ସରମହୀନ ଆତ୍ମପ୍ରତିଷ୍ଠା

‘‘ସାଧନା, ସିଦ୍ଧି, ସାଧକ ଓ ସିଦ୍ଧ’’ ଶବ୍ଦଗୁଡ଼ିକ ଅଙ୍ଗାଙ୍ଗୀଭାବେ ଜଡ଼ିତ ସିନା, ବହୁଭାବେ ଅବୋଧ୍ୟ, ଅକଳନୀୟ। ରାଜକୁମାର ଗୌତମ ରାଜପ୍ରାସାଦ, ସୁନ୍ଦରୀ ସ୍ତ୍ରୀ ଯଶୋଧାରା ଓ କଅଁଳ ପୁଅ ରାହୁଳକୁ ଛାଡ଼ି ସେଦିନ ଲୁଚି ଛପି ଚାଲିଗଲେ। ଭୋଗ ବୈଭବର ଏ ଜୀବନରେ ଜନ୍ମ ସହ ମୃତ୍ୟୁ, ଯୌବନ ସହ ବାର୍ଦ୍ଧକ୍ୟ, ସ୍ବାସ୍ଥ୍ୟ ସହ ବୀଭତ୍ସ ରୋଗର ବ୍ୟବସ୍ଥା, ଆଶା-ନିରାଶାର ଘାତକ ମାନସିକତାର ଗୋଲକଧନ୍ଦା ବୁଝି ପାରିଲେନି। ପାଣିଫୋଟକାର ଏ ଜୀବନରେ ହସ କିଆଁ, କାନ୍ଦ ବି କିଆଁ? ୟାର ଟେର ପାଇଲେନି। ଏକୁ ଖୋଜିବାକୁ, ମରଣାଧୀନ ଏ ଜୀବନକୁ ଜୀବନ୍ମୟ କରିବାକୁ ଖୋଜିଲେ ସୂତ୍ର, ବାଟ ବା ବାଗ। ବାରବର୍ଷ କାଳ ବୋଧିଦ୍ରୁମ ତଳେ ସାଧନାରେ ବସିଗଲେ। ଦିନେ ସତକୁ ସତ ବୁଦ୍ଧଦେବ ବନିଗଲେ। ପ୍ରଥମ ମନ୍ତ୍ର ସେ ଦେଲେ, ‘‘ଜୀବନ ଦୁଃଖପୂର୍ଣ୍ଣ’’, ତମେ ଗାଲୁ କରୁଥିଲେ କରୁଥା’। ତା’ପରେ କହିଲେ ‘କାମନା’ ଦୁଃଖର କାରଣ। ଆଉ କାମନାର ବିନାଶରେ ଦୁଃଖର ବିନାଶ। ଦେଖାଯାଉ ତ କାମନା ନ ଥାଇ କାହାର ଦୁଃଖ ଅଛି? ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ବି ସେଇ ଏକ କଥା କହିଥିଲେ। ଗୀତା-ସାଗର ତଳେ କେତେ ପ୍ରଜ୍ଞାର ମଣିରତ୍ନ ପଡ଼ି ରହିଥିବା ବେଳେ ବୁଦ୍ଧଦେବ ଏମିତି କେତେ ମଣି ଉପରକୁ ଉଠାଇ ଆଣିଲେ। ତେବେ ଚେତନାନ୍ଧ, ମୋହାନ୍ଧଙ୍କୁ ଏ ମଣି କୁ ଦିଶିବ? ଘାଣ୍ଟି ହେଉଥା’, ଘୋଷାରି ହେଉଥା’। ‘‘ମତେ ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।’’ “ଈକ୍ଷବମଳ ଙ୍ଗସକ୍ଷକ୍ଷ ଗ୍ଧବଳର ଦ୍ଭକ୍ଟ କ୍ଟଗ୍ଧଷରକ୍ସ ଷଙ୍କର.” ତେବେ ମଞ୍ଚ ଉପର ପ୍ରବଚନିଆ ଆଉ ସିଦ୍ଧାତ୍ମାଙ୍କ ଭିତରେ ଆକାଶ ପାତାଳ ଫରକ। ପାପ ଓ ପୁଣ୍ୟ ସଂକ୍ରାମକ। ପାପୀଠାରୁ ପାପ ଓ ପୁଣ୍ୟାତ୍ମା, ସିଦ୍ଧାତ୍ମାଙ୍କଠାରୁ ପୁଣ୍ୟ ଡେଇଁଥାଏ, ସଂକ୍ରମିତ ହୋଇଥାଏ।

ସେଇଥି ପାଇଁ ତ ବିନା ସାଧନାରେ, ବିନା ଦଣ୍ଡ ବୈଠକୀ, ନାକ କାନ ଚିପାରେ ବି ପୁଣ୍ୟ ଲାଭ ପାଇଁ ଶଙ୍କରାଚାର୍ୟ୍ୟ କହିଲେ, ‘‘କ୍ଷଣମପି ସଜ୍ଜନ ସଙ୍ଗତିରେକା, ଭବତି ଭବାର୍ଣବ ତରଣେ ନୌକା।’’ ‘‘କରୁଥିବୁ ସାଧୁ ସଙ୍ଗ ଧର୍ମ ଅର୍ଜନର ପ୍ରଧାନ ଅଙ୍ଗ, ମୋ ବାଇଧନ, ଉଠିବ ପ୍ରେମ ତରଙ୍ଗ।’’ ଶଙ୍କରାଚାର୍ୟ୍ୟ, ବୁଦ୍ଧଙ୍କ ପ୍ରବଚନ ଦିହ ଓ ମନ ଭେଦା। ମାତ୍ର ହରି ପଣ୍ଡିତଙ୍କ ଡାକବାଜି ଯନ୍ତ୍ରର କଣ୍ଠଫଟା ପ୍ରବଚନ ଟିକିଏ ବି ଦିହକୁ କି ମନକୁ ଭେଦେନି। କାରଣ ଏଗୁଡ଼ା ଜ୍ଞାନ-କୁହାଳିଆ। ଜ୍ଞାନୀ ଓ ଜ୍ଞାନ-କୁହାଳିଆ, ଦି’ କିସମର। ଜଣେ ଅସଲି ତ ଜଣେ ନକଲି। କବି ଲେଖିଲେ, ‘‘ଆଚରଣହୀନ ଜ୍ଞାନ ସମ୍ବାଦ କେବଳ, ଜ୍ଞାନୀ ଆଉ ଜ୍ଞାନ-କୁହାଳିଆ। ଜ୍ଞାନୀ ହୃଦେ ସତ୍ୟର ପ୍ରକାଶ, ଅନ୍ୟହୃଦେ ଭାଷାର ଅଳିଆ।’’ ଜ୍ଞାନ-କୁହାଳିଆଙ୍କ ପ୍ରବଚନର ଟିକିଏ ବି ପ୍ରଭାବ ପଡ଼େନି। ରାମକୃଷ୍ଣଙ୍କ କଥା ତ କେତେଥର ଗପିଲେଣି। ମିଠାଖୋର ପୁଅ ମିଠା ଖାଇ ଖାଇ ରୋଗିଣା ହେଲା ସିନା, ମିଠା ଛାଡ଼ିଲାନି। ବୈଦ୍ୟ କହିଲେ ମିଠା ଖିଆ ନ ଛାଡ଼ିଲେ ପୁଅ ଆଶା ଛାଡ଼ିଦିଅ। ଗୋଟିଏ ବୋଲି ପୁଅକୁ କେତେ ମାଡ଼ ଛାଟ ଦେଲେଣି। କାଇଁ, କୁ ପରିବର୍ତ୍ତନ? ରାମକୃଷ୍ଣଙ୍କ ସ୍ପର୍ଶରେ ରୋଗୀ ଭଲ ହୋଇଯାଉଥିବା କଥା ଶୁଣିଥିଲେ। ପୁଅକୁ ଧରି ଧାଇଁଲେ ତାଙ୍କ ପାଖକୁ। ‘‘ଏ ପୁଅକୁ ମିଠା ଖିଆରୁ ଛଡ଼ାନ୍ତୁ ମହାପ୍ରୁ’’– ଏହା କହି ଦି’ ପ୍ରାଣୀ ଗୋଡ଼ତଳେ ପଡ଼ିଗଲେ ରାମକୃଷ୍ଣଙ୍କର। ଶିଷ୍ୟ ପରିବେଷ୍ଟିତ ରାମକୃଷ୍ଣ ଟିକିଏ ଚାହିଁଲେ ପିଲା ଓ ବାପମା’ଙ୍କ ଆଡ଼େ। କହିଲେ, ‘‘ଦି ମାସ ପରେ ଆସ।’’ ଦି’ମାସ ପରେ ସେମାନେ ଆସିଲାରୁ ରାମକୃଷ୍ଣ ପିଲାଟିକୁ କୋଳକୁ ଉଠାଇ ନେଇ ମିଠା ନ ଖାଇବାକୁ ପଦେ, ଦି’ପଦ କହି, ମୁଣ୍ଡ ସାଉଁଳେଇ ଦେଇ ବିଦା କରିଦେଲେ। ଏଥିରେ ବିସ୍ମିତ ଓ ଅସନ୍ତୁଷ୍ଟ ଜଣେ ଘନିଷ୍ଠ ଶିଷ୍ୟ ତାଙ୍କୁ କହିଲେ, ‘‘ୟେ କି କଥା ଆଜ୍ଞା! ଏ କଥା ତ ଆପଣ ତାଙ୍କୁ ଦି’ମାସ ତଳୁ କହିପାରିଥା’ନ୍ତେ। ପୁଣି ଡକାଇ ଦି’ ମାସ ପରେ ଏ କଥା କହିବାର କି ଅର୍ଥ? ଆମେ ଭାବିଲୁ ଆପଣ କ’ଣ ଜଡ଼ିବୁଟି ତିଆରି କରିବେ ବୋଲି।’’ ଟିକିଏ ହସିଲେ ରାମକୃଷ୍ଣ। କହିଲେ, ତମେ ଠିକ ଭାବୁଛ। ମାତ୍ର ଦି’ ମାସ ତଳେ ସେମାନେ ଆସିଥିବା ବେଳେ ମୋର ମିଠା ପ୍ରତି ହିଁ ଘୋର ଦୁର୍ବଳତା ଥିଲା। ମିଠା ପ୍ରତି ଦୁର୍ବଳତା ଥିବା ଜଣେ ମିଠା ନ ଖାଇବାକୁ କହିବା ଭାଷଣ ବିଳାସ କେବଳ ନୁହଁ ଭାଣ୍ଡାମି। କିଛି ହିଁ ପ୍ରଭାବ ୟାର ପଡ଼ିବନି। ସାଧକର ସାଧନାଲବ୍ଧ ବାକ୍ୟ ମନ୍ତ୍ର ବନିଯାଏ। ଏହା ଦେହ ଓ ମନକୁ ଭେଦେ, ଘେନାଏ।

ଏବେ ଦେଖୁନାହାନ୍ତି ଗାନ୍ଧୀଙ୍କ ଓଡ଼ିଶା ଆଗମନ ଶତବର୍ଷ ଏଇଲେ ପାଳନ ଚାଲିଛି। ସତେ ଯେମିତି ଗାନ୍ଧୀ ଆସିଛନ୍ତି, କି ଆସୁଛନ୍ତି। ଭାଷଣ, ସଭା ଶୋଭାଯାତ୍ରା, ଗାନ୍ଧୀ କଥା ଆଦର୍ଶର ଆକାଶ ଫଟା ପ୍ରଚାର ଚାଲିଛି। ଜଣେ ନେତାଙ୍କୁ ଗାନ୍ଧୀଯାତ୍ରା ସ୍ମୃତିସଭା କରିବାକୁ ହେବ। ଦଶ କୋଡ଼ିଏ ହଜାର ଟଙ୍କା ଅତିକମ୍‌ରେ ଲାଗିବ। ୟା ପୂର୍ବରୁ ଦଳୀୟ ହାଇକମାଣ୍ଡଙ୍କ ନିର୍ଦେଶରେ ପାଞ୍ଚଟି ସଭା କରି ଅଧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଉଦ୍ଦଣ୍ଡିଆ ଟୋକାଙ୍କୁ ମଟର ସାଇକେଲ ଶୋଭାଯାତ୍ରା (ରାଲି) ତେଲ ତ ଯାହା ଦେବାକୁ ପଡ଼ିଲା, ବିନା ପିଇବାରେ କି ରାଲି ବୋଲି ସେମାନେ ଚିହିଙ୍କିଲେ। ୟେ ତେଲ ପଇସାକୁ ବଳିଗଲା ସିନା, ରାଲିଟା ଜମାଣିଆ ହେଲା। ସତରେ ‘ପିଇଲା’ ପରେ କୁ ତେଜ ଲୋ ମା’! ଏବେ ଏତେ ଟଙ୍କା ପୁଣି ଆସିବ କୁଆଡ଼ୁ? ବିନ କହିଲା, ‘‘ହଇରେ ଜଟୀ ଭାଇନା, ତମ ବ୍ରେନ (ମୁଣ୍ଡ) କାମ କରୁନି କି? ଆହେ ଗାଁ ମୁଣ୍ଡରେ ଯେଉଁ ବିଦେଶୀ ମଦ ଦୋକାନ ବସିଛି ସେ କାହା ଯୋଗୁଁ କହୁନା? କେତେ ବିରୋଧ ହେଲା, ତମେ ସବୁକୁ ମାଡ଼ି ମକଚି ସେଠି ଦୋକାନଟା ବସେଇଲ ନା ନାହିଁମ? ତା’ ପରେ ଆମ ଦଳ ବି ଏ ସାହାଣମେଲା ମଦ ଦୋକାନ ଓଡ଼ିଶା ସାରା ଖେନ୍ଦି ଦେଇଛନ୍ତି, କାହିଁକି? ଏଗୁଡ଼ା କ’ଣ ପଇସା ଛାଣି ଘରଣୀକୁ ପାଟଶାଢ଼ି ପିନ୍ଧେଇବେ ଆମେ ଫକିରା ହୋଇ ବୁଲୁଥିବା? ତା’ ପରେ ଆମେ ତ ଆମ ଘର ଖର୍ଚ୍ଚ ପାଇଁ ଏ ଚାନ୍ଦା ଆଣୁନେ। ଅବନୀ ଭାଇ ତା’ ସଭା ଆୟୋଜନରେ ସଭିଙ୍କୁ ବଳିଗଲା, ଚମକେଇ ଦେଲା। ଗାନ୍ଧୀଙ୍କ କି ଫଟୋ, କି ପୋଷ୍ଟର, ବଇଷ୍ଣବ ଜନ ତୋ… ଭଜନରେ ପାଣି କରିଦେଲା ସଭିଙ୍କୁ। ଗୁଣ୍ଠେ ଜମି ନା କଡ଼ାକର ରୋଜଗାର ଅଛି ତା’ର? ତା’ ପଞ୍ଚାୟତରେ ଯେତେଟା ଗାଁ ସେତେଟା ମଦ ଦୋକାନ। ହାଙ୍କିଦେଲା ଚାନ୍ଦା ଦୋକାନ ଗୋଟିଏକେ କୋଡ଼ିଏ ହଜାର, ଦି’ଲକ୍ଷ ଟଙ୍କା ଭୁସ୍‌କିନା କୁଢ଼େଇ ହୋଇପଡ଼ିଲା।’’ ପ୍ରତିଦିନ ନାଲି କାର୍‌ରେ ଚଉଦ୍ବାରରୁ ଆସୁଥିବା ତା’ ପେଟା ମାଲିକଟା ବି ଭଲ ଲୋକଟା। ତା’ ଠାରୁ ପରା ଏକ ମୁଥାକେ ପଚାଶ ହଜାର ମିଳିବ।’’ ସତକୁ ସତ ଲକ୍ଷେ ଟଙ୍କା ପେଟା ମାଲିକ ଫୋପାଡ଼ି ଦେଲା। କହିଲା, ‘‘ରୁଟି ନ ଫିଙ୍ଗିଲେ କୁକୁରଗୁଡ଼ା କୋଉ ବୋଲ ମାନିବେ?

ଆରେ ଏଗୁଡ଼ା ସୁଦୁ ଭାଣ୍ଡଦଳେ। ଗାନ୍ଧୀ ପରା ପୂରା ନିରାମିଷାଶୀ ଥିଲେ, ନିଶା ପାଣି ତ କାହିଁ କେତେ ଦୂରର କଥା। ତାଙ୍କ ଜନ୍ମଭୂମି ଗୁଜରାଟରେ ସରକାର ସମ୍ପୂର୍ଣ୍ଣ ନିଶାବନ୍ଦି କରିଛନ୍ତି। ସେମାନେ କ’ଣ ଭିକ ମାଗୁଛନ୍ତି ମଦ ଦୋକାନ ନ ଖୋଲି?’’ ଗାନ୍ଧୀଙ୍କୁ ଏଗୁଡ଼ା ଇଙ୍ଗିତି ପରିହାସ କରୁଛନ୍ତି। ଗାନ୍ଧୀ ଶୁଦ୍ଧ ଜୀବନଯାପନ ଓ ନୈତିକତା କଥା ବରାବର କହୁଥିଲେ। ଶୁଦ୍ଧ ଜୀବନ ଓ ନୈତିକତାର ସେ ଜୀବନ୍ତ ପ୍ରତିମୂର୍ତ୍ତି ଥିଲେ। ହରିଜନମାନେ ମନ୍ଦିର ପଶି ନ ପାରିଲେ ସିଏ ବି ପଶିବେନି କହି ମନ୍ଦିର ଗଲେନି। ସ୍ତ୍ରୀ କସ୍ତୁରୀ ବାଈ ଓ ସଚିବ ମହାଦେବ ଦେଶାଇ ଜଗା ଦର୍ଶନ ଲୋଭ ଛାଡ଼ି ପାରିଲେନି। ସମସ୍ତେ କ’ଣ ଗାନ୍ଧୀ ନା କ’ଣ? ଲୁଚିକରି ସେମାନେ ଜଗାକୁ ଦର୍ଶନ କରିଦେଲେ, କି ଗାଳି, କି ବେଜିତ୍‌ ଲୋ ମା! ପ୍ରତିବାଦ ପାଇଁ ବିଧାନସଭା ସଂସଦରେ ହେଉଥିବା ଠେଲାପେଲା ସେ କ’ଣ କରୁଥିଲେ? ଏଗୁଡ଼ା ‘ହିଂସା’ ବୋଲି କହୁଥିଲେ। ତାଙ୍କ ପ୍ରତିବାଦ ହେଲା ‘ଅନଶନ’। ଦେଶ ସାରା ଚହଲି ଯାଉଥିଲା। ଗାନ୍ଧୀ ଉପାସ ବୋଲି ଘରେ ଘରେ ଚୁଲି ଜଳୁ ନ ଥିଲା। ଏଇଲେ, ମରୁନାହାନ୍ତି ଏ ନେତାଗୁଡ଼ା, କିଏ ପଚାରେ ମ?
