ୍ଳୋକାନ୍ତ ପ୍ରତିଯୋଗିତାର ବିଚାରକ ହୋଇଥିଲେ।
ବନବିଦ୍ୟାଳୟରେ ପାଠପଢ଼ା ହେଉଥିଲା, ଶାଠ ଶିଖାଯାଉଥିଲା। ତାହା ଥିଲା ଜୀବନ ବିଦ୍ୟାଳୟ। ବିବିଧ ବିଶ୍ବ ବା ମଲ୍ଟିଭରସିଟି। ବଗିଚା କାମ, ବହି ବନ୍ଧେଇ, ବାଡ଼ ବସେଇବା, ବ୍ୟାୟାମ, ସମାଜ ସେବା, ବୁଣାବୁଣି, ବଢ଼େଇକାମ, ଡୁଡୁ, ଶ୍ଳୋକାନ୍ତ, ବକ୍ତୃତା ଓ ପରିଭ୍ରମଣ ଆଦି କିଛି ବି ବାଦ୍‌ ପଡ଼ୁନଥିଲା। ସ୍କୁଲ ତରଫରୁ ଛାତ୍ର ଓ ଶିକ୍ଷକ ନବକଳେବର, ବାର୍ଷିକ ରଥଯାତ୍ରା ଓ ହଇଜାବେଳେ ସ୍ବେଚ୍ଛାସେବୀ ଭାବେ ପହଞ୍ଚିଯାଉଥିଲେ। କୋଣାର୍କ ପରିଭ୍ରମଣ ଯୋଗୁଁ ସମ୍ଭବ ହୋଇଥିଲା ନୀଳକଣ୍ଠଙ୍କ ‘କୋଣାର୍କେ’ ଏବଂ ‘ରାମଚଣ୍ଡୀରେ ସନ୍ଧ୍ୟା’ ଓ ‘ରାମଚଣ୍ଡୀରେ ସକାଳ’ ଭଳି ସୃଷ୍ଟି । ଲା-ଆଲେଗ୍ରା କ୍ଲବ୍‌ଟିଏ ଆରମ୍ଭ କରାଯାଇଥିଲା। ସ୍କୁଲର ପତ୍ରିକାଟିର ନାଁ ଥିଲା ‘ବାଣୀ’। ଆଉ ହାତଲେଖା ଶ୍ରେଣୀ ପତ୍ରିକାର ନାଁ ରଖାଯାଇଥିଲା ବନବାଣୀ, ଶିଶୁବାଣୀ ଓ ନବବାଣୀ। ‘ବାଣୀ’ର ମାନ ଏଭଳି ଥିଲା ଯେ ଗୋପବନ୍ଧୁଙ୍କ ‘ସତ୍ୟବାଦୀ’ ପତ୍ରିକା ସେ ପ୍ରୟାସର ପ୍ରଶଂସା କରିଥିଲା। ବନବିଦ୍ୟାଳୟ ଛଡ଼ା ସତ୍ୟବାଦୀ/ ସ୍ଥାନ ସହ ସତ୍ୟବାଦୀ ପ୍ରେସ, ସତ୍ୟବାଦୀ ପତ୍ରିକା ଓ ଆସନ୍ତା ବର୍ଷ ଶହେବର୍ଷ ପୂରଣ କରିବାକୁ ଯାଉଥିବା ‘ସମାଜ’ର ନିବିଡ଼ ସମ୍ପର୍କ ସମସ୍ତଙ୍କୁ ଜଣା। ସତ୍ୟବାଦୀ ଅତିକମ୍‌ରେ ଏ ଚାରିଟି ଅନୁଷ୍ଠାନର ପ୍ରାରମ୍ଭିକ ପ୍ରାଣ ଠିକଣା।
ଏକ ଖୋଲା, ମୁକ୍ତ ବିଦ୍ୟାଳୟ ଭାବେ ବନବିଦ୍ୟାଳୟ ଥିଲା ସାରା ଭାରତବର୍ଷରେ ଏକ ଅଗ୍ରଦୂତ ଉଦ୍ୟମ। ୧୯୨୧ ମସିହା ମାର୍ଚ୍ଚ ୨୬ରେ ସେଠିକି ଆସିଥିବା ମହାତ୍ମା ଗାନ୍ଧୀ ମଧ୍ୟ ପରେ ‘ୟଙ୍ଗ ଇଣ୍ଡିଆରେ ସେହିବର୍ଷ ଏପ୍ରିଲ ୧୩ରେ ଉଲ୍ଲେଖ କରିଥିଲେ- ‘ବନବିଦ୍ୟାଳୟ ମୁକ୍ତ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଦୃଢ଼, ନିଷ୍ଠାପର ଓ ଆନ୍ତରିକ ଉଦାହରଣ। ମୋର ସେଠି ବଉଳ ଗଛ ମୂଳେ ଦିନଟିଏ, ଛାତ୍ର ଓ ଶିକ୍ଷକଙ୍କ ଗହଣରେ ଆହ୍ଲାଦରେ କଟିଛି।’ କଲିକତା ବିଶ୍ବବିଦ୍ୟାଳୟର କୁଳପତି ସାର୍‌ ଆଶୁତୋଷ ମୁଖାର୍ଜୀ ବନବିଦ୍ୟାଳୟ ଦ୍ବାରା ଏଭଳି ପ୍ରଭାବିତ ହୋଇଯାଇଥିଲେ ଯେ ସିଏ ଚାହିଁଥିଲେ ବଙ୍ଗଳାର ପ୍ରତି ଗାଁରେ ବନବିଦ୍ୟାଳୟ ଖୋଲୁବୋଲି। ପଞ୍ଚସଖା ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ଆଚାର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ। ଏ ପାଞ୍ଚଜଣ ପାଞ୍ଚଗୋଟି ପ୍ରମୁଖ ଗୁଣର ପ୍ରତିନିଧିତ୍ବ କରୁଥିଲେ ଯଦିଓ ପ୍ରତ୍ୟେକ ଥିଲେ ବହୁ ଆୟାମୀ। ସେବା, ପାଣ୍ଡିତ୍ୟ, କବିତ୍ବ, କରୁଣା ଓ ଦର୍ଶନର ମହାମେଣ୍ଟ ପଞ୍ଚସଖା ନାମକ ସାମୂହିକ ଚେତନା ଓ ଅସ୍ମିତାରେ ରୂପାନ୍ତରିତ ହେଲା। ଏ ପାଞ୍ଚଜଣ ଶିକ୍ଷକଥିଲେ ସେବେକାର ଓଡ଼ିଶାର ବିବେକ, ହୃଦୟ ଓ ମସ୍ତିଷ୍କ। ଶିକ୍ଷା, ସାହିତ୍ୟ, ସେବା, ସଂସ୍କୃତି, ଦର୍ଶନ ଓ ଇତିହାସ ଚର୍ଚ୍ଚା, ଭାଷାତତ୍ତ୍ବ ବିମର୍ଶ ଏବଂ ରାଜନୀତି- ସବୁ ଲୋକକ୍ଷେତ୍ରରେ ସେମାନଙ୍କ ଛାପ। ଏବେ ଅନେକଅନେକ ବର୍ଷପରେ ଭାରତସାରା ଯେଉଁ ମୁକ୍ତ ଶିକ୍ଷାନୁଷ୍ଠାନ ନୂଅାନୂଆ ଅବତାରରେ ଅବତୀର୍ଣ୍ଣ ହୋଇ ଆଦୃତ ହେଉଛନ୍ତି ତା’ର ଭିତ୍ତି ପଡ଼ିଥିଲା ବନବିଦ୍ୟାଳୟରେ। ଓଡ଼ିଶାରେ ଇଂରାଜୀ ବ୍ୟାକରଣର ମୂଳଦୁଆ ଟାଣ କରିଥିବା ଅନ୍ୟତମ ପ୍ରମୁଖ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି, ସିଏ ହେଲେ ଅତି ସାଧାସିଧା ସତ୍ୟବାଦୀ ଶିକ୍ଷକ ଆଚାର୍ଯ୍ୟ ହରିହର ଯିଏ ଲେଖିଥିଲେ ‘ଚାଇଲଡସ୍‌ ଇଜି ଫାଷ୍ଟ ଗ୍ରାମାର’ ଏବଂ ସବୁବେଳେ କହୁଥିଲେ ‘ଭଲ ମଣିଷ ହୁଅ’। ନୀଳକଣ୍ଠ ଓ କୃପାସିନ୍ଧୁ ଦର୍ଶନରେ ସ୍ନାତକୋତ୍ତର ଥିଲେ। ଗୋଦାବରୀଶ ଥିଲେ ଅର୍ଥନୀତିରେ ସ୍ନାତକୋତ୍ତର। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି ନୀଳକଣ୍ଠ ଏକଦା ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଦିଗରେ ଗୋଦାବରୀଶଙ୍କ ପ୍ରମୁଖ ଭୂମିକା ଥିଲା। ଏ ଦୁହେଁ ଥିଲେ ବିଖ୍ୟାତ ଲେଖକ ଓ ରାଜନେତା। ଗୋପବନ୍ଧୁଙ୍କ ନେତୃତ୍ବର ଯାଦୁ ଅନ୍ୟ ଚାରିଜଣଙ୍କୁ ଅନେକ ଆଗକୁ ନେଇଯାଇଥିଲା। ସେତେବେଳେ ସୁଲଭ ହଷ୍ଟେଲ, ମେସ୍‌ ଗଣତାନ୍ତ୍ରିକ ଉପାୟରେ ପିଲାମାନେ ପରିଚାଳନା କରୁଥିଲେ।
ଅପେକ୍ଷାକୃତ ଅଳ୍ପାଲୋଚିତ, କିନ୍ତୁ ଅତି ପ୍ରଭାବଶାଳୀ ସେବେକାର ସତ୍ୟବାଦୀର ଦୁଇଶିକ୍ଷକ ହେଉଛନ୍ତି କଲିକତାରୁ ଆସିଥିବା ଡ୍ରଇଁ ଶିକ୍ଷକ ଧନେଶ୍ବର ମହାରଣା ଓ ମାନ୍ଦ୍ରାଜର ଡିଗ୍ରୀଧାରୀ ବିଜ୍ଞାନଶିକ୍ଷକ ବେନୁ ଆଚାରୀ। ମହାରଣା ସ୍କୁଲ​‌େ​‌ର ଡ୍ରଇଁ ପଢ଼ଉଥିଲେ। ପୁଣି ଥିଲେ ବୈଷୟିକ ଶିକ୍ଷା ଶ୍ରେଣୀରେ କାଠକାମର ନିର୍ଦେଶକ। ସିଏ ତିଆରି କରିଥିବା ମଗର, କୁକୁର ଓ ହାତୀମୁହଁା ବାଡ଼ି ଏକଦା ଯଷ୍ଟିପ୍ରେମୀଙ୍କର ଥିଲା ଅତି ପ୍ରିୟ। ଆଚାରୀଙ୍କ ମୂଳ ନାଁ ଥିଲା ଶଙ୍କରନ୍‌ ଆୟାର୍‌। ବୈଷ୍ଣବ ହେବାରୁ ନାଁ ବଦଳିଗଲା। ବିଜ୍ଞାନ ପଢ଼ାଇବାକୁ ଆସିଥିବା ଆଚାରୀ ପରେ ଚମତ୍କାର ଢ଼ଙ୍ଗରେ ଭୂଗୋଳ ପଢ଼ାଇଲେ। ଏହି ଦୁଇ କୃତବିଦ୍ୟ ଶିକ୍ଷକ ଥିଲେ ଗୋପବନ୍ଧୁଙ୍କ ଆବିଷ୍କାର।
ଯେଉଁମାନେ ଶିକ୍ଷାଦାନରେ ଅବହେଳା କରନ୍ତି କିମ୍ବା ଭୁଲ ବାଟରେ ପଢ଼ାନ୍ତି ସେମାନଙ୍କ ପ୍ରତି ନୀଳକଣ୍ଠ କଡ଼ା ମନୋଭାବ ପୋଷଣ କରନ୍ତି ବୋଲି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି। ଥରେ ଜଣେ ନୂଆ ଶିକ୍ଷକ, ନବମ ଶ୍ରେଣୀରେ ଇଂ‌େ‌ରଜୀରେ ବ୍ୟାକରଣ ପଢ଼ାଉଥାନ୍ତି। କବାଟ ସେପଟେ ନଜଣେଇ ଠିଆ ହୋଇଥାନ୍ତି ନୀଳକଣ୍ଠ। ଶିକ୍ଷକ କହୁଥିବାର ଶୁଣିଲେ- ଯେଉଁ ଇଂରାଜୀ ଶବ୍ଦ ଏଲ.ୱାଇରେ ସରେ ତାହା ‘ଆଡ଼ଭର୍ବ’ ବା କ୍ରିୟାବିଶେଷଣ। ଜଣେ ବିଚକ୍ଷଣ ଛାତ୍ର ଠିଆହୋଇ ପଚାରିଲେ- ତେବେ ସିସିଲି ଓ ଇଟାଲୀ ବି ଆଡ଼ଭର୍ବ ଏ ଦୁଇଟି ମଧ୍ୟ ଏଲୱାଇରେ ସରୁଛି। ଶିକ୍ଷକ ଚୁପ୍‌। ସେମିତି ଗୋଦାବରୀଶ ତାଙ୍କ ଆତ୍ମଜୀବନୀରେ ବନବିଦ୍ୟାଳୟ ବାବଦରେ ଲେଖିଥିଲେ: ‘ଜୀବନ୍ତ ଗଛଲତା ମେଳରେ ପିଲାମାନଙ୍କ ଜୀବନ ଜଡ଼ଜଗତ ପ୍ରତି ସହାନୁଭୂତିରେ ଗଢ଼ା ହେବାକୁ ଲାଗିଲା। ଇଟା ଚୂନ କାନ୍ଥ ଅପେକ୍ଷା ଶ୍ୟାମଳ ପତ୍ରର ବେଷ୍ଟନୀ ପ୍ରାଣକୁ ଯେ ଶୀତଳ କରେ ତାହା ଅନୁଭବ କରିିଛି। ପଢ଼ିଲାବେଳେ ପିଲାଙ୍କ ମୁଣ୍ଡରେ ଉପରୁ ଗୋଟିଗୋଟି ହୋଇ ବଉଳଫୁଲ ଝଡ଼ିପଡ଼ୁଥାଏ। ଗଛ ଡାଳରେ ବସି କୋଇଲି ରାବୁଥାଏ। ନିର୍ମଳ-ସ୍ବଚ୍ଛ-ସୁଗନ୍ଧ-ମଳୟ ପତ୍ର ଫୁଲ ସବୁକୁ ସ୍ପର୍ଶକରି ସନ୍‌ସନ୍‌ ସ୍ବରରେ ବହୁଥାଏ। ’ ୧୯୧୨ ମସିହାରେ କେହି ପରଶ୍ରୀକାତର ଋଢ଼ିବାଦୀ ସେଇ ବିଦ୍ୟାଳୟରେ ନିଆଁ ଲଗେଇ ଦେଇଥିଲେ। ଘର ପୋଡ଼ିଯାଏ; ଆଦର୍ଶ ଓ ସ୍ବପ୍ନ ନୁହେଁ। ବିଦ୍ୟାଳୟସହ ସଂପୃକ୍ତ କେହି ପଛେଇ ନଥିଲେ। ୧୯୨୧ରେ ତାହା ଜାତୀୟ ବିଦ୍ୟାଳୟ ହୋଇଥିଲା। ପରେ ଅବଶ୍ୟ ପାଣ୍ଠି ଅଭାବ ଓ ଅନ୍ୟାନ୍ୟ କାରଣରୁ ବନବିଦ୍ୟାଳୟ ବନ୍ଦ ହୋଇଯାଇଥିଲା। ସେଠୁ ବାହାରି ପରେ ଅତି ଜଣାଶୁଣା ହୋଇଥିବା ଛାତ୍ରଙ୍କ ଭିତରୁ କେତେଜଣ ହେଲେ ଅର୍ଥନୀତିଜ୍ଞ ଓ କୁଳପତି ସଦାଶିବ ମିଶ୍ର, ସାମ୍ବାଦିକ ଓ ଲେଖକ ଉଦୟନାଥ ଷଡ଼ଙ୍ଗୀ, ମାନ୍ୟବର ନ୍ୟାୟମୂର୍ତ୍ତି ହରିହର ମହାପାତ୍ର, ଓଡ଼ିଶାରେ ବାମପନ୍ଥୀ ରାଜନୀତି ଓ ସାହିତ୍ୟର ଉଦ୍‌ଗାତା ଭଗବତୀ ପାଣିଗ୍ରାହୀ, ‘ସତ୍ୟବାଦୀରେ ସାତବର୍ଷ’ର ଲେଖକ ଚନ୍ଦ୍ରଶେଖର ମିଶ୍ର ଏବଂ ବିଖ୍ୟାତ ସାହିତ୍ୟିକ ଓ କର୍ମୀ ଗୋଦାବରୀଶ ମହାପାତ୍ର ।
ସାଂପ୍ରତିକ ସମାଜକୁ ଜ୍ଞାନ ସମାଜ କୁହାଯାଉଛି। ଜ୍ଞାନ ହିଁ କ୍ଷମତା। ଜ୍ଞାନ ବି କୋମଳ ଶକ୍ତି। ଜ୍ଞାନସର୍ଜନା କ୍ଷେତ୍ରରେ ଶିକ୍ଷାନୁଷ୍ଠାନମାନଙ୍କର, ବିଶ୍ବବିଦ୍ୟାଳୟ ସମେତ- ପ୍ରମୁଖ ଭୂମିକା ଥାଏ। ବନବିଦ୍ୟାଳୟ ଗଢ଼ିଲାବେଳେ ଗୋପବନ୍ଧୁଙ୍କ ମନରେ ପୁନାର ଫରଗୁସନ୍‌ ଏବଂ ଇଂଲଣ୍ଡର ହାରୋ, ଇଟନ୍‌ ଓ ରୁଗ୍‌ବି ମନରେ ଥିଲା, କିନ୍ତୁ ସେ ସବୁର ହନୁକରଣ ଚାହୁଁନଥିଲେ। ଏବେ ସେ ବନବିଦ୍ୟାଳୟର ତୁଳନା ଗୁରୁଦେବ ରବୀନ୍ଦ୍ରନାଥଙ୍କ ବିଶ୍ବଭାରତୀ ସହ କରି ଆଉ ଲାଭ ନାହିଁ। ସେଠି ବିଶ୍ବବିଦ୍ୟାଳୟ ବାସ୍ତବ ରୂପ ନେବାକୁ ଯାଉଛି। ‘ଓଡ଼ିଆ’ ମାନେ ଅତି କମ୍‌ରେ ଲୋକ, ଓଡ଼ିଶାର ଓ ଭାଷା। ଓଡ଼ିଆ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଗଠିତ ହୋଇପାରିଲା। ପୁଣି ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା। ତେଣୁ ଏ ବିଶ୍ବବିଦ୍ୟାଳୟ ବାବଦରେ ଆଶାବାଦୀ ହେବାର ଯଥେଷ୍ଟ କାରଣ ଅଛି। ଗୋପବନ୍ଧୁଙ୍କଠାରୁ ଅଧିକା ଆଶାବାଦୀ ଆଉ କିଏ? ଥରେ ସିଏ କହିଥିଲେ- ଆମେ ଯେଉଁ ଭଳିଆ ଓଡ଼ିଶାରେ ଜନ୍ମ ନେଇଥିଲୁ ତା’ଠାରୁ ଉନ୍ନତତର ଓଡ଼ିଶା ମଲାବେଳକୁ ଛାଡ଼ିକି ଯିବୁ। ବିଶ୍ବାସ ଓ ଆଶା, ଓଡ଼ିଆ ବିଶ୍ବବିଦ୍ୟାଳୟ ଆମକୁ ନିଶ୍ଚୟ ଉନ୍ନତତମ ସୋପାନକୁ ନେବ।

Leave A Reply