ଦେଖୁନା ବିଧାନସଭାରେ ଜଣେ ମାନ୍ୟବର ସଭ୍ୟ ନାଟକ ଗାନ୍ଧୀ କେମିତି ବନିବାକୁ ଆତ୍ମତ୍ୟାଗ ପାଇଁ ‘ସାନିଟାଇଜର’ ପିଉଥିଲେ। ଛାଡ଼ନ୍ତୁ ସେ କଥା। ଏବେ ସାରା ଦେଶରେ ‘ଗାନ୍ଧୀ’ ଛାପରେ ମନୁ ମର୍କଟ ନର୍ତ୍ତନ ଚାଲିଛି। ସାରା ରାଜ୍ୟରେ ମଦର ବନ୍ୟା ବୁହାଇବା ପରେ, ଗାନ୍ଧୀଙ୍କ ସ୍ମୃତି ପାଳନର ନୈତିକତା ଏ ସରକାରଙ୍କର କାଇଁ? ୟେ ତ ନୈତିକ ଦାୟିତ୍ବ ନୁହଁ, ସରମହୀନ ଆତ୍ମପ୍ରତିଷ୍ଠା ପ୍ରୟାସ। ସ୍ବାଧୀନତାର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ, ଡ. ରାଧାନାଥ ରଥଙ୍କ ଉପସ୍ଥିତିରେ ରଜତ ଜୟନ୍ତୀ ପାଳନ ବେଳେ କିଛି ଦେଶାତ୍ମବୋଧକ ‘କବିତା’ ପାଠ କରାଯାଇଥିଲା। ସେଥିରୁ ‘‘ଜୟନ୍ତୀ ରଜତ ରୂପ ଗାନ୍ଧୀ ଦରପଣେ’’ ଲେଖା ଡ. ରଥ ଓ ଜନତାଙ୍କୁ ବେଶ୍‌ ବିମୋହିତ କରିଥିଲା। ସେଥିରୁ ଧାଡ଼ିଏ ଦି’ଧାଡ଼ି ଆମ ଆତ୍ମସମୀକ୍ଷା ପାଇଁ ଦିଆଯାଇପାରେ।

‘‘ସଂସ୍କୃତି, ସମାଜବାଦ, ଜନସେବା, ନାରୀ ଜାଗରଣ,
ସର୍ବ ପ୍ରାଣୀ କୁଟୁମ୍ବିତା, ଆସ୍ତିକତା, ସାଧୁ ଆଚରଣ
ଆଦି ଯେତେ ଶ୍ରୁତିମଧୁ-ପ୍ରବଚନ-ପୁଷ୍ପିତ ଭାଷଣ
ଶ୍ରାବଣ ଆସାର ସମ ସଭା ମଞ୍ଚେ ହୁଏ ବରଷଣ-
ଦେଶସାରା ମନେ ହୁଏ ଋତୁଚକ୍ରେ ବର୍ଷା ଋତୁ ସମ-
ସ୍ବାଧୀନତା ଅୟନ ଚକ୍ରରେ, ସତେ ଯେହ୍ନେ ଆସିଛି ଦୁର୍ଦ୍ଦମ-
ବକ୍ତୃତା ଭାଷଣ ବର୍ଷାଋତୁ। କିଏ ଜାଣେ ଫଳଭରେ ହସିବ ଏ ଧରା
ଭାଷଣ ବାହୁଲ୍ୟେ ଅବା ଭଣ୍ଡତାରେ ହେବ ସର୍ବହରା।
ଯୁଗଜନ୍ମା ଗାନ୍ଧୀ ସିଦ୍ଧିବୀଜ ଏତେକାଳ ପଡ଼ି ଏ ମାଟିରେ
ଅଙ୍କୁରିତ, ନହେଲା, ପୁଷ୍ପିତ, ଗାନ୍ଧୀ ଗଳ୍ପ ସବୁରି ପାଟିରେ,
ଗାନ୍ଧୀନାମେ ଜୟଧ୍ବନି, ମୂର୍ତ୍ତିପୂଜା, ମେଳା ସଂକୀର୍ତ୍ତନ
ଗାନ୍ଧୀଛାପ ମାରି ଦେଶେ ଚାଲେ ମନୁ ମର୍କଟ ନର୍ତ୍ତନ।
x x x x
ଗାନ୍ଧୀସମ ଆପଣେ ଆଚରି, ତ୍ୟାଗପୂତ ଗାନ୍ଧୀ ଆଦରଶେ
ନିରନ୍ନ ଏ ଜନତା ଅନ୍ତରେ କୁଟୁମ୍ବିତା ଆଣିବ କେ ଦେଶେ?’’

Comments are closed